Cuttack Durga Puja History: କଟକ ଦଶହରାର ଐତିହ୍ୟ; ଦଶହରାର ବଡ଼ ଭଉଣୀ ବାଲୁବଜାର ପୂଜା ମଣ୍ଡପ, ଘଟ ପୂଜାରୁ ସାର୍ବଜନୀନ ଦୁର୍ଗାପୂଜା
ଚାଲିଛି ଶାରଦୀୟ ଦୁର୍ଗାପୂଜା। ଚାରିଆଡ଼େ ଉତ୍ସବର ମାହୋଲ୍। ମାଆଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି କଟକ ସହର। ତେବେ କଟକର ଦଶହରା କେବଳ ଏକ ପର୍ବ ନୁହେଁ, ଏହା ଶତାବ୍ଦୀ ପୁରୁଣା ପରମ୍ପରା, ଆସ୍ଥା ଓ ଐତିହ୍ୟର ପ୍ରତୀକ। ଆଜି ସହରର ୧୭୨ଟି ମଣ୍ଡପରେ ପୂଜା ପାଉଛନ୍ତି ମାଆ ଦୁର୍ଗା। ହେଲେ କେଉଁଠୁ ଆରମ୍ଭ ହୋଇଥିଲା କଟକର ଦଶହରା? କେମିତି ଗଢ଼ିଉଠିଲା ଏହି ମହାନ ପରମ୍ପରା?
ପରମ୍ପରା ପୁରୁଣା... ଆସ୍ଥା ଅତୁଟ... ଆଉ ଇତିହାସ ଗୌରବମୟ। ହଜାରେ ବର୍ଷର କଟକ ସହରର ଏକ ସ୍ୱତନ୍ତ୍ର ପରିଚୟ ହେଉଛି ଏହାର ଦଶହରା। ଆଉ ଏହି ପରମ୍ପରାର ଇତିହାସ ସହ ଯୋଡ଼ି ହୋଇ ରହିଛି ବାଲୁବଜାରର ବିନୋଦବିହାରୀ ପୂଜା ମଣ୍ଡପ। କୁହାଯାଏ, ୧୫୦୯ ମସିହାରେ ଶ୍ରୀଚୈତନ୍ୟ ମହାପ୍ରଭୁ କଟକ ଆସିଥିବା ସମୟରେ ଏହି ପୀଠରେ ଅବସ୍ଥାନ କରିଥିଲେ।
ଶାରଦୀୟ ଦୁର୍ଗାପୂଜାର ଅବସରରେ ଏଠାରେ ମାଆଙ୍କ ଘଟ ପୂଜା କରାଯାଇଥିବାର ଲୋକକଥା ରହିଛି। ପରେ ଘଟ ପୂଜାରୁ ମୂର୍ତ୍ତି ପୂଜା ଏବଂ ତା'ପରେ ସାର୍ବଜନୀନ ଦୁର୍ଗାପୂଜାର ପରମ୍ପରା ଆଗକୁ ବଢ଼ିଥିଲା। ୧୫୮୨ ମସିହାରେ ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ ହୋଇଥିବା କୁହାଯାଏ। ଏହି ପରମ୍ପରାକୁ ଆଜି ବି ଜୀବନ୍ତ ରଖିଛି ବାଲୁବଜାର ପୂଜା ମଣ୍ଡପ।
ଲୋକକଥା ଅନୁସାରେ, ଶ୍ରୀଚୈତନ୍ୟ ମହାପ୍ରଭୁ ପୂଜା ଆରମ୍ଭ କରିବା ସମୟରେ ବଙ୍ଗଳାରୁ ଆସିଥିବା ବାନାର୍ଜୀ ପରିବାରକୁ ଏଠାରେ ଅବସ୍ଥାପିତ କରିଥିଲେ। ସେହି ପରିବାରର ପୂଜକମାନେ ପରମ୍ପରା ଅନୁଯାୟୀ ମାଆଙ୍କ ମୂର୍ତ୍ତି ତିଆରି କରିବା ସହ ପୂଜାର୍ଚ୍ଚନା କରିଆସୁଛନ୍ତି। ଏଠାକାର ମୂର୍ତ୍ତିରେ ରହିଛି ପାରମ୍ପରିକ କଳାର ଛାପ।
ଆଧୁନିକତାର ଚାକଚକ୍ୟ ଭିତରେ ବି ଏହି ମଣ୍ଡପ ନିଜର ପୁରୁଣା ପରମ୍ପରାକୁ ଛାଡ଼ିନାହିଁ। ସେଥିପାଇଁ କଟକର ଦୁର୍ଗାପୂଜା ପରମ୍ପରାରେ ଏହି ମଣ୍ଡପକୁ ବଡ଼ ଭଉଣୀର ମାନ୍ୟତା ଦିଆଯାଏ। ଆଉ ଏହି ମଣ୍ଡପର ଅନ୍ୟତମ ଆକର୍ଷଣ ହେଉଛି ରୁପାର ମେଢ଼। ପୁରୁଣା ପରମ୍ପରା, ପାରମ୍ପରିକ ରୀତିନୀତି ଓ ଭକ୍ତିର ସମନ୍ୱୟ ଏହି ପୂଜା ମଣ୍ଡପକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ।
ସମୟ ବଦଳିଛି... ପିଢ଼ି ବଦଳିଛି... ହେଲେ ବଦଳିନି ମାଆଙ୍କ ପ୍ରତି ଭକ୍ତି ଓ ପରମ୍ପରା ପ୍ରତି ସମ୍ମାନ। ବାଲୁବଜାରର ଏହି ପୂଜା ମଣ୍ଡପ କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ଏହା କଟକର ଐତିହ୍ୟ ଓ ସାଂସ୍କୃତିକ ଗୌରବର ଏକ ଜୀବନ୍ତ ସାକ୍ଷୀ।
- କଟକ ଦଶହରାର ଐତିହ୍ୟ, ବାଲୁବଜାର ପୂଜା ମଣ୍ଡପ
- ୫୦୦ ବର୍ଷର ପରମ୍ପରା, ଆଜି ବି ଅତୁଟ ଆସ୍ଥା
- କଟକ ଦଶହରାର ବଡ଼ ଭଉଣୀ, ବାଲୁବଜାର ପୂଜା ମଣ୍ଡପ
- ଘଟ ପୂଜାରୁ ସାର୍ବଜନୀନ ଦୁର୍ଗାପୂଜା, ନିଆରା ପରମ୍ପରା
- ରୁପା ମେଢ଼ରେ ଝଲସୁଛନ୍ତି ମାଆ, ଜୀବନ୍ତ ପୁରୁଣା ପରମ୍ପରା
- ଶ୍ରୀଚୈତନ୍ୟଙ୍କ ସ୍ମୃତି ସହ ଯୋଡ଼ି ହୋଇଛି ବାଲୁବଜାର ପୂଜା ମଣ୍ଡପ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।