UPI MDR From October 15: ମାର୍କେଟରେ UPI MDR ଇଫେକ୍ଟ; ଦୋକାନ ଆଗରୁ ଗାୟବ UPI ବାର୍ କୋଡ୍, କ୍ୟାସ ନେଣଦେଣ ଆରମ୍ଭ

Sep 19, 2026 - 21:53
UPI MDR From October 15: ମାର୍କେଟରେ UPI MDR ଇଫେକ୍ଟ; ଦୋକାନ ଆଗରୁ ଗାୟବ UPI ବାର୍ କୋଡ୍, କ୍ୟାସ ନେଣଦେଣ ଆରମ୍ଭ

ପେମେଣ୍ଟ ସଫଳ ହେଲା, ମୋବାଇଲରୁ ଶୁଭୁଥିବା ଏହି ଶବ୍ଦ ଆଗକୁ ବୋଧହୁଏ ଆଉ ଶୁଣାଯିବନି। ଯେଉଁ UPI କ୍ୟାସଲେସ୍ ଭାରତର ପରିଚୟ ସାଜିଥିଲା, ସେହି ୟୁପିଆଇ ଏବେ ଗାୟବ ହେବାକୁ ବସିଲାଣି। UPIରେ MDRଲାଗୁ ପରେ ବଜାର ଉପରେ ପଡିଲାଣି ପ୍ରଭାବ। ଦୋକାନ ଆଗରୁ ହଟିଲାଣି ବାରକୋଡ୍, କିଛି ପେଟ୍ରୋଲ ପମ୍ପରେ ବି UPI ମନା ହେଲାଣି। ତୈଳ ଡିଲର୍ସ ସଂଘର ଦାବି MDRରୁ ଆମକୁ ବାଦ ଦିଆଯାଉ। ସେପଟେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ପ୍ରସଙ୍ଗକୁ ସଂସଦରେ ଉଠାଇବାକୁ ଚେତାବନୀ ଦେଇଛି। ବିଜେପି କହିଛି, ବିରୋଧୀ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। 

QR କୋଡ୍ ରେ ସ୍କାନ୍, ଆଉ ମୁହୂର୍ତ୍ତକରେ ପେମେଣ୍ଟ। ଏହି ଦୃଶ୍ୟ ଦିନେ ଦୋକାନ ବଜାରରେ ସାଧାରଣ ହୋଇଥିଲା। ହାତରେ କ୍ୟାସ୍ ନଥିଲେ ବି ଚିନ୍ତା ନଥିଲା। ମୋବାଇଲ୍ ବାହାର କର, ସ୍କାନ୍ କରି ପେମେଣ୍ଟ କର। କିନ୍ତୁ ଏବେ ସେହି QR କୋଡକୁ ନେଇ ଦୋକାନୀଙ୍କ ମନରେ ଦ୍ୱନ୍ଦ୍ୱ। କଟକରେ ବ୍ୟବସାୟୀଙ୍କ କହିବା କଥା ଦୁଇ ହଜାରରୁ ଅଧିକ UPI କାରବାରରେ MDR ଲାଗିଲେ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ। 

ନୂଆ ଫ୍ରେମୱର୍କ ଅନୁସାରେ ନିର୍ଦ୍ଦିଷ୍ଟ ୨ ହଜାରରୁ ଅଧିକ P2M UPI କାରବାରରେ ଲାଗିବ ୦.୪ ପ୍ରତିଶତ MDR। ତେବେ ଏହି ଚାର୍ଜ ଗ୍ରାହକଙ୍କଠାରୁ ନେଇହେବ ନାହିଁ। ଫଳରେ ବ୍ୟବସାୟୀଙ୍କ ଚିନ୍ତା ଡିଜିଟାଲ୍ ପେମେଣ୍ଟ କରିବୁ, ନା କ୍ୟାସକୁ ଫେରିବୁ। ତୈଳ ବ୍ୟବସାୟକୁ ମଧ୍ୟ ଛୁଇଁଛି ଏହି ଭୟ। ମଧ୍ୟପ୍ରଦେଶରେ ପେଟ୍ରୋଲିୟମ ଡିଲର୍ସ ସଂଘ UPI କାରବାରକୁ ସୀମିତ କରିଦେଇଛି। 

