Cricket: ମୁଁ ଭାରତୀୟ ସମସ୍ତ ଫର୍ମାଟ୍ର ଅଧିନାୟକ ପଦରୁ ଓହରିଯାଉଛି: ହର୍ମନପ୍ରୀତ
"ନୂଆଦିଲ୍ଲୀ: ଭାରତର ଏକମାତ୍ର ମହିଳା କ୍ରିକେଟ୍ ବିଶ୍ବକପ୍ ବିଜେତା ଅଧିନାୟିକା ହର୍ମନପ୍ରୀତ କୌର ମଙ୍ଗଳବାର ସମସ୍ତ ଫର୍ମାଟ୍ର ନେତୃତ୍ବ ଦାୟିତ୍ବରୁ ଓହାରି ଯାଇଛନ୍ତି।
ହେଲେ ଖେଳିବା ଜାରି ରଖିବେ ବୋଲି ସେ ସୂଚନା ଦେଇଛନ୍ତି।
ଗୁଆହାଟୀରେ ବିସିସିଆଇର ସମୀକ୍ଷା ବୈଠକ ପରେ ହର୍ମନପ୍ରୀତଙ୍କ ଏହି ନିଷ୍ପତ୍ତି ସାମ୍ନାକୁ ଆସିଛି।
ବିସିସିଆଇ ସଚିବ ଦେବଜିତ ସାଇକିଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ହର୍ମନପ୍ରୀତଙ୍କ ସହ ଉପଅଧିନାୟିକା ସ୍ମୃତି ମନ୍ଧାନା ଓ ମୁଖ୍ୟ ପ୍ରଶିକ୍ଷକ ଅମୋଲ ମଜୁମଦାର ଉପସ୍ଥିତ ଥିଲେ।
ଗତ କିଛି ମାସରେ ଦଳର ପ୍ରଦର୍ଶନ ଓ ଭବିଷ୍ୟତ ଯୋଜନା ନେଇ ବୈଠକରେ ସମୀକ୍ଷା କରାଯାଇଥିଲା।Advertisment ଏହି ବୈଠକ ପରେ ହର୍ମନପ୍ରୀତ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ଏକ ଭାବବିହ୍ବଳ ପୋଷ୍ଟ କରି ଭାରତୀୟ ମହିଳା କ୍ରିକେଟ୍ର ଅଧିନାୟକ ପଦ ଛାଡ଼ିବା ନେଇ ସୂଚନା ଦେଇଥିଲେ।
ସେ ଲେଖିଛନ୍ତି, “ଆଜି ମୁଁ ଭାରତୀୟ ମହିଳା କ୍ରିକେଟ୍ ଦଳର ସମସ୍ତ ଫର୍ମାଟ୍ର ଅଧିନାୟକ ପଦରୁ ଓହରିଯାଉଛି।
ଏହି ନିଷ୍ପତ୍ତି ଏତେ ସହଜ ନଥିଲା।
ଏହା ସହ ବହୁ ବର୍ଷର ସ୍ମୃତି, ଭାବନା, ତ୍ୟାଗ ଓ ଏମିତି ଅନେକ ମୁହୂର୍ତ୍ତ ରହିଛି।
ଏସବୁ ଜୀବନସାରା ମୋ ସହ ରହିବ।
ମୋତେ ଲାଗୁଛି, ମୋର ଦାୟିତ୍ୱ ଠିକ୍ରେ ତୁଲାଇଛି।
ଦଳ ପାଇଁ ସବୁକିଛି ଦେଇଛି।
ଗର୍ବର ସହ ଏହି ଦାୟିତ୍ୱ ତୁଲାଇଛି ଏବଂ ଭାରତୀୟ ମହିଳା କ୍ରିକେଟ୍ର ନେତୃତ୍ୱ ନେବାର ସୁଯୋଗ ପାଇଥିବାରୁ ସବୁବେଳେ କୃତଜ୍ଞ ରହିବି।
ମୋର ରକ୍ତ, ଝାଳ, ସମୟ ସବୁକିଛି ଦଳ ପାଇଁ ଦେଇଛି।
ବେଳେବେଳେ ବ୍ୟକ୍ତିଗତ ପ୍ରଦର୍ଶନ, ନିଜର ବିକାଶ ଓ ନିଜ ପାଇଁ ଚାହୁଥିବା ଜିନିଷକୁ ପଛରେ ବି ଛାଡ଼ି ଦେଇଛି।
କାରଣ ବିଶ୍ୱାସ ଥିଲା ଦଳ ପ୍ରଥମ।
ଏବେ ନୂଆ ପୃଷ୍ଠା ଖୋଲିବାର ସମୟ।
ଅଧିନାୟକ ପଦ ଆଜି ଶେଷ ହେଲା, କିନ୍ତୁ ଭାରତୀୟ କ୍ରିକେଟ୍ ପ୍ରତି ମୋର ଭଲପାଇବା କେବେ ଶେଷ ହେବନି।
