Woman Finds Hidden Fortune: ୩ ହଜାର ଟଙ୍କାରେ କିଣିଥିଲେ ପୁରୁଣା ପର୍ସ, ମିଳିଲା ୩୯ ହଜାର ଟଙ୍କା; ଖୁସିରେ ନାଚି ଉଠିଲେ ମହିଳା
କଥାରେ ଅଛି, ଭାଗ୍ୟ କେତେବେଳେ କାହାକୁ କେଉଁଠି ନେଇ ପହଞ୍ଚାଇବ, ତାହା କେହି କହିପାରିବେ ନାହିଁ। ଆମେରିକାର ଜଣେ ମହିଳାଙ୍କ ସହ ଘଟିଛି ଏଭଳି ଏକ ନିଆରା ଘଟଣା। ମାତ୍ର ୩ ହଜାର ଟଙ୍କା ଦେଇ ଏକ ପୁରୁଣା ପର୍ସ କିଣିଥିଲେ ମହିଳା। ହେଲେ ପର୍ସ ଖୋଲିବା ପରେ ତାଙ୍କ ଆଖିକୁ ବିଶ୍ୱାସ ହୋଇନଥିଲା। କାରଣ ପର୍ସ ଭିତରୁ ମିଳିଥିଲା ପ୍ରାୟ ୩୯ ହଜାର ଟଙ୍କା। ଏବେ ଏହି ଘଟଣା ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାଟି ଆମେରିକାର ନ୍ୟୁୟର୍କ ସହରର। ଅଟମ୍ ନାମକ ଜଣେ ମହିଳା ନ୍ୟୁୟର୍କ ବୁଲିବାକୁ ଯାଇଥିଲେ। ଯାତ୍ରାର ଶେଷ ଦିନରେ ସେ କୌଣସି ମ୍ୟୁଜିୟମ୍ କିମ୍ବା ପାର୍କ ବୁଲିବା ପରିବର୍ତ୍ତେ ଏକ ଫ୍ଲି ମାର୍କେଟ୍ ଯିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବଜାରରେ ପୁରୁଣା ଓ ବ୍ୟବହୃତ ସାମଗ୍ରୀ ବିକ୍ରି ହୋଇଥାଏ।
ବଜାର ବୁଲୁଥିବା ସମୟରେ ତାଙ୍କ ନଜର ପଡ଼ିଥିଲା ଏକ କଳା ରଙ୍ଗର ପୁରୁଣା ଚମଡ଼ା ପର୍ସ ଉପରେ। ପର୍ସଟି ତାଙ୍କୁ ବେଶ୍ ପସନ୍ଦ ଆସିଥିଲା। ତେଣୁ ସେ ୩୫ ଡଲାର୍ ଅର୍ଥାତ୍ ପ୍ରାୟ ୩ ହଜାର ଟଙ୍କା ଦେଇ ଏହାକୁ କିଣିଥିଲେ।
Woman Buys $35 Purse at Flea Market and Finds $400 Hidden Inside. How She Plans to Spend the ‘Lucky’ Find (Exclusive) https://t.co/dsR3TfbFC5
— People (@people) October 16, 2026
ପର୍ସ ଭିତରେ ଥିଲା ୪ଟି ଲାଲ୍ ଲଫାପା
ପର୍ସ କିଣିବା ସମୟରେ ଅଟମ୍ ଏହା ଭିତରେ ୪ଟି ଲାଲ୍ ରଙ୍ଗର ଲଫାପା ଦେଖିଥିଲେ। ଚୀନ୍ ସଂସ୍କୃତିରେ ଲାଲ୍ ଲଫାପାରେ ଟଙ୍କା ରଖି ଉପହାର ଦେବାର ପରମ୍ପରା ରହିଛି ବୋଲି ସେ ପୂର୍ବରୁ ଜାଣିଥିଲେ। ତେବେ ପ୍ରତ୍ୟେକ ଲଫାପାରେ ହୁଏତ ଗୋଟିଏ ଲେଖାଏଁ ଡଲାର୍ ଥିବ ବୋଲି ସେ ଭାବିଥିଲେ। ଏଥିପାଇଁ ଦୋକାନୀଙ୍କ ସାମ୍ନାରେ ଲଫାପାଗୁଡ଼ିକୁ ଖୋଲିନଥିଲେ। ଲଫାପା ଖାଲି ଥିଲେ ମଧ୍ୟ ୩୫ ଡଲାର୍ରେ ପର୍ସଟି କିଣିବା କ୍ଷତିର ସଉଦା ନୁହେଁ ବୋଲି ସେ ଭାବିଥିଲେ।
ହୋଟେଲରେ ପହଞ୍ଚିବା ପରେ ବଦଳିଗଲା ଭାଗ୍ୟ
ପର୍ସ ନେଇ ହୋଟେଲ୍ ରୁମ୍କୁ ଫେରିବା ପରେ ଅଟମ୍ ଲଫାପାଗୁଡ଼ିକୁ ଖୋଲିଥିଲେ। ହେଲେ ଭିତରେ ଥିବା ଟଙ୍କା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୪ଟି ଲଫାପାରେ ମୋଟ ୪୦୦ ଡଲାର୍ ଅର୍ଥାତ୍ ପ୍ରାୟ ୩୯ ହଜାର ଟଙ୍କା ରହିଥିଲା। ଏହି ଘଟଣାକୁ ସେ ଟିକ୍ଟକ୍ ଭିଡିଓ ମାଧ୍ୟମରେ ସେୟାର କରିଥିଲେ। ପରେ People.com ସହ କଥାବାର୍ତ୍ତା ବେଳେ ସେ ଏହି ପର୍ସକୁ ନିଜର ଭାଗ୍ୟଶାଳୀ ପର୍ସ ବୋଲି କହିଥିଲେ।
୪ଟି ବାହାଘରରେ ବାଣ୍ଟିବେ ଟଙ୍କା
ଅଟମ୍ କହିଛନ୍ତି, ସେ ଏହି ପର୍ସକୁ କେବେ ବି ବିକ୍ରି କରିବେ ନାହିଁ। ସାରା ଜୀବନ ଏହାକୁ ସାଇତି ରଖିବେ। ତେବେ ପର୍ସରୁ ମିଳିଥିବା ଟଙ୍କାର ମୂଳ ମାଲିକଙ୍କୁ ଖୋଜିବା କଷ୍ଟକର ବୋଲି ସେ କହିଛନ୍ତି। ଚଳିତ ମାସରେ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ୪ଟି ବାହାଘର ଅନୁଷ୍ଠିତ ହେବ। ତେଣୁ ପ୍ରତ୍ୟେକ ବାହାଘରରେ ୧୦୦ ଡଲାର୍ ଲେଖାଏଁ ଉପହାର ଦେବାକୁ ସେ ନିଷ୍ପତ୍ତି ନେଇଛନ୍ତି। ନ୍ୟୁୟର୍କ ଯାତ୍ରାରେ ମିଳିଥିବା ଏହି ଅପ୍ରତ୍ୟାଶିତ ଖୁସିକୁ ନିଜ ପ୍ରିୟଜନଙ୍କ ସହ ବାଣ୍ଟିବାକୁ ଚାହୁଁଛନ୍ତି ଅଟମ୍।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।