DALDA: ‘ଡାଡା’ରୁ କିପରି ହେଲା ‘ଡାଲ୍ଡା’? ଜାଣନ୍ତୁ ଭାରତର ସବୁଠାରୁ ଲୋକପ୍ରିୟ ବନସ୍ପତି ଘିଅର ରୋଚକ କାହାଣୀ
ନୂଆଦିଲ୍ଲୀ: ଭାରତୀୟ ରୋଷେଇ ଘରେ ଶୁଦ୍ଧ ଦେଶୀ ଘିଅର ସ୍ଥାନ ସଦାସର୍ବଦା ସ୍ୱତନ୍ତ୍ର। ମାତ୍ର ବହୁ ବର୍ଷ ପୂର୍ବେ ଏହାର ଉଚ୍ଚ ମୂଲ୍ୟ ଯୋଗୁଁ ସାଧାରଣ ଓ ଗରିବ ପରିବାର ପାଇଁ ପ୍ରତିଦିନ ଦେଶୀ ଘିଅ ବ୍ୟବହାର କରିବା ଅତ୍ୟନ୍ତ କଷ୍ଟକର ଥିଲା। ଏହି ସମସ୍ୟାର ସମାଧାନ ଭାବେ ଭାରତୀୟ ବଜାରରେ ପ୍ରବେଶ କରିଥିଲା ‘ବନସ୍ପତି ଘିଅ’ ଏବଂ କ୍ରମଶଃ ଏହା ସମଗ୍ର ଦେଶରେ ‘ଡାଲ୍ଡା’ (Dalda) ନାମରେ ଏକ ପରିଚୟ ସୃଷ୍ଟି କରିଥିଲା। ତେବେ ଏହି ପ୍ରସିଦ୍ଧ ବ୍ରାଣ୍ଡ ପଛରେ ରହିଛି ଜଣେ ବ୍ୟବସାୟୀଙ୍କ ଦୂରଦୃଷ୍ଟି ଏବଂ ନାମକରଣର ଏକ ରୋଚକ ଇତିହାସ।
୧୯୩୦ ଦଶକରେ ଆରମ୍ଭ ହୋଇଥିଲା ଯାତ୍ରା
୧୯୩୦ ଦଶକ ପୂର୍ବରୁ ଭାରତରେ ଆର୍ଥିକ ସଙ୍କଟ କାରଣରୁ ସାଧାରଣ ଲୋକଙ୍କ ପାଇଁ ଦେଶୀ ଘିଅ କିଣିବା ସହଜ ନଥିଲା। ଏହି ସମୟରେ ହୁସେନ୍ କାସିମ୍ ଦାଦା ନାମକ ଜଣେ ବ୍ୟବସାୟୀ ଡଚ୍ (ହଲାଣ୍ଡ) କମ୍ପାନୀରୁ 'ହାଇଡ୍ରୋଜେନେଟେଡ୍ ଭେଜିଟେବୁଲ୍ ଅଏଲ୍' (ବନସ୍ପତି ଘିଅ) ଆମଦାନୀ କରି ଭାରତୀୟ ବଜାରରେ ବିକ୍ରି କରିବା ଆରମ୍ଭ କରିଥିଲେ। ସେ ଏହାକୁ ନିଜ ନାମାନୁସାରେ ‘ଦାଦା ବନସ୍ପତି’ ନାମରେ ବଜାରକୁ ଛାଡ଼ିଥିଲେ।
‘ଦାଦା’ରୁ ‘ଡାଲ୍ଡା’ ନାମକରଣର ସୂତ୍ର
ବଜାରରେ 'ଦାଦା ବନସ୍ପତି'ର ଚାହିଦା ଏବଂ ଲୋକପ୍ରିୟତା ଦେଖି ‘ହିନ୍ଦୁସ୍ଥାନ ବନସ୍ପତି ମାନୁଫାକ୍ଚରିଂ କମ୍ପାନୀ’ (ଯାହା ଆଜି ହିନ୍ଦୁସ୍ଥାନ ୟୁନିଲିଭର୍ ଲିମିଟେଡ୍ - HUL ଭାବେ ଜଣାଶୁଣା) ସ୍ଥାନୀୟ ସ୍ତରରେ ଏହାର ଉତ୍ପାଦନ କରିବାକୁ ନିଷ୍ପତ୍ତି ନେଇଥିଲା। କମ୍ପାନୀ କାସିମ୍ ଦାଦାଙ୍କ ଠାରୁ ‘Dada’ ନାମର ବ୍ୟବସାୟିକ ଅଧିକାର (Trade Rights) କିଣି ନେଇଥିଲା। ତେବେ ବ୍ରାଣ୍ଡକୁ ଏକ ନୂଆ ପରିଚୟ ଦେବା ସହ କାସିମ୍ ଦାଦାଙ୍କ ନାମର ସମ୍ମାନ ରଖିବା ପାଇଁ, 'DADA' ଶବ୍ଦର ମଝିରେ 'L' ଅକ୍ଷର ଯୋଡ଼ାଯାଇ 'DALDA' (ଡାଲ୍ଡା) ନାମକରଣ କରାଯାଇଥିଲା।
ଆହୁରି ପଢନ୍ତୁ:India T20 Series: ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଚାପ୍ମାନ, ଫୋକ୍ସ ବାଦ୍
ଗରିବଙ୍କ ରୋଷେଇ ଗୃହରେ ସାଜିଥିଲା ମୁଖ୍ୟ ସାହାରା
ସ୍ୱଳ୍ପ ମୂଲ୍ୟ ଓ ଦେଶୀ ଘିଅ ଭଳି ସ୍ୱାଦ-ବାସନା ଯୋଗୁଁ ଡାଲ୍ଡା ଅତି କମ୍ ସମୟ ମଧ୍ୟରେ ଭାରତୀୟ ରୋଷେଇ ଗୃହରେ ନିଜର ସ୍ଥାୟୀ ସ୍ଥାନ ପକ୍କା କରିପାରିଥିଲା। ଏହା ଭାରତର ବନସ୍ପତି ଘିଅ ବଜାରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ବହୁ ଦଶନ୍ଧି ଧରି ବଜାରରେ ନିଜର ଆଧିପତ୍ୟ ବଜାୟ ରଖିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।