Deadly Durga Puja Stampede: ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା: ୧୯ ମୃତ, ଆୟୋଜକଙ୍କ ସମେତ ୭ ଗିରଫ

Oct 18, 2026 - 12:11
Deadly Durga Puja Stampede: ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା: ୧୯ ମୃତ, ଆୟୋଜକଙ୍କ ସମେତ ୭ ଗିରଫ

ଦୁର୍ଗାପୂଜାର ଉତ୍ସବ ମଧ୍ୟରେ ଖେଳିଗଲା ମୃତ୍ୟୁର ବିଭୀଷିକା। ପ୍ରବଳ ବର୍ଷା ଭିତରେ ଦୁର୍ଗାପୂଜା ମଣ୍ଡପରେ ହଠାତ୍ ଦଳାଚକଟା ହେବାରୁ ୧୯ ଜଣଙ୍କ ଜୀବନ ଯାଇଛି। ଏହି ଦୁଃଖଦ ଘଟଣାରେ ଅନେକ ଲୋକ ଆହତ ହୋଇଥିବାବେଳେ ପୁଲିସ ଆୟୋଜକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଏକ ଉତ୍ସବମୁଖର ପରିବେଶ କିପରି ମୁହୂର୍ତ୍ତକ ମଧ୍ୟରେ ମୃତ୍ୟୁର ମଇଦାନ ପାଲଟିଗଲା, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ୭ଟା ୪୦ ମିନିଟ୍‌ରେ କୋଲକାତାର ଚୋରବାଗାନ ଦୁର୍ଗାପୂଜା ମଣ୍ଡପରେ ଏହି ଅଘଟଣ ଘଟିଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ମଣ୍ଡପରେ ଭିଡ଼ ଜମିଥିଲା। ଦୁର୍ଗାପୂଜାର ସପ୍ତମୀ ତିଥିରେ ମା’ଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥିଲେ। ଏହି ସମୟରେ ହଠାତ୍ ଦଳାଚକଟା ହେବାରୁ ଅନେକ ଲୋକ ତଳେ ପଡ଼ିଯାଇଥିଲେ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ କହିବା ଅନୁସାରେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପୂଜା ଆୟୋଜକଙ୍କ ପକ୍ଷରୁ ଲାଉଡ୍‌ସ୍ପିକରରେ କରାଯାଇଥିବା ଏକ ଘୋଷଣା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଠାତ୍ ଠେଲାପେଲା ଆରମ୍ଭ ହୋଇଥିଲା। ତେବେ ଘୋଷଣାରେ କ’ଣ କୁହାଯାଇଥିଲା, ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟପଟେ, ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଘଟଣାସ୍ଥଳରେ ଘରୋଇ ସୁରକ୍ଷାକର୍ମୀଙ୍କ ହୁଇସିଲ୍‌ ଶବ୍ଦ ପରେ ଲୋକଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ଓ ଠେଲାପେଲା ଆରମ୍ଭ ହୋଇଥିଲା। ତେବେ ଦଳାଚକଟାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଚାଲିଛି।

ପୂଜା କମିଟିର ସଂପାଦକ, ଉପସଭାପତିଙ୍କ ସମେତ ୭ ଗିରଫ

ଏହି ଘଟଣାରେ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରିଛି। ଏଥିରେ ଅବହେଳାଜନିତ ହତ୍ୟା ଅଭିଯୋଗ ରହିଛି। ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରେ ଚୋରବାଗାନ ଦୁର୍ଗାପୂଜା କମିଟିର ସଂପାଦକ ରାଜ କୁମାର ସେୱଡ଼ା ଏବଂ ଉପସଭାପତି ଶାନ୍ତନୁ ଦୁବେ ଅଛନ୍ତି।

ଏହା ବ୍ୟତୀତ ବାଉଁଶରେ ନିର୍ମିତ ମଣ୍ଡପର ଢାଞ୍ଚା ତିଆରି କାମରେ ନିୟୋଜିତ ବିପ୍ଳବ ମୁଖାର୍ଜୀ, ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଥିବା କୌଶିକ ସାହା ଓ ପିଣ୍ଟୁ ଦେ’ଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଘରୋଇ ସୁରକ୍ଷାକର୍ମୀଙ୍କ ଇନଚାର୍ଜ ସୁମନ ଚକ୍ରବର୍ତ୍ତୀ ଓ ରାଜେଶ ପାଲ ମଧ୍ୟ ଗିରଫ ହୋଇଛନ୍ତି।

‘ଥିମ୍‌ଠାରୁ ଲୋକଙ୍କ ଜୀବନ ମୂଲ୍ୟବାନ’

ଘଟଣା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆହତଙ୍କୁ କୋଲକାତା ମେଡିକାଲ କଲେଜ ଓ ହସ୍ପିଟାଲରେ ଭେଟିଥିଲେ। ଏହା ସହ ଥିମ୍‌ ଆଧାରିତ ଦୁର୍ଗାପୂଜା ଆୟୋଜନ କରୁଥିବା କମିଟିଗୁଡ଼ିକୁ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅପିଲ୍‌ କରିଛନ୍ତି।

ଅନେକ ଥିମ୍‌ ମଣ୍ଡପରେ ସାଜସଜ୍ଜାର ଅଂଶ ଭାବେ ଆଲୋକ ବ୍ୟବସ୍ଥା କମ୍‌ ରଖାଯାଉଥିବାରୁ ଲୋକଙ୍କ ଯାତାୟାତରେ ସମସ୍ୟା ହୋଇପାରେ ବୋଲି ସେ ଚିନ୍ତା ପ୍ରକାଶ କରିଛନ୍ତି। ମଣ୍ଡପରେ ପର୍ଯ୍ୟାପ୍ତ ଆଲୋକ, ଭିଡ଼ ନିୟନ୍ତ୍ରଣ ଏବଂ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଯଥେଷ୍ଟ ଗେଟ୍‌ ରଖିବାକୁ ସେ ଆୟୋଜକଙ୍କୁ ପରାମର୍ଶ ଦେଇଛନ୍ତି। ତାଙ୍କର ସ୍ପଷ୍ଟ ବାର୍ତ୍ତା ହେଉଛି, “ଥିମ୍‌ଠାରୁ ଲୋକଙ୍କ ଜୀବନ ଅଧିକ ମୂଲ୍ୟବାନ।”

ଏହି ମର୍ମନ୍ତୁଦ ଘଟଣା ପରେ ଦୁର୍ଗାପୂଜା ମଣ୍ଡପଗୁଡ଼ିକରେ ଭିଡ଼ ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଓ ଜରୁରୀକାଳୀନ ପ୍ରସ୍ଥାନ ପଥକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଆୟୋଜନର ଆକର୍ଷଣ ଯେତେ ବଡ଼ ହେଉନା କାହିଁକି, ଶ୍ରଦ୍ଧାଳୁଙ୍କ ଜୀବନର ସୁରକ୍ଷା ହିଁ ସବୁଠାରୁ ବଡ଼ ଦାୟିତ୍ୱ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।