Devastating Floods Hit Nepal: ନେପାଳରେ ଭୟଙ୍କର ବନ୍ୟା, ଏଇ କାରଣ ପାଇଁ ପାହାଡରୁ ହଠାତ୍ ମାଡିଆସିଲା ପାଣି
ବୁଧବାର ହଠାତ୍ ଭୋଟେ କୋଶୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ନେପାଳରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି। ଚୀନ ସୀମା ନିକଟ ରସୁୱା ଜିଲ୍ଲା ଦେଇ ଭୋଟେ କୋଶୀ ନଦୀର ବନ୍ୟାଜଳ ପ୍ରବାହିତ ହୋଇ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଶହ ଶହ ଲୋକ ନିଖୋଜ ଥିବା ଖବର ମିଳିଛି। ନିଖୋଜଙ୍କ ମଧ୍ୟରେ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି।
ଏହି ଭୟାବହ ଆକସ୍ମିକ ବନ୍ୟାର କାରଣ ନେଇ ଏବେ ତଦନ୍ତ ଚାଲିଛି। ପ୍ରାଥମିକ ଆକଳନ ଅନୁସାରେ, ବରଫ ସ୍ଖଳନ ଯୋଗୁଁ ଲେଣ୍ଡେ ନଦୀର ପ୍ରବାହ ଅବରୋଧ ହୋଇଥାଇପାରେ। ଫଳରେ ନଦୀରେ ବହୁ ପରିମାଣର ପାଣି ଜମା ହୋଇଥିଲା। ପରେ ହଠାତ୍ ଏହି ପାଣି ତଳମୁହାଁ ହୋଇ ବନ୍ୟାର ରୂପ ନେଇଥିବା ଆଶଙ୍କା କରାଯାଉଛି।
କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଜଳବାୟୁ ଗବେଷକ ରିଜନ ଭକ୍ତ କାୟସ୍ଥ କହିଛନ୍ତି ଯେ, ନେପାଳ ଓ ଚୀନର ବୈଜ୍ଞାନିକମାନଙ୍କ ସହ ଆଲୋଚନା ପରେ ଏହି ପ୍ରାଥମିକ ଆକଳନ କରାଯାଇଛି। ନେପାଳ ପଟରୁ ଏକ ବରଫ ସ୍ଖଳନ ଲେଣ୍ଡେ ନଦୀ ମଧ୍ୟରେ ପଡ଼ି ଏହାର ପ୍ରବାହକୁ ଅଟକାଇଥିବା ତଥ୍ୟ ମିଳିଥିବା ସେ କହିଛନ୍ତି।
ସେହି ସମୟରେ ତିବ୍ବତ ପଟେ ମଧ୍ୟ ଏକ ଭୂମିକମ୍ପ ହୋଇଥିଲା। ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ (USGS) ଅନୁସାରେ, ସକାଳ ୮ଟା ୩୭ ମିନିଟରେ ତିବ୍ବତ ଅଞ୍ଚଳରେ ୪.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହା ଗୋସାଇଁକୁଣ୍ଡଠାରୁ ପ୍ରାୟ ୪୭ କିଲୋମିଟର ଉତ୍ତରରେ ଘଟିଥିଲା।
ତେବେ ଭୂମିକମ୍ପର ଏହି ବନ୍ୟା ସହ କୌଣସି ସମ୍ପର୍କ ଥିଲା କି ନାହିଁ, ତାହା ଏବେବି ସ୍ପଷ୍ଟ ହୋଇନାହିଁ। ବୈଜ୍ଞାନିକମାନେ ଏହା ସହ ଏକ ବରଫ ହ୍ରଦ ଫାଟିବା ବା Glacial Lake Outburst ଯୋଗୁଁ ବନ୍ୟା ହୋଇଥିଲା କି ନାହିଁ, ସେନେଇ ମଧ୍ୟ ତଦନ୍ତ କରୁଛନ୍ତି।
ପ୍ରଫେସର କାୟସ୍ଥଙ୍କ କହିବା ଅନୁସାରେ, କୌଣସି ବରଫ ହ୍ରଦ ଫାଟିଥିଲା କି ନାହିଁ, ତାହା ଜାଣିବାକୁ ଆହୁରି କିଛି ଦିନ ସମୟ ଲାଗିପାରେ। କାରଣ ଏହି ଅଞ୍ଚଳରେ ଏକାଧିକ ବଡ଼ ବରଫ ହ୍ରଦ ରହିଛି।
୨୦୨୫ ଜୁଲାଇ ୮ରେ ମଧ୍ୟ ଏହି ଅଞ୍ଚଳରେ ସମାନ ଘଟଣା ଘଟିଥିଲା। ସେତେବେଳେ ଲେଣ୍ଡେ ନଦୀରେ ହଠାତ୍ ବନ୍ୟା ଆସିଥିଲା। ଏହାକୁ ଏକ ବରଫ ହ୍ରଦ ଫାଟିବା ସହ ଯୋଡ଼ାଯାଇଥିଲା। ସେତେବେଳର ସାଟେଲାଇଟ୍ ଚିତ୍ରରୁ ନେପାଳ-ଚୀନ ସୀମା ନିକଟରେ ଏକ ବରଫ ହ୍ରଦ ଫାଟିଥିବା ଜଣାପଡ଼ିଥିଲା।
ଚଳିତ ବର୍ଷର ବନ୍ୟା ସକାଳ ପ୍ରାୟ ୮ଟା ୩୦ ମିନିଟରେ ଭୋଟେ କୋଶୀ ନଦୀରେ ଆସିଥିଲା। ଏହାର ପ୍ରଭାବରେ ଅନେକ ବସତି ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଲୋକଙ୍କ ସହ ଅନେକ ଗାଡ଼ି ମଧ୍ୟ ବନ୍ୟାଜଳରେ ଭାସିଯାଇଛି।
ନେପାଳ ଟୁରିଜମ୍ ବୋର୍ଡର ପ୍ରାଥମିକ ସୂଚନା ଅନୁସାରେ, ମୋଟ ୩୮୪ ଜଣ ପର୍ଯ୍ୟଟକ ନିଖୋଜ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୨୯୧ ଜଣ ବିଦେଶୀ ନାଗରିକ ଏବଂ ୯୩ ଜଣ ନେପାଳୀ ନାଗରିକ ରହିଛନ୍ତି।
ନିଖୋଜଙ୍କ ମଧ୍ୟରେ ପ୍ରାୟ ୧୦୫ ଜଣ ଭାରତୀୟ ଥିବା ଜଣାପଡ଼ିଛି। ଏହାସହ ହିମାଳୟନ୍ ଗ୍ଲେସିୟର ଅଞ୍ଚଳରୁ ୩୭ ଜଣ ପ୍ରବାସୀ ଭାରତୀୟ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି।
ବୁଧବାର ସାରାଦିନ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ତଳମୁହାଁ ହୋଇ ବନ୍ୟାଜଳ ତ୍ରିଶୁଳୀ ନଦୀ ଆଡ଼କୁ ଯାଉଥିବାରୁ ନଦୀ କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନେପାଳ ସରକାର ପରାମର୍ଶ ଦେଇଛନ୍ତି।
ଏହି ବିପର୍ଯ୍ୟୟ ପରେ ଭାରତ ମଧ୍ୟ ନେପାଳକୁ ସହାୟତା ଦେବାକୁ ଆଗେଇ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ କଥା ହୋଇଛନ୍ତି। ଭାରତ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଉଭୟ ଦେଶର ଟିମ୍ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସମନ୍ୱୟ ରଖି କାମ କରୁଥିବା ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।