Cyclone Arnab Sparks Landslide Fears: ବାତ୍ୟା ଅର୍ଣ୍ଣବ ଆସୁଛି, ପୁଣି ଭୂସ୍ଖଳନ ଭୟରେ ଥରୁଛି ତିତଲି କ୍ଷତବିକ୍ଷତ ଗାଁ
ଚାରିଆଡ଼େ ପଥର, ଖାଲଖମାରେ ଭର୍ତ୍ତି, ଦେଖିଲେ ଲାଗିବ କି କୌଣସି ପାହାଡ଼ିଆ ଅଞ୍ଚଳ।
ହେଲେ ଦିନେ ଏଠି ଥିଲା ଗାଁ, ହସ ଖୁସିରେ ଫାଟି ପଡୁଥିବା କିଛି ପରିବାର।
ହେଲେ ଆଜି ନା ଅଛି ଘର, ନା ଅଛି ସେଇ କୋଳାହଳ।
ଆଖି ପିଛୁଳାକେ ଛାରଖାର ହେଇଯାଇଛି ପୁରା ଗାଁ, ନିଶ୍ଚିହ୍ନ ହେଇଯାଇଛି ଅନେକ ପରିବାର।
ଭୟଙ୍କର ଭୂସ୍ଖଳନ ପୁରା ଏ ଗାଁକୁ ଗିଳି ଦେଇଛି, ଚାପି ଦେଇଛି ଏଇ ମାଟି ତଳେ।...ଗଜପତି ରାୟଗଡ଼ ବ୍ଲକ ପେକଟ ଗାଁ।
୨୦୧୮ ତିତଲି ବାତ୍ୟାରେ ଏଠି ଘଟିଥିଲା ଭୟଙ୍କର ଭୂସ୍ଖଳନ।
ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡା ଖସି ୫୭ ଜଣଙ୍କ ଜୀବନ ଯାଇଥିଲା।
ନିଜ ଆଖି ଆଗରେ ଏମିତି ଛାତି ଥରା ଭୂସ୍ଖଳନର ସାମ୍ନା କରିଥିଲେ ଗାଁ ଲୋକେ।
ଆଉ ତା ପରଠୁ ବାତ୍ୟା ନାଁ ଶୁଣିଲେ ଗାଁ ଲୋକଙ୍କ ମନରେ ଛନକା ପଶୁଛି।
ଏବେ ପୁଣି ଆସୁଛି ବାତ୍ୟା ଅର୍ଣ୍ଣବ, ପୁଣି ସେଇ ଭୟ ଘାରିଛି, ସେମିତି କିଛି ଘଟିବନି ତ ?
କାରଣ, ଏବେ ବି ଗଜପତି ଜିଲ୍ଲାରେ ୧୪୦ଟି ସ୍ଥାନ ଭୂସ୍ଖଳନପ୍ରବଣ ଅଞ୍ଚଳ।
Advertisment ଏଥର ବାତ୍ୟା ଅର୍ଣ୍ଣବ ମାଲକାନଗିରି ଦେଇ ଗତି କରିବ।
ମାଲକାନଗିରିକୁ ପଶିଲା ବେଳେ ବାତ୍ୟା ଅର୍ଣ୍ଣବର ବେଗ ପ୍ରାୟ ୧୦୦ କିଲୋମିଟର୍ ଘଣ୍ଟା ପ୍ରତି ରହିବ।
ତେଣୁ ଅଧିକ ବିପଦ ବି ମାଲକାନଗିରି ଉପରେ।
ବାତ୍ୟା ଅର୍ଣ୍ଣବ ପାଇଁ ଏବେ ପୁଣି ଭୂସ୍ଖଳନକୁ ନେଇ ସ୍ଥାନୀୟ ଲୋକଙ୍କୁ ଚିନ୍ତା ଘାରିଛି।
ଚିତ୍ରକୋଣ୍ଡାର ପପୁଲୁ, ବାୟାପଡ଼ା, ଓରିଙ୍ଗି ଘାଟି ଭଳି ସ୍ଥାନ ପାଇଁ ବଢୁଛି ଭୂସ୍ଖଳନ ଆଶଙ୍କା।
ଖାଲି ମାଲକାନଗିରି କି ଗଜପତି ନୁହେଁ, ଗଞ୍ଜାମରେ ବି ବାତ୍ୟା ନା ଶୁଣିଲେ ଗାଁ ଲୋକଙ୍କ ଛାତି ଥରି ଉଠେ।
ଦିନେ ବାତ୍ୟା ତିତଲି ଏଇଠି ସବୁକିଛି ଛାରଖାର କରି ଦେଇଥିଲା।
ପାହାଡ଼ରୁ ମାଟି ପଥର ଅତଡ଼ା ଖସି, ଝରଣାର ପ୍ରଖର ସୁଅରେ ପାତ୍ରପୁର ବ୍ଲକର ବୁରାତାଲରେ ୧୦ରୁ ଅଧିକ ଲୋକ ଏଇଠି ହିଁ ମାଟିରେ ସମାଧି ନେଇଥିଲେ।
ଏବେ ସେଇ ପୁଣି ବୁରାତାଲ ପଞ୍ଚାୟତ ଲୋକେ 'ବାତ୍ୟା ଅର୍ଣ୍ଣବ' କଥା ଶୁଣିଲା ଛାନିଆ।
ଆଖି ଆଗରେ ତିତିଲର ସେଇ ଭୟଙ୍କର ଦୃଶ୍ୟ ସବୁ ନାଚି ଉଠୁଛି।
ଲୋକଙ୍କ ମନରୁ ତିତଲିର ସେଇ ଦୃଶ୍ୟ ଲିଭିନି, ନିଜ ପରିବାରକୁ ନିଜ ଗାଁ ଲୋକଙ୍କୁ ମାଟିରେ ଧସିବାର ଏମାନେ ଦେଖିଛନ୍ତି।
ତେଣୁ କେମିତି ପୁଣି 'ଅର୍ଣ୍ଣବ'କୁ ସାମ୍ନା କରିବେ ସେ କଥା ଭାବି ଭାବି ଦିନ କାଟୁଛନ୍ତି।
Advertisment ବାତ୍ୟା ଅର୍ଣ୍ଣବକୁ ନେଇ ଏବେ ଗଞ୍ଜାମ, ଗଜପତି, ମାଲକାନଗିରି ସବୁଠି ଆଶଙ୍କା ଆଉ ଭୟର ବାତାବରଣ।
ତେଣୁ ଲୋକଙ୍କ ପାଖରେ ପହଞ୍ଚୁଛି ପ୍ରଶାସନ, ବୁଝାଉଛି ସ୍ଥିତି ସମ୍ଭାଳିବାକୁ ବି ପ୍ରସ୍ତୁତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।