Deep Cave: ଗହନ ଗୁମ୍ଫା
"ଗୁମ୍ଫା କହିଲେ ଆମ ମନକୁ ଆସେ ଆମେ ଜାଣିନଥିବା ଇତିହାସର କେଉଁ ଏକ ଅନ୍ଧାରୀ ଦିଗ, ଯାହା ଭିତରେ ଭରିହୋଇ ରହିଛି ଅନେକ ରହସ୍ୟ ଆଉ ଗୋପନ କଥା।
ଦୁନିଆରେ ମଣିଷ ସୃଷ୍ଟିର ଆଦ୍ୟକାଳରେ ନିଘଞ୍ଚ ଜଙ୍ଗଲ ଭିତରେ ହିଁ ଥିଲା ତା"ର ବିଚରଣ।
ପାହାଡ଼ କୋଳର ଗୁମ୍ଫାଗୁଡ଼ିକ ହିଁ ସେତେବେଳେ ଥିଲା ଘର।
ସମୟ ସହ ଭୂପ୍ରକୃତିର ବିବର୍ତ୍ତନ ଭିତରେ ସୃଷ୍ଟି ହୋଇଥିବା ଏହି ଗୁମ୍ଫାଗୁଡ଼ିକ ଭିତରେ ହିଁ ମଣିଷ ଲେଖିବା ଶିଖିଥିଲା, ନିଜକୁ ପ୍ରକାଶ କରିବାର ବାଟ ଖୋଜିଥିଲା, ତା ସହିତ ଜାଣିଥିଲା ଜୀବନ ଜିଇଁବାର କଳା।
ସଭ୍ୟତାର ବିକାଶ ସହିତ ଏହି ଗୁମ୍ଫାଗୁଡ଼ିକ ଆଜି ବି ଆମ ପାଇଁ ରହସ୍ୟ।
କେମିତି ତିଆରି ହୋଇଥିବ ଏହିସବୁ ଗୁମ୍ଫା, ସେଗୁଡ଼ିକରେ ମଣିଷ କେମିତି ରହୁଥିବ, କେମିତି ବୁଝିଥିବ ନିଜକୁ ଓ ଆଖପାଖ ଜଗତକୁ- ଆମ ଭିତରେ ଏଭଳି ରାଶି ରାଶି ପ୍ରଶ୍ନ।
ଆମ ପୂର୍ବପୁରୁଷ, ଧର୍ମଧାରଣା, ପୁରାଣ, ଇତିହାସ ଓ ଆଧ୍ୟାତ୍ମିକତା ସହ ସବୁବେଳେ ଯୋଡ଼ି ହୋଇଥିବା ଏହି ପ୍ରାଚୀନ ଗୁମ୍ଫାଗୁଡ଼ିକ ପୃଥିବୀର ଅନେକ ଭାଗରେ ଥିଲେ ବି ଆମ ଓଡ଼ିଶାର ଗୁମ୍ଫାଗୁଡ଼ିକ ସବୁବେଳେ ସ୍ବତନ୍ତ୍ର।ଉପସ୍ଥାପନା: ଭାରତ ମାଝୀAdvertisment ଯେତେବେଳେ ଜଙ୍ଗଲ ହିଁ ମଣିଷର ବିଚରଣସ୍ଥଳୀ ଥିଲା, ସଭ୍ୟତାର ବିକାଶ ଘଟୁଥିଲା, ସେତେବେଳେ ଗୁମ୍ଫା ହିଁ ଥିଲା ଏକମାତ୍ର ଆଶ୍ରୟ।
ଏହି ଗୁମ୍ଫାର କାନ୍ଥରେ ଚିତ୍ର ଆଙ୍କି ପ୍ରାଚୀନ ମଣିଷ ତା" ମନର କଥା ପ୍ରକାଶ କରୁଥିଲା, ତା"ର କଳା କାରିଗରି ବି ପ୍ରଦର୍ଶନ କରୁଥିଲା।
ପରବର୍ତ୍ତୀ ସମୟରେ ମଣିଷ ତା"ର ଧର୍ମଧାରଣା, ଜୀବନୀୟ ପରମ୍ପରା ଓ ଲୋକବିଶ୍ବାସ ଆଦିର ସ୍ମାରକୀ ମଧ୍ୟ ଗୁମ୍ଫାର ପଥର ଖଣ୍ଡରେ ସୁରକ୍ଷିତ ରଖିଲା।
