Do Not Ignore Persistent Irritability: ଛୋଟ ଛୋଟ କଥାରେ ରାଗୁଛନ୍ତି କି? ଏହା କେବଳ ଷ୍ଟ୍ରେସ୍ ନୁହେଁ, ହୋଇପାରେ ସାଂଘାତିକ
କୌଣସି କାମ ଆମ ଆଶା ଅନୁଯାୟୀ ନ ହେଲେ ରାଗ, ଚିଡ଼ଚିଡ଼ାପଣ କିମ୍ବା ଅସନ୍ତୋଷ ହେବା ସାଧାରଣ କଥା। ଏହା ଶରୀର ଓ ମନର ଏକ ସ୍ୱାଭାବିକ ପ୍ରତିକ୍ରିୟା। ସାଧାରଣତଃ କିଛି ସମୟ ପରେ ଏହି ଭାବନା କମିଯାଏ ଏବଂ ଆମେ ପୁଣି ସାଧାରଣ ଅବସ୍ଥାକୁ ଫେରିଆସୁ।
କିନ୍ତୁ ଯଦି ବିନା କାରଣରେ ଛୋଟଛୋଟ କଥାରେ ବାରମ୍ବାର ରାଗ ଆସୁଛି, ସବୁବେଳେ ଚିଡ଼ଚିଡ଼ା ଲାଗୁଛି କିମ୍ବା ଲୋକଙ୍କ ସହ କଥା ହେବାକୁ ଇଚ୍ଛା ହେଉନାହିଁ, ତେବେ ଏହାକୁ କେବଳ ‘ମୁଡ୍ ଖରାପ’ ବୋଲି ଭାବି ଅଣଦେଖା କରିବା ଠିକ୍ ନୁହେଁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଚିଡ଼ଚିଡ଼ାପଣ ପଛରେ ମାନସିକ ଚାପ ଓ ଚିନ୍ତା ସହିତ ଶରୀରର କିଛି ସମସ୍ୟା ମଧ୍ୟ ଦାୟୀ ହୋଇପାରେ।
ନିଦ କମ୍ ହେଲେ ବଢ଼ିପାରେ ରାଗ
- ପର୍ଯ୍ୟାପ୍ତ ଓ ଗୁଣାତ୍ମକ ନିଦ ନ ହେଲେ କେବଳ ଥକାପଣ ହୁଏନି, ଏହା ଧ୍ୟାନ, ସ୍ମୃତିଶକ୍ତି ଓ ଭାବନା ନିୟନ୍ତ୍ରଣକୁ ମଧ୍ୟ ପ୍ରଭାବିତ କରିପାରେ।
- ଲଗାତାର କମ୍ ନିଦ କିମ୍ବା ଖରାପ ଗୁଣର ନିଦ ହେଲେ ବ୍ୟକ୍ତି ଅଧିକ ଚିଡ଼ଚିଡ଼ା, ଅଶାନ୍ତ ଓ ଚାପଗ୍ରସ୍ତ ଅନୁଭବ କରିପାରନ୍ତି।
- ରାତି ଡେରି ପର୍ଯ୍ୟନ୍ତ ମୋବାଇଲ୍ ଦେଖିବା, ପ୍ରତିଦିନ ଭିନ୍ନ ସମୟରେ ଶୋଇବା ଏବଂ ଅଧିକ କ୍ୟାଫେଇନ୍ ନେବା ଭଳି ଅଭ୍ୟାସ ନିଦର ଗୁଣକୁ ଖରାପ କରିପାରେ।
ଥାଇରଏଡ୍ ସମସ୍ୟା ଅଛି କି?
