24 SEPTEMBER 2026

Welcome!

Unlock your personalized experience.
Sign Up

Crime: ମନର ମଣିଷ ପାଲଟିଗଲା ବ୍ରହ୍ମଚଣ୍ଡାଳ: ତାୱାରେ ମୁଣ୍ଡକୁ ପିଟି ମାରିଦେଲା

Sep 24, 2026 - 08:54
Crime: ମନର ମଣିଷ ପାଲଟିଗଲା ବ୍ରହ୍ମଚଣ୍ଡାଳ: ତାୱାରେ ମୁଣ୍ଡକୁ ପିଟି ମାରିଦେଲା

ଭୁବନେଶ୍ବର: ଭଲ ପାଇ ବାହା ହୋଇଥିବା ସ୍ବାମୀଙ୍କୁ ଚିକିତ୍ସା କରାଇବା ଲାଗି ଡାକ୍ତରଙ୍କ ପାଖକୁ ନେବାକୁ ପ୍ରସ୍ତୁତ ହେଉଥିଲେ ସ୍ତ୍ରୀ। କିନ୍ତୁ ହଠାତ୍‌ କୌଣସି କାରଣରୁ ମାନସିକ ଅସୁସ୍ଥ ଥିବା ସ୍ବାମୀର ମୁଣ୍ଡକୁ ପିତ୍ତ ଚଢ଼ିଗଲା ଏବଂ ସେ ବ୍ରହ୍ମଚଣ୍ଡାଳ ପାଲଟିଗଲା। ରୋଷେଇଘରୁ ତାୱା ଆଣି ସ୍ତ୍ରୀଙ୍କୁ ଆକ୍ରମଣ କଲା। ପିଶାଚ ପାଲଟିଯାଇଥିବା ସ୍ବାମୀ, ମା’ କୋଳରୁ ୩ମାସର ଶିଶୁପୁତ୍ରକୁ ଛଡ଼ାଇ ଆଣି ତଳେ ଶୁଆଇଦେବା ପରେ ସ୍ତ୍ରୀଙ୍କ ମୁହଁ ଓ ମୁଣ୍ଡକୁ ଆଖିବୁଜି ପିଟି ଚାଲିଲା। ଘଟଣାସ୍ଥଳରେ ହିଁ ସ୍ତ୍ରୀଙ୍କର ମୃତ୍ୟୁ ହୋଇଗଲା। ଆଜି ସନ୍ଧ୍ୟାରେ ଏମିତି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ନୂଆପଲ୍ଲୀ ବ୍ରିଟ୍‌ କଲୋନିରେ। ନୂଆପଲ୍ଲୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଏହି ଅଭାବନୀୟ ଘଟଣାରେ ବନସ୍ମିତା ସ୍ବାଇଁ(୨୬)ଙ୍କ ପ୍ରାଣ ଯାଇଛି। ନୂଆପଲ୍ଲୀ ଥାନା ପୁଲିସ ମୃତ ବନିସ୍ମିତାଙ୍କ ସ୍ବାମୀ ସର୍ବେଶ୍ବର ପ୍ରଧାନ(୨୮)କୁ ଥାନାକୁ ଉଠାଇନେଇଛି ଏବଂ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବାକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛି। ସେହିଭଳି ହତ୍ୟାରେ ବ୍ୟବହୃତ ତାୱାକୁ ବି ପୁଲିସ ଜବତ କରିଛି।  ୨ ବର୍ଷ ପୂର୍ବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବାଲିକଣା ଅଞ୍ଚଳର ବନିସ୍ମିତା ଓ କେନ୍ଦ୍ରାପଡ଼ା ବେଲପାଳ ଅଞ୍ଚଳର ସର୍ବେଶ୍ବର ପ୍ରେମ ବିବାହ କରିଥିଲେ। ବିବାହର କିଛି ଦିନ ପରେ ବନସ୍ମିତା ଜାଣିଲେ ଯେ ସର୍ବେଶ୍ବରଙ୍କଠାରେ ମାନସିକ ବିକୃତି ରହିଛି। ମଝିରେ ମଝିରେ ବିନା କାରଣରେ ସର୍ବେଶ୍ବର ରାଗିଯାଇ ବନିସ୍ମିତାଙ୍କୁ ମାରପିଟ କରୁଥିଲା।

