Crime: ଅପରିଚିତଙ୍କ ଅର୍ଦ୍ଧଦଗ୍ଧ କଙ୍କାଳ ଜବତ: ହତ୍ୟା କରି ଖାଲରେ ପୋଡ଼ି ଦେଇଥିବା ଚର୍ଚ୍ଚା

Nov 05, 2026 - 09:04
Crime: ଅପରିଚିତଙ୍କ ଅର୍ଦ୍ଧଦଗ୍ଧ କଙ୍କାଳ ଜବତ: ହତ୍ୟା କରି ଖାଲରେ ପୋଡ଼ି ଦେଇଥିବା ଚର୍ଚ୍ଚା

ଭୁବନେଶ୍ୱର: ବୁଧବାର ପୂର୍ବାହ୍ଣରେ ଗୁରୁ କେଳୁଚରଣ ପାର୍କ ପଛପଟ ପଡ଼ିଆର ଏକ ଖାଲରୁ ମଞ୍ଚେଶ୍ବର ଥାନା ପୁଲିସ ଜଣେ ଅପରିଚିତ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍‌ଧ ଅଧା କଙ୍କାଳ ଜବତ କରିଛି।

ମୃତକଜଣକ ପୁରୁଷ କି ମହିଳା ସ୍ପଷ୍ଟ ହୋଇନଥିଲେ ହେଁ ହାଡ଼ରେ ଲାଗି ରହିଥିବା କପଡ଼ାରୁ କଙ୍କାଳଟି ପୁରୁଷର ବୋଲି ଅନୁମାନ କରାଯାଉଛି।

ବଣବୁଦାଳିଆ ଏହି ପଡ଼ିଆର ଏକ ଖାଲରେ ଅଧା କଙ୍କାଳଟି ପଡ଼ିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି।

ଦୁର୍ବୃତ୍ତମାନେ ହତ୍ୟା କରିବା ପରେ ଖାଲ ଭିତରେ ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି।

ମୃତଦେହର ଗୋଟିଏ ଗୋଡ଼ ଓ କଙ୍କାଳର ବହୁ ଅସ୍ଥି ନଥିବାରୁ ବ୍ୟକ୍ତିଜଣଙ୍କର ମୃତ୍ୟୁ ନିହାତି ପନ୍ଦର ଦିନ ତଳୁ ହୋଇଛି ବୋଲି ଅନୁମାନ କରାଯାଉଛି।

ମଞ୍ଚେଶ୍ବର ଥାନା ପୁଲିସ କଙ୍କାଳ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ଏବଂ ସାଇଣ୍ଟିଫିକ୍‌ ଟିମ୍‌ ମୃତଦେହରୁ ଓ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲାବରେ‌ଟୋରିକୁ ପଠାଇଛି।

ବର୍ଷକ ପୂର୍ବେ ଏହି ପଡ଼ିଆଠୁ କିଛି ଦୂରରେ ରେଳବାଇ ଖେଳପଡ଼ିଆରୁ ପୁଲିସ ଜଣେ ଯୁବକଙ୍କ ଦରପୋଡ଼ା ଶବ ଜବତ କରିଥିଲା।

ମାତ୍ର ପରିଚୟ ନ ମିଳିବାରୁ ସେହି ମାମଲା ଆଜି ବି ଅସମାହିତ ହୋଇ ରହସ୍ୟରେ ରହିଯାଇଛି।

Advertisment Health: ଭୁଶୁଡ଼ିଗଲାଣି ଗ୍ରାମୀଣ ସ୍ବାସ୍ଥ୍ୟସେବା; ବିଶେଷଜ୍ଞ ଡାକ୍ତର ନାହାନ୍ତି, ସିଏଚ୍‌ସିରେ ୪୯% ପଦବି ଖାଲି ପୂର୍ବାହ୍ଣ ପ୍ରାୟ ୧୧ଟା ସମୟରେ ଆର୍‌ପିଏଫ୍‌ କ୍ୟାମ୍ପସ୍‌ କଡ଼ରେ ଥିବା ବୁଦାଳିଆ ପଡ଼ିଆର ଖାଲରେ କଙ୍କାଳ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ମଞ୍ଚେଶ୍ବର ଥାନା ପୁଲିସକୁ ଜଣାଇଥିଲେ।

