Dhanteras Shopping: ଧନତେରସରେ କେବେ ଜଳାଇବେ ଯମ ଦୀପ? କ'ଣ କିଣିଲେ ମିଳିବ ମା' ଲକ୍ଷ୍ମୀଙ୍କ କୃପା?

Nov 05, 2026 - 15:11
Dhanteras Shopping: ଧନତେରସରେ କେବେ ଜଳାଇବେ ଯମ ଦୀପ? କ'ଣ କିଣିଲେ ମିଳିବ ମା' ଲକ୍ଷ୍ମୀଙ୍କ କୃପା?

ଦୀପାବଳି ପୂର୍ବରୁ ଧନତେରସ ପର୍ବ ପାଳନ କରାଯାଏ। ଏହି ଦିନ ଭଗବାନ ଧନ୍ୱନ୍ତରୀ, ମା' ଲକ୍ଷ୍ମୀ ଏବଂ କୁବେର ଦେବଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଧାର୍ମିକ ମାନ୍ୟତା ଅନୁସାରେ, ଧନତେରସରେ ଶୁଭ ମୁହୂର୍ତ୍ତରେ ସୁନା, ରୂପା, ବାସନକୁସନ ଓ ଅନ୍ୟାନ୍ୟ ଜିନିଷ କିଣିବା ଦ୍ୱାରା ଘରକୁ ସୁଖ-ସମୃଦ୍ଧି ଆସିଥାଏ।

ଏହି କାରଣରୁ ଏହି ଦିନ ବଜାରରେ ବେଶ୍ ଭିଡ଼ ଦେଖିବାକୁ ମିଳେ। ଆପଣ ମଧ୍ୟ ଧନତେରସରେ କିଣାକିଣି କରିବାକୁ ଯୋଜନା କରୁଥିଲେ, ପ୍ରଥମେ ଜାଣି ନିଅନ୍ତୁ ଏହି ବର୍ଷ ଏହି ପର୍ବ କେଉଁ ଦିନ ପାଳନ କରାଯିବ ଏବଂ କଣ କଣ କିଣିବା ଉଟିତ୍?

ଧନତେରସ ୨୦୨୬ର ସଠିକ୍ ତାରିଖ

ହିନ୍ଦୁ ପଞ୍ଜିକା ଅନୁସାରେ, ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପାଳନ କରାଯାଏ। ଏହାକୁ ଧନତ୍ରୟୋଦଶୀ ମଧ୍ୟ କୁହାଯାଏ।

ବର୍ଷ ୨୦୨୬ରେ ତ୍ରୟୋଦଶୀ ତିଥି ୬ ନଭେମ୍ବର, ଶୁକ୍ରବାର ସକାଳ ୯ଟା ୩୦ ମିନିଟ୍‌ରୁ ଆରମ୍ଭ ହେବ। ଏହାର ସମାପ୍ତି ୭ ନଭେମ୍ବର ସକାଳ ୧୧ଟା ୪୫ ମିନିଟ୍‌ରେ ହେବ। ତେଣୁ ୬ ନଭେମ୍ବରରେ ଧନତେରସ ପର୍ବ ପାଳନ କରାଯିବ।

ଧନତେରସରେ କ'ଣ କିଣିବା ଶୁଭ ବୋଲି ମନାଯାଏ?

ସୁନା ଓ ରୂପା: ଧନତେରସରେ ସୁନା ଓ ରୁପାର ଅଳଙ୍କାର, ମୁଦ୍ରା କିଣିବା ଶୁଭ ବୋଲି ମାନାଯାଏ। ଏହା ଦ୍ୱାରା ଘରକୁ ଧନ ଓ ସମୃଦ୍ଧି ଆସିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।

ପିତ୍ତଳ ଓ ତମ୍ବା ବାସନ: ଏହି ଦିନ ଧାତୁର ବାସନ କିଣିବାର ଏକ ବିଶେଷ ପରମ୍ପରା ରହିଛି। ଲୋକମାନେ ନିଜ ସାମର୍ଥ୍ୟ ଅନୁସାରେ ପିତ୍ତଳ, ତମ୍ବା ଓ ରୁପାର ବାସନ କିଣିଥାନ୍ତି।