ଓଡ଼ିଶାରେ ଏଭଳି ଗୁମ୍ଫାର ତାଲିକା ବେଶ୍ ଲମ୍ବା।
ଏହି ଗୁମ୍ଫାଗୁଡ଼ିକ କେବଳ ପଥରର ଗଠନ ନୁହନ୍ତି, ବରଂ ହଜାର ହଜାର ବର୍ଷର ଅକୁହା କାହାଣୀକୁ ନିଜ ବକ୍ଷରେ ସାଇତି ରଖିଥିବା ଅମୂଲ୍ୟ ଦସ୍ତାବିଜ ମଧ୍ୟ।
ପୁରାଣ ଓ ଇତିହାସର ଅଧ୍ୟୟନ ସ୍ପଷ୍ଟ ସୂଚିତ କରେ କି ଓଡ଼ିଶାର ମାଟି, ଜଙ୍ଗଲ ଓ ପାହାଡ଼ ଭିତରେ ଏବେ ବି ଅନେକ ରହସ୍ୟ ଓ ଗୌରବମୟ ଗାଥା ଲୁଚି ରହିଛି।
ଏଥିରୁ ଅନେକ ପ୍ରକାଶିତ ତ ଆଉ କେତେକ ସେମିତି ଅନାବିଷ୍କୃତ ରହିଛି।
ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରାଚୀନ ଗୁମ୍ଫାଗୁଡ଼ିକ କେବଳ ପର୍ଯ୍ୟଟନସ୍ଥଳୀ ନୁହନ୍ତି, ବରଂ ଓଡ଼ିଶାର କଳା, ଭାସ୍କର୍ଯ୍ୟ, ଧର୍ମଧାରଣା, ଆଧ୍ୟାତ୍ମିକତା ସହ ପ୍ରାଗୈତିହାସିକ ମାନବ ସଭ୍ୟତାର ସ୍ମାରକୀ।
ଆଜିର ଦିନରେ ଏଗୁଡ଼ିକ ଚମତ୍କାର ଛଡ଼ା ଆଉ କିଛି ନୁହେଁ, ପରବର୍ତ୍ତୀ ପିଢ଼ି ପାଇଁ ଏହାର ସଂରକ୍ଷଣ ନିହାତି ଜରୁରି।
କେଉଁଠି ପୁରାଣ, କେଉଁଠି ପୁରାତତ୍ତ୍ବକୁହାଯାଏ, ଯେଉଁଠି ଇତିହାସ ନିରବ ହୋଇଯାଏ, ସେଇଠାରୁ ପୁରାଣ ସରବ ହୋଇଉଠେ।
ଏହି କ୍ରମରେ ଓଡ଼ିଶାର କେତେକ ଗୁମ୍ଫାକୁ ବିଭିନ୍ନ ପୁରାଣ ଓ ପୌରାଣିକ ଆଖ୍ୟାନ ସହ ଯୋଡ଼ାଯାଇଥାଏ।
ଏହି ତାଲିକାରେ ରାଜଧାନୀ ଭୁବନେଶ୍ବର ସନ୍ନିକଟସ୍ଥ ପାଣ୍ଡବ ବଖରା ଗୁମ୍ଫା ଓ ପଞ୍ଚୁ ପାଣ୍ଡବ ପାହାଡ଼ ଅନ୍ୟତମ।
ଭୁବନେଶ୍ବର ନିକଟବର୍ତ୍ତୀ ଡମପଡ଼ା-ଚନ୍ଦକା ଅଭୟାରଣ୍ୟ ଭିତରେ ଥିବା ଏହି ଗୁମ୍ଫାରେ ମହାଭାରତର ପାଣ୍ଡବ ପାଞ୍ଚଭାଇ ସେମାନଙ୍କ ଅଜ୍ଞାତବାସର କିଛି କାଳ କାଟିଥିଲେ ବୋଲି ଲୋକବିଶ୍ବାସ ରହିଛି।
ଭୂମିଠାରୁ ପ୍ରାୟ ଅଧ କିଲୋମିଟର ଉଚ୍ଚତାରେ ଥିବା ଏହି ଗୁମ୍ଫା ୩୫୦୦ରୁ ୪୦୦୦ ବର୍ଷ ପୁରୁଣା ବୋଲି ଏ ଦିଗରେ ଗବେଷଣା କରିଥିବା ପ୍ରତ୍ନତତ୍ତ୍ବବିତ୍ ଡକ୍ଟର୍ ଡି.
ବି.