New milestone: ମହିଳା କ୍ରିକେଟ୍ରେ ନୂଆ ମାଇଲ୍ଖୁଣ୍ଟ: ଲର୍ଡ୍ସର ପ୍ରଥମ ମହିଳା ଟେଷ୍ଟ ଜିତିଲା ଭାରତ କ୍ରିକେଟ୍କୁ ଭଲ ପାଇବା ଜାରି ରହିବ ଏବଂ ଖେଳିବାକୁ ବି ପ୍ରସ୍ତୁତ।
ଅଧିନାୟକ ଭାବେ ମୋତେ ଅନେକ କଠିନ ନିଷ୍ପତ୍ତି ନେବାକୁ ପଡ଼ିଛି।
ହେଲେ ନିଷ୍ପତ୍ତି ସବୁବେଳେ ସହଜ ନଥିଲା।
ବେଳେବେଳେ ଏଥିପାଇଁ ବ୍ୟକ୍ତିଗତ କ୍ଷତି ମଧ୍ୟ ସହିଛି।
କିନ୍ତୁ ପ୍ରତ୍ୟେକ ନିଷ୍ପତ୍ତିର ଗୋଟିଏ ଉଦ୍ଦେଶ୍ୟ ଥିଲା, ଦଳକୁ ଆହୁରି ଭଲ କରିବା ଏବଂ ଅନ୍ୟ ଖେଳାଳିଙ୍କୁ ଆଗକୁ ଛାଡ଼ିବା।
ମୁଁ ସବୁକିଛି ଦେଖିଛି।
କଠିନ ସମୟ, ନିରାଶା, ସମାଲୋଚନା, ସନ୍ଦେହ ଓ ଏମିତି ଦିନ, ଯେତେବେଳେ କିଛି ବି ଆମ ସପକ୍ଷରେ ଯାଉ ନଥିଲା।
ତା" ସହ ଜିତିବା, ଉତ୍ସବ ମନାଇବା, ଦେଶ ପାଇଁ ଖେଳିବାର ଗର୍ବ ଏବଂ ଏମିତି ମୁହୂର୍ତ୍ତ ମଧ୍ୟ ଅନୁଭବ କରିଛି।
ଯାହା ପାଇଁ ପ୍ରତ୍ୟେକ ତ୍ୟାଗ ମୋତେ ସାର୍ଥକ ଲାଗିଥିଲା।
ମୋର ବିଶ୍ୱାସ, ଦଳ ଏବେ ଭଲ ସ୍ଥାନରେ ଅଛି।"" ୨୦୧୬ରେ ପ୍ରଥମ ଥର ଟ୍ବେଣ୍ଟି-୨୦ ଦଳର ଅଧିନାୟିକା ହୋଇଥିବା ହର୍ମନପ୍ରୀତ ପ୍ରାୟ ଏକ ଦଶନ୍ଧି ଧରି ଏହି ଦାୟିତ୍ୱ ତୁଲାଇଛନ୍ତି।
୨୦୨୨ରେ ସେ ଦିନିକିଆ ଦଳର ନେତୃତ୍ବ ନେଇଥିବା ବେଳେ ୨୦୨୩ରୁ ସମସ୍ତ ଫର୍ମାଟ୍ର ଦାୟିତ୍ବ ନିର୍ବାହ କରି ଆସୁଛନ୍ତି।
କିଛିଦିନ ତଳେ ସେ ୨୦୨୮ ଲସ୍ଏଞ୍ଜେଲସ୍ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେବାକୁ ଚାହୁଥିବା କହିଥିଲେ।
ହରମନପ୍ରୀତଙ୍କ ନେତୃତ୍ୱରେ ଭାରତ ଗତବର୍ଷ ପ୍ରଥମ ଥର ପାଇଁ ମହିଳା ଦିନିକିଆ ବିଶ୍ୱକପ୍ ଜିତିଥିଲା।
ଏହାଛଡ଼ା ନିକଟରେ ଏସୀୟ କ୍ରୀଡ଼ାରେ ଭାରତକୁ ଲଗାତାର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ।
୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ତାଙ୍କ ନେତୃତ୍ୱରେ ଭାରତ ରୌପ୍ୟ ପଦକ ଜିତିଥିଲା।
ମୋଟ ଉପରେ ସେ ୫ ଟେଷ୍ଟ୍, ୫୧ ଦିନିକିଆ ଓ ୧୫୫ ଟ୍ବେଣ୍ଟି-୨୦ରେ ଭାରତର ନେତୃତ୍ୱ ନେଇଛନ୍ତି।
ତେବେ ଚଳିତ ବର୍ଷ ଭାରତ ଟ୍ବେଣ୍ଟି-୨୦ ବିଶ୍ୱକପ୍ର ସେମିଫାଇନାଲ୍ରେ ପହଞ୍ଚି ନ ପାରିବା ଏବଂ ଏହି ଛୋଟ ଫର୍ମାଟ୍ରେ ହର୍ମନପ୍ରୀତଙ୍କ ପ୍ରଦର୍ଶନ ଭଲ ନଥିବାରୁ ସମାଲୋଚନାର ଶିକାର ହେଉଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।