Delhi Police Arrest Alleged Drug Queenpin And Bodyguard: ୧.୫ କୋଟିରୁ ଅଧିକ ଡ୍ରଗ୍ସ ଜବତ, ମହିଳାଙ୍କ ସହ ବଡିଗାର୍ଡ ଗିରଫ
୪୨ ବର୍ଷୀୟ ପାର୍ବତୀ ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ସହଯୋଗୀ ତଥା ବଡିଗାର୍ଡ ୩୦ ବର୍ଷୀୟ ବିକାଶ କୁମାର ଓରଫ ଶାନୁଙ୍କ ସହ ଗିରଫ କରାଯାଇଛି। ଉତ୍ତର ଦିଲ୍ଲୀର ବାୱାନାସ୍ଥିତ ନ୍ୟୁ ସନୋଥ କଲୋନୀରୁ ଏହି ଗିରଫଦାରୀ ହୋଇଥିବା ପୋଲିସ କହିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୩ ଜଣ ଗିରଫ ହୋଇଛନ୍ତି।
ଦିଲ୍ଲୀ ପୋଲିସ ଏକ ଆନ୍ତଃରାଜ୍ୟ ଡ୍ରଗ୍ସ ଚାଲାଣ ନେଟୱର୍କ ମାମଲାରେ ଜଣେ ମହିଳାଙ୍କୁ ଗିରଫ କରିଛି। ଏହି ନେଟୱର୍କ ଦିଲ୍ଲୀରୁ ରାଜସ୍ଥାନ ପର୍ଯ୍ୟନ୍ତ ବ୍ୟାପିଥିବା ପୋଲିସ କହିଛି। ଅଭିଯାନ ସମୟରେ ହେରୋଇନ୍, ନଗଦ ଟଙ୍କା, ସୁନା ଓ ରୁପା ଜବତ କରାଯାଇଛି।
ପୋଲିସର ସୂଚନା ଅନୁସାରେ, ୪୨ ବର୍ଷୀୟ ପାର୍ବତୀ ଦୀର୍ଘ ବର୍ଷ ଧରି ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ତାଙ୍କ ବିରୋଧରେ Narcotic Drugs and Psychotropic Substances (NDPS) Act ଏବଂ Excise Actରେ ୧୨ଟି ମାମଲା ରହିଥିବା ପୋଲିସ କହିଛି। ନରେଲା ଇଣ୍ଡଷ୍ଟ୍ରିଆଲ୍ ଏରିଆ ଥାନାରେ ରହିଥିବା ପୋଲିସ ରେକର୍ଡର ‘Bad Character History Sheet’ରେ ମଧ୍ୟ ତାଙ୍କ ନାଁ ରହିଛି ବୋଲି ପୋଲିସ କହିଛି।
ସେପ୍ଟେମ୍ବର ୨୩ରେ ଦିଲ୍ଲୀର ଆଉଟର ନର୍ଥ ଜିଲ୍ଲା ଆଣ୍ଟି-ନାର୍କୋଟିକ୍ସ ସ୍କ୍ୱାଡ୍କୁ ନ୍ୟୁ ସନୋଥ କଲୋନୀରେ ଚାଲିଥିବା ଏକ ଡ୍ରଗ୍ସ ଯୋଗାଣ ନେଟୱର୍କ ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ପୋଲିସ ଟିମ୍ କଲୋନୀର ଏକ ଘରର ଦ୍ୱିତୀୟ ମହଲାରେ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ପାର୍ବତୀ ଏବଂ ତାଙ୍କ ସହ ରହୁଥିବା ବିକାଶ କୁମାରଙ୍କୁ ଗିରଫ କରାଯାଇଥିଲା। ପୋଲିସ କହିଛି, ଗିରଫ ସମୟରେ ପାର୍ବତୀଙ୍କ ନିକଟରୁ ୧.୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି।
ପାର୍ବତୀ କିଏ?
ପୋଲିସର ସୂଚନା ଅନୁସାରେ, ନିଆଜଙ୍କ ପତ୍ନୀ ପାର୍ବତୀ ବାୱାନାର ନ୍ୟୁ ସନୋଥ କଲୋନୀରେ ଏକ ଭଡ଼ା ଘରେ ରହୁଥିଲେ। ତାଙ୍କ ସ୍ଥାୟୀ ଠିକଣା ବାୱାନାର ଜେଜେ କଲୋନୀ ବୋଲି ପୋଲିସ ରେକର୍ଡରେ ଉଲ୍ଲେଖ ରହିଛି।
ପୋଲିସ କହିଛି, ସେ ଉତ୍ତର ଦିଲ୍ଲୀର ବୁରାଡି ଅଞ୍ଚଳର ସନ୍ତ ନଗର ବାସିନ୍ଦା ୩୦ ବର୍ଷୀୟ ବିକାଶ କୁମାର ଓରଫ ଶାନୁଙ୍କ ସହ ରହୁଥିଲେ।
ପୋଲିସର ସୂଚନା ଅନୁସାରେ, ବିକାଶ ପାର୍ବତୀଙ୍କ ବଡିଗାର୍ଡ ଭାବେ କାମ କରୁଥିଲେ। ଡ୍ରଗ୍ସ କାରବାରରୁ ମିଳୁଥିବା ଟଙ୍କାରେ ପାର୍ବତୀ ଏକ ଘର ନିର୍ମାଣ କରୁଥିବା ପୋଲିସ ଅଭିଯୋଗ କରିଛି। ତାଙ୍କ ମାଲିକାନାରେ ଥିବା ଏକ ଟାଟା ହ୍ୟାରିଅର ଗାଡ଼ି ମଧ୍ୟ ଜବତ କରାଯାଇଛି।
ପାର୍ବତୀଙ୍କ ଘରେ ଚଢ଼ାଉ କରି ତଲାସୀ ବେଳେ ପୋଲିସ ୫୬.୬୯ ଲକ୍ଷ ଟଙ୍କା ନଗଦ, ୩୫୫ ଗ୍ରାମ ସୁନା, ୧୬୧ ଗ୍ରାମ ରୁପା ଏବଂ ୪ଟି ସମ୍ପତ୍ତି ସମ୍ପର୍କିତ ରେଜିଷ୍ଟ୍ରେସନ୍ କାଗଜପତ୍ର ଜବତ କରିଛି।
ପୋଲିସ ଜବତ ହୋଇଥିବା ଡ୍ରଗ୍ସର ମୂଲ୍ୟ ୧.୫ କୋଟି ଟଙ୍କାରୁ ଅଧିକ ବୋଲି ଆକଳନ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।