ଗଡ଼ନାୟକ ଓ ଅନ୍ୟ ଗବେଷକ ସୂଚିତ କରିଛନ୍ତି।
ଏହା ପ୍ରାଚୀନ ପ୍ରସ୍ତର ଯୁଗ ଓ ତାମ୍ରଯୁଗର ହୋଇପାରେ ବୋଲି ସେମାନେ ମତ ଦିଅନ୍ତି।
ସେଠାରେ କେବଳ ପାଣ୍ଡବ ବଖରା ନାହିଁ, ତା" ସହିତ ରହିଛି ଡାବରଖୋଲା ଗୁମ୍ଫା, ବାଘ ଗୁମ୍ଫା, ନରହରି ଓ ଚଞ୍ଚଳି ଗୁମ୍ଫା ଆଦି ଅନେକ ଗୁହା।
ଏହା ନିକଟରେ ଥିବା ଏକ ଜଳାଶୟ ଏଠାରେ ମଣିଷ ବସବାସ କରୁଥିବାର ଧାରଣାକୁ ଦୃଢ଼ୀଭୂତ କରେ।
ସେହିପରି ମାଲକାନଗିରି ଜିଲ୍ଲାର ଗୁମ୍ଫାପାଲି ଗୁମ୍ଫା ସହ ବି ପୁରାଣକୁ ଯୋଡ଼ାଯାଏ।
ବୌଦ୍ଧ ଜିଲ୍ଲାର ନାୟକପଡ଼ା ଗୁମ୍ଫାର ମଧ୍ୟ ପୌରାଣିକ ଓ ଐତିହାସିକ ମହତ୍ତ୍ବ ରହିଛି।
ଏହି ଗୁମ୍ଫା ପାହାଡ଼ର ଶୀର୍ଷରେ ଥିବାବେଳେ ଏକଦା ସାଧୁସନ୍ଥମାନଙ୍କର ଆସ୍ଥାନ ଥିଲା ବୋଲି କୁହାଯାଏ।
ଯବନ ରାଜା ରକ୍ତବାହୁର ଆକ୍ରମଣ ସମୟରେ ଶ୍ରୀଜଗନ୍ନାଥଙ୍କୁ ପାତାଳୀ କରାଯିବା ଘଟଣା ସହ ମଧ୍ୟ ଏଠାକାର ପାହାଡ଼ର ସମ୍ପୃକ୍ତି ଥିବା ଆଖ୍ୟାୟିକା ବହୁ ପ୍ରସିଦ୍ଧ।ଭୁବନେଶ୍ବରର ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଓଡ଼ିଶାର ପ୍ରାଚୀନ ଐତିହ୍ୟର ନିଦର୍ଶନ।
ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ କଳିଙ୍ଗ ସମ୍ରାଟ ଖାରବେଳଙ୍କ ଶାସନ କାଳରେ ମଣିଷ ଦ୍ବାରା ନିର୍ମିତ ଏହି ଗୁମ୍ଫାଗୁଡ଼ିକ ଖୋଦିତ ହୋଇଥିଲା।
ବିଶେଷକରି ଜୈନ ସନ୍ନ୍ୟାସୀମାନଙ୍କ ବର୍ଷାଋତୁ କାଟିବା ଓ ସାଧନା ପାଇଁ ଗୁହା ନିର୍ମାଣ କରାଯାଇଥିଲା।
ଉଦୟଗିରିରେ ୧୮ ଓ ଖଣ୍ଡଗିରିରେ ୧୫ଟି ଗୁମ୍ଫା ମନୁଷ୍ୟକୃତ ଗୁମ୍ଫାର ନିଦର୍ଶନ।
ଉଦୟଗିରିର ହାତୀଗୁମ୍ଫାରେ ଥିବା ୧୭ ଧାଡ଼ିର ବ୍ରାହ୍ମୀ ଲିପି ଏବଂ ପ୍ରାକୃତ ଭାଷାର ଶିଳାଲେଖକୁ ଓଡ଼ିଶା ଇତିହାସର ସବୁଠାରୁ ବଡ଼ ପ୍ରମାଣ ବୋଲି ଧରାଯାଏ।
ଏହା ସମ୍ରାଟ ଖାରବେଳଙ୍କ ସମର ଅଭିଯାନ ଓ ସାମ୍ରାଜ୍ୟ ବିସ୍ତାରର କାହାଣୀ କହେ।
ରାଣୀଗୁମ୍ଫା ଓ ଗଣେଶ ଗୁମ୍ଫାର କାନ୍ଥରେ ଖୋଦେଇ ହୋଇଥିବା ନୃତ୍ୟ, ବାଦ୍ୟ ତଥା ପୌରାଣିକ ଦୃଶ୍ୟ ସମୂହ ସେହି ସମୟର ସମୃଦ୍ଧ ସାମାଜିକ ଜୀବନ ଓ କଳାସଂସ୍କୃତିର ନିଦର୍ଶନ।
ଅନ୍ୟପଟେ ଖଣ୍ଡଗିରିର ଅନନ୍ତ ଗୁମ୍ଫା ଓ ବାରଭୁଜା ଗୁମ୍ଫା ଜୈନ ତୀର୍ଥଙ୍କରମାନଙ୍କ ମୂର୍ତ୍ତିକଳାରେ ସମୃଦ୍ଧ।
ପଶ୍ଚିମ ଓଡ଼ିଶାର ଆଦିବାସୀ ବହୁଳ ପାର୍ବତ୍ୟ ଅଞ୍ଚଳ ଏକଦା ଆଦିମ ମାନବର ବସତିସ୍ଥଳ ଥିଲା।
ଆଜି ମଧ୍ୟ ଏହି ଅଞ୍ଚଳରେ ପ୍ରାଗୈତିହାସିକ ଯୁଗର ସ୍ମାରକୀ ଦେଖିବାକୁ ମିଳେ।
ଏହାର ପ୍ରମାଣ ହେଉଛି, ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ନିକଟ ଜଙ୍ଗଲ ଭିତରେ ଥିବା ବିକ୍ରମଖୋଲ।
ସିନ୍ଧୁ ସଭ୍ୟତା ସମୟରେ ଭାରତରେ ବିକଶିତ ଲିପି ତଥା ବ୍ରାହ୍ମୀ ଲିପି ସହ ମେଳ ଖାଉଥିବା ଖୋଦିତ ଲିପି ଓ ଚିତ୍ର ଏଠାରୁ ଆବିଷ୍କାର ହୋଇଛି।
ଏହି ଚିତ୍ର ଓ ସଙ୍କେତଗୁଡ଼ିକ ଖ୍ରୀଷ୍ଟପୂର୍ବ ୩୦୦୦ରୁ ୪୦୦୦ ବର୍ଷ ପୁରୁଣା ବୋଲି ପ୍ରତ୍ନତତ୍ତ୍ୱବିତ୍ମାନେ ଆକଳନ କରନ୍ତି।
୧୯୩୩ ମସିହାରେ ପ୍ରସିଦ୍ଧ ଐତିହାସିକ ଡକ୍ଟର୍ କେ.ପି.
