Doctor: ଅନୁଗୋଳରେ ଅଧା ଡାକ୍ତର ପଦ ଫାଙ୍କା: ରେଫରାଲ୍ କେନ୍ଦ୍ର ପାଲଟିଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
"ଅନୁଗୋଳ: ସାତକୋଶିଆ ଭିତରେ ଥିବା ଲୋକଙ୍କୁ ସାମାନ୍ୟ ଥଣ୍ଡା ହେଲେ ବି ଚିକିତ୍ସା ସେବା ମିଳୁନି।
ଦେହ ଖରାପ ହେଲେ ଲୋକମାନେ ନିକଟସ୍ଥ ପୁରୁଣାକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି।
ହେଲେ, ଡାକ୍ତର ନ ଥିବାରୁ ନିରାଶ ହୋଇ ଫେରୁଛନ୍ତି।
ପାଖରେ ଆଉ ଡାକ୍ତରଖାନା ନ ଥିବାରୁ ସେମାନଙ୍କୁ ପ୍ରାୟ ୪୦ କିମି ଦୂରରେ ଥିବା ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡ଼ୁଛି।
ଏପଟେ ପାଳଲହଡ଼ା ବ୍ଲକ୍ ଜମରଡିହ ସ୍ବାସ୍ଥ୍ୟକେନ୍ଦ୍ର ୩ ମାସ ହେଲା ବନ୍ଦ ରହିଛି।
ଫଳରେ ଲୋକମାନଙ୍କ ସ୍ବାସ୍ଥ୍ୟ ଖରାପ ହେଲେ ଭଗବାନ ଭରସା।
ଏହି ଦୁଇ ଡାକ୍ତରଖାନାର ସ୍ଥିତି ଶିଳ୍ପ ବହୁଳ ଅନୁଗୋଳ ଜିଲ୍ଲାର ସ୍ବାସ୍ଥ୍ୟସେବାର ଅସଲ ଚିତ୍ରକୁ ପଦାରେ ପକାଇ ଦେଇଛି।
ଜିଲ୍ଲାରେ ଅର୍ଥର ଅଭାବ ନ ଥିଲେ ମଧ୍ୟ ଡାକ୍ତର ଅଭାବ ପାଇଁ ସାଧାରଣ ଲୋକେ ମୌଳିକ ସ୍ବାସ୍ଥ୍ୟସେବା ଟିକିଏ ପାଉ ନାହାନ୍ତି।
ଦୁର୍ଗମ ଅଞ୍ଚଳରେ ଥିବା ଡାକ୍ତରଖାନାଗୁଡ଼ିକ ବିନା ଡାକ୍ତରରେ ଚାଲୁଥିଲା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ବି ଭଲ ନାହିଁ।
ଜିଲ୍ଲାରେ ପାଖାପାଖି ଅଧା ଡାକ୍ତର ପଦ ଖାଲି ପଡ଼ିଛି।
ଉଦ୍ବେଗର ବିଷୟ, ଅଧିକାଂଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିନା ବିଶେଷଜ୍ଞ ଡାକ୍ତରରେ ଚାଲିଛି।
ଏଥିପାଇଁ ଏଗୁଡ଼ିକ କେବଳ ରେଫରାଲ୍ କେନ୍ଦ୍ରରେ ପରିଣତ ହୋଇଛି।
ସାମାନ୍ୟ ରୋଗ ହୋଇଥିଲେ ମଧ୍ୟ ଲୋକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଉଛି।
Advertisment Editorial: ପ୍ରଶାସକ ନିଯୁକ୍ତିର ଇତିବୃତ୍ତ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲାରେ ୯୭ ଜଣ ବିଶେଷଜ୍ଞ ଡାକ୍ତର ରହିବା କଥା।
