Deep Depression Causes Damages Across Odisha: ଗଭୀର ଅବପାତର ଭୀଷଣ କୋପ, ଲଗାଣ ବର୍ଷାରେ ବେହାଲ ଓଡ଼ିଶା
ଦଣିଣ ସହ ଉତ୍ତର ଓ ଉପକୂଳ ଓଡ଼ିଶାର ବ୍ୟାପକ ଅଞ୍ଚଳରେ ପ୍ରଳୟ ରଚିଲା ଗଭୀର ଅବପାତ। ମାଲାକାନଗିରି ଜିଲ୍ଲାରେ ୩ ଦିନର ଲଗାଣ ବର୍ଷା ପରେ ଚିତ୍ରକୋଣ୍ଡା-ଦାରାକୋଣ୍ଡା ରାସ୍ତାରେ ଭୂସ୍ଖଳନ ପରେ ବିଶାଖାପାଟଣାକୁ ଯାତାୟାତ ଯାତାୟତ ସଂପୂର୍ଣ୍ଣ ଠପ୍। ସେହିଭଳି ପ୍ରବଳ ବର୍ଷା ପରେ କୋରକୁଣ୍ଡା ବ୍ଲକ ବାୟାପଡ଼ା ଘାଟି ନିକଟରେ ଧୋଇଯାଇଛି ରାସ୍ତା। ଫଳରେ ବ୍ଲକର ୪ଟିଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଟେରୁ କାଙ୍କରକୁଣ୍ଡାସ୍ଥିତ ଏମ୍ ଭି-90 ଓ ଏମ୍ ଭି-୯୬ ପୋଲ। ଗୁରୁବାରଠୁ ଏହି ପୋଲ ଉପରେ ଅନବରତ ଚାଲିଛି ବର୍ଷାପାଣି। ପାଣି ତଳିଆ ଅଞ୍ଚଳରେ ପଶିବା ପରେ କିଛି ଏରିଆରେ ବନ୍ୟା ସ୍ଥିତି। ବର୍ଷା ପାଇଁ ଜିଲ୍ଲାର ୬ଟି ବ୍ଲକର ୫୮ଟି ଗାଁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସେହିପରି ବାଲିମେଳା ନିଳାଦ୍ରିନଗରରେ ସୁ ସୁ ହୋଇ ବର୍ଷା ପାଣି ମାଡ଼ି ଆସିବାରୁ ଧୋଇଯାଇଛି ଆପ୍ରୋଚ୍ ରୋଡ୍। ଫଳରେ ଏ ରାସ୍ତାରେ ଅତି ବିପଦପୂର୍ଣ୍ଣ ସ୍ଥିତିରେ ଯା ଆସ କରୁଛନ୍ତି ଲୋକେ।
ଏପଟେ ଗଭୀର ଅବପାତରୁ ଭୀଷଣ ବର୍ଷା ପରେ ବେହାଲ କୋରାପୁଟ ଜିଲ୍ଲାର ବହୁ ଅଞ୍ଚଳ। ଜୟପୁର-ବରଗାଁ-କୁନ୍ଦୁରା ରାସ୍ତାରେ ଚାଲିଛି ୪ ଫୁଟ ଉଚ୍ଚର ପାଣି। ଫଳରେ କୁନ୍ଦୁରା ସହ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଛି। ଜୟପୁର ସହରରେ କିଛି କିଛି ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡ଼ିଛି। ତେବେ ଫାୟାର ଓ ଓଡ୍ରାଫ୍ ଟିମ ତୁରନ୍ତ ପହଞ୍ଚି ସ୍ଥିତି ସ୍ବାଭାବିକ କରିଛନ୍ତି। ଏପଟେ କୋରାପୁଟ-ରାୟଗଡ଼ା ରେଲଓ୍ୱେ ଟ୍ରାକ ଉପରେ ଧସିଛି ପଥର ଓ ମାଟି ଅତଡ଼ା। ଫଳରେ କିଛି ସମୟ ପାଇଁ ରେଳ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ସିକରପାଇ ଷ୍ଟେସନରେ ଇଣ୍ଟରସିଟି ଓ କେଉଟଗୁଡ଼ା ଷ୍ଟେସନରେ ଅଟକି ରହିଥିଲା ହୀରାଖଣ୍ଡ ଏକ୍ସପ୍ରେସ୍। ସେପଟେ ବୋରିଗୁମ୍ମା ବ୍ଲକ କାଠରଗଡ଼ା ଗାଁରେ ୨୦ଟି ଘର ଭାଙ୍ଗି ଛିନଛତ୍ର ପରେ ବେସାହାରା ହୋଇଛନ୍ତି ବହୁ ପରିବାର।
