Cyclone Arnab Destroys Ganjam Farmland: ଅର୍ଣ୍ଣବର ତାଣ୍ଡବ, ବାଲି ତଳେ ପୋତି ହୋଇଗଲା ଶହ ଶହ ଏକର ଚାଷଜମି

Nov 05, 2026 - 20:34
Cyclone Arnab Destroys Ganjam Farmland: ଅର୍ଣ୍ଣବର ତାଣ୍ଡବ, ବାଲି ତଳେ ପୋତି ହୋଇଗଲା ଶହ ଶହ ଏକର ଚାଷଜମି

ଦେଖିଲେ ଛାତି ଫାଟି ଯାଉଛି।

ଚିନ୍ତା କଲେ ମୁଣ୍ଡ ଘୁରାଇ ଦେଉଛି।

ଠିକ୍ ଅମଳ ପୂର୍ବରୁ ସୁନାର ଫସଲର ଏ ଅବସ୍ଥା ଦେଖିଲେ ଧୈର୍ଯ୍ୟହରା ଚାଷୀ ଆଖିରେ ଜକେଇ ଯାଉଛି ଲୁହ।

ଦେହ ସହିବ ବା କେମିତି।

ଯେଉଁ ମାଟିରେ ଦିନେ ସୁନାର ଫସଲ ଫଳୁଥିଲା ଆଜି ସେହି ମାଟିରେ ଖାଲି ବାଲି ଆଉ ବାଲି।

ସତେ ଯେମିତି ଅର୍ଣ୍ଣବର ଆଁରେ ଭିତରେ ପଶି ଯାଇଛି ଚାଷୀର ସବୁ ବଳ, ସବୁ ଧନ ସଂପତ୍ତି।

ନଜର ପକାନ୍ତୁ ଗଂଜାମ ସାନଖେମୁଣ୍ଡି ବ୍ଲକର ଏ ଅଭାବନୀୟ ଚିତ୍ର ଉପରେ।

ଶହ ଶହ ଏକର ପାଚିଲା ଧାନ କ୍ଷେତରେ ମାଡ଼ି ଯାଇଛି ପରସ୍ତ ପରସ୍ତ ବାଲି।

ଯେଉଁଠୁ ଆଉ ଅମଳର ସୁଯୋଗ ନାହିଁ କି ପାଇବାର ଆଶା।

Advertisment ଇଏ ପୁରୁଷୋତ୍ତମପୁର ଅଞ୍ଚଳ।

ଏଠି ବି ଧାନ ଚାଷୀଙ୍କ ଅଣ୍ଟାକୁ ବାତ୍ୟା ଅର୍ଣ୍ଣବ ଏମିତି ମୋଡ଼ିଛି, ଯେ ଖାଲି ଏଇ ଋତୁ ନୁହେଁ ବରଂ ଆଉ କିଛି ବର୍ଷ ଲାଗି ଜମିରେ ପାଦ ପକାଇପାରିବେନି ଚାଷୀ।

କାରଣ ଋଷିକୂଲ୍ୟା ନଦୀରେ ଆସିଥିବା ବନ୍ୟା ପୁରା ଚାଷ ବ୍ୟବସ୍ଥାକୁ ବିଗାଡ଼ି ଦେଇଛି।

ଆଣ୍ଠୁଏ ଉଚ୍ଚର ବାଲି ଭିତରେ ପୋତି ହୋଇଯାଇଛି ଅମଳ ଅପେକ୍ଷାରେ ଥିବା ହଜାର ହଜାର ଏକର କ୍ଷେତରେ ଧାନ ଫସଲ।

ଯାହାକୁ ଦେଖିଲେ ଚାଷୀର ହୃଦୟ କାନ୍ଦି ଉଠୁଛି।

ଏପଟେ ଆସ୍କା ବ୍ଲକର ବହୁ ଗାଁରେ ବି ଚାଷ, ଚାଷୀ ଓ ଚାଷ ଜମିର ନକ୍ସା ବଦଳାଇ ଦେଇଛି ସର୍ବଗ୍ରାସୀ ବନ୍ୟା।

