Cyclone Arnab Leaves Ganjam in Ruins: ଅର୍ଣ୍ଣବ ଉଜାଡ଼ିଦେଲା ଗଞ୍ଜାମ, ଭୋକ ଉପାସରେ ଦିନ କାଟୁଛନ୍ତି ହଜାର ହଜାର ଲୋକ

Oct 30, 2026 - 20:34
Cyclone Arnab Leaves Ganjam in Ruins: ଅର୍ଣ୍ଣବ ଉଜାଡ଼ିଦେଲା ଗଞ୍ଜାମ, ଭୋକ ଉପାସରେ ଦିନ କାଟୁଛନ୍ତି ହଜାର ହଜାର ଲୋକ

ଗଂଜାମ ପାଇଁ ବାତ୍ୟା 'ଅର୍ଣ୍ଣବ' ସତେ ଯେମିତି ପାଲଟିଗଲା ଅଭିଶାପ।

ସାଧାରଣ ନିରୀହଙ୍କ ମୁହଁରୁ ଖାଲି ଅନ୍ନ ଛଡ଼ାଇ ନେଲାନି ଅର୍ଣ୍ଣବ, ବରଂ ଭାଙ୍ଗିଦେଇଗଲା ସମସ୍ତଙ୍କ ମେରୁଦଣ୍ଡ।

ମାଟିରେ ମିଶିଯାଇଛି ଘରଦ୍ବାର, ଉଜୁଡ଼ିଯାଇଛି ହାଟବାଟ।

ବାତ୍ୟା ପୂର୍ବରୁ ଯେତିକି ଆଶଙ୍କା କରାଯାଉଥିଲା, ସେହି ଆଶଙ୍କାକୁ ବଳିଗଲା ବିପର୍ଯ୍ୟୟର ତାଣ୍ଡବ।

ପ୍ରକୃତିକୁ ବିଦାରି ଗଂଜାମର ଭୂଗୋଳକୁ ବଦଳାଇ ଦେଇଛି ଅକଟୋବର ବାତ୍ୟା।

Advertisment ବାତ୍ୟା ଆସିବା ଆଗରୁ ଗଣ୍ଡାଏ ଖାଇବା ଆଶାରେ ସାଇତି ରଖିଥିବା ଅନ୍ନକୁ ଛଡ଼ାଇନେଲା ଅର୍ଣ୍ଣବ।

ଏବେ ଖାଲି ଲୁହ ଆଉ କୋହ।

ତଥାପି ଜୀବନ ଖଣ୍ଡିକ ଯେହେତୁ ବଞ୍ଚିଯାଇଛି, ତେଣୁ ଅଣ୍ଟା ସଳଖିବାକୁ ହେବ, ଜୀବନ ଜୀଇଁବାକୁ ହେବ।

ସେହି ଆଶାକୁ ଜାବୁଡ଼ି ସାହସ ଜୁଟାଇବାକୁ ଚେଷ୍ଟା କରିି ବି ହାରିଯାଉଛି ବିପନ୍ନ ମଣିଷ।

କାରଣ କାଦୁଆ ଆଉ ମାଟିର ଆସ୍ତରଣ ଭିତରୁ ନିଜର ସନ୍ତକକୁ କାଢ଼ିବା ବେଳକୁ ଢୁଢୁ ବର୍ଷା ହିଁ ଦାଉ ସାଧୁଛି।

ଆଖି ଆଗରେ ଘର ଭିତରୁ ଶବ ବାହାରି ଦାଣ୍ଡ ଅଗଣାରେ ଛୁଟୁଥିବା ରାସ୍ତା ଦେଇ ମଶାଣିକୁ ଯାଉଛି।

ଥିଲାବାଲା ମଣିଷଟିଏ ମରିଗଲା ପରେ ବି କେତେ ହଟହଟା ହୋଇ ଅନ୍ତିମ ସତ୍କାର ପାଇଁ ନେଉଛନ୍ତି ସମ୍ପର୍କୀୟ, ଦେଖିଲେ ଭାଙ୍ଗିଯାଉଛି ମନ ଆଉ ପ୍ରାଣ।

ହତାଶ କରିଦେଉଛି ସବୁକିଛିକୁ।

ଭଞ୍ଜନଗର ସହରରେ ଆପଣ ଯୁଆଡ଼େ ଯିବେ, ଏବେ କେବଳ ଏଭଳି ଯନ୍ତ୍ରଣାଦାୟକ ଚିତ୍ର।

ଦୁର୍ଦ୍ଦଶାର ଦୟନୀୟ କାହାଣୀ।

ଭଞ୍ଜନଗର ସହର ସମେତ ବାଉଁଶଲୁଣ୍ଡି, ବଡ଼ କୋଦଣ୍ଡା, ସାନ କୋଦଣ୍ଡା ପଞ୍ଚାୟତ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ବାତ୍ୟାକୁ ହେୟ ମନେ କରୁଥିବା ମଣିଷ ମାନେ ଆଜି ନିଜ ଚର୍ମଚକ୍ଷୁରେ ଦେଖିବାକୁ ଆସନ୍ତୁ, ଗଂଜାମର ଦହଗଞ୍ଜ କାହାଣୀ।

