Cristiano Ronaldo Marries Georgina Rodriguez: ବିବାହ କଲେ କ୍ରିଷ୍ଟିଆନୋ ରୋନାଲ୍ଡୋ, ୫ ସନ୍ତାନଙ୍କ ଉପସ୍ଥିତିରେ ବାହାଘର ସମ୍ପନ୍ନ

Aug 12, 2026 - 09:37
Cristiano Ronaldo Marries Georgina Rodriguez: ବିବାହ କଲେ କ୍ରିଷ୍ଟିଆନୋ ରୋନାଲ୍ଡୋ, ୫ ସନ୍ତାନଙ୍କ ଉପସ୍ଥିତିରେ ବାହାଘର ସମ୍ପନ୍ନ

ଦୀର୍ଘଦିନର ଅପେକ୍ଷା ଓ ବିବାହକୁ ନେଇ ଚାଲିଥିବା ଚର୍ଚ୍ଚାର ଶେଷ ହୋଇଛି। ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଫୁଟବଲ୍ ସୁପରଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ତାଙ୍କ ଦୀର୍ଘଦିନର ସାଥୀ ଜର୍ଜିଆନା ରୋଡ୍ରିଗେଜ୍। ବିବାହ ମୁଦିର ଫଟୋ ସେୟାର କରି ଦୁହେଁ ଦେଇଛନ୍ତି ଖୁସି ଖବର।

୪୧ ବର୍ଷୀୟ ରୋନାଲ୍ଡୋ ଓ ୩୨ ବର୍ଷୀୟ ଜର୍ଜିଆନା ଅଗଷ୍ଟ ୧୧ରେ ପର୍ତ୍ତୁଗାଲର କାସକାଇସ୍‌ରେ ଏକ ଘରୋଇ ସିଭିଲ୍ ସମାରୋହରେ ବିବାହ କରିଛନ୍ତି। ଏହି ସମାରୋହରେ ସେମାନଙ୍କ ପାଞ୍ଚ ସନ୍ତାନ ମଧ୍ୟ ଉପସ୍ଥିତ ଥିଲେ। ପରେ ଦୁହେଁ ନିଜ ହାତରେ ପିନ୍ଧିଥିବା ବିବାହ ମୁଦିର ଫଟୋ ସେୟାର କରି ବିବାହ ଖବରକୁ ନିଶ୍ଚିତ କରିଛନ୍ତି।

ବିବାହ ପୂର୍ବରୁ ମଧ୍ୟ ଏହି ଷ୍ଟାର୍ ଦମ୍ପତିଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏପରିକି ମାଡେଇରାର ଏକ କାଥେଡ୍ରାଲ୍‌ରେ ବିବାହ ହେବ ବୋଲି ଗୁଜବ ପରେ ଶତାଧିକ ପ୍ରଶଂସକ ସେଠାରେ ଏକାଠି ହୋଇଥିଲେ। ହେଲେ ବିବାହ କରିବାକୁ ଆସିଥିବା କନ୍ୟା ଜର୍ଜିଆନା ନୁହେଁ, ନିକୋଲ୍ ନାମକ ଅନ୍ୟ ଜଣେ ମହିଳା ଥିଲେ। ଘଟଣାକୁ ନେଇ ରୋନାଲ୍ଡୋ ମଧ୍ୟ ହସିହସି ପ୍ରତିକ୍ରିୟା ଦେଇଥିଲେ।

ରୋନାଲ୍ଡୋ ଓ ଜର୍ଜିଆନାଙ୍କ ପ୍ରଥମ ସାକ୍ଷାତ ୨୦୧୬ରେ ହୋଇଥିଲା। ସେତେବେଳେ ଜର୍ଜିନା ଏକ ଗୁଚି ଷ୍ଟୋର୍‌ରେ କାମ କରୁଥିଲେ। ୨୦୧୭ ଜାନୁଆରୀରେ ଜ୍ୟୁରିକ୍‌ରେ ଆୟୋଜିତ Best FIFA Football Awards ସମାରୋହରେ ଦୁହେଁ ପ୍ରଥମ ଥର ପାଇଁ ଏକାଠି ରେଡ୍ କାର୍ପେଟ୍‌ରେ ନଜର ଆସିଥିଲେ। 

୨୦୨୫ ଅଗଷ୍ଟ ୧୧ରେ ଦୁହେଁ ନିର୍ବନ୍ଧ ଘୋଷଣା କରିଥିଲେ। ଠିକ୍ ଏକ ବର୍ଷ ପରେ ଏବେ ସେମାନେ ବିବାହ କରିଛନ୍ତି।

ରୋନାଲ୍ଡୋ ଓ ଜର୍ଜିଆନାଙ୍କ ପରିବାରରେ ଅଛନ୍ତି ପାଞ୍ଚ ସନ୍ତାନ। ଦୁହିଁଙ୍କ ଝିଅ ଅଲାନା ଓ ବେଲାଙ୍କ ସହ ରୋନାଲ୍ଡୋଙ୍କ ବଡ଼ ପୁଅ କ୍ରିଷ୍ଟିଆନୋ ଜୁନିଅର୍ ଏବଂ ଯମଜ ସନ୍ତାନ ଇଭା ମାରିଆ ଓ ମାତେଓଙ୍କୁ ମଧ୍ୟ ସେମାନେ ଏକାଠି ଲାଳନପାଳନ କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।