Digha: ଦୀଘାରୁ ୩ ସନ୍ଦିଗ୍ଧଙ୍କୁ ଉଠାଇଲେ: କେଉଁଠି ରହିବେ ଓରାଂଉଟାନ୍; ଭାରତ ନା ଇଣ୍ଡୋନେସିଆ
ଭୁବନେଶ୍ୱର/ବାଲେଶ୍ବର/ଫୁଲବଣୀ: ବାଲେଶ୍ୱରଜିଲ୍ଲା ଭୋଗରାଇ ବ୍ଲକ୍ ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ୫ଟି ବିରଳ ଓରାଂଉଟାନ୍ ଉଦ୍ଧାର ଘଟଣା ଉପରୁ ଧୀରେ ଧୀରେ ପରଦା ହଟୁଛି। ଏଥିରେ ପଶ୍ଚିମବଙ୍ଗର କୁଖ୍ୟାତ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରା ଚାଲାଣକାରୀଙ୍କ ସଂପୃକ୍ତି ଥିବା ଏବଂ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଆଜି ସେମାନଙ୍କର ୩ ଜଣ ସହଯୋଗୀଙ୍କୁ ଦୀଘାରୁ ଉଠାଇ ଆଣିଛି। ଏଥିସହ ଦୀଘା ପୁଲିସ ସହାୟତାରେ ଏସ୍ଟିଏଫ୍ର ଏକାଧିକ ଟିମ୍ ସନ୍ଦେହରେ ୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। ବୁଧବାର ୫ ଜଣିଆ ଏସ୍ଟିଏଫ୍ ଟିମ୍ ଏବଂ ଗତକାଲି ୨ଟି ଏସ୍ଟିଏଫ୍ ଟିମ୍ ତଦନ୍ତ କରିବା ସମୟରେ ବଡ଼ପାହି ଗ୍ରାମରୁ ଏକ ମାସ୍କ ମିଳିଥିଲା। ଏହାବ୍ୟତୀତ ଦୀଘାଠାରୁ ରଣକୋଠା ଯାଏଁ ବିଭିନ୍ନ ସ୍ଥାନରେ ଲାଗିଥିବା ୧୫୦ରୁ ଅଧିକ ସିସିଟିଭି ଯାଞ୍ଚ କରାଯିବା ସମୟରେ ଏକ କଳାରଙ୍ଗର ଥାର୍ ଗାଡ଼ି ରଣକୋଠା ଅଞ୍ଚଳକୁ ଆସି ଫେରିଥିବା ବେଳେ ସିସିଟିଭିରେ ରେକର୍ଡ ଫୁଟେଜ୍ ମିଳିଥିଲା। ତାହାରି ଆଧାରରେ ଏସ୍ଟିଏଫ୍ ଟିମ୍ ଏବେ ପଶ୍ଚିମବଙ୍ଗରେ ଡେରା ପକାଇ ଅଧିକ ତଦନ୍ତ ଜାରି ରଖିଛି।
ଘଟଣା ସହ ପଶ୍ଚିମବଙ୍ଗର ଜଣେ ବଡ଼ ହୋଟେଲ୍ ବ୍ୟବସାୟୀ ଏବଂ ସେଠାକାର କିଛି ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରା ଚାଲାଣକାରୀଙ୍କ ହାତ ଥିବା କ୍ରାଇମ୍ବ୍ରାଞ୍ଚକୁ ସୂଚନା ମିଳିଛି। ଯେଉଁମାନେ ଅନ୍ୟ ରାଜ୍ୟରେ ଲୁଚିଥିବା ବେଳେ ସେମାନଙ୍କ ସହଯୋଗୀ କୁହାଯାଉଥିବା ୩ ଜଣଙ୍କୁ ଆଜି ଏସ୍ଟିଏଫ୍ ଦୀଘାର ଏକ ହୋଟେଲ୍ରୁ ଉଠାଇ ଆଣିଛି। ସଂପୃକ୍ତ ସନ୍ଦିଗ୍ଧମାନଙ୍କୁ କୌଣସି ଏକ ଗୁପ୍ତ ଜାଗାରେ ରଖି ପଚରାଉଚରା ଚାଲିଛି। ଆଜି ଏସ୍ଟିଏଫ୍ର ଏକ ସାଇଣ୍ଟିଫିକ୍ ଟିମ୍ ରଣକୋଠାକୁ ଯାଇ ତଦନ୍ତ କରିବାର ଥିଲା। ହେଲେ କୌଣସି