ଜୟସ୍ବାଲ୍ଙ୍କ ଅନୁସନ୍ଧାନ ଏହାକୁ ଲୋକଲୋଚନକୁ ଆଣିଥିଲା।
ତାଙ୍କ ତଥ୍ୟ ଅନୁସାରେ, ଏଠାରେ ଥିବା ଚିତ୍ର ଓ ସଂକେତଗୁଡ଼ିକ ପ୍ରାୟ ଖ୍ରୀଷ୍ଟପୂର୍ବ ୧୫୦୦ ଶତାବ୍ଦୀର ହେବ।
ଏଠାରେ ଥିବା ଆଦିମ ମାନବଙ୍କ ଦ୍ବାରା ଗେରୁଆ ରଙ୍ଗରେ ଅଙ୍କାଯାଇଥିବା ବିଭିନ୍ନ ପଶୁପକ୍ଷୀ ଏବଂ ଜ୍ୟାମିତିକ ଚିତ୍ର ଆଜି ବି ଗବେଷକମାନଙ୍କୁ ଆଶ୍ଚର୍ଯ୍ୟ କରେ।
ସେହିପରି ସୁନ୍ଦରଗଡ଼ ଜିଲ୍ଲାର ଉଷାକୋଠି ଗୁମ୍ଫାରେ ପ୍ରାଗୈତିହାସିକ ଶୈଳଚିତ୍ର ବା ରକ୍ ପେଣ୍ଟିଂ ରହିଛି।
ଏହି ଗୁମ୍ଫାଗୁଡ଼ିକ ଦେଶବିଦେଶର ପ୍ରତ୍ନତତ୍ତ୍ବବିତ୍ଙ୍କୁ ଆକର୍ଷିତ କରିଆସିଛି।
ନୂଆପଡ଼ା ଜିଲ୍ଲାର ଯୋଗୀମଠ ମଧ୍ୟ ପ୍ରାଗୈତିହାସିକ ଗୁମ୍ଫା ପାଇଁ ବିଶ୍ବପ୍ରିଦ୍ଧ।
ଏଠାରେ ନାଲିରଙ୍ଗରେ ଅଙ୍କିତ ମଣିଷ ଓ ବିଭିିନ୍ନ ଜୀବଜନ୍ତୁଙ୍କର ପ୍ରାଚୀନ ଚିତ୍ର ଦେଖିବାକୁ ମିଳେ।
ପୁରାତନ ସମୟରେ ଯୋଗୀ ଓ ଋଷିମାନେ ଏଠାରେ ତପସ୍ୟା କରୁଥିବାର ପ୍ରମାଣ ମିଳେ, ଏହାକୁ କେନ୍ଦ୍ରକରି ଏହି ସ୍ଥାନର ନାମକରଣ ହୋଇଥିବା କୁହାଯାଏ।
ବିଶେଷକରି ଐତିହାସିକମାନେ ଓଡ଼ିଶାର ଶୈବ ପରମ୍ପରା ଓ ତନ୍ତ୍ର ପରମ୍ପରା ସହ ଏହି ସ୍ଥାନକୁ ଯୋଡ଼ିଥାନ୍ତି।
ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ନିକଟରେ ଯୋଗୀମଠର ଅବସ୍ଥିତି ଥିବାବେଳେ ୧୯୭୦ ମସିହାରେ ଐତିହାସିକ ତଥା ପ୍ରତ୍ନତତ୍ତ୍ବବିତ୍ ସ୍ବର୍ଗତ ଜିତାମିତ୍ର ପ୍ରସାଦ ସିଂହଦେଓ ଏହି ଗୁମ୍ଫା ଉପରେ ବିଶେଷ ଗବେଷଣା କରି ଏହାର ପ୍ରାଚୀନତା ଓ ସ୍ବାତନ୍ତ୍ର୍ୟ ନିରୂପିତ କରିଥିଲେ।
ଜିତାମିତ୍ରଙ୍କ "ତାନ୍ତ୍ରିକ ଆର୍ଟ ଅଫ ଓଡ଼ିଶା" ସମେତ ଡକ୍ଟର୍ ଡି.
