Traditional Snakebite Remedies Put Lives at Risk: ଝଡ଼ାଫୁଙ୍କା ପାଇଁ ହରାଇଲେ ସମୟ, ଶେଷରେ ଚାଲିଗଲା ଶିଶୁର ଜୀବନ
ବିଚିତ୍ର ସ୍ଥିତି...ଭୟଙ୍କର ଅବସ୍ଥା...ଗୋଟିଏ ପଟେ ମରଣ ମୁହଁରେ ଯୁବକ...ଆରପଟେ ଅବିଦ୍ୟାକୁ ଅସ୍ତ୍ର କରି ଡାକ୍ତର ସାଜିଛନ୍ତି ବୟସ୍କ...ସାପ କାମୁଡ଼ାର ଶିକାର ଯୁବକଙ୍କ ଦେହରେ ଚାଲିଛି ଚେରିମୂଳିର ଉପଚାର। କେତେବେଳେ ଚେତାଶୂନ୍ୟ ହୋଇପଡ଼ୁଛନ୍ତି ରୋଗୀ ତ କେତେବେଳେ ଯନ୍ତ୍ରଣାରେ ଛଟପଟ। ଗଜପତି ଜିଲ୍ଲା ମୋହନା ବ୍ଲକ ସିରିଶିପଦା ଗାଁରେ ସାପ କାମୁଡ଼ାର ଶିକାର ଯୁବକ ହେଉଛନ୍ତି ପ୍ରତାପ ଗମାଙ୍ଗୋ। ନିଜ ବାଲିବାଡ଼ ଗାଁରେ ବିଲରେ କାମ କରୁଥିବାବେଳେ ତାଙ୍କୁ କାମୁଡ଼ି ଦେଇଥିଲା କୌଣସି ଏକ ବିଷଧର ସାପ। ଏହା ଜାଣିବା ପରେ ମେଡ଼ିକାଲ୍ ଯିବା ବଦଳରେ ଚେରିମୂଳି ଉପଚାର ପାଇଁ ସିରିଶିପଦା ଗାଁର ଏହି ବ୍ୟକ୍ତିଙ୍କ ପାଖକୁ ଆସିଥିଲେ। ସଂପୃକ୍ତ ବ୍ୟକ୍ତି ବି ଯେଉଁଠି ବିଷଧର ସାପ ଫଣା ମାରିଛି, ସେହି ସ୍ଥାନକୁ ବ୍ଲେଡରେ କ୍ଷତ କରି ଭରୁଛନ୍ତି ଚେରିମୂଳି। ଏପରିକି ବିଷ ଉତାରିବାକୁ ଚୁମ୍ବକ ବି ଲଗାଇଛନ୍ତି କ୍ଷତ ସ୍ଥାନରେ। କିନ୍ତୁ ନା ବିଷ ଉତୁରୁଛି ନା ରୋଗୀଙ୍କ ଅବସ୍ଥା ସୁଧୁରୁଛି। ବରଂ ବେଳକୁ ବେଳ ବିପଦ ମାଡ଼ିଆସିବା ସହ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ମୋହନା ମେଡ଼ିକାଲ୍ ଓ ପରେ ଭର୍ତ୍ତି କରିଥିଲେ ବ୍ରହ୍ମପୁର MKCGରେ। ଆଉ ଏବେ ମେଡ଼ିକାଲରେ ଚିକିତ୍ସା ପରେ ମରଣ ମୁହଁରୁ ଫେରିଆସିଛନ୍ତି ପ୍ରତାପ। ଆଉ ଗୁଣି ଗାରେଡ଼ି କି ଜଡ଼ିବୁଟିର ନାଁ ଧରିବେନି ବୋଲି କହିଛନ୍ତି।
ମୋହନାରେ ସିନା ସଠିକ୍ ସମୟରେ ଡାକ୍ତରୀ ଚିକିତ୍ସା ହେଲା ବୋଲି ଜୀବନ ବଞ୍ଚିଗଲା, କିନ୍ତୁ ବାଲେଶ୍ୱର ଖଇରା ଥାନା କ୍ଷୀରିପଦା ଗାଁର ଏହି ନିଷ୍ପାପ ଶିଶୁପୁତ୍ର କିନ୍ତୁ ଏହି ଦୁନିଆରେ ଆଉ ନାହିଁ। ସିଏ ବି ସାପ କାମୁଡ଼ାରେ ଆଖି ବୁଜିଦେଇଛି ସବୁଦିନ ପାଇଁ। ଯାହା ନାଁ ଓମ୍କାର ମଲ୍ଲିକ। ୧୦ ତାରିଖ ରାତିରେ ମା’ ସହ ଶୋଇଥିବା ଅବସ୍ଥାରେ ଓମକାରଙ୍କୁ କାମୁଡ଼ି ଦେଇଥିଲା ଏହି ବିଷାକ୍ତ ସାପ। ତେଣୁ ପୁଅକୁ ସୁସ୍ଥ କରିବା ପାଇଁ ତୁରନ୍ତ ମେଡ଼ିକାଲ ନେବା ବଦଳରେ ଗୁଣିଆ ପାଖକୁ ନେଇ ଝଡ଼ାଫୁଙ୍କା କରିଥିଲେ। ଫଳରେ ଗୁରୁତର ହୋଇପଡ଼ିଥିଲା ଶିଶୁପୁତ୍ରଟି। ପରେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାବେଳକୁ ହିଁ ଚାଲିଯାଇଥିଲା ଛୁଆଟିର ଜୀବନ। ଉଦବେଗର କଥା ହେଉଛି, ଗତ ୩ ବର୍ଷ ପୂର୍ବରୁ ଏକ ୩ ଦିନର ଶିଶୁପୁତ୍ରକୁ ଜଣ୍ଡିସରେ ହରାଇଥିଲେ ଏହି ମହିଳା। ଆଉ ଏବେ ଗୁଣିଆ ପାଇଁ ଖାଲି ହୋଇଗଲା ଏହି ମା’ର କୋଳ।
ଗତ କିଛିଦିନ ତଳେ ଆପଣ ଦେଖିଥିଲେ, ଗୁଣିଆର କଥା ମାନି ଲଇକେରା ଥାନା କର୍ମାପଡ଼ା ଗାଁର ଜଣେ ବ୍ୟକ୍ତି ନାଗସାପର ଫଣାକୁ କାମୁଡ଼ି କେମିତି ଛିଣ୍ଡାଇଦେଇଥିଲେ। ସେହିପରି ଦେବଗଡ଼ ତିଳେଇମାଳ ଗାଁରେ ଗୁଣି ଗାରେଡ଼ି ପାଇଁ ୨ ମାସର ଶିଶୁ ଆଖି ବୁଜିଥିଲା ସାପ କାମୁଡ଼ାରେ। ଏଭଳି ଅନେକ ଘଟଣା ଘଟିଛି ପୂର୍ବରୁ। ତଥାପି କାହା ଚେତା ପଶୁନି। ତେଣୁ ସାପ କାମୁଡ଼ିଲେ ଗୁଣିଗାରେଡ଼ି, କୌଣସି ତୁଟୁକା ଚିକିତ୍ସା କିମ୍ବା ଅବିଦ୍ୟାର ଆଶ୍ରୟ ନିଅନ୍ତୁ ନାହିଁ। ବରଂ ତୁରନ୍ତ ମେଡ଼ିକାଲ ଯାଆନ୍ତୁ, ମୂଲ୍ୟବାନ ଜୀବନକୁ ବଞ୍ଚାନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।