Cyclone aska: ଲୁହ ପୋଛି ମୁହଁ ଟେକୁଛି ଆସିକା: ସପ୍ତାହେ ଧରି ପ୍ରଶାସନର ନିରନ୍ତର ପ୍ରୟାସ

Nov 04, 2026 - 08:08
Cyclone aska: ଲୁହ ପୋଛି ମୁହଁ ଟେକୁଛି ଆସିକା: ସପ୍ତାହେ ଧରି ପ୍ରଶାସନର ନିରନ୍ତର ପ୍ରୟାସ

ଆସିକାରୁ ରାକେଶ ରୋଷନ ମହାନ୍ତି ଶାନ୍ତ ଋଷିକୁଲ୍ୟାର ଉଗ୍ର ତାଣ୍ଡବ ଗଞ୍ଜାମ ଜିଲ୍ଲାର ବ୍ୟାବସାୟିକ ପେଣ୍ଠସ୍ଥଳୀ ତଥା ସମବାୟ ସହର ଆସିକାକୁ ସଂପୂର୍ଣ୍ଣ ଛାରଖାର କରିଦେଇଛି।

କ୍ଷତ ଭରଣା କରିବାକୁ ଅନେକ ବର୍ଷ ଲାଗିପାରେ।

କ୍ଷୟକ୍ଷତି ୧୦୦ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।

କାହା ଗୋଦାମରେ ପାଣି, କାହା ଘରେ କାଦୁଅ ଓ କାହାର ସବୁ ଭାସିଯାଇଛି।

ଜୀବନ ଜିଇଁବାର ସଂଘର୍ଷ ବୋଧହୁଏ ଆସିକାବାସୀଙ୍କଠାରୁ ଅଧିକ କିଏ ଇତିମଧ୍ୟରେ ଜାଣି ପାରିନଥିବ।

ତଥାପି ଲୁହ ପୋଛି ଆସିକା ଏବେ ଧୀରେ ଧୀରେ ମୁହଁ ଟେକୁଛି।

Advertisment ସହର ଉପକଣ୍ଠ ନବରତ୍ନପୁର ଗାଁରେ ହଠାତ୍‌ ଋଷିକୁଲ୍ୟା ବନ୍ଧ ଡେଇଁ ପାଣି ପଶିବା ଦ୍ୱାରା ୧୦ରୁ ଅଧିକ ଘର ସଂପୂର୍ଣ୍ଣ ଭାବେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି।

କିଏ ଝିଅ ବାହାଘର ପାଇଁ ଜିନିଷପତ୍ର ସାଇତି ରଖିଥିଲା ତ, ଆଉ କିଏ ଘରେ ଶୋଇଥିବା ବେଳେ ବେକେ ପାଣି ମାଡ଼ି ଆସିଲା।

ଜୀବନ ତ ବଞ୍ଚିଗଲା, ହେଲେ ପୂରା ଗାଁ ଧ୍ବଂସସ୍ତୂପ ଭଳି ଦିଶୁଛି।

ଗାଁରେ ଥିବା ବସୁଧା ପାଣି ପମ୍ପହାଉସର ସବୁ ଜିନିଷ ଭାସିଯାଇଛି।

ଆଜି କର୍ମଚାରୀମାନେ ପରିଶ୍ରମ କରି ତାକୁ ଖୋଜାଖୋଜି ଚଳାଇଛନ୍ତି।

ସେହିପରି ବିଭିନ୍ନ ଗାଁକୁ ବିଦ୍ୟୁତ୍‌ ସେବା ସ୍ୱାଭାବିକ ହୋଇଯାଇଛି।

ଆଉ ୩ଟି ଗାଁକୁ ୨/୪ଦିନ ଭିତରେ ବିଦ୍ୟୁତ୍‌ ସେବା ପହଞ୍ଚିଯିବ।

ସେଲୁଲାର ନେଟୱାର୍କ ଆସି ସାରିଥିଲା ବେଳେ କିଛି ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସେବା ସ୍ୱାଭାବିକ ହୋଇପାରିନି।