ବ୍ରଜସୁନ୍ଦର ଗଡ଼ନାୟକଙ୍କ "ପ୍ରିହିଷ୍ଟୋରିକ ଆର୍ଟ ଅଫ୍ ଓଡ଼ିଶା" ଓ ଡକ୍ଟର୍ ସଦାଶିବ ପ୍ରଧାନଙ୍କ "ରକ୍ ଆର୍ଟ ଇନ୍ ଓଡ଼ିଶା" ଆଦି ପୁସ୍ତକରେ ଏହି ଗୁମ୍ଫା ଓ ଏହାର ପ୍ରାଚୀନତା ଉପରେ ଲିପିବଦ୍ଧ କରାଯାଇଛି।
ନୂଆପଡ଼ା ଜିଲ୍ଲାର ଯୋଗୀମଠ ଭଳି କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି ଓ ଘଣ୍ଟାଶାଳୀ ପାହାଡ଼ରେ ଥିବା ଗୁମ୍ଫାସମୂହ ଆଦିମ ମଣିଷର କଳା ନୈପୁଣ୍ୟର ମୂକସାକ୍ଷୀ।
ପ୍ରତ୍ନତାତ୍ତ୍ବିକ ଶ୍ରୀ ସିଂହଦେଓ ତାଙ୍କ "ଆଗ୍ନେୟ କୋଣ ଅଫ୍ ଭାରତବର୍ଷ"ରେ ଏହି ଗୁମ୍ଫା ଓ ଏଠାରେ ଥିବା ଶିଳାଲିପି ତଥା ପ୍ରାଚୀନ ଚିତ୍ରଗୁଡ଼ିକ ଉପରେ ବିସ୍ତୃତ ବର୍ଣ୍ଣନା କରିଛନ୍ତି।
ସେହିପରି ଐତିହାସିକ ଡକ୍ଟର୍ ବାବା ମିଶ୍ର ତାଙ୍କ "ଷ୍ଟୋନ୍ ଏଜ୍ କଲ୍ଚର୍ ଅଫ୍ କଳାହାଣ୍ଡି"ରେ ମଧ୍ୟ ଏହାର ଐତିହାସିକତାର ପ୍ରମାଣ ଦେଇଛନ୍ତି।
ଏହି ପ୍ରତ୍ନତତ୍ତ୍ୱବିତ୍ମାନଙ୍କ ମତରେ, ଏଠାରେ ଥିବା ଚିତ୍ରଗୁଡ଼ିକ ପୁରାତନ ପ୍ରସ୍ତର ଯୁଗର ଶେଷ ଭାଗ କିମ୍ବା ମଧ୍ୟ-ପ୍ରସ୍ତର ଯୁଗ ସମୟର।
ଏହାର ସମୟ ସୀମା ପ୍ରାୟ ଖ୍ରୀଷ୍ଟପୂର୍ବ ୧୫୦୦୦ କିମ୍ବା ତା"ଠାରୁ ଅଧିକ ପୁରୁଣା।
ଏହା ପ୍ରମାଣ କରେ ଯେ, ହଜାର ହଜାର ବର୍ଷ ପୂର୍ବେ ଏଠାରେ ମଣିଷ ରହୁଥିଲା।
ଏଠାକାର ପଥର କାନ୍ଥ ଓ ଛାତରେ ଯେଉଁ ଚିତ୍ରଗୁଡ଼ିକ ଅଙ୍କାଯାଇଛି, ସେଥିରେ ମୁଖ୍ୟତଃ ଗେରୁଆ, ନୀଳ ଓ କଳା ରଙ୍ଗ ବ୍ୟବହାର ହୋଇଛି ଓ ଚିତ୍ରଗୁଡ଼ିକରେ ଅଧିକତର ଶିକାରର ଦୃଶ୍ୟ ରହିଛି।
ତଥ୍ୟ ଅନୁସାରେ, ୧୯୫୦ ମସିହାରେ ପ୍ରସିଦ୍ଧ ଐତିହାସିକ ଡ.
