Rescue Teams Battle Devastating Ganjam Floods: ବନ୍ୟାରେ ଦେବଦୂତ ସାଜିଲେ ଯବାନ, ମୃତ୍ୟୁ ମୁହଁରୁ ଜୀବନ ଛଡ଼ାଇ ଆଣିଲେ
ଚାରିଆଡ଼େ ପାଣି ଆଉ ପାଣି...କେଉଁଠି ଚାରିକାନ୍ଥ ଭିତରେ ଜୀବନ ବନ୍ଦୀ, ତ କେଉଁଠି ଆକାଶକୁ ଚାହିଁ ଛାତ ଉପରେ ଉଦ୍ଧାର ଅପେକ୍ଷାରେ ନିଃସହାୟ ମଣିଷ।
ଗୋଟିଏ ପଟେ ଆଖି ଆଗରେ ମୃତ୍ୟୁର ତାଣ୍ଡବ, ଅନ୍ୟପଟେ ଜୀବନ ବଞ୍ଚାଇବାକୁ ସଂଘର୍ଷ।
ଏଭଳି ମହାବିପତ୍ତି ଭିତରେ ଲୋକଙ୍କ ପାଇଁ ଈଶ୍ୱରଙ୍କ ଦୂତ ସାଜିଛନ୍ତି ପହଞ୍ଚିଥିଲେ ODRAF, NDRF, ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀ।
ନିଜ ଜୀବନକୁ ବାଜି ଲଗାଇ, ପାଣିର ପ୍ରଖର ସ୍ରୋତକୁ ଚିରି ଚାଲିଛି ଉଦ୍ଧାର ଅଭିଯାନରେ ସାମିଲ ହୋଇଥିଲେ।
ବ୍ରହ୍ମପୁର ବିଜୟ ବିହାରରେ ପ୍ରବଳ ବର୍ଷା ଯୋଗୁଁ ଯାତାୟାତ ଠପ୍।
ଏଭଳି ସମୟରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କ ପାଇଁ ଦେବଦୂତ ସାଜିଥିଲେ ODRAF ଯବାନ।
ପ୍ରାୟ ଏକ କିଲୋମିଟରୁ ଅଧିକ ରାସ୍ତା ନିଜ କାନ୍ଧରେ ବୋହି ମହିଳାଙ୍କୁ ପହଞ୍ଚାଇଥିଲେ ସୁରକ୍ଷିତ ସ୍ଥାନରେ।
Advertisment ଗଜପତି ଜିଲ୍ଲାର ପାଟପାଟଣାରେ ବନ୍ୟା ଘେରରେ ଫସି ଭୟଭୀତ ଅବସ୍ଥାରେ ଥିବା ଜଣେ ବୃଦ୍ଧାକୁ ଉଦ୍ଧାର କରିଥିଲା ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ।
ଭଞ୍ଜନଗର ବାଇପାସ୍ ରାସ୍ତା ଅଂଚଳରେ ଜୀବନ-ମରଣ ସହ ସଂଘର୍ଷ କରୁଥିବା ତିନି ଜଣ ମହିଳାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।
ସେହିପରି ବନ୍ୟାର ପ୍ରଖର ସ୍ରୋତରେ ଫସିଥିବା ଏହି ମହିଳାଙ୍କ ପାଇଁ ଗଛ ଡାଳ ପାଲଟିଥିଲା ସାହାରା।
ପାଣିରେ ଫସି ରହିଥିବା ଅନ୍ୟ ଜଣେ ମହିଳାଙ୍କୁ ମଶାଣି ନିକଟରୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
କେବଳ ଉଦ୍ଧାର ନୁହେଁ, ବିପନ୍ନଙ୍କ ପାଖରେ ଖାଦ୍ୟ ଓ ପାନୀୟ ଜଳ ପହଞ୍ଚାଇବାରେ ଲାଗିଛନ୍ତି ଉଦ୍ଧାରକାରୀ ଦଳ।
ପ୍ରାୟ ୬୦ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା କହିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ।
ଜଳ ପ୍ରଳୟ ଆସିଥିବା ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ମାରାଥନ୍ ରେସ୍କ୍ୟୁ ଅପରେସନ୍।
ଚାନ୍ଦୁଆଳି ଗାଁରେ ବନ୍ୟା ଘେରରେ ଫସିଥିବା ୫ ଜଣ ଶିଶୁଙ୍କ ସମେତ ମୋଟ ୧୦ ଜଣଙ୍କୁ ଉଦ୍ଧାର କରିଛନ୍ତି ହିଞ୍ଜିଳିକାଟୁର ଅଗ୍ନିଶମ ଯୋଦ୍ଧା।
ରାତିର ଅନ୍ଧାରରେ ବି ଚାଲିଥିଲା ଉଦ୍ଧାର ଅଭିଯାନ।
OSAP ସପ୍ତମ ବାଟାଲିୟନର ଯବାନମାନେ ହିଞ୍ଜିଳିକାଟୁ ବଇଞ୍ଚ ବଣିଆରୁ ୧୧ ଓ ପୁଡ଼ିଙ୍ଗରୁ ଆଉ ୧୧ ଜଣଙ୍କୁ ଉଦ୍ଧାର କରିଥିଲେ।
ପୁରୁଷୋତ୍ତମପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ODRAF ଟିମ୍ ଅଛୁଳି ଗାଁରୁ ବିପଦରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ଚି।
ଏ ଚିତ୍ର ଭଞ୍ଜନଗର ନିକଟ ନୂଆଗାଁର।
ସ୍ଥାନୀୟ ହରିଜନ ସାହିରୁ ବୟସ୍କ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀକୁ ନେଉଛି ବେଲଗୁଣ୍ଠା ପୋଲିସ।
ବ୍ୟାପକ ଉଦ୍ଧାର ଅଭିଯାନ ଭିତରେ କିନ୍ତୁ ଆସ୍କାରେ ସ୍ଥିତି ଏବେ ବି ଚିନ୍ତାଜନକ।
ପାଞ୍ଚ ଫୁଟ୍ ଉପରେ ବନ୍ୟାଜଳ ପ୍ରଭାବିତ ହେଉଥିବାରୁ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି ବିପନ୍ନ।
ଏପରିକି ହସ୍ପିଟାଲର ରୋଗୀମାନେ ମଧ୍ୟ ରାତିସାରା କୋଠା ଉପରେ ରହିବାକୁ ବାଧ୍ୟ ହୋଇଛନ୍ତି।
ଏପଟେ ରୋଗଗ୍ରସ୍ତ ବୃଦ୍ଧବୃଦ୍ଧାଙ୍କୁ ଉଦ୍ଧାରରେ ବିଳମ୍ବ ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି।
Advertisment ପୁରୁଷୋତ୍ତମପୁର ବ୍ଲକର ପ୍ରତାପୁର ନିକଟରେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ନୟାଗଡ଼ର ପାଞ୍ଚ ଜଣ ଶ୍ରମିକ।
କାମ ସାରି ଫେରୁଥିବାବେଳେ ହଠାତ୍ ମାଡ଼ି ଆସିଥିଲା ବନ୍ୟାଜଳ।
ଶେଷରେ ବାଇଧର ମନ୍ଦିରରେ ନେଇଛନ୍ତି ଆଶ୍ରୟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।