ଦୁଇ ହଜାରରୁ ଅଧିକ ଟଙ୍କାର ପେଟ୍ରୋଲ କି ଡିଜେଲ ବିକ୍ରିରେ ଗ୍ରାହକଙ୍କଠାରୁ UPIରେ ପେମେଣ୍ଟ ନେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏପଟେ ରାଜ୍ୟର ପେଟ୍ରୋଲ୍ ପମ୍ପ ଡିଲର୍ ସଂଘ ମଧ୍ୟ UPI MDRକୁ ନେଇ ଅସନ୍ତୋଷ ଝାଡ଼ିଛି। ସେମାନଙ୍କ ଯୁକ୍ତି ମାର୍ଜିନ୍ ସୀମିତ ଥିବା ବେଳେ ଅତିରିକ୍ତ ଚାର୍ଜର ଭାର କିଏ ବହନ କରିବ ? ତେଣୁ ଏହାର ପ୍ରତ୍ୟାହାର ଦାବି କରିଛି ସଂଘ। 

ବ୍ୟବସାୟୀଙ୍କ ଏହି ଅସନ୍ତୋଷକୁ ନେଇ ଏବେ ରାଜ୍ୟରୁ ଦିଲ୍ଲୀ ତେଜିବାରେ ଲାଗିଛି ରାଜନୀତି। ଗତକାଲି ଦିଲ୍ଲୀରୁ ଫେରି ସିଧାସଳଖ ବ୍ୟବସାୟୀଙ୍କ ସ୍ୱାର୍ଥ ସପକ୍ଷରେ ବାହାରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଉ ଆଜି ଦିଲ୍ଲୀରେ ପ୍ରେସମିଟ୍ କରି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ସାଂସଦ ସଂତୃପ୍ତ ମିଶ୍ର।

ବିଜେଡି ଅଭିଯୋଗ କରିଛି, ଡିଜିଟାଲ୍ ପେମେଣ୍ଟକୁ ସହଜ କରିବା ପରିବର୍ତ୍ତେ ନୂଆ ଚାର୍ଜ ଲଗାଇ ଛୋଟ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଉପରେ ବୋଝ ଲଦି ଦିଆଯାଉଛି। ଏନେଇ ଆଗାମୀ ସଂସଦ ଅଧିବେଶନରେ ପ୍ରସଂଗ ଉଠାଇବ ବିଜେଡି। ଜବାବରେ ବିଜେପି କହିଛି, ବିରୋଧୀ ଦଳ କେବଳ ଲୋକଙ୍କୁ ଭ୍ରମିତ କରୁଛନ୍ତି। ଦେଶର ୯୬ ପ୍ରତିଶତ ଲୋକେ ଏହାଦ୍ବାରା ପ୍ରଭାବିତ ହେବନାହିଁ। 

ସାଧାରଣ ଲୋକଙ୍କ ଆଶଙ୍କା, ବ୍ୟବସାୟୀଙ୍କ ଅସନ୍ତୋଷ ଆଉ ବିରୋଧୀଙ୍କ ବିଷୋଦଗାର। ଯେଉଁ ଡିଜିଟାଲ୍ କ୍ରାନ୍ତି ଭାରତକୁ ବିଶ୍ୱରେ ଏକ ନୂଆ ପରିଚୟ ଦେଇଥିଲା, ଏବେ UPI MDR ପ୍ରସଙ୍ଗକୁ ନେଇ ଦେଶସାରା ତମ୍ବିତଫାନ ଚାଲିଛି। ଏହି ଦ୍ବନ୍ଦ୍ବକୁ ସରକାର କେବେ ଓ କିଭଳି ଦୂର କରୁଛନ୍ତି, ତାଉପରେ ନଜର। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।