ଜଣଙ୍କୁ ହତ୍ୟାକରି ପୋଡ଼ିଦିଆଯାଇଛି ବୋଲି ଖବର ପ୍ରଚାରିତ ହେଉ ହେଉ ବହୁ ଲୋକ ଘଟଣାସ୍ଥଳକୁ ଛୁଟିଆସିଥିଲେ।

କଙ୍କାଳରେ ମୁଣ୍ଡଟି ଲାଗି ରହିଥିଲା ଏବଂ ମେରୁଦଣ୍ଡର ଅଧା ଅସ୍ଥି ଥିଲା।

ଗୋଟିଏ ଗୋଡ଼ ଆଦୌ ନଥିଲା ଏବଂ ଯେଉଁ ଗୋଡ଼ଟି ଥିଲା ତା'ର ପାଦ ପାଖରୁ କିଛି ଅଂଶ ଗଳିତ ଅବସ୍ଥାରେ ଥିଲା।

ମୋଟାମୋଟି ଏକ ମଣିଷ କଙ୍କାଳର ଅଧା ହିଁ ପଡ଼ିଥିଲା।

ବାକି ଅସ୍ଥି ସବୁ ଆଖପାଖରେ କେଉଁଠି ପଡ଼ିଥିବା ସନ୍ଦେହ କରି ପୁଲିସ ଟିମ୍‌ ପୂରା ପଡ଼ିଆ ସାରା ଖେଦି ଯାଇଥିଲା।

କିନ୍ତୁ ଉକ୍ତ ଖାଲ ଛଡ଼ା ଅନ୍ୟ କେଉଁଠୁ ଖଣ୍ଡିଏ ବି ଅସ୍ଥି ମିଳିନଥିଲା।

ମୁଣ୍ଡ ଓ ପାଦ ପୂରା କଳା ପଡ଼ିଯାଇଥିବାରୁ ଶବକୁ ତରବରରେ ପୋଡ଼ି ଦିଆଯାଇଥିବା ସନ୍ଦେହ ହୋଇଥିଲା।

ବାତ୍ୟା ଅର୍ଣ୍ଣବ ବର୍ଷାରେ ଖାଲଟି ଭରି ରହିଥିଲା ଏବଂ ପାଣି ଶୁଖିବା ପରେ କଙ୍କାଳ ପାଖରେ ପାଉଁଶ ଚିହ୍ନ ଥିବା ଭଳି ଜଣାପଡ଼ୁଥିଲା।

ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ନମୁନା ଓ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିଛି।

ଫୋରେନ୍‌ସିକ୍‌ ଯାଞ୍ଚ ପାଇଁ ଥ୍ରିଡି ଫଟୋଗ୍ରାଫି ମଧ୍ୟ କରାଯାଇଛି।

ମୃତଦେହର ବ୍ୟବଚ୍ଛେଦ କରାଯିବା ସହ ଡିଏନ୍‌ଏ ପରୀକ୍ଷା କରାଯିବ। ‌ଫୋରେନ୍‌ସିକ୍‌ ପରୀକ୍ଷାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରି ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଖୋଜାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଜୋନ୍‌-୫ ଏସିପି ବିଶ୍ୱରଞ୍ଜନ ସେନାପତି କହିଛନ୍ତି ଯେ ମୃତକଜଣକ ପୁରୁଷ ବୋଲି ଅନୁମାନ କରାଯାଉଛି।

ତାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ବିଭିନ୍ନ ଥାନାକୁ ଜଣାଇ ଦିଆଯାଇଛି ଏବଂ ବିଭିନ୍ନ ଥାନାର ନିଖୋଜ ରିପୋର୍ଟ ଯାଞ୍ଚ କରାଯିବା ଆରମ୍ଭ ହୋଇଯାଇଛି।

