CRISIL Projection: କ୍ରିସିଲ୍‌ ଆକଳନ: ରାଜ୍ୟଗୁଡ଼ିକର ରାଜସ୍ୱ ୧୧% ବଢ଼ିବ

Sep 22, 2026 - 18:23
CRISIL Projection: କ୍ରିସିଲ୍‌ ଆକଳନ: ରାଜ୍ୟଗୁଡ଼ିକର ରାଜସ୍ୱ ୧୧% ବଢ଼ିବ

"ମୁମ୍ବାଇ: ଦେଶର ୧୮ଟି ବଡ଼ ରାଜ୍ୟର ରାଜସ୍ୱ ଆୟ ଚଳିତ ଆର୍ଥିକ ବର୍ଷରେ ୯ରୁ ୧୧ ପ୍ରତିଶତ ବଢ଼ିପାରେ।

ଅଧିକ ଜିଏସ୍‌ଟି ଆଦାୟ ଏବଂ କେନ୍ଦ୍ରରୁ ଟିକସ ବାବଦରେ ଅଧିକ ରାଜସ୍ବ ପାଇବା କାରଣରୁ ଏହା ହେବ।

୧୮ଟି ବଡ଼ ରାଜ୍ୟ ଯେଉଁମାନଙ୍କର ଜିଏସ୍‌ଡିପିର ଅଂଶ ପ୍ରାୟ ୯୦ ପ୍ରତିଶତ ସେମାନଙ୍କର ମିଳିତ ରାଜସ୍ୱ ଚଳିତ ଆର୍ଥିକବର୍ଷରେ ୪୪ ଲକ୍ଷ କୋଟି ଟଙ୍କା ଟପିବ ବୋଲି ରେଟିଂ ଏଜେନ୍ସି କ୍ରିସିଲ୍‌ ଆକଳନ କରିଛି।

ଗତ ଆର୍ଥିକ ବର୍ଷରେ ଏହି ରାଜ୍ୟଗୁଡ଼ିକର ରାଜସ୍ୱ ବୃଦ୍ଧି ପ୍ରାୟ ୮ ପ୍ରତିଶତ ଥିଲା।Advertisment ରାଜ୍ୟଗୁଡ଼ିକର ରାଜସ୍ୱ ବୃଦ୍ଧିର ମୁଖ୍ୟ ଆଧାର ହେବ ଜିଏସ୍‌ଟି ଆଦାୟ।

କ୍ରିସିଲ୍‌ ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକର ଜିଏସ୍‌ଟି ରାଜସ୍ୱ ୧୨ରୁ ୧୩ ପ୍ରତିଶତ ବଢ଼ିପାରେ।

ଦେଶରେ ଘରୋଇ ଚାହିଦା ଭଲ ରହିବା ସହ ଆମଦାନି ବାବଦ ଜିଏସ୍‌ଟି ଆଦାୟ ବଢ଼ିବା ଏହାର ମୁଖ୍ୟ କାରଣ।

୨୦୨୬ ଅଗଷ୍ଟ ୩୧ ସୁଦ୍ଧା ପ୍ରଥମ ପାଞ୍ଚ ମାସରେ ରାଜ୍ୟଗୁଡ଼ିକର ଜିଏସ୍‌ଟି ରାଜସ୍ୱ ୧୬ ପ୍ରତିଶତ ବଢ଼ିଛି।

ଏହି ସମୟରେ ଆମଦାନିରୁ ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ପ୍ରାୟ ୩୦ ପ୍ରତିଶତ ବଢ଼ିଛି।

ଇଲେକ୍ଟ୍ରୋନିକ୍ସ, ଯନ୍ତ୍ରପାତି, ସୁନା, ସାର ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଆମଦାନି ବଢ଼ିବା ଏହାର ଏକ କାରଣ।

ତେବେ ସାମଗ୍ରୀ ଦର ସ୍ଥିର ହେବା ଓ ମୁଦ୍ରା ବଜାରରେ ଅସ୍ଥିରତା କମିବା ପରେ ବର୍ଷର ଦ୍ୱିତୀୟାର୍ଦ୍ଧରେ ଜିଏସ୍‌ଟି ବୃଦ୍ଧିର ଗତି କିଛିଟା କମିପାରେ।

କେନ୍ଦ୍ରରୁ ରାଜ୍ୟଗୁଡ଼ିକୁ ମିଳୁଥିବା ଟିକସ ୧୧ରୁ ୧୨ ପ୍ରତିଶତ ବଢ଼ିବ ବୋଲି କ୍ରିସିଲ୍‌ ଆକଳନ କରିଛି।

ରାଜ୍ୟଗୁଡ଼ିକର ଅନ୍ୟ ନିଜସ୍ୱ ଟିକସ ଆୟ ମଧ୍ୟ ବଢ଼ିବ।

ମଦ ବିକ୍ରିରୁ ରାଜସ୍ୱ ୭ରୁ ୮ ପ୍ରତିଶତ, ପେଟ୍ରୋଲିୟମ୍‌ ଟିକସ ଆୟ ୪ରୁ ୫ ପ୍ରତିଶତ ଏବଂ ଷ୍ଟାମ୍ପ ଡ୍ୟୁଟି ସମେତ ଅନ୍ୟାନ୍ୟ ନିଜସ୍ୱ ଟିକସ ଆୟ ୬ରୁ ୭ ପ୍ରତିଶତ ବଢ଼ିପାରେ।

ମୋଟ ନିଜସ୍ୱ ଟିକସ ରାଜସ୍ୱ ୯ରୁ ୧୦ ପ୍ରତିଶତ ବୃଦ୍ଧି ପାଇବା ଆକଳନ କରାଯାଇଛି।

ଅନୁଦାନ ଆକାରରେ ମିଳୁଥିବା ଅର୍ଥ ୬ରୁ ୭ ପ୍ରତିଶତ ଏବଂ ମୁଖ୍ୟତଃ ଖଣି ରୟାଲଟିରୁ ଆସୁଥିବା ଅଣଟିକସ ରାଜସ୍ୱ ୯ରୁ ୧୦ ପ୍ରତିଶତ ବଢ଼ିପାରେ।

ଚଳିତ ଆର୍ଥିକ ବର୍ଷରେ ଦେଶର ନାମମାତ୍ର ଜିଡିପି ପ୍ରାୟ ୧୩ ପ୍ରତିଶତ ବଢ଼ିବ ବୋଲି ଆକଳନ କରାଯାଇଛି।

ବଙ୍ଗୋପସାଗରରେ ଅବପାତ: ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା !

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।