Dhenkanal Bull Festival: ମଣିଷ ଓ ପଶୁଙ୍କ ନିଆରା ମିଳନ ପର୍ବ ! ଧୁମ୍ଧାମ୍ରେ ପାଳନ ହେଉଛି ବଳଦ ଯାତ୍ରା
ବାଜୁଛି ବାଜା, ଦୁଲୁକୁଛି ଗାଁ, ନୂଆ ବସ୍ତ୍ର ଆଉ ରଙ୍ଗବେରଙ୍ଗୀ ଫୁଲରେ ସଜେଇ ହୋଇ ଝଟକୁଛନ୍ତି ବଳଦ ।
ବେଶ୍ ଜାକମକରେ ଚାଲିଛି ବଳଦ ଯାତ୍ରା ।
ଏସିଆ ମହାଦେଶର ସବୁଠାରୁ ବଡ଼ ଗାଁ ଢେଙ୍କାନାଳ ଭୁବନରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ।
ପ୍ରତିବର୍ଷ ଭଳି ଏ ବର୍ଷ ଦଶହରାରେ ଏଠାରେ ବଳଦ ଯାତ୍ରା ମହାଆଡମ୍ବରରେ ପାଳନ କରାଯାଉଛି ।
Advertisment ମଣିଷ ଓ ପଶୁ ମଧ୍ୟରେ ଆତ୍ମୀୟତାର ମହାନ ପର୍ବ ଭୁବନର 'ବଳଦ ଯାତ୍ରା' ।
କାହିଁ କେଉଁ କାଳରୁ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି ।
ଭୁବନର ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଘର ଆଗରେ ଶୁଭ ଖୁଣ୍ଟି ସ୍ଥାପନ କରି ବଳଦମାନଙ୍କୁ ବାନ୍ଧି ସୁସଜ୍ଜିତ କରିଥାନ୍ତି ।
ବଳଦଙ୍କ ଠାରେ ମୁହଁଖାର , ସିଙ୍ଗୁଆତି , ଶୁଭଘଣ୍ଟ , ସାରମାଳ ଓ ଫୁଲମାଳ ସଜେଇ ଗାଁ ପରିକ୍ରମା କରାଯାଏ ।
ପରମ୍ପରା ଅନୁସାରେ, ଥୋରିଆ ସମ୍ପ୍ରଦାୟର ବଳଦ ସବୁଠୁ ଆଗରେ ଚାଲିବା ପରେ, ଏକ ବିରାଟ ପଟୁଆରରେ ଅନ୍ୟ ସମ୍ପ୍ରଦାୟର ସୁସଜ୍ଜିତ ବଳଦଙ୍କୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥାଏ ।
ସେଠାରେ ବନ୍ଦାପନା ପରେ ଆରମ୍ଭ ହୁଏ ଅନୁକୂଳ ଯାତ୍ରା ।
ନୂଆ ବସ୍ତ୍ର ପିନ୍ଧି ପିଠାପଣା ଖାଇ ଆନନ୍ଦ-ଉଲ୍ଲାସରେ ଭୁବନବାସୀ ବଳଦ ଯାତ୍ରା ପାଳନ କରିଥାନ୍ତି ।
ଆଗ କାଳରେ ଭୁବନର ଥୋରିଆ ସମ୍ପ୍ରଦାୟର ପୂର୍ବପୁରୁଷମାନେ ବଳଦ ପିଠିରେ ଲୁଣ, କଂସାବାସନ, କପଡ଼ା ଲଦି ପଶ୍ଚିମ ଓଡ଼ିଶା ସମେତ ବିହାର ଓ ଝାରଖଣ୍ଡ ଭଳି ବାହାର ରାଜ୍ୟକୁ ବ୍ୟବସାୟ ପାଇଁ ଯାଉଥିଲେ ।
ପୂର୍ବପୁରୁଷଙ୍କ ଏହି ଐତିହ୍ୟକୁ ଜୀବନ୍ତ ରଖିବାକୁ ଆଉ ବଳଦମାନଙ୍କ ପ୍ରତି ସମ୍ମାନ ଜଣାଇ ପ୍ରତିବର୍ଷ ଭୁବନରେ ଅନୁଷ୍ଠିତ ହୋଇଆସୁଛି ଏହି ନିଆରା ବଳଦ ଯାତ୍ରା ।
ଚଳିତ ବର୍ଷ ଏହି ଯାତ୍ରାରେ ୩୨ଟି ସୁସଜ୍ଜିତ ବଳଦଙ୍କ ସହ ଜଗତଜନନୀ ମା' ଦୁର୍ଗା ଓ ହର-ପାର୍ବତୀଙ୍କ ୧୩ଟି ଆକର୍ଷଣୀୟ ମେଢ଼ ସାମିଲ ହୋଇଛନ୍ତି ।
ଭୁବନର ଏହି ପ୍ରସିଦ୍ଧ ବଳଦ ଯାତ୍ରା କେବଳ ଏକ ପରମ୍ପରା ନୁହେଁ ବରଂ ମଣିଷ ଓ ପଶୁ ମଧ୍ୟରେ ଆତ୍ମିୟତାର ଏକ ପର୍ବ ।
ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।