Speeding Vehicle Runs Over Seven People: ପୁଣି ବଡ଼ ଦୁର୍ଘଟଣା: ଭକ୍ତଙ୍କୁ ଧକ୍କା ଦେଲା କାର, ୩ ଜଣଙ୍କର ମୃତ୍ୟୁ

Oct 18, 2026 - 12:11
Speeding Vehicle Runs Over Seven People: ପୁଣି ବଡ଼ ଦୁର୍ଘଟଣା: ଭକ୍ତଙ୍କୁ ଧକ୍କା ଦେଲା କାର, ୩ ଜଣଙ୍କର ମୃତ୍ୟୁ

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଘଟିଥିବା ମର୍ମନ୍ତୁଦ ଟ୍ରକ ଦୁର୍ଘଟଣା ପରେ ପୁଣି ଉତ୍ତର ପ୍ରଦେଶର ବଳରାମପୁରରେ ଘଟିଛି ବଡ଼ ଦୁର୍ଘଟଣା। ଏକ ଦୁର୍ଗା ପୂଜା ମଣ୍ଡପ ବାହାରେ ସ୍କ୍ରିନରେ ଭିଡିଓ ଦେଖୁଥିବା ଭକ୍ତମାନଙ୍କୁ ଧକ୍କା ଦେଇଛି ଏକ କାର। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି।

ବଳରାମପୁର ଜିଲ୍ଲାର ଚିରଗାହିୟାନ ବେଲହା ଗାଁରେ ଏହି ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁମାନେ ଏକ ଦୁର୍ଗା ପୂଜା ମଣ୍ଡପ ବାହାରେ ଠିଆ ହୋଇ ଭିଡିଓ ଦେଖୁଥିଲେ। ଏହି ସମୟରେ ସିଦ୍ଧାର୍ଥନଗର ଆଡକୁ ଯାଉଥିବା ଏକ ଦ୍ରୁତଗାମୀ କାର ସେଠାରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ମାଡିଯାଇଥିଲା। ଘଟଣା ବିଷୟରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ବଳରାମପୁର ଜିଲ୍ଲା ହସ୍ପିଟାଲକୁ ପଠାଇଥିଲା। କିନ୍ତୁ ସେଠାରେ ତିନି ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ଜଣ ହେଲେ ମନୋଜ ସିଂହ (୪୦), ଗଣେଶ (୩୫) ଏବଂ ପାଟେଶ୍ୱରୀ (୫୦)। ଏହି ଦୁର୍ଘଟଣାରେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଚେଦି ରାମ (୪୫) ଏବଂ ଡବ୍ଲୁ (୩୫)ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ବହରାଇଚର ଏକ ହସ୍ପିଟାଲକୁ ପଠାଯାଇଛି। ପୋଲିସ ତିନୋଟି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି। 

ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ଯେ, ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭରଟି ସେଠାରୁ ଫେରାର ହୋଇଯାଉଥିଲା। କିନ୍ତୁ ସେହି ଅଞ୍ଚଳକୁ ସିଲ୍ କରି ତାକୁ ଧରାଯାଇଛି। ଡ୍ରାଇଭରକୁ ପୋଲିସ ହେପାଜତକୁ ନେଇ ଅଧିକ ତଦନ୍ତ ଚଳାଇଛି। 

ସୂଚନାଯୋଗ୍ୟ, ଗ୍ୱାଲିୟରରେ ମଧ୍ୟ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା। ଶୀତଳା ମାତା ମନ୍ଦିର ନିକଟରେ ଏକ ଟ୍ରକ ଭକ୍ତମାନଙ୍କୁ ଚାପି ଦେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଆହତ ହୋଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।