ଝାଡ଼ୁ: ଧନତେରସରେ ଝାଡ଼ୁ କିଣିବା ମଧ୍ୟ ଶୁଭ ବୋଲି ମାନାଯାଏ। ଧାର୍ମିକ ମାନ୍ୟତା ଅନୁସାରେ, ଝାଡ଼ୁକୁ ମା' ଲକ୍ଷ୍ମୀଙ୍କ ସହ ଯୋଡ଼ି ଦେଖାଯାଏ। ଏହାକୁ ଘରକୁ ଆଣିବା ଦ୍ୱାରା ଦାରିଦ୍ର୍ୟ ଦୂର ହେବା ସହ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଗାଡ଼ି ଓ ଇଲେକ୍ଟ୍ରୋନିକ୍ ସାମଗ୍ରୀ: ଅନେକ ଲୋକ ଧନତେରସ ଅବସରରେ ଗାଡ଼ି, ଘରୋଇ ଉପକରଣ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ମଧ୍ୟ କିଣିଥାନ୍ତି। ତେବେ ନିଜର ଆବଶ୍ୟକତା ଓ ବଜେଟ୍ ଅନୁସାରେ ହିଁ କିଣାକିଣି କରିବା ଉଚିତ।

ଧନତେରସରେ କାହିଁକି କରାଯାଏ ଭଗବାନ ଧନ୍ୱନ୍ତରୀଙ୍କ ପୂଜା?

ପୌରାଣିକ ମାନ୍ୟତା ଅନୁସାରେ, ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ଧରି ପ୍ରକଟ ହୋଇଥିଲେ। ତାଙ୍କ ହାତରେ ଅମୃତ ଭରା କଳସ ଥିଲା। ଭଗବାନ ଧନ୍ୱନ୍ତରୀଙ୍କୁ ଆୟୁର୍ବେଦ ଏବଂ ଚିକିତ୍ସାର ଦେବତା ଭାବେ ମାନ୍ୟତା ଦିଆଯାଏ। ଏହି କାରଣରୁ ଧନତେରସକୁ ଧନ୍ୱନ୍ତରୀ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ।

ଏହି ଦିନ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରି ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ନିରୋଗୀ ଜୀବନ କାମନା କରିଥାନ୍ତି। ସେହିପରି ମା' ଲକ୍ଷ୍ମୀ ଏବଂ କୁବେର ଦେବଙ୍କ ଆରାଧନା ଧନ-ଧାନ୍ୟ ଓ ସୁଖ-ସମୃଦ୍ଧି ପାଇଁ କରାଯାଏ।

ଧନତେରସରେ ଯମ ଦୀପଦାନର ମହତ୍ତ୍ୱ କ'ଣ?

ଧନତେରସ ଦିନ ଯମରାଜଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବାର ମଧ୍ୟ ଏକ ପରମ୍ପରା ରହିଛି। ଏହାକୁ ଯମ ଦୀପଦାନ କୁହାଯାଏ। ଧାର୍ମିକ ମାନ୍ୟତା ଅନୁସାରେ, ଏହି ଦିନ ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦ୍ୱାର ବାହାରେ ଦକ୍ଷିଣ ଦିଗକୁ ମୁହଁ କରି ଦୀପ ଜଳାଯାଏ। ଏପରି କରିବା ଦ୍ୱାରା ପରିବାରର ସଦସ୍ୟମାନେ ଅକାଳ ମୃତ୍ୟୁର ଭୟରୁ ମୁକ୍ତି ପାଆନ୍ତି ବୋଲି ବିଶ୍ୱାସ ରହିଛି।

ଏହି କାରଣରୁ ଧନତେରସରେ କିଣାକିଣି ଓ ପୂଜା ସହିତ ଯମ ଦୀପଦାନର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ପଣ୍ଡିତମାନେ ଏହି ମତ ଦିଅନ୍ତି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।