ନୟାପଲ୍ଲୀରେ ଚାଞ୍ଚଲ୍ୟ

ଭଲ ପାଇ ବାହା ହୋଇଥିବାରୁ ବନସ୍ମିତା ସବୁ ସହିଯାଉଥିଲେ। ଏହା ଭିତରେ ସେମାନେ ଏକ ପୁତ୍ର ସନ୍ତାନର ବାପାମାଆ ହେଲେ। ବନିସ୍ମିତା ପୁଅ ମୁହଁକୁ ଚାହିଁ ସ୍ବାମୀର ସବୁ ଅକଥନୀୟ ଅତ୍ୟାଚାରକୁ ନଜର ଅନ୍ଦାଜ କରିଦେଉଥିଲେ। ଚିକିତ୍ସା ଜାରି ରହିଥିବାରୁ ସର୍ବେଶ୍ବର ଦିନେ ନା ଦିନେ ଭଲ ହୋଇଯିବେ ବୋଲି ବନିସ୍ମିତାଙ୍କର ଆଶା ଥିଲା। ତାଙ୍କ ଶଶୁର ତଥା ସର୍ବେଶ୍ବରଙ୍କ ବାପା ଜଣେ ଠିକାଦାର ଥିବାରୁ ଚିକିତ୍ସାରେ କୌଣସି ପ୍ରକାର ଆର୍ଥିକ ସମସ୍ୟା ନଥିଲା। ୪ଦିନ ପୂର୍ବେ ବନିସ୍ମିତା, ସ୍ବାମୀ ସର୍ବେଶ୍ବରଙ୍କୁ ଧରି ଶଶୁରଙ୍କ ପାଖକୁ ଆସିଥିଲେ। ନୂଆପଲ୍ଲୀ ବ୍ରିଟ୍‌ କଲୋନିରେ ଶଶୁରଙ୍କ ପାଖରେ ରହି ଡାକ୍ତରଙ୍କ ସହ ପରାମର୍ଶ କରିବା ଯୋଜନାରେ ବନିସ୍ମିତା ଆସିଥିଲେ। ଆଜି ସନ୍ଧ୍ୟାରେ ଡାକ୍ତରଙ୍କ ସହ ସାକ୍ଷାତ କରିବାକୁ ଯୋଜନା ହୋଇସାରିଥିଲା। କିନ୍ତୁ ଠିକ୍‌ ଘରୁ ବାହାରିବା ବେଳକୁ ସର୍ବେଶ୍ବରର ମୁଣ୍ଡ ବିଗିଡ଼ି ଯାଇଥିଲା। ଏଥର ସର୍ବେଶ୍ବର ସାମାନ୍ୟ ଭାବେ ରାଗିଯାଇ ନଥିଲା। ରାଗରେ ସେ ଏକପ୍ରକାର ବ୍ରହ୍ମଚଣ୍ଡାଳ ପାଲଟିଯାଇଥିଲା। ଗର୍ଜନ କରି ସେ ବନିସ୍ମିତାଙ୍କୁ ମାଡ଼ମାରିବା ଆରମ୍ଭ କରିଦେଲା। ଏହାଦେଖି ସର୍ବେଶ୍ବରଙ୍କ ଭଉଣୀ ଧାଇଁ ଆସି ଭାଉଜକୁ ରକ୍ଷା କରିବାକୁ ବାହାରିଥିଲେ। ସର୍ବେଶ୍ବର ଗ୍ରିଲ୍‌ ବନ୍ଦ କରିଦେବାରୁ ସେ ବନିସ୍ମିତାଙ୍କ ପାଖରେ ପହଞ୍ଚି ପାରିନଥିଲେ। ସେ ବାପାମାଆଙ୍କୁ ଡାକିବା ପାଇଁ ଯିବା ଦେଖି ସର୍ବେଶ୍ବର ରୋଷେଇଘରକୁ ଧାଇଁ ଯାଇ ତାୱା ଆଣିଥିଲା ଏବଂ ସେଥିରେ ବନିସ୍ମିତାଙ୍କ ମୁଣ୍ଡକୁ ପିଟି ପକାଇଲା। ବନିସ୍ମିତା ଖଟରେ ପଡ଼ିଯିବା ପରେ ବି ରକ୍ତମୁଖା ସର୍ବେଶ୍ବର ସେମିତି ତାଙ୍କ ମୁଣ୍ଡକୁ ତାୱାରେ ପିଟି ଚାଲିଲା। କିଛି ସମୟ ପରେ ବନିସ୍ମିତାଙ୍କ ମୁଣ୍ଡ ଛତୁ ହୋଇଯାଇଥିଲା ଏବଂ ତାଙ୍କ ଶରୀର ନିସ୍ତେଜ ହୋଇଯାଇଥିଲା।    

ପ୍ରାୟ ୮ ବର୍ଷ ହେଲା ସର୍ବେଶ୍ବର ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଔଷଧ ସେବନ କରୁଥିଲା। ମଝିରେ ମଝିରେ ବାପାଙ୍କ ଠିକାଦାରୀ କାମର ତଦାରଖ ବି କରୁଥିଲା। ମାତ୍ର ବେଳେବେଳେ ରାଗରେ ହିତାହିତ ଜ୍ଞାନ ଭୁଲିଯାଉଥିଲା ଏବଂ ସବୁ ରାଗ ବନିସ୍ମିତାଙ୍କ ଉପରେ ଝାଡ଼ୁଥିଲା। କିନ୍ତୁ ଅନ୍ୟ ସମୟରେ ସେ ତାଙ୍କୁ ଭଲ ପାଉଥିଲା। ମାତ୍ର ବିଧିର ବିଧାନ ଥିଲା ବିଚିତ୍ର। ଶେଷରେ ନିଜର ମନର ମଣିଷ ହାତରେ ହିଁ ବିଚାରୀ ବନିସ୍ମିତାଙ୍କ ଜୀବନ ଚାଲିଗଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।