Cyclone Aftermath Turns Disastrous: ଫେଲ୍ ମାରିଲା କି ପାଣିପାଗ ଆକଳନ! ଗଞ୍ଜାମରେ ଜଳପ୍ରଳୟର କାରଣ କ’ଣ ?
ବାତ୍ୟାକୁ ବଳିଗଲା ତା'ପରବର୍ତ୍ତୀ ବନ୍ୟା ସ୍ଥିତି।
ଦାନବ ସାଜି ଅର୍ଣ୍ଣବ ଖେଳିଛି ତାଣ୍ଡବର ଖେଳ।
ନଦୀରୁ ନାଳ ଯାଏଁ, ସୁଁ ସୁଁ ଗର୍ଜନ କରି ପାହାଡ଼ ଉପରୁ ଜନବସତିକୁ ମାଡ଼ି ଆସୁଛି ପାଣି।
କାହାକୁ ଜଗିବେ, କାହାକୁ ସୁରକ୍ଷା ଦେବେ...ବୁଦ୍ଧିବାଟ ବାମ ହୋଇଯାଇଛି ଗଞ୍ଜାମବାସୀଙ୍କର।
ପ୍ରଳୟଙ୍କାରୀ ବନ୍ୟା ପାଣିକୁ ରୋକିବା ଯେତିକି ଅସମ୍ଭବ, ସେତିକି ବଡ଼ ଚାଲେଞ୍ଜ ପାଲଟିଛି ଧନଜୀବନ ସୁରକ୍ଷା।
କାରଣ ଗାଁରୁ ସହର ଲହଡ଼ି ଭାଙ୍ଗୁଛି ଋଷିକୁଲ୍ୟା ନଦୀର ବନ୍ୟା ଜଳ।
ତାହାରି ଭିତରେ ଲାଗିଛି ସରକାରୀ କଳ, ବଳ ସହ କୌଶଳ।
ଜଳ, ସ୍ଥଳ, ଆକାଶ।
୩ଟି ଦିଗରୁ ଗ୍ରାଉଣ୍ଡ ଜିରୋରେ ଚାଲିଛି ବଡ଼ ରେସ୍କ୍ୟୁ ଅପରେସନ୍।
ଧରାକୋଟର ଜଗମୋହନ PHC ନିକଟରୁ ୬ ଜଣଙ୍କୁ ଏୟାରଲିଫ୍ଟ କରିଛି କୋଷ୍ଟଗାର୍ଡର ହେଲିକପ୍ଟର।
ସେପଟେ ହଠାତ ଜଳସ୍ତର ବଢ଼ିଯିବାରୁ ଭଞ୍ଜନଗର ବୁଢ଼ୀଠାକୁରାଣୀ ମନ୍ଦିରରେ ଫସିରହିଥିଲେ ୧୫ ଜଣ।
ସେମାନଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଯୋଦ୍ଧା।
ଭଞ୍ଜନଗରରେ ଡହ ଡ୍ୟାମରୁ ହଠାତ୍ ପାଣି ଛଡ଼ାଯିବା ଏବଂ ପ୍ରବଳ ବର୍ଷା ଯୋଗୁ ଜଳମଗ୍ନ ହୋଇଥିଲା କୋଦଣ୍ଡା ଛକ ଏବଂ ରେନବୋ କଲୋନୀ।
ଆଉ ସେହି ଜଳବନ୍ଦୀ ଜୀବନ ଭିତରୁ ୫୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।
ପ୍ରଖର ଜଳସ୍ରୋତରେ ଫସିଥିବା ଗର୍ଭବତୀଙ୍କୁ ବି ଭଞ୍ଜନଗର ଧୁଡୁଆରୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି।
Advertisment ପ୍ରଶ୍ନ ଉଠୁଛି, କାହିଁକି ବାତ୍ୟା ପରବର୍ତ୍ତୀ ସ୍ଥିତି ଏତେ ଭୟଙ୍କର ହେଲା ?
ପ୍ରଥମ କାରଣ ହେଉଛି ବାଦଲଫଟା ବର୍ଷା।
ଗଜପତି ଜିଲ୍ଲାର ଜରୟୁ ନଦୀ ଏବଂ କନ୍ଧମାଳରେ ଅସ୍ବାଭାବିକ ବୃଷ୍ଟିପାତ ୠଷିକୂଲ୍ୟା ନଦୀରେ ରଚିଛି ଜଳପ୍ରଳୟର ତାଣ୍ଡବ।
ଦ୍ବିତୀୟ କାରଣ ହେଉଛି, ପାତ୍ରପୁର ବ୍ଲକରେ ସର୍ବାଧିକ ୫୪୬ ମିଲିମିଟର୍, ସାନଖେମୁଣ୍ଡିରେ ୩୮୮ ଏବଂ ସୋରଡ଼ାରେ ୩୭୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଏକଥା ସତ ଯେ, ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲା ଭିତରେ ଗଞ୍ଜାମ ବି ଥିଲା ରେଡ୍ ଆଲର୍ଟରେ।
କିନ୍ତୁ ପାହାଡ଼ି ବନ୍ୟା ପ୍ରଳୟର ଦୃଶ୍ୟ ଦେଖିଲେ ଲାଗୁଛି, ସବୁକିଛି ଥିଲା ଆକଳନ ବାହାରେ, ସବୁକିଛି ଥିଲା ପୂର୍ବାନୁମାନଠୁ ଉର୍ଦ୍ଧ୍ବରେ।
ବାତ୍ୟା ଅର୍ଣ୍ଣବ ଅନ୍ୟ କେଉଁଠି କେତେ ପ୍ରକୋପ ଦେଖାଇଛି ତାହା ଯେତିକି ଉଦବେଗଜନକ, ସେତିକି ଚିନ୍ତାଜନକ ଗଞ୍ଜାମ ଜିଲ୍ଲାର ବିପର୍ଯ୍ୟୟର ଚିତ୍ର।
ସରକାରୀ ତଥ୍ୟ କହୁଛି, ବାତ୍ୟା ପରବର୍ତ୍ତୀ ବନ୍ୟା ମାଡ଼ରେ ଜଳବନ୍ଦୀ ହୋଇରହିଛି ୨୨ଟି ବ୍ଲକ।
୪୨ ହଜାର ୫ଶହ ଲୋକ ପ୍ରଭାବିତ ହୋଇଥିବାବେଳେ ୧୧ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇସାରିଛନ୍ତି ୫୨ଟି ODRF ଟିମ୍ ସହ ୩୫ଟି ଅଗ୍ନିଶମ ବାହିନୀ।
ଗୁରୁବାର ଅପରାହ୍ନ ସୁଦ୍ଧା ପୁରୁଷୋତ୍ତମପୁର ଠାରେ ଋଷିକୂଲ୍ୟା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ଥିବାବେଳେ ବାହୁଦା ରେଲୱେ ବ୍ରିଜକୁ ପାଣି ଲାଗିଯାଇଥିବାରୁ ଟ୍ରେନ୍ ସେବା ବନ୍ଦ ରହିଛି।
ଆଉ ସମସ୍ତ ପ୍ରତିକୂଳ ସ୍ଥିତିର ମନିଟରିଂ କରୁଛନ୍ତି ବ୍ରହ୍ମପୁର RDC।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।