ସତ୍ୟନାରାୟଣ ରାଜଗୁରୁ ପ୍ରଥମେ ଗୁଡ଼ହାଣ୍ଡିର ଏହି ପ୍ରାଚୀନ ଚିତ୍ରଗୁଡ଼ିକୁ ଲୋକଲୋଚନକୁ ଆଣିଥିଲେ।
ଏହା ନିକଟରେ ଡୋକରିଚଁଚରା ଜଳପ୍ରପାତ ମଧ୍ୟ ରହିଛି, ଯାହାକୁ ସ୍ଥାନୀୟ ଲୋକ ମହାଭାରତର ଆଖ୍ୟାୟିକା ସହ ଯୋଡ଼ିଥାନ୍ତି।
ଓଡ଼ିଶାର ବୌଦ୍ଧ ସଂସ୍କୃତି ସହ ଗୁମ୍ଫାର ସମ୍ପର୍କ ନିବିଡ଼।
ଗୁମ୍ଫାଗୁଡ଼ିକରେ ବୌଦ୍ଧ ସନ୍ନ୍ୟାସୀମାନେ ସାଧନା କରୁଥିଲେ ବୋଲି କୁହାଯାଏ। "ହୀରକ ତ୍ରିଭୁଜ"ର ଅନ୍ତର୍ଭୁକ୍ତ ଥିବା ଯାଜପୁର ଜିଲ୍ଲାର ପ୍ରାଚୀନ ବୌଦ୍ଧ ବିହାର ଲଳିତଗିରି ଠାରୁ ଅଳ୍ପ କିଲୋମିଟର୍ ଦୂରରେ ରହିଛି ଗାଙ୍ଗି ପାହାଡ଼।
ଏହି ପାହାଡ଼ରେ ରହିଛି ୩ଟି ଗୁମ୍ଫା।
ଏଠାରେ ଅତୀତରେ ମୁନିଋଷିମାନେ ତପସ୍ୟା କରୁଥିବାର ପ୍ରମାଣ ମିଳେ।
ଏହି ଗୁମ୍ଫାଗୁଡ଼ିକ ଭିତରୁ ଅଶ୍ବତ୍ଥମା ଗୁମ୍ଫା ଓ ନୀଳ ଗୁମ୍ଫା ଖୁବ୍ ପ୍ରସିଦ୍ଧ।
ଅନ୍ୟପଟେ କୋରାପୁଟ ଜିଲ୍ଲାର ବଲଦା ଗୁମ୍ଫା ମଧ୍ୟ ବର୍ତ୍ତମାନ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି।
ଏହି ଗୁମ୍ଫାର ମଧ୍ୟଭାଗରେ ଏକ ଗର୍ତ୍ତ ଥିବାବେଳେ ଏହା ଭିତରକୁ ମଧ୍ୟ ପର୍ଯ୍ୟଟକ ଯାଇଥାନ୍ତି।
ତେବେ ଏସବୁ ଗୁମ୍ଫା ଉପରେ ଅଧିକ ଗବେଷଣା ହୋଇନଥିବାରୁ ଏହାର ପ୍ରାଚୀନତା ସମ୍ପର୍କରେ ବିଶେଷ ତଥ୍ୟ ଦୃଷ୍ଟିଗୋଚର ହୁଏନାହିଁ।
ସେହିପରି କୋରାପୁଟ ଜିଲ୍ଲାର ଘଞ୍ଚ ସାବାଲି ଜଙ୍ଗଲ ମଧ୍ୟରେ ଥିବା ଗୁପ୍ତେଶ୍ୱର ଗୁମ୍ଫା ସମ୍ପର୍କରେ ପ୍ରାୟ ସମସ୍ତେ ପରିଚିତ।
ଭୂତତ୍ତ୍ବବିତ୍ମାନେ କହନ୍ତି, ଏହା ପ୍ରାକୃତିକ ଚୂନପଥର ବା ଲାଇମ୍ଷ୍ଟୋନ୍ରେ ଗଠିତ।
ଗୁମ୍ଫା ଭିତରେ ବହୁ ବର୍ଷ ଧରି ଉପରୁ ପାଣି ଜମି ପ୍ରାକୃତିକ ଉପାୟରେ ଏକ ବିରାଟ ଶିବଲିଙ୍ଗଙ୍କ ରୂପ ନେଇଛି।
ଏହା ଗୁପ୍ତେଶ୍ୱର ବା ଗୁପ୍ତ ମହାଦେବ ଭାବେ ସାରା ରାଜ୍ୟରେ ପ୍ରସିଦ୍ଧ।
ସେହିପରି ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅରାକୁ ଉପତ୍ୟକା ନିକଟରେ ଥିବା ବୋରା ଗୁମ୍ଫାକୁ ସବୁଠାରୁ ଗଭୀର ପ୍ରାକୃତିକ ଗୁମ୍ଫା ମଧ୍ୟରେ ଗଣାଯାଏ।
ଓଡ଼ିଶାର ଗୁମ୍ଫାଗୁଡ଼ିକ ସମ୍ବନ୍ଧରେ ଅଧିକ ଗବେଷଣା ସ୍ପୃହଣୀୟ ମନେହୁଏ।
