India Win Women's Hockey Gold: ମହିଳା ହକିରେ ଭାରତର ସ୍ୱର୍ଣ୍ଣିମ ବିଜୟ, ଅଲିମ୍ପିକ୍ସ ଟିକେଟ୍‌ ପକ୍କା

Oct 02, 2026 - 18:27
India Win Women's Hockey Gold: ମହିଳା ହକିରେ ଭାରତର ସ୍ୱର୍ଣ୍ଣିମ ବିଜୟ, ଅଲିମ୍ପିକ୍ସ ଟିକେଟ୍‌ ପକ୍କା

ଏସିଆନ୍ ଗେମ୍ସରେ ଭାରତର ବଡ଼ ସଫଳତା। ଚୀନ୍‌କୁ ୧-୦ ଗୋଲ୍‌ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ମହିଳା ହକି ଦଳ। ଏହା ସହ ଦୀର୍ଘ ୪୪ ବର୍ଷ ପରେ ଏସିଆନ୍ ଗେମ୍ସରେ ମହିଳା ହକିର ସ୍ୱର୍ଣ୍ଣ ପଦକ ଭାରତ ହାତକୁ ଆସିଛି। ଏହି ଦଳରେ ଏକମାତ୍ର ଓଡ଼ିଆ ଝିଅ ସୁନେଲିତା ଟପ୍ପୋ ମଧ୍ୟ ସାମିଲ ଅଛନ୍ତି 

ଫାଇନାଲ୍‌ ମ୍ୟାଚ୍‌ ଆରମ୍ଭରୁ ଦୁଇ ଦଳ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା। ଭାରତ ଗୋଟିଏ ଗୋଲ୍‌ରେ ଆଗୁଆ ରହିଥିବା ବେଳେ ଶେଷ କ୍ୱାର୍ଟରରେ ଚୀନ୍‌ ଲଗାତାର ଆକ୍ରମଣ କରିଥିଲା। ଚୀନ୍‌ ଗୋଲ୍‌କିପରଙ୍କୁ ମଧ୍ୟ ପଡ଼ିଆରୁ ବାହାର କରି ଅଧିକ ଆକ୍ରମଣାତ୍ମକ ଖେଳିଥିଲା।

କିନ୍ତୁ ଭାରତୀୟ ଖେଳାଳିମାନେ ଶେଷ ପର୍ଯ୍ୟନ୍ତ ଦୃଢ଼ ପ୍ରତିରୋଧ କରିଥିଲେ। ଶେଷ ମୁହୂର୍ତ୍ତରେ ଅଧିନାୟିକା ସବିତା ପୁନିଆଙ୍କ ଗୁରୁତ୍ୱପୂର୍ଣ୍ଣ ସେଭ୍‌ ଭାରତର ବିଜୟକୁ ଆହୁରି ନିଶ୍ଚିତ କରିଥିଲା। ଅନ୍ତିମ ସିଟି ବାଜିବା ସହ ଭାରତୀୟ ଦଳର ଖେଳାଳି ଓ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା।

ଏହି ସ୍ୱର୍ଣ୍ଣ ପଦକ ସହ ୨୦୨୮ ଲସ୍‌ ଏଞ୍ଜେଲସ୍‌ ଅଲିମ୍ପିକ୍ସ ପାଇଁ ମଧ୍ୟ ଭାରତ ଯୋଗ୍ୟତା ହାସଲ କରିଛି। ଦୀର୍ଘ ୪୪ ବର୍ଷର ଅପେକ୍ଷା ପରେ ଭାରତୀୟ ମହିଳା ହକି ଦଳର ଏହି ସ୍ୱର୍ଣ୍ଣିମ ସଫଳତା ଦେଶବାସୀଙ୍କ ପାଇଁ ଆଣିଛି ବଡ଼ ଖୁସି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।