Domestic Violence Case: ଘରୋଇ ହିଂସା ମାମଲାରେ ପୁଅର ଆଚରଣ ପାଇଁ ବାପାଙ୍କୁ ଦାୟୀ କରାଯାଇପାରିବନି: ହାଇକୋର୍ଟ

Oct 02, 2026 - 17:30
Domestic Violence Case: ଘରୋଇ ହିଂସା ମାମଲାରେ ପୁଅର ଆଚରଣ ପାଇଁ ବାପାଙ୍କୁ ଦାୟୀ କରାଯାଇପାରିବନି: ହାଇକୋର୍ଟ

କେବଳ ନିଜ ବୟସ୍କ ପୁଅର ଆଚରଣକୁ ନିୟନ୍ତ୍ରଣ କରିନପାରିବା କାରଣରୁ ଶ୍ୱଶୁରଙ୍କୁ ଘରୋଇ ହିଂସା ଆଇନ ଅଧୀନରେ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ ମଧୁ ଜୈନଙ୍କ ଇଜଲାସ ଜଣେ ମହିଳାଙ୍କ ଆବେଦନ ଖାରଜ କରିବା ସମୟରେ ଏହି ମତ ଦେଇଛନ୍ତି।

ତଳ କୋର୍ଟ ଏକ ମାମଲାରେ ଜଣେ ମହିଳାଙ୍କ ଶ୍ୱଶୁରଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଲାଗୁ ହେବ ନାହିଁ ବୋଲି କହିଥିଲେ । ଏହା ବିରୋଧରେ ମହିଳା ଜଣକ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଆବେଦନକାରୀଙ୍କ ଅଭିଯୋଗ ଥିଲା ଯେ, ତାଙ୍କ ଅଲଗା ରହୁଥିବା ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କରେ ଥିଲେ। ଏହା ବିରୋଧରେ ଶ୍ୱଶୁର କୌଣସି ପଦକ୍ଷେପ ନେଇନଥିବାରୁ ତାଙ୍କୁ ମଧ୍ୟ ଦାୟୀ କରାଯିବା ଉଚିତ ବୋଲି ମହିଳା ଜଣକ ଦାବି କରିଥିଲେ।

ତେବେ ଅଦାଲତ କହିଛନ୍ତି ଯେ, ଘରୋଇ ହିଂସା ଆଇନର ଧାରା ୩ ଅନୁସାରେ ଶାରୀରିକ କିମ୍ବା ମାନସିକ କ୍ଷତି କରୁଥିବା କିମ୍ବା ଧମକ ଦେଉଥିବା ଆଚରଣ, ମୌଖିକ, ଭାବନାତ୍ମକ ଓ ଆର୍ଥିକ ନିର୍ଯାତନା ଆଦି ଅନ୍ତର୍ଭୁକ୍ତ। କିନ୍ତୁ କେବଳ ଦୁଇ ଜଣଙ୍କ ମଧ୍ୟରେ ଘରୋଇ ସମ୍ପର୍କ ରହିଥିବା କାରଣରୁ ଏହି ଆଇନ ଲାଗୁ ହୋଇପାରିବ ନାହିଁ।

ଅଦାଲତଙ୍କ ଅନୁସାରେ, ଅଭିଯୋଗ ହୋଇଥିବା ପୁଅର ନୈତିକତାରେ ଶ୍ୱଶୁରଙ୍କ କୌଣସି ପ୍ରତ୍ୟକ୍ଷ ଭୂମିକା ଥିବା ଦର୍ଶାଯାଇନଥିଲା। ତେଣୁ ବୟସ୍କ ପୁଅର ଆଚରଣକୁ ନିୟନ୍ତ୍ରଣ କରିନଥିବା କାରଣରୁ ଜଣେ ବାପାଙ୍କୁ ଘରୋଇ ହିଂସା ଆଇନ ଅଧୀନରେ ଦାୟୀ କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଅଭିଯୋଗରେ ଶ୍ୱଶୁର ତାଙ୍କୁ ଅପମାନ, ଉପହାସ, ହୀନମନ୍ୟତା କିମ୍ବା ଧମକ ଦେଇଥିବା ଦାବି କରାଯାଇଥିଲେ ମଧ୍ୟ, ଏହାକୁ ସମର୍ଥନ କରିବା ଭଳି ନିର୍ଦ୍ଦିଷ୍ଟ ତଥ୍ୟ ଦିଆଯାଇନଥିବା କୋର୍ଟ କହିଛନ୍ତି। କେବଳ ‘ଅପମାନ କଲେ’, ‘ପାଟି କଲେ’ କିମ୍ବା ‘ଗାଳି ଦେଲେ’ ଭଳି ଶବ୍ଦ ବ୍ୟବହାର କରିବା ଦ୍ୱାରା ଧାରା ୩ ଅନୁସାରେ ମୌଖିକ କିମ୍ବା ଭାବନାତ୍ମକ ନିର୍ଯାତନା ପ୍ରମାଣିତ ହୁଏ ନାହିଁ ବୋଲି ଅଦାଲତ କହିଛନ୍ତି। ଗତ ଅଗଷ୍ଟରେ ତଳ କୋର୍ଟଙ୍କ ରାୟକୁ ଏହି ଆଦେଶରେ ଦିଲ୍ଲୀ ହାଇକୋର୍ଟ ବଜାୟ ରଖି ମହିଳାଙ୍କ ଆବେଦନ ଖାରଜ କରିଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।