ଓଡ଼ିଶାର ଗୁମ୍ଫାର ଗଠନ ପ୍ରଣାଳୀ ଓ ଶିଳା ଓଡ଼ିଶା ଭୂ-ପ୍ରାକୃତିକ ବିବିଧତାରେ ସମୃଦ୍ଧ ଏକ ରାଜ୍ୟ।
ଏଠାରେ ପାହାଡ଼, ମାଳଭୂମି, ଜଳପ୍ରପାତ, ନଦୀ ଓ ଘନ ଜଙ୍ଗଲ ସହିତ ବିଭିନ୍ନ ପ୍ରକାରର ପ୍ରାକୃତିକ ଓ ମାନବନିର୍ମିତ ଗୁମ୍ଫା ଦେଖିବାକୁ ମିଳେ।
ଏହି ଗୁମ୍ଫାଗୁଡ଼ିକ ଭୂ-ବୈଜ୍ଞାନିକ, ଐତିହାସିକ, ଧାର୍ମିକ ଓ ସାଂସ୍କୃତିକ ଗବେଷଣା ଦୃଷ୍ଟିରୁ ବେଶ୍ ମହତ୍ତ୍ବ ରଖେ।
ଗୁମ୍ଫା ସାଧାରଣତଃ ଦୁଇ ପ୍ରକାର- ପ୍ରାକୃତିକ ଓ ମାନବନିର୍ମିତ।
ଦୀର୍ଘ ସମୟ ଧରି ଜଳର କ୍ଷୟ, ରାସାୟନିକ ଦ୍ରବଣ, ଶିଳାର ଫାଟ, ଭୂ-ଅପକ୍ଷୟ ଓ ଭୂଗର୍ଭସ୍ଥ ପ୍ରକ୍ରିୟା ଫଳରେ ଗଠିତ ହୁଏ ପ୍ରାକୃତିକ ଗୁମ୍ଫା।
ଚୁନପଥର ବା ଲାଇମ୍ଷ୍ଟୋନ୍ ଗଚ୍ଛିତ ଥିବା ଅଞ୍ଚଳରେ ବର୍ଷାଜଳ ମାଟି ଓ ଶିଳା ମଧ୍ୟରେ ପ୍ରବେଶ କରି ଦୀର୍ଘକାଳ ଧରି ଶିଳାକୁ ଦ୍ରବଣ କରେ।
ଫଳରେ ଫାଟଗୁଡ଼ିକ ବଡ଼ ହୋଇ ଗହ୍ୱର, ସୁଡ଼ଙ୍ଗ ଓ ଗୁମ୍ଫା ଗଠିତ ହୁଏ।
କଠିନ ଶିଳାରେ ମଧ୍ୟ ପ୍ରାକୃତିକ ଫାଟ ଓ ଅପକ୍ଷୟ ବଢ଼ିଲେ ଗୁମ୍ଫା ସୃଷ୍ଟି ହୋଇପାରେ।
ଅନ୍ୟପଟେ, ମାନବନିର୍ମିତ ଗୁମ୍ଫା ପାହାଡ଼ର ଶିଳାକୁ କାଟି, ଖୋଦାଇ ଓ ଆବଶ୍ୟକ ଆକାର ଦେଇ ନିର୍ମାଣ କରାଯାଇଥାଏ।
ଭୁବନେଶ୍ୱର ନିକଟସ୍ଥ ଉଦୟଗିରି ଓ ଖଣ୍ଡଗିରି ଓଡ଼ିଶାର ପ୍ରସିଦ୍ଧ ଶିଳାକଟା ଗୁମ୍ଫାର ଉତ୍କୃଷ୍ଟ ଉଦାହରଣ।
ଏଗୁଡ଼ିକ ପ୍ରାକୃତିକ ଗୁମ୍ଫା ନୁହେଁ; ପାହାଡ଼ର ବାଲୁକା ଶିଳା (ସ୍ୟାଣ୍ଡ୍ଷ୍ଟୋନ୍)କୁ କାଟି ନିର୍ମାଣ ହୋଇଥିଲା।
ଅନ୍ୟପଟେ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ଅଞ୍ଚଳରେ ପ୍ରାକୃତିକ ଗୁମ୍ଫା ଦେଖାଯାଏ।
ଏଠାରେ ଚୁନପଥର ଶିଳାର ଫାଟ, ଜଳର କ୍ଷୟ ଓ ଦୀର୍ଘକାଳୀନ ଅପକ୍ଷୟ ଫଳରେ ଗୁମ୍ଫାର ବିକାଶ ହୋଇଛି।
ଓଡ଼ିଶାର ଗୁମ୍ଫାଗୁଡ଼ିକର ଶିଳାଗଠନ ସ୍ଥାନଭେଦରେ ଭିନ୍ନ ଭିନ୍ନ।
କେତେକ ଅଞ୍ଚଳରେ ବାଲୁକାଶିଳା, କେତେକରେ ଚୁନପଥର, ଗ୍ରାନାଇଟ୍, ଗ୍ନାଇସ୍ ଓ ଅନ୍ୟାନ୍ୟ ପ୍ରାଚୀନ କଠିନ ଶିଳା ଥିବା ପର୍ବତରେ ଗୁମ୍ଫାର ସୃଷ୍ଟି।
ଶିଳାର କଠିନତା, ଖଣିଜ ଗଠନ, ଫାଟର ପରିମାଣ ଓ ଜଳର କ୍ଷୟର ପ୍ରଭାବ ଗୁମ୍ଫାର ଆକାର ଓ ଗଠନକୁ ପ୍ରଭାବିତ କରେ।