ପାଣି ଛାଡ଼ିଗଲା...ହେଲେ ଏମିତି କ୍ଷତ ଦେଇଛି ଯେ, ସହଜରେ ଭରିବା ସମ୍ଭବ ନୁହେଁ।

ଋଷିକୂଲ୍ୟାର ମାଟି, ବାଲି ଓ କାଦୁଅ ଭର୍ତ୍ତି ପାଣି ସୁ ସୁ ହୋଇ ମାଡ଼ି ଆସିବା ପରେ ମାଇଲ ମାଇଲ ଦୂର ଯାଏଁ ଆଉ ଫସଲ କିଆରିର ଚିହ୍ନବର୍ଣ୍ଣ ବି ନାହିଁ।

ପୁରା ଧାନ ଜମି ମରୂଭୂମିର ରୂପ ନେବା ପରେ ଚାଷୀ ଏବେ ଚିହ୍ନି ପାରୁନି ତା ଜମି କେଉଁଠି।

ଏଭଳି ସ୍ଥିତିରେ କେମିତି ଧୈର୍ଯ୍ୟ ଧରିବ ଚାଷୀର ପରିବାର, ତାହା ଏବେ ବଡ଼ ପ୍ରଶ୍ନ।

Advertisment ଏବେ ନଜର ପକାନ୍ତୁ ହିଞ୍ଜିଳିକାଟୁ ବ୍ଲକର ଏ ବିଗିଡ଼ା ସ୍ଥିତି ଉପରେ।

ଏଠି କେବଳ ଧାନ ନୁହେଁ ଭେଣ୍ଡି, ବାଇଗଣ, ଲଙ୍କା, ବିନ, ବରଗୁଡ଼ି ଭଳି ଅର୍ଥକାରୀ ପରିବା ଚାଷ କରିଥିବା ଚାଷୀଙ୍କ ଭାତ ହାଣ୍ଡିକୁ ଭାଙ୍ଗି ଦେଇଛି ଅର୍ଣ୍ଣବ।

ଉଭୟ ଋଷିକୂଲ୍ୟା ଓ ଘୋଡ଼ାହାଡ଼ ନଦୀର ପାଣି ସୁଅରେ ଆସିଥିବା ବାଲି ଜମି ଉପରେ ପାହାଡ଼ ଭଳି ଗଦା ହୋଇଛି।

ବର୍ଷା ପାଣିରେ ପ୍ରକୋପରେ ଫସଲ ସଢ଼ିପଚି ଯିବା ପରେ ଏବେ ପାଣି ଛାଡ଼ିବା ବେଳକୁ ଦନୀ ପଠା ସମୁଦ୍ର କୂଳର ଭ୍ରମ ସୃଷ୍ଟି କରୁଛି।

ପ୍ରତିବର୍ଷ ବନ୍ୟା କି ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ, ମାଡ଼ ସହୁଥିବା ଚାଷୀ କେବଳ ସେଇ ଋତୁରେ ହିଁ କ୍ଷତିର ସାମ୍ନା କରିଥାଏ।

କିନ୍ତୁ ଅର୍ଣ୍ଣବର କ୍ଷତ ଭରିବାକୁ ବର୍ଷ ବର୍ଷ ଲାଗିବ ବୋଲି କୁହାଯାଉଛି।

ସେପଟେ ଗଞ୍ଜାମ ଓ ଗଜପତି ଚାଷ ଓ ଚାଷୀର ଏ ସ୍ଥିତିକୁ ମୁକାବିଲା ଓ ସ୍ଥାୟୀ ପ୍ରତିକାର ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ୧୦ କୋଟି ଟଙ୍କାର ସହାୟତା ମାଗିଥିବା କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।