DGP Appointment Dispute: ଡିଜିପି ନିଯୁକ୍ତି ମାମଲା ପଛରେ କିଏ? ସରକାରଙ୍କୁ ବଦନାମ ପାଇଁ ହୋଇଛି କି ଚକ୍ରାନ୍ତ ?

Aug 14, 2026 - 20:36
DGP Appointment Dispute: ଡିଜିପି ନିଯୁକ୍ତି ମାମଲା ପଛରେ କିଏ? ସରକାରଙ୍କୁ ବଦନାମ ପାଇଁ ହୋଇଛି କି ଚକ୍ରାନ୍ତ ?

ସରି ସରି ଆସୁଛି ପୋଲିସ ଡିଜିପିଙ୍କ କାର୍ଯ୍ୟକାଳ । ଆସନ୍ତା ୧୬ ତାରିଖରେ ଅବସର ନେବେ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ । ହେଲେ ତାଙ୍କ ପରେ କିଏ ହେବେ ରାଜ୍ୟର ନୂଆ ପୋଲିସ ମୁଖିଆ । ନୂଆ ଡିଜିପି ନିଯୁକ୍ତି ପ୍ରକ୍ରିୟା ସରି ନ ଥିବା ବେଳେ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆସନ୍ତା ୧୮ରେ ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରିବେ । କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାମଚଳା ଡିଜିଙ୍କ ହାତରେ ରହିବ ରାଜ୍ୟର ଆଇନଶୃଙ୍ଖଳା ଭାର। ତେଣୁ ଖୁରାନିଆଙ୍କ ଅବସର ପୂର୍ବରୁ ଆଜି କାମଚଳା ଡିଜିପି ଭାବେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଦିଆଯାଇଛି ଅନ୍ତରୀଣ ଦାୟୀତ୍ବ। ତାଙ୍କ ନାଁ ପ୍ରସ୍ତାବ ପରେ ଆଜି ଏହାକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ଏଣେ ରାଜ୍ୟର ପୋଲିସ ଡିଜି ଚୟନ ପକ୍ରିୟା ସୁପ୍ରିମକୋର୍ଟରେ ପହଞ୍ଚିବାକୁ ନେଇ ଚାରିଆଡେ ଚର୍ଚ୍ଚା । କାହିଁକି ଏ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଲା । ଡିଜିପି ନିଯୁକ୍ତି ନେଇ କାହା ସ୍ବାର୍ଥ ହାନି ହେଉଛି କି ? କୋର୍ଟକୁ ମାମଲା ନେବା ପଛରେ ରହିଛି କି କୌଣସି ଅଭିସନ୍ଧି ? ଏପିରିକି ଆଡଭୋକେଟ ଜେନେରାଲ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ, ଓଡ଼ିଶା ପୋଲିସ ଡିଜି ଚୟନ ଏକ ପ୍ରଶାସନିକ ନିଯୁକ୍ତି ପ୍ରକ୍ରିୟା । ଏଥିରେ କୌଣସି ପ୍ରକାର ଜନସ୍ବାର୍ଥ ହାନି ହେଉ ନାହିଁ । ତେଣୁ ଇଣ୍ଟରଭେନେସନ ପିଟିସନ ଓ ପିଟିସନରଙ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେବେ ଆମିକସ କ୍ୟୁରିଙ୍କ ମତ ପରେ ଏହି ମାମଲା ବିଚାର ପ୍ରକ୍ରିୟାକୁ ଯାଇଥିଲା । ଅପରପକ୍ଷରେ ଏହି ମାମଲାରେ ନାମୀଦାମୀ ଓକିଲ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ପିଟିସନରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି । ସୋସିଆଲ ମିଡିଆ ଚର୍ଚ୍ଚା ଅନୁସାରେ, ସୁପ୍ରିମକୋର୍ଟରେ ମାମଲା ପରିଚଳନା କରିବା ପାଇଁ ଚିଦାମ୍ବରମ ୭ ରୁ ୯ ଲକ୍ଷ ଟଙ୍କା ନିଅନ୍ତି । ତେବେ ପୋଲିସ ଡିଜି ନିଯୁକ୍ତି ମାମଲାରେ କେସ୍ ଲଢିବା ପାଇଁ ଏତେ ଟଙ୍କା ତାଙ୍କୁ କେଉଁଠୁ ଆଉ କିଏ ଦେଉଛି ? କୁହାଯାଉଛି ମାମଲାକୁ କୋର୍ଟକୁ ଟାଣି ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ହୋଇଛି ଚକ୍ରାନ୍ତ । ତେବେ କିଏ ସେ ତୃତୀୟ ଶକ୍ତି ଯିଏ ପୋଲିସ ଡିଜି ନିଯୁକ୍ତି ମାମଲାରେ ମୋହନ ସରକାରଙ୍କୁ ଅଡୁଆରେ ପକାଇବାକୁ ଚାହୁଁଛନ୍ତି ? 

ଏହାରି ମଧ୍ୟରେ ସମସ୍ତଙ୍କ ନଜର ଆସନ୍ତା ୧୮ ତାରିଖରେ ପୋଲିସ ଡିଜି ଚୟନ ନେଇ କଣ ନିର୍ଦ୍ଦେଶ ଦେଉଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।