ଚୁନପଥର ଅଧିକ ଦ୍ରବଣଶୀଳ ହୋଇଥିବାରୁ ଏଥିରେ ଗୁମ୍ଫା ଗଠନର ସମ୍ଭାବନା ଅଧିକ ଥାଏ।
ବାଲୁକାଶିଳା ଓ କଠିନ ଅଗ୍ନିଜ ଶିଳାରେ ଗୁମ୍ଫା ସାଧାରଣତଃ ଫାଟ, ଅପକ୍ଷୟ ଓ ଭୂ-କ୍ଷୟ ସହିତ ସମ୍ପୃକ୍ତ।
ଓଡ଼ିଶାର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ଛୋଟ ବଡ଼ ଶିଳାଗହ୍ୱର ଓ ଗୁମ୍ଫା ଦେଖାଯାଏ।
କନ୍ଧମାଳ, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା କେନ୍ଦୁଝର, ସୁନ୍ଦରଗଡ଼ ଓ ମାଲକାନଗିରି ଭଳି ଜିଲ୍ଲାର ପାହାଡ଼ ଅଞ୍ଚଳରେ ଜଳ, ବାୟୁ ଓ ତାପମାତ୍ରାର ପରିବର୍ତ୍ତନ ଶିଳାର ଅପକ୍ଷୟକୁ ବଢ଼ାଏ।
ଫଳସ୍ୱରୂପ ଶିଳାର ଫାଟ ଧୀରେ ଧୀରେ ବିସ୍ତାରିତ ହୋଇ ପ୍ରାକୃତିକ ଆଶ୍ରୟ ଓ ଗହ୍ୱର ସୃଷ୍ଟି କରେ।
ପ୍ରାଚୀନ କାଳରେ ଏପରି ଗହ୍ୱର ସନ୍ନ୍ୟାସୀମାନଙ୍କ ଅସ୍ଥାୟୀ ବାସସ୍ଥାନ, ଧ୍ୟାନସ୍ଥଳ କିମ୍ବା ଧାର୍ମିକ ଆଶ୍ରୟ ଭାବେ ବ୍ୟବହୃତ ହୋଇଥାଇପାରେ।
ତେଣୁ ଗୁମ୍ଫାଗୁଡ଼ିକର ଅଧ୍ୟୟନରୁ ଅଞ୍ଚଳର ଭୂଗୋଳ, ଜଳବାୟୁ, ଶିଳାର ପ୍ରକୃତି ଓ ମାନବ ବସତିର ପୁରୁଣା ଧାରା ବିଷୟରେ ଧାରଣା ମିଳେ।
ଗୁମ୍ଫା ଅଞ୍ଚଳରେ ଜଳସ୍ରୋତ ଓ ଉଦ୍ଭିଦର ଉପସ୍ଥିତି ମଧ୍ୟ ସ୍ଥାନୀୟ ପରିସ୍ଥିତିତନ୍ତ୍ରକୁ ସମୃଦ୍ଧ କରେ।
ଭୂବିଜ୍ଞାନୀମାନେ ଗୁମ୍ଫାର ଭିତର ଶିଳା, ଫାଟ, ଜଳପ୍ରବାହ ଓ ଅବସାଦ ଅଧ୍ୟୟନ କରି ତାହାର ବିକାଶକ୍ରମ ବୁଝିପାରନ୍ତି।
ଏହି ଅଧ୍ୟୟନ ଭୂସମ୍ପଦ ପରିଚାଳନା ଓ ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ।
ସେହିପରି, ଗୁମ୍ଫା ସଂରକ୍ଷଣ ସହିତ ସ୍ଥାନୀୟ ଲୋକଙ୍କ ଜୀବିକା, ସଚେତନତା ଓ ଦାୟିତ୍ୱବୋଧ ବଢ଼ାଇବା ଆବଶ୍ୟକ।
ଓଡ଼ିଶାର ଗୁମ୍ଫାଗୁଡ଼ିକ ପ୍ରକୃତି, ଭୂବିଜ୍ଞାନ, ଧର୍ମ, କଳା ଓ ମାନବ ସଭ୍ୟତାର ଅଦ୍ଭୁତ ସମନ୍ୱୟର ପ୍ରତୀକ।
ଏଣୁ ଏହି ଐତିହ୍ୟ ସ୍ଥଳଗୁଡ଼ିକୁ ସୁରକ୍ଷିତ ରଖାଯିବା ଜରୁରି।-ଡକ୍ଟର ବନବିହାରୀ ମିଶ୍ରଅବସରପ୍ରାପ୍ତ ପ୍ରଫେସର୍, ଡି.
ଡି.
ବିଶ୍ୱବିଦ୍ୟାଳୟ, କେନ୍ଦୁଝର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।