ହିଂଜିଳି ବ୍ଲକ ପଲି ପଦ୍ମନାଭପୁର ଗାଁର।

ଉଜୁଡ଼ିଯାଇଛି ଧାନ ଚାଷ।

ଏକର ଏକର ଧାନ କ୍ଷେତରେ ମାଡ଼ିଯାଇଛି ବନ୍ୟା ପାଣି।ଧାନ କେଣ୍ଡା ଧରିବାବେଳକୁ ବିଲରେ ଅଣ୍ଟାଏ ପାଣି ଆଣି ଅଜାଡ଼ି ଦେଇଛି ବାତ୍ୟା ଅର୍ଣ୍ଣବ।

ବାଉଁଶଲୁଣ୍ଡିରେ ପେଟପାଟଣା ପାଇଁ ବାସନ ବିକି ଚଳୁଥିବା ବ୍ୟବସାୟୀଙ୍କ ବରବାଦ୍ ହୋଇଯାଇଛି ସାମଗ୍ରୀ।

ଏଣେ ଭଞ୍ଜନଗର ଢୁଢୁଆରେ ଏକ ସୋରୁମରେ ବୁଡ଼ିଯାଇଛି ନୂଆ ଯାନବାହନ।

କରିବେ ତ କ'ଣ କରିବେ, କ'ଣ ହେବ ତାଙ୍କ ଭବିଷ୍ୟତ, କେହି କିଛି ଭାବିପାରୁନାହାଁନ୍ତି।

ଆଉ ତାହାରି ଭିତରେ ପ୍ରଶାସନିକ ଅସହଯୋଗ ଏବଂ ସହାୟତାରେ ବିଳମ୍ବ ଅଭିଯୋଗ ଆଣି ବଡ କୋଦଣ୍ଡା ଛକରେ ଗର୍ଜିଥିଲେ ୧୨ଟି ଘର ହରାଇଥିବା ସାହି ବାସିନ୍ଦା।

Advertisment ଆସିକାରେ ଭାଙ୍ଗିଯାଇଛି ସରକାରୀ ଘରଦ୍ବାର।

ମେଡ଼ିକାଲ୍ ଭିତରେ ଛୁଟୁଛି ୭ ଫୁଟର ପାଣି।

ଜଳମଗ୍ନ ହୋଇଯାଇଛି ତଳ ମହଲା।

ପାଣି ଘେରରେ ରହିଯାଇଛି ସବୁ ସରଞ୍ଜାମ।

ଫଳରେ ପ୍ରଭାବିତ ହୋଇଛି ରୋଗୀ ସେବା।

ଲଗାଣ ବର୍ଷାରେ ବେହାଲ୍ ଆସିକା ଉପଖଣ୍ଡ ମେଡିକାଲ।

ଖାଲି ମେଡ଼ିକାଲ୍ ନୁହେଁ, ଆସିକା ସହର ଏବେ ଜଳବନ୍ଦୀ।

ପୁରୁଷୋତ୍ତମପୁର ବ୍ଲକରେ ଅବସ୍ଥା ସଂଗୀନ।

୨ ଦିନ ବିତିଗଲା, ନା ପାଣି ଖସୁଛି ନା ବର୍ଷା ଛାଡୁଛି।

ଆଜି ସାମାନ୍ୟ ସୁଧାର ଆସିଥିଲେ ବି ବନ୍ୟା ପରର ବେଦନା ଦି'ଗୁଣ ହୋଇଯାଇଛି।

ବିଶେଷ କରି ପାଣ୍ଡିଆରେ ସ୍ଥିତି ଗମ୍ଭୀର ରହିଛି।

ଦିଗପହଣ୍ଡିରେ ତ ଜଳଯନ୍ତ୍ରଣାରେ ଘାଣ୍ଟି ହେଉଛନ୍ତି ବିପନ୍ନ।

ସରକାରଙ୍କ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି ସତ, କିନ୍ତୁ ସମୁଦ୍ରକୁ ଶଙ୍ଖେ ଅବସ୍ଥା।

ଆକାଶମାର୍ଗରୁ ଦୃଶ୍ୟ ହିଁ ବୟାନ କରୁଛି ବାତ୍ୟା ପରବର୍ତ୍ତୀ ବନ୍ୟା ମାଡ଼ରେ ଗଞ୍ଜାମ କେମିତି ଦଶା ଭୋଗୁଛି।

ଯାହା ନା କେହି କେବେ କଳ୍ପନା କରିଥିଲେ ନା କେହି କରିଥିଲେ ଆକଳନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।