୩ ଦିନର ଲଗାଣ ବର୍ଷା ପରେ ଏକଦମ୍ ବିଗିଡ଼ି ଯାଇଛି ନବରଙ୍ଗପୁରର ଜିଲ୍ଲାର ସ୍ଥିତି। କୋଷଗୁମୁଡ଼ାର ଘାଟବାସୁଲି ଗାଁ ଜଳଘେରରେ ଥିବା ବେଳେ ସ୍ଥିତି ଉପରେ ନଜର ପାଇଁ ମୁତୟନ ହୋଇଛି ଓଡ୍ରାଫ୍ ଟିମ୍। ତଳିଆ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ରଖାଯାଇଛି। ସେପଟେ ଉମରକୋଟ ୪ ନମ୍ବର ୱାର୍ଡରେ କିଛି ଲୋକଙ୍କ ଘରେ ବର୍ଷା ପାଣି ପଶିଛି। ଏପଟେ ଚନ୍ଦାହାଣ୍ଡି ବ୍ଲକ ଜୁନାପାଣି ଗାଁରେ ବି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଝରିଗାଁ ବ୍ଲକରେ ବହୁ ଚକାଘର ମାଟିରେ ମିଶିବା ପରେ ନଷ୍ଟ ହୋଇଛି ଧନ ସମ୍ପତ୍ତି ସହ ବର୍ଷକର ସାଇତା ଖାଦ୍ୟ ଶସ୍ୟ। ଝରିଗାଁରୁ ଚଚା ମୁଖ୍ୟ ରାସ୍ତା କଲେଗାଁ ନଦୀ ପୋଲରେ ୨ ଫୁଟ ଉଚ୍ଚର ପାଣି ଚାଲୁଥିବାରୁ ଏ ରାସ୍ତାରେ ଯାତାୟାତ ଠପ୍ ହୋଇଛି।
ଏପଟେ ଗଞ୍ଜାମ ବେଲଗୁଣ୍ଠା ଉଢୁରା ଗାଁରେ ପ୍ରବଳ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ଆଖି ବୁଜିଛନ୍ତି ଜଣେ ବୃଦ୍ଧା। ସେହିଭଳି ବ୍ରହ୍ମପୁର ସହରରେ ଝଡ଼ବର୍ଷା ପ୍ରଭାବରେ ବଡ ବଡ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ବିଜିପୁର, ଚର୍ଚ୍ଚ ରୋଡ, କମାପଲ୍ଲୀ ଓ କୋର୍ଟ ରୋଡ୍ ଅଞ୍ଚଳରେ ଗଛ ଭାଙ୍ଗିଥିବା ବେଳେ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଗଛ କାଟି ରାସ୍ତା ସଫା କରିଥିଲା। ସେପଟେ ଛତ୍ରପୁର, ଖଲ୍ଲିକୋଟ, ବେଗୁନିଆପଡ଼ା ଓ ଗଞ୍ଜାମ ବ୍ଲକର ମୁଖ୍ୟ ରାସ୍ତାଗୁଡ଼ିକରେ ଗଛ ଉପୁଡ଼ିବା ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏପଟେ ଖଲ୍ଲିକୋଟରୁ ଆସିକାକୁ ସଂଯୋଗ କରୁଥିବା ୩୦ ନମ୍ବର ରାଜ୍ୟ ରାଜପଥ ଏବଂ ବେଗୁନିଆପଡାରୁ ସୁମୁଣ୍ଡଳର ମୁଖ୍ୟ ରାସ୍ତାରେ ମଧ୍ୟ ଗଛ ପଡ଼ି ଯାତାୟାତ ବନ୍ଦ ରହିଥିଲା। ସୋରଡା ଅଞ୍ଚଳରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା।
ଏପଟେ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ବିତ୍ପାତ ଭିତରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ଉଦଳା ଥାନା ନହରପଦା ଗାଁରେ ପାଣି ସୁଅରେ ଭାସିଯାଇଥିଲା କାର। ଭିତରେ ଥିବା ଦୁଇ ଯାତ୍ରୀ ୨ ଘଣ୍ଟା ଜୀବନ ସହ ସଂଘର୍ଷ କରିବା ପରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଏପଟେ ଉଦଳା- ବାରିପଦା ୧୯ ନମ୍ବର ରାଜ୍ୟ ରାଜପଥ ନାଲୁହା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଭିତରେ ଆଉ ଏକ କାର ଫସି ଯାଇଥିବା ଦେଖିବାକୁ ମିଳିଥିଲା। ଏହା କାରକୁ ପ୍ରାୟ ଘଣ୍ଟାଏ ପରେ ଉଦ୍ଧାର କରିଥିଲା ଦମକଳ ବାହିନୀ।...ସେପଟେ କେନ୍ଦୁଝର ଜିଲ୍ଲାର ଜୁଡ଼ିଆ ଘାଟିରେ ଭୂସ୍ଖଳନ ପରେ ରାସ୍ତାକୁ ଧସିଛି ବଡ଼ ବଡ଼ ପଥର ଓ ମାଟି ଅତଡ଼ା। ଫଳରେ ବ୍ୟସ୍ତବହୁଳ ୪୯ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।