କାରଣରୁ ଟିମ୍ ସନ୍ଧ୍ୟା ପର୍ଯ୍ୟନ୍ତ ପହଞ୍ଚି ନଥିବା ସୂଚନା ରହିଛି। ଏସ୍ଟିଏଫ୍ ଏସ୍ପି ସଞ୍ଜୀବ ଶତପଥୀ ଏବଂ ଅତିରିକ୍ତ ଏସ୍ପି ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ସହ ୫ ଜଣିଆ ଟିମ୍ ସ୍ଥାନୀୟ ବନଖଣ୍ଡ ଓ ବନାଞ୍ଚଳ କର୍ତ୍ତୃପକ୍ଷଙ୍କ ସହଯୋଗରେ ତଦନ୍ତ ଜାରି ରଖିଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ରାଜ୍ୟ ପୁଲିସର ସହାୟତା ନେଇଛନ୍ତି। ମିଳିଥିବା ଥାର୍ ଗାଡ଼ିର ସିସିଟିଭି ଫୁଟେଜ୍ ଏବଂ ଜବତ ମାସ୍କକୁ ନେଇ ଖୋଳତାଡ଼ ଚାଲିଛି। ସେହିପରି ବାଲେଶ୍ବର ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଓରାଂଉଟାନ୍ ଉଦ୍ଧାର ସ୍ଥାନରେ କ୍ୟାମ୍ପ କରାଯିବା ସହ ସେଠାରେ ୨୪ ଘଣ୍ଟିଆ ପହରା ଦିଆଯାଇଛି।
ଡିଏନ୍ଏ ଟେଷ୍ଟ ପରେ ଫେରାଇବାକୁ ଚିଠି ଲେଖିଲା ଇଣ୍ଡୋନେସିଆ
୫୦ ଜଣଙ୍କୁ ପଚରାଉଚରା, ୧୫୦୦ ସିସିଟିଭି ଯାଞ୍ଚ
ସିଜେଡ୍ଏ ଓ ୱାଇଲ୍ଡଲାଇଫ୍ ବୋର୍ଡ ନିଷ୍ପତ୍ତି ନେବ: ମନ୍ତ୍ରୀ
ଅନ୍ୟପକ୍ଷରେ ଓରାଂଉଟାନ୍ଙ୍କୁ ନିଜ ଦେଶକୁ ଫେରାଇ ନେବାକୁ ଇଣ୍ଡୋନେସିଆ ସରକାର ଚିଠି ଲେଖି ଅନୁରୋଧ କରିଛନ୍ତି। ଇଣ୍ଡୋନେସିଆ ସରକାର ସ୍ପଷ୍ଟ କରିଛନ୍ତି ଯେ ପ୍ରାରମ୍ଭିକ ପର୍ଯ୍ୟବେକ୍ଷଣ ଆଧାରରେ ପାଞ୍ଚଟି ପ୍ରାଣୀ ସୁମାତ୍ରାର ମୂଳ ଓରାଂଉଟାନ୍ ବୋଲି ସନ୍ଦେହ କରାଯାଉଛି। ତେବେ ସେମାନଙ୍କ ପ୍ରକୃତ ପ୍ରଜାତି ଓ ଜେନେଟିକ୍ ଉତ୍ପତ୍ତି ସ୍ଥଳ ସମ୍ପର୍କରେ ନିଶ୍ଚିତ ହେବାକୁ ଡିଏନ୍ଏ ପରୀକ୍ଷା ଦରକାର। ଓରାଂଉଟାନ୍ ଭାରତର ସ୍ୱଦେଶୀ ବନ୍ୟପ୍ରାଣୀ ନୁହନ୍ତି। ସେମାନଙ୍କର ପ୍ରାକୃତିକ ଆବାସ କେବଳ ଇଣ୍ଡୋନେସିଆ ଓ ମାଲେସିଆ। ବିଶେଷକରି ସୁମାତ୍ରା ଓ ବୋର୍ଣ୍ଣିଓ ଦ୍ୱୀପରେ ରହିଛି। ତେଣୁ ଭାରତରେ ଏହି ୫ଟି ଓରାଂଉଟାନ୍ଙ୍କ ଉପସ୍ଥିତିରୁ ସନ୍ଦେହ ସୃଷ୍ଟି ହେଉଛି ଯେ ସେମାନେ ଅନ୍ତର୍ଜାତୀୟ ବେଆଇନ ବନ୍ୟପ୍ରାଣୀ ବାଣିଜ୍ୟ ଓ ଚୋରାଚାଲାଣର ଶିକାର ହୋଇଛନ୍ତି। ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ତ୍ୱରିତ ପଦକ୍ଷେପ ସ୍ବରୂପ ଭାରତର ସିଆଇଟିଇଏସ୍, ଜାକାର୍ତ୍ତାସ୍ଥିତ ଭାରତୀୟ ଦୂତାବାସ, ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସ, ନ୍ୟାସନାଲ ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ ଏଜେନ୍ସି ସହ ଯୋଗାଯୋଗ କରିଛି। ଓରାଂଉଟାନ୍ଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ପ୍ରତ୍ୟାବର୍ତ୍ତନ ଅତ୍ୟନ୍ତ ସତର୍କତାର ସହ ନିୟମାବଳୀ ଅନୁସାରେ କରାଯିବ ବୋଲି ଇଣ୍ଡୋନେସିଆ ସରକାର କହିଛନ୍ତି।
ପୂର୍ବତନ ପିସିସିଏଫ୍ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ ମତରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ (ସଂଶୋଧନ)-୨୦୨୨ ଓ କନ୍ଭେନ୍ସନ୍ ଅନ୍ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଇନ୍ ଏନ୍ଡେଜରଡ୍ ସ୍ପେସିସ୍ (ସିଆଇଟିଇଏସ୍) ଅନୁଯାୟୀ ଏମାନେ ଯେଉଁ ଦେଶରୁ ରପ୍ତାନି ହୋଇଥିବେ ସେଠାକୁ ଫେରାଇ ଦିଆଯିବ। ୨୦୨୪ରେ ମହାରାଷ୍ଟ୍ରରୁ ଉଦ୍ଧାର ହୋଇଥିବା ଓରାଂଉଟାନ୍କୁ ଇଣ୍ଡୋନେସିଆକୁ ଫେରାଇ ଦେବା ଦିଗରେ ଭାରତ ସରକାର ନିଜର ମହାନତା ଦେଖାଇଛନ୍ତି। ଏମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ପନ୍ଥା ଆପଣାଇବା ଆବଶ୍ୟକ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଛନ୍ତି ଯେ ୫ଟି ଯାକ ଓରାଂଉଟାନ୍ ସୁସ୍ଥ ଅଛନ୍ତି। ସେମାନଙ୍କ ଭବିଷ୍ୟତ ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍ଏ) ଓ ନ୍ୟାସନାଲ ୱାଇଡ୍ଲାଇଫ୍ ବୋର୍ଡ ସହ ଯୋଗାଯୋଗ କରାଯାଇ କ’ଣ କରାଯିବ ସେ ବାବଦରେ ପଦକ୍ଷେପ ନିଆଯିବ। ଯଦି କୌଣସି ଦେଶର ଚିଡିଆଖାନାରୁ ଆସିଥା’ନ୍ତି ତେବେ ସେ ନେଇ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହେବ। ସିସିଟିଭି କ୍ୟାମେରାରେ ଗାଡ଼ି ଆସିବା ଏବଂ ପଳେଇ ଯାଇଥିବାର ଚିତ୍ର ସାମନାକୁ ଆସିଛି। ତଦନ୍ତକାରୀ ଟିମ୍ ଲାଗିଛନ୍ତି। ସମସ୍ତ ବୈଷୟିକ ଦିଗ ବ୍ୟବହାର କରି ତଦନ୍ତ ଚାଲିଛି। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।