ଥାଇରଏଡ୍ ହରମୋନ୍ ଶରୀରରେ ଶକ୍ତି ବ୍ୟବହାର ଓ ମେଟାବୋଲିଜମ୍କୁ ନିୟନ୍ତ୍ରଣ କରେ। ଥାଇରଏଡ୍ ହରମୋନ୍ ଅଧିକ ହେବା, ଅର୍ଥାତ୍ ହାଇପରଥାଇରଏଡିଜମ୍ରେ କେତେକ ଲୋକଙ୍କ ମଧ୍ୟରେ ଅଶାନ୍ତି, ଘବରାହଟ, ନିଦ ସମସ୍ୟା ଓ ଚିଡ଼ଚିଡ଼ାପଣ ଦେଖାଯାଇପାରେ। ଏହା ସହ ହୃଦସ୍ପନ୍ଦନ ବଢ଼ିବା, ଓଜନ କମିବା, ଅଧିକ ଝାଳ ବୋହିବା ଭଳି ଲକ୍ଷଣ ମଧ୍ୟ ଦେଖାଦିଏ। ଏପରି ଲକ୍ଷଣ ବାରମ୍ବାର ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେଇ ଥାଇରଏଡ୍ ପରୀକ୍ଷା କରାଇବା ଉଚିତ।
ବ୍ଲଡ୍ ସୁଗାର କମ୍ ହେଲେ ମଧ୍ୟ ହୋଇପାରେ ଚିଡ଼ଚିଡ଼ାପଣ
ବ୍ଲଡ୍ ସୁଗାର ଅତ୍ୟଧିକ କମିଗଲେ ଦୁର୍ବଳତା, କମ୍ପନ, ଝାଳ, ଘବରାହଟ ସହିତ ଚିଡ଼ଚିଡ଼ାପଣ ହୋଇପାରେ। ବିଶେଷକରି ଡାଇବେଟିସ୍ ଔଷଧ କିମ୍ବା ଇନସୁଲିନ୍ ନେଉଥିବା କେତେକ ଲୋକଙ୍କ ମଧ୍ୟରେ ଏପରି ସମସ୍ୟା ଦେଖାଯାଇପାରେ। ଯଦି ନିର୍ଦ୍ଦିଷ୍ଟ ସମୟରେ ବାରମ୍ବାର ଚିଡ଼ଚିଡ଼ାପଣ ସହ କମ୍ପନ, ଦୁର୍ବଳତା କିମ୍ବା ଘାମ ହେଉଛି, ତେବେ ବ୍ଲଡ୍ ସୁଗାର ଯାଞ୍ଚ କରାଇବା ଭଲ।
ପୋଷକତତ୍ତ୍ୱ ଅଭାବରୁ ମଧ୍ୟ ବଦଳିପାରେ ମୁଡ୍
କେତେକ ପୋଷକତତ୍ତ୍ୱର ଅଭାବ ଶରୀରର ଶକ୍ତି ଓ ମାନସିକ ସ୍ଥିତିକୁ ପ୍ରଭାବିତ କରିପାରେ। ଆୟରନ୍, ଭିଟାମିନ୍ B12 ଓ ଫୋଲେଟ୍ ଅଭାବରେ ଥକାପଣ, ଦୁର୍ବଳତା ଓ ଧ୍ୟାନ ଦେବାରେ ସମସ୍ୟା ହୋଇପାରେ। ଏହାର ପ୍ରଭାବ ମୁଡ୍ ଉପରେ ମଧ୍ୟ ପଡ଼ିପାରେ।
ସବୁବେଳେ ‘ଷ୍ଟ୍ରେସ୍’ ବୋଲି ଅଣଦେଖା କରନ୍ତୁନି
ଲଗାତାର ଚିଡ଼ଚିଡ଼ାପଣ ଘରୋଇ ସମ୍ପର୍କ, କାର୍ଯ୍ୟକ୍ଷେତ୍ର ଓ ସାମାଜିକ ଜୀବନକୁ ପ୍ରଭାବିତ କରିପାରେ। ତେଣୁ ଏହା ଦୀର୍ଘ ସମୟ ଧରି ରହିଲେ କେବଳ ମାନସିକ ଚାପ ବୋଲି ଭାବି ଅଣଦେଖା କରିବା ଉଚିତ ନୁହେଁ। ଯଦି ଚିଡ଼ଚିଡ଼ାପଣ ସହ ନିଦରେ ଗୁରୁତର ପରିବର୍ତ୍ତନ, ଓଜନ ହ୍ରାସ, ହୃଦସ୍ପନ୍ଦନ ବଢ଼ିବା, କମ୍ପନ, ଘାମ, ଦୁର୍ବଳତା କିମ୍ବା ଅନ୍ୟ କୌଣସି ଅସାମାନ୍ୟ ଲକ୍ଷଣ ରହୁଛି, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।