କିନ୍ତୁ, ଏବେ ୫୪ ଜଣ ଅଛନ୍ତି।
ବହୁଦିନ ହେଲା ୪୩ଟି ପଦ ଖାଲିପଡ଼ିଛି।
ସେହିପରି ଏମ୍ବିବିଏସ୍ ଡାକ୍ତରଙ୍କ ପାଇଁ ୩୯୭ଟି ଅନୁମୋଦିତ ପଦ ରହିଛି।
ଏଥିରୁ ବର୍ତ୍ତମାନ ୨୦୧ ଜଣ ନିୟମିତ ଡାକ୍ତର କାର୍ଯ୍ୟ କରୁଛନ୍ତି।
୯ ଜଣଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଛି।
ଏମିତି ୨୧୦ ଜଣ ଡାକ୍ତର ରହିଥିଲା ବେଳେ ୧୮୭ଟି ଡାକ୍ତର ପଦ ଖାଲିପଡ଼ିଛି।
ଅର୍ଥାତ୍, ଜିଲ୍ଲାରେ ଅନୁମୋଦିତ ପଦ ତୁଳନାରେ ୪୭ ପ୍ରତିଶତ ଡାକ୍ତର ନାହାନ୍ତି।
ଏଣୁ ଆୟୁଷ ଡାକ୍ତରରେ କାମ ଚଳାଇ ନେବାକୁ ପଡ଼ୁଛି।
ସ୍ବାସ୍ଥ୍ୟ ବିଭାଗରେ କେବଳ ଡାକ୍ତର ଅଭାବ ରହିଛି ତାହା ନୁହେଁ।
ପାରା ମେଡିକାଲ କର୍ମଚାରୀ, ନର୍ସ, ଟେକ୍ନିସିଆନ୍ ମଧ୍ୟ ଆବଶ୍ୟକତା ଅନୁଯାୟୀ ନାହାନ୍ତି।
ଜିଲ୍ଲାରେ ୭୦୯ଟି ନର୍ସିଂ ଅଫିସର ପଦ ରହିଥିବା ବେଳେ ଏବେ ୩୧୮ଟି ପଦ ଖାଲିପଡ଼ିଛି।
ଅର୍ଥାତ୍, ୪୫ ପ୍ରତିଶତ ନର୍ସ ନାହାନ୍ତି।
ଫାର୍ମାସି ଅଫିସରଙ୍କ ପାଇଁ ୧୩୦ଟି ପଦ ରହିଥିବା ବେଳେ ଅଛନ୍ତି ୪୧ ଜଣ।
୮୯ଟି ପଦ ଖାଲି ରହିଛି।
ରେଡିଓଗ୍ରାଫରଙ୍କ ପାଇଁ ୩୧ଟି ପଦ ରହିଥିଲେ ମଧ୍ୟ ଅଛନ୍ତି ମାତ୍ର ୯ ଜଣ।
ଲ୍ୟାବ୍ ଟେକ୍ନିସିଆନର ୭୯ଟି ପଦରୁ ୩୮ଟି ପଦ ଫାଙ୍କା ପଡ଼ିଛି।
ଏପଟେ ଅନେକ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଓ ସୁପରଭାଇଜର ପଦରେ କାହାକୁ ନିଯୁକ୍ତି ମିଳିନି।
ଏଥିପାଇଁ ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳୁନି।
ଏନେଇ ଅନୁଗୋଳ ସିଡିଏମ୍ଓ ଡା.
ମଦନ ମୋହନ ପ୍ରଧାନ କହିଛନ୍ତି, ଡାକ୍ତର ଅଭାବ ନେଇ ସରକାରଙ୍କୁ ଅବଗତ କରାଯାଇଛି।
ସରକାର ଏ ଦିଗରେ ପଦକ୍ଷେପ ନେବେ।
Pradhan Mantri Fasal Bima Yojana: ବାଲେଶ୍ବରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରହସନ: ୩ ବର୍ଷରେ ନେଲେ ୧୦୧କୋଟି, ଦେଲେ ୧୯କୋଟି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।