Delhi traders: ଇଣ୍ଡିମେଣ୍ଟର ସମାବେଶ ଘୁଞ୍ଚାଇବାକୁ ବ୍ୟବସାୟୀଙ୍କ ନିବେଦନ
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦିଲ୍ଲୀରେ ବଡ଼ ଧରଣର ରାଜନୈତିକ ସମାବେଶ ହେଲେ ବ୍ୟବସାୟ ଗୁରୁତର ପ୍ରଭାବିତ ହେବା ଆଶଙ୍କା କରି ଏହାକୁ ଘୁଞ୍ଚାଇବାକୁ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ନିବେଦନ କରିଛନ୍ତି ଦିଲ୍ଲୀର ବ୍ୟବସାୟୀ ସଂଗଠନ। ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡିମେଣ୍ଟ ପକ୍ଷରୁ ହେବାକୁ ଥିବା ଏହି ସମାବେଶ ଯୋଗୁଁ ରାଜଧାନୀର ୨୦ଟି ପ୍ରମୁଖ ବଜାରରେ ଦୈନିକ ୧୦ରୁ ୧୨ ହଜାର କୋଟି ଟଙ୍କାର ବ୍ୟବସାୟ ପ୍ରଭାବିତ ହୋଇପାରେ ବୋଲି ବ୍ୟବସାୟୀମାନେ ଆକଳନ କରିଛନ୍ତି। ଏହି ସମାବେଶରେ ପ୍ରାୟ ୧୦ ଲକ୍ଷ ଲୋକ ଯୋଗଦେବେ ବୋଲି ଆୟୋଜକଙ୍କ ଆକଳନ ଥିବାବେଳେ ଏତେ ସଂଖ୍ୟକ ଲୋକଙ୍କ ଯାତାୟାତ ଓ ଗାଡ଼ି ପାର୍କିଂକୁ ନେଇ ବ୍ୟବସାୟୀମାନେ ଚିନ୍ତା ପ୍ରକାଶ କରିଛନ୍ତି।
ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି (ସିଟିଆଇ)ର ଅଧ୍ୟକ୍ଷ ବ୍ରିଜେଶ ଗୋୟଲ ଗୁରୁବାର ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସମାବେଶକୁ ଦୀପାବଳି ପରେ ଆୟୋଜନ କରିବାକୁ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ସଂଗଠନ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଏକାଧିକ ଥର ଚିଠି ଲେଖାଯାଇଥିଲେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନଥିବା ବ୍ୟବସାୟୀମାନେ କହିଛନ୍ତି। ସିଟିଆଇ ପକ୍ଷରୁ ସମାବେଶକୁ ନଭେମ୍ବର ୧୦ କିମ୍ବା ୧୧ ତାରିଖ ପରେ ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯଦି ତାରିଖ ପରିବର୍ତ୍ତନ ସମ୍ଭବ ନହୁଏ, ତେବେ ଏହାକୁ ଦିଲ୍ଲୀର ବୁରାଡ଼ି ପଡ଼ିଆକୁ ସ୍ଥାନାନ୍ତର କରିବାକୁ ସଂଗଠନ ପରାମର୍ଶ ଦେଇଛି।
Malabar gold diwali: ମାଲାବାରରେ ଦୀପାବଳି, ଧନ୍ତେରସ୍ ଅଫର
ବ୍ୟବସାୟୀଙ୍କ ଅନୁଯାୟୀ, ନଭେମ୍ବର ୬ରେ ଧନତେରସ୍ ଓ ନଭେମ୍ବର ୮ରେ ଦୀପାବଳି ପଡ଼ୁଥିବାରୁ ନଭେମ୍ବର ପହିଲା ଦିନଟି ଦୋକାନୀ ଓ ଉଠା ବ୍ୟବସାୟୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଗ୍ରାହକଙ୍କ ଯାତାୟାତ ଓ ବିକ୍ରିବଟା ବଢ଼ିଥାଏ। ସମାବେଶ ଯୋଗୁଁ ଯାତାୟାତ କଟକଣା ଲାଗୁ ହେଲେ ଏସବୁ କାର୍ଯ୍ୟ ବାଧାପ୍ରାପ୍ତ ହେବ। ସିଟିଆଇ ଅନୁଯାୟୀ, ରାମଲୀଳା ମୈଦାନ ନିକଟରେ ଚାନ୍ଦିନୀଚୌକ, ସଦର ବଜାର, ଖାରି ବାଓଲି, ଭଗୀରଥ ପ୍ୟାଲେସ୍, ଚାୱଡ଼ି ବଜାର ଓ ଦରିୟାଗଞ୍ଜ ଭଳି ପ୍ରମୁଖ ବଜାର ରହିଛି। ସମାବେଶରେ ୧୫ରୁ ୨୦ ହଜାର ଗାଡ଼ି ଆସିଲେ ଜବାହରଲାଲ ନେହରୁ ମାର୍ଗ, ବାହାଦୁର ଶାହ ଜାଫର ମାର୍ଗ ଓ ନେତାଜୀ ସୁଭାଷ ମାର୍ଗରେ ଭିଡ଼ ବଢ଼ିବା ସହ ମାଲ୍ ପରିବହନ ବାଧାପ୍ରାପ୍ତ ହୋଇପାରେ। ଦିଲ୍ଲୀର ୫୬ଟି ଶିଳ୍ପାଞ୍ଚଳରୁ ପ୍ରତିଦିନ ପ୍ରାୟ ୫ ହଜାର ଟ୍ରକ୍ ଓ ଟେମ୍ପୋ ବିଭିନ୍ନ ବଜାରକୁ ସାମଗ୍ରୀ ଆଣୁଥିବାବେଳେ ଅନ୍ୟ ୩ ହଜାର ଗାଡ଼ି ଏଠାରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳକୁ ସାମଗ୍ରୀ ନେଇଥାଏ। ଯାତାୟାତ ବାଧାପ୍ରାପ୍ତ ହେଲେ ଛୋଟ ବ୍ୟବସାୟୀ, ଦୋକାନ କର୍ମଚାରୀ ଓ ପରିବହନ ଶ୍ରମିକମାନେ ମଧ୍ୟ କ୍ଷତିଗ୍ରସ୍ତ ହେବେ ବୋଲି ସଂଗଠନ ଆଶଙ୍କା କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।