Cyclone in Odisha: ୨୯ ତାରିଖ ଯାଏ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ, ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ତାଗିଦ

Oct 24, 2026 - 21:24
Cyclone in Odisha: ୨୯ ତାରିଖ ଯାଏ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ, ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ତାଗିଦ

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୬ ତାରିଖ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବା ସହ ୨୭ରୁ ୨୯ ତାରିଖ ଯାଏ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଏହାକୁ ନଜରରେ ରଖି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

Advertisment ବୈଠକରେ ଜିଲ୍ଲା, ବ୍ଲକ୍‌ ଓ ତହସିଲସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରଖିବା ସହ ୨୯ ତାରିଖ ଯାଏ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଆବଶ୍ୟକ ପଡ଼ିଲେ ତୁରନ୍ତ ମୁତୟନ ହେବା ପାଇଁ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି।

ଜିଲ୍ଲାର ସାତଟି ବ୍ଲକ୍‌ରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ଯାଞ୍ଚ କରି ବିଦ୍ୟୁତ୍‌, ଜେନେରେଟର, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ବିଡିଓ ଓ ତହସିଲଦାରମାନଙ୍କୁ କୁହାଯାଇଛି।

ଜିଲ୍ଲାର ଭୂସ୍ଖଳନପ୍ରବଣ ଅଞ୍ଚଳ, ପାହାଡ଼ ତଳେ ରହୁଥିବା ପରିବାର, ତଳିଆ ଅଞ୍ଚଳ ଏବଂ ଦୁର୍ବଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ।

ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସହ ଚୁଡ଼ା, ଗୁଡ଼, ଚିନି, ମହମବତୀ, କିରୋସିନ ଓ ଔଷଧ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ରହିଛି।

ଗର୍ଭବତୀ ମହିଳାଙ୍କୁ ଆବଶ୍ୟକତା ଅନୁଯାୟୀ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ମା' ଗୃହକୁ ସ୍ଥାନାନ୍ତର କରାଯିବ।

ପ୍ରବଳ ବର୍ଷା ସମୟରେ ନଦୀ, ନାଳ ଓ ଜଳାଶୟ ନିକଟକୁ ନଯିବା ସହ ଅନାବଶ୍ୟକ ଭାବେ ଘରୁ ବାହାରକୁ ନଯିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

ବ୍ଲକ୍‌, ପଞ୍ଚାୟତ ଓ ଗ୍ରାମସ୍ତରରେ ସଚେତନତା ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ଭାଗବତ ସାମଲ କଲ୍ୟାଣରାଓ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ବିନାୟକ ରାଉଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ବିଡିଓ ଓ ତହସିଲଦାରମାନେ ଯୋଗ ଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।