କିନ୍ତୁ ଆସିକା ଉପଖଣ୍ଡ ଡାକ୍ତରଖାନା ସ୍ୱାଭାବିକ ହେବାକୁ ଆହୁରି ସମୟ ଲାଗିବ।

ଦୁଇ ଚାରିଦିନ ଭିତରେ କେବଳ ଓପିଡି କାର୍ଯ୍ୟକ୍ଷମ କରିବାକୁ କାମ ଜୋରସୋରରେ ଚାଲିଛି।

ଏବେ ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଅସ୍ଥାୟୀ ଡାକ୍ତରଖାନା ଚାଲିଛି।

ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ରହି ଏହାର ତଦାରଖ କରିଛନ୍ତି।

୨୦ଟି ମୋବାଇଲ ହେଲଥ ୟୁନିଟ୍‌ ଗାଡ଼ି ଆଜିଠୁ ଆସିକାର ବିଭିନ୍ନ ଅଞ୍ଚଳକୁ ଗଡ଼ିଛି।

ଏମାନେ ଲୋକଙ୍କ ଦୁଆର ମୁହଁରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ ଆଦି ସୁନିଶ୍ଚିତ କରିବେ।

ଗତକାଲି ରାତି ୧୨ଟା ପର୍ଯ୍ୟନ୍ତ ଜିଲ୍ଲାପାଳ, ସିଡିଓ, ଉପଜିଲ୍ଲାପାଳ, ଇଓ ଓ ବିଡିଓ ପ୍ରମୁଖ ଉପସ୍ଥିତ ରହି ଆସିକା ସହରକୁ ସଫେଇ କରିଥିଲେ।

ପୂରା ସହର ପଙ୍କ କାଦୁଅ ହୋଇଥିଲା ବେଳେ ତାହା ସଫା ହୋଇଛି।

ପାନୀୟଜଳ ସମସ୍ୟାର ସମାଧାନ ଲାଗି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି।

ବନ୍ୟାପାଣି ଘେରରେ ଥିବା ଲୋକଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ମିଳିଛି।

ସହରରେ ଆଜି ରନ୍ଧନ ଗ୍ୟାସ ପହଞ୍ଚିଯାଇଛି।

ଖୁବଶୀଘ୍ର ଏହା ଗ୍ରାମାଞ୍ଚଳରେ ବି ପହଞ୍ଚିଯିବ।

ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଓ ଆସିକା ବିଧାୟକ ସରୋଜ ପାଢ଼ୀ ଗାଁଗଣ୍ଡା ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ତେବେ, ବନ୍ୟା କ୍ଷୟକ୍ଷତି ଭୟଙ୍କର ହୋଇଛି।

କେବଳ ଆସିକାରେ ବିଭିନ୍ନ କ୍ଷତି ଆକଳନ ୧୦୦ କୋଟି ଟପିଯିବ ବୋଲି ଅନୁମାନ କରାଯାଉଛି।

ବିଶେଷକରି ବ୍ୟବସାୟୀଙ୍କ ଅଧିକ କ୍ଷତି ହୋଇଛି।

ଗୋଦାମ ଓ ଦୋକାନରେ ପାଣି ପଶି ବିଭିନ୍ନ ସାମ୍ରଗୀ ନଷ୍ଟ ହୋଇଯାଇଛି।

ଦୋକାନୀ ଓଦା ଲୁଗାକୁ ଅନେକ ସ୍ଥାନରେ ମାଗଣା ବାଣ୍ଟି ଦେଇଛନ୍ତି।

ଶ୍ରମିକ ମଜୁରି ଦେଇ ହେବନି ବୋଲି ଗୋଦାମ ଖୋଲି ଲୋକଙ୍କୁ ଜିନିଷ ବାଣ୍ଟି ଦେଇଛନ୍ତି।

ଶହ ଶହ ହେକ୍ଟର ଚାଷଜମିରେ ବାଲି ଓ ମାଟି ଚଢ଼ିଯାଇଛି।

ତେବେ ୨/୩ ଦିନ ମଧ୍ୟରେ ସରକାର ଘୋଷଣା କରିଥିବା ରିଲିଫ ସହାୟତା ଆସିକାରେ ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।