Death: ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ: ଗାଁରେ ଶବ ପହଞ୍ଚିବା ପରେ ଉତ୍ତେଜନା
"ଜୟପୁର(ଦେବାଶିଷ ସାହୁ): ଆନ୍ଧ୍ରପ୍ରଦେଶର ଅନକାପାଳି ଅଞ୍ଚଳରେ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁକୁ ନେଇ ତାଙ୍କ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।
ମୃତକ ହେଲେ ପ୍ରେମରାଜ ବିଶୋଇ(୪୦)।
ମୃତଦେହ ଆମ୍ବୁଲାନ୍ସ ଯୋଗେ ଗାଁରେ ପହଞ୍ଚିବା ପରେ ମୃତ୍ୟୁର କାରଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ଦେଖାଦେବା ସହ ଆମ୍ବୁଲାନ୍ସକୁ ଅଟକ ରଖାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବାର୍ଲାହାଣ୍ଡି ଗ୍ରାମର ପ୍ରେମରାଜ ଅନକାପାଳିରେ କାମ କରିବା ପାଇଁ ଯାଇଥିଲେ।
ସେଠାରେ ସେ ଘାଟବାଘ୍ରା ଗାଁର ନବୀନ ମାଳିଙ୍କ ସହ ଗୋଟିଏ ଘରେ ରହୁଥିଲେ।
ସେମାନଙ୍କ ସହ ଝାଡ଼ଖଣ୍ଡର ଜଣେ ଯୁବକ ମଧ୍ୟ ରହୁଥିଲେ।
ଗତକାଲି ରାତି ପ୍ରାୟ ୯ଟା ୧୫ରେ ଖାଇସାରିବା ପରେ ପ୍ରେମରାଜଙ୍କୁ ହଠାତ୍ ଝାଡ଼ାବାନ୍ତି ହୋଇଥିବା କୁହାଯାଉଛି।
ତେବେ ତାଙ୍କୁ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଇଥିଲା କି ନାହିଁ, ସେନେଇ ସ୍ପଷ୍ଟ ତଥ୍ୟମିଳିନାହିଁ।
ପରେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଗାଁକୁ ପଠାଯାଇଥିଲା।
ପ୍ରେମରାଜଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି।
ତାଙ୍କ ବଡ଼ଭାଇ ସୁରେନ୍ଦ୍ର ବିଶୋଇ ଭିନ୍ନକ୍ଷମ ହୋଇଥିବାରୁ ପରିବାରର ଭରଣପୋଷଣକୁ ନେଇ ଏବେ ଚିନ୍ତା ବଢ଼ିଛି।Advertisment ଆହୁରି ପଢନ୍ତୁ :Earth Again Conference 2026: "ପୂର୍ବ ଅପେକ୍ଷା ବାତ୍ୟା ଅଧିକ ଜୋର୍ରେ ହେଉଛି" ପରିବାରର ମୁଖ୍ୟ ଆଧାରଙ୍କୁ ହରାଇବା ପରେ ଆଗକୁ କିପରି ଚଳିବେ, ସେନେଇ ପରିବାର ଚିନ୍ତାରେ ରହିଛି।
ଅନ୍ୟପକ୍ଷରେ, ମୃତ୍ୟୁ ପରେ ହଠାତ୍ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଗାଁକୁ ପଠାଯିବା ଘଟଣାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି।
ପ୍ରେମରାଜଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଓ କିପରି ହେଲା, ତାହାର ନିରପେକ୍ଷ ତଦନ୍ତ କରାଯିବାକୁ ଦାବି ହୋଇଛି।
ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ଗାଁରେ ଶବ ନେଇ ଆସିଥିବା ଆମ୍ବୁଲାନ୍ସକୁ ଅଟକ ରଖାଯାଇଥିବା ସୂଚନା ମିଳିଛି।
ଘଟଣାର ସଠିକ୍ ତଦନ୍ତ କରାଯାଇ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆଣିବା ସହ ମୃତକଙ୍କ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।