Cyclone Threat To Odisha: ବଢୁଛି ବାତ୍ୟା ଆଶଙ୍କା; ଉପକୂଳିଆଙ୍କୁ ଘାରୁଛି ଭୟ, କିଛି ସମୟ ଭିତରେ ହେବ ଲଘୁଚାପ
ଉପକୂଳିଆଙ୍କ ଭିତରେ ଛନକା ପୁରାଇଛି ବାତ୍ୟା ଭୟ। ହେଲେ ବଙ୍ଗୋପସାଗରରେ ଏବେ କୌଣସି ବାତ୍ୟା ନେଇ ସେଭଳି କିଛି ବି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ। ଏପଟେ ଅଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଦେଇଛି, ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପର ରୂପ ନେଇଛି।
ଆଗାମୀ ଦିନରେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବ। ଆଉ ଏହାର ପ୍ରଭାବରରେ ୨୨ରୁ ୨୫ ଓଡ଼ିଶାରେ ଛେଚିବ ପ୍ରବଳ ବର୍ଷା। ବର୍ଷା, ବାତ୍ୟା ଆଶଙ୍କା ଭିତରେ ପାରାଦୀପ ଡପଲର ରାଡାର କାମ କରୁନଥିବା ଖବର ସାମନାକୁ ଆସିଛି।
ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ବଢ଼ାଇଛି ଏଭଳି ଆଶଙ୍କା। ବିଶେଷକରି ଉପକୂଳ ଓଡ଼ିଶାବାସୀଙ୍କୁ ଘାରିଛି ବାତ୍ୟା ଚିନ୍ତା। ତେବେ ଏବେ ସୁଦ୍ଧା ସମ୍ଭାବ୍ୟ ସାଇକ୍ଲୋନ୍ ନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ। IMD କହିଛି, ଆଣ୍ଡାମାନ ସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଅଧିକ ଘନୀଭୂତ ହୋଇ ଆସନ୍ତା ୨୧ରେ ହେବ ଅବପାତ। ୨୨ରେ ନେବ ଗଭୀର ଅବପାତର ରୂପ।
୨୩ ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ନିକଟତର ହୋଇପାରେ। ପ୍ରଭାବରେ ୨୨ରୁ ୨୫ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ଜାରି ହୋଇଛି ୟେଲ୍ଲୋ ୱାର୍ଣ୍ଣିଂ। ...
ବିଭିନ୍ନ ମଡେଲ୍ ଆଣ୍ଡାମାନ ସାଗରରେ ବାତ୍ୟା ସୃଷ୍ଟି ନେଇ ପାଗ ଅନୁକୂଳ ଥିବା କହୁଛନ୍ତି। ତେବେ ଭାରତୀୟ ପାଣିପାଗ ବିଭାଗ ଏନେଇ କୌଣସି ପୂର୍ବାନୁମାନ କରିନି। ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏହାର ତୀବ୍ରତା ଓ ଗତି ପଥରେ ସ୍ପଷ୍ଟତା ଆସିବ। ତେବେ ବାତ୍ୟା ହେଲେ ନାଁ ରଖାଯିବ ଅର୍ଣ୍ଣବ। ସମ୍ଭାବ୍ୟ ସାଇକ୍ଲୋନ୍ ଚର୍ଚ୍ଚାକୁ ନେଇ ଉପକୂଳିଆ ଲୋକଙ୍କ ଭିତରେ ଛନକା ପଶିଛି।
ଗୋଟିଏ ପଟେ ବାତ୍ୟାକୁ ନେଇ ଛନକା, ଅନ୍ୟପଟେ ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଥିବା ଡପଲର ରାଡାର କାମ କରୁନଥିବା ଖବର ସାମ୍ନାକୁ ଆସିଛି। ଶୁକ୍ରବାରଠୁ ଏହି ରାଡାର ତଥ୍ୟ ପ୍ରଦାନରେ ତ୍ରୁଟି ଦେଖାଦେଇଛି। ବର୍ତ୍ତମାନ ପରିସ୍ଥିତିରେ ଏହି ରାଡାରର ମରାମତି ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସଜାଡିବା ପାଇଁ ଦିଲ୍ଲୀରୁ ସ୍ବତନ୍ତ୍ର ଇଞ୍ଜିନିୟର ଟିମ୍ ଆସୁଛନ୍ତି।
ଗୋପାଳପୁରରେ ରାଡାର ପୁରୁଣା ଥିବାରୁ ସମ୍ବଲପୁରରେ କାର୍ଯ୍ୟକ୍ଷମ ଡପଲର ରାଡାରରୁ ନିଆ ଯାଉଛି ସୂଚନା। ପାରାଦୀପ ଓ ସମ୍ବଲପୁରରେ ରାଡାର କାମ କରୁଛି ଓ ପୁରା ରାଜ୍ୟର ପାଣିପାଗ ସମ୍ପର୍କିତ ସୂଚନା ମିଳୁଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା କହିଛନ୍ତି।
ତେବେ ଲଘୁଚାପ ଆଗକୁ କେତେ ଘନୀଭୂତ ହେବ, ଅବପାତରୁ ବାତ୍ୟାର ରୂପ ନେବ କି ନାହିଁ ଏବେ ତା’ ଉପରେ ନଜର। ହେଲେ ଆଗକୁ ବିଜୁଳି ଘଡ଼ିଘଡ଼ି ସହ ବର୍ଷାରେ ଭିଜିବ ଓଡ଼ିଶା। ତେଣୁ ବାତ୍ୟା ଆଶଙ୍କାକୁ ନେଇ ଆତଙ୍କିତ ନୁହେଁ, ପାଣିପାଗର ପ୍ରତିଟି ଅପଡେଟ୍ ଉପରେ ନଜର ରଖିବା ସହ ସତର୍କ ରହିବା ହିଁ ସବୁଠୁ ବଡ଼ ଆବଶ୍ୟକତା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।