Cyclone: ଆନ୍ଧ୍ର ଉପକୂଳମୁହାଁ ‘ଅର୍ଣ୍ଣବ’: ୧୪୦ କିମି ବେଗରେ ବହିପାରେ ପବନ

Oct 27, 2026 - 22:18
Cyclone: ଆନ୍ଧ୍ର ଉପକୂଳମୁହାଁ ‘ଅର୍ଣ୍ଣବ’: ୧୪୦ କିମି ବେଗରେ ବହିପାରେ ପବନ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା 'ଅର୍ଣ୍ଣବ' ଅଧିକ ଶକ୍ତିଶାଳୀ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଉଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନ ଅନୁସାରେ, ଏହା ଅତି ଭୀଷଣ ବାତ୍ୟାର ରୂପ ନେଇ ବୁଧବାର (୨୮ ଅକ୍ଟୋବର) ପୂର୍ବାହ୍ଣରେ ବାପଟଲା ଓ ବିଶାଖାପାଟଣା ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ୟାନମ୍ ଉପକୂଳ ଅତିକ୍ରମ କରିପାରେ।

ଏହି ସମୟରେ ପବନର ସ୍ଥାୟୀ ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

Advertisment ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଓ ପବନ ଆରମ୍ଭ ହୋଇଛି।

ସୋମବାର ରାତିରୁ ଶ୍ରୀକାକୁଲମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ବର୍ଷା ହୋଇଥିବା ବେଳେ ବିଶାଖାପାଟଣାରେ ମଧ୍ୟ ପାଗ ଖରାପ ହୋଇଛି।

ସମୁଦ୍ର ଅଶାନ୍ତ ଥିବାରୁ ଉପକୂଳରେ ସତର୍କତା ବଢ଼ାଯାଇଛି।

ଆଇଏମ୍‌ଡିର ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୧୧ଟା ୩୦ରେ ଏହି ବାତ୍ୟା ଅତି ଭୀଷଣ ରୂପ ନେଇଥିଲା।

ମଙ୍ଗଳବାର ସକାଳେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିଲା।

ଏହାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି।

ବାତ୍ୟାର ମୁକାବିଲା ପାଇଁ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।

ବିପଦପୂର୍ଣ୍ଣ ଅଞ୍ଚଳରେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ଉଦ୍ଧାରକାରୀ ଦଳଙ୍କୁ ପ୍ରସ୍ତୁତ ରଖାଯାଇଛି।

ଉଭୟ ରାଜ୍ୟରେ କେତେକ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି ଏବଂ ୩୦ ତାରିଖ ସକାଳ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବାକୁ ଯିବା ଉପରେ କଟକଣା ଲଗାଯାଇଛି।

ତେଣେ ଦକ୍ଷିଣତଟ ରେଳପଥ ୫୩ଟି ଟ୍ରେନ୍ ବାତିଲ କରିଛି।

ବିଶାଖାପାଟଣା ଓ ବିଜୟୱାଡ଼ାକୁ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।

ଏୟାର୍‌ ଇଣ୍ଡିଆ ଓ ଇଣ୍ଡିଗୋ ଅନେକ ବିମାନ ବାତିଲ କରିଛନ୍ତି।

କାକିନାଡ଼ା ଓ ୟାନମ୍ ଉପକୂଳରେ ହାଇ ଆଲର୍ଟ ଜାରି କରାଯାଇଛି।

ଜୀବନହାନିକୁ ଶୂନ୍ୟରେ ରଖିବା ଓ ସମ୍ପତ୍ତି କ୍ଷୟକ୍ଷତି କମାଇବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।