ବ୍ୟବଚ୍ଛେଦ ଓ ଡିଏନ୍‌ଏ ପରୀକ୍ଷା ପରେ ଅଧିକ ତଥ୍ୟ ମିଳିପାରିବ।

ତେଣୁ ମୃତ୍ୟୁର କାରଣ ତଥା ଘଟଣା ପଛରେ କ'ଣ ରହିଛି, ଏବେଠୁ ଅନୁମାନ କରିବା ଠିକ୍‌ ନୁହେଁ।

ପୁଲିସ ସବୁ ଦିଗକୁ ନେଇ ଛାନ୍‌ଭିନ କରୁଛି।

ବିଶେଷକରି ମୃତକଙ୍କ ପରିଚୟ ଖୋଜିବା ଉପରେ ଗୁରୁତ୍ବ ଦିଆଯାଉଛି।

ପାଖରେ ଥିବା ବସ୍ତିରେ ମଧ୍ୟ ପୁଲିସ ଟିମ୍‌ ପଚରାଉଚରା କରୁଛି।

ସେହିଭଳି ସାଇଣ୍ଟିଫିକ୍‌ ଟିମ୍‌ ପକ୍ଷରୁ ମିଳିଥିବା ସୂଚନାନୁସାରେ ମୃତଦେହକୁ ପୋଡ଼ି ଦିଆଯାଇଥିବା କଥା କେବଳ ଅନୁମାନ ମାତ୍ର।

ନମୁନା ପରୀକ୍ଷା ପୂର୍ବରୁ କିଛି କହିହେବ ନାହିଁ।

ଆପାତତଃ ମୃତଦେହକୁ ପୋଡ଼ି ଦିଆଯାଇ ନାହିଁ ବୋଲି ସାଇଣ୍ଟିଫିକ୍‌ ଟିମ୍‌ ପକ୍ଷରୁ ସୂଚନା ମିଳିଛି।

Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି ୨୦୨୫ ସେପ୍ଟେମ୍ବର ୭ ତାରିଖ ସକାଳୁ ସକାଳୁ ରେଳବାଇ ଖେଳପଡ଼ିଆରୁ ଜଣେ ବ୍ୟକ୍ତିଙ୍କ ଦରପୋଡ଼ା ଶବ ମିଳିଥିଲା।

ଶବରେ ଲାଗିରହିଥିବା ପୋଷାକପତ୍ର ଓ ଜୋତାରୁ ମୃତକଜଣକ ଥିଲାବାଲା ଘରର ବୋଲି ସ୍ପଷ୍ଟ ହୋଇଥିଲା।

ବଡ଼ କଥା ହେଉଛି, ପାରିପାର୍ଶ୍ବିକ ସ୍ଥିତିରୁ ତାହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା ବୋଲି ପୁଲିସ ସେହି ଦିଗରେ ତଦନ୍ତ ଚଳାଇଥିଲା।

ମାତ୍ର ନା ମିଳିଲା ମୃତକଙ୍କ ପରିଚୟ ନା ଖୋଲିଲା ହତ୍ୟାକାଣ୍ଡର ରହସ୍ୟ।

ବ‌ର୍ଷେ ବିତିବା ପରେ ବି ସେହି ବୀଭତ୍ସ ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ହଟିପାରିଲା ନାହିଁ।

ତେଣୁ ସ୍ଥାନୀୟ ଲୋକଙ୍କ କହିବା କଥା ଏମିତି ଘଟଣା ଏହି ଅଞ୍ଚଳରେ ବାରମ୍ବାର ଘଟୁଛି।

ନିଶାଡ଼ି ଓ ଅସାମାଜିକତତ୍ତ୍ବମାନେ ରାତିରେ ଏହି ଅଞ୍ଚଳର ବିଭିନ୍ନ ପଡ଼ିଆରେ ଆଡ଼ା ଜମାଉଛନ୍ତି।

ପୁଲିସର ଦୁର୍ବଳ ପାଟ୍ରୋଲିଂ ସେମାନଙ୍କୁ ସୁହାଉଛି।

କେବଳ ସେତିକି ନୁହେଁ, ଏହି ଅଞ୍ଚଳର ରେଳଧାରଣା କଡ଼ରୁ ମଧ୍ୟ ଅପରିଚିତଙ୍କ ଶବ ମିଳୁଛି।

ସେସବୁ ମଧ୍ୟ ରହସ୍ୟ ହୋଇ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।