Double Gold for India: ଭାରତକୁ ଯୁଗଳ ସ୍ବର୍ଣ୍ଣ
ଅହମଦାବାଦ: ପ୍ରଥମ ରାଜ୍ୟଗୋଷ୍ଠୀ କବାଡ଼ି ପ୍ରତିଯୋଗିତାରେ ଭାରତ ଦ୍ବିମୁକୁଟ ଅର୍ଜନ କରିଛି।
ଘରୋଇ ଭାରତୀୟ ଦଳ ଉଭୟ ମହିଳା ଓ ପୁରୁଷ ବର୍ଗରେ ବିଜେତା ହୋଇଛି।
ଏଥି ସହିତ ଗତ ମାସରେ ଏସୀୟ କ୍ରୀଡ଼ାରେ ଯୁଗଳ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ଦବ୍ଦବା ଜାରି ରହିଛି।
Advertisment ଶୁକ୍ରବାର ମହିଳା ବିଭାଗ ଫାଇନାଲ୍ରେ ଭାରତ ୩୫-୧୫ରେ ଏକତରଫା ଭାବେ ଉଗାଣ୍ଡାକୁ ପରାସ୍ତ କରିଥିଲା।
ପୂର୍ବରୁ ସେମିଫାଇନାଲ୍ରେ ଭାରତୀୟ ମହିଳା ଦଳ ଶ୍ରୀଲଙ୍କାକୁ ୩୯-୧୪ରେ ହରାଇଥିଲା।
ସେମିଫାଇନାଲ୍ରେ ସାକ୍ଷୀ ସର୍ବାଧିକ ୧୧ ପଏଣ୍ଟ ଏବଂ ଅଧିନାୟିକା ନିଧି ଶର୍ମା ୧୦ ପଏଣ୍ଟ ହାସଲ କରିଥିଲେ।
ସେହିଭଳି ଉଗାଣ୍ଡା ରୋମାଞ୍ଚକ ସେମିଫାଇନାଲ୍ରେ କେନିଆକୁ ୨୩-୨୧ରେ ପରାସ୍ତ କରିଥିଲା।
ଦୁଇ ପରାଜିତ ସେମିଫାଇନାଲିଷ୍ଟ୍ କେନିୟା ଓ ଶ୍ରୀଲଙ୍କା କାଂସ୍ୟ ପଦକ ହାସଲ କରିଥିଲେ।
ମହିଳା ଫାଇନାଲ୍ ପରେ ଖେଳାଯାଇଥିବା ପୁରୁଷ ବିଭାଗ ଫାଇନାଲ୍ରେ ଭାରତୀୟ ଦଳ ଶ୍ରୀଲଙ୍କା କୁ ୫୪-୨୦ ପଏଣ୍ଟରେ ପରାସ୍ତ କରି ଟାଇଟଲ୍ ହାସଲ କରିଛି।
ପଙ୍କଜ ମୋହିତେ ଓ ନବୀନ କୁମାରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ପ୍ରଥମାର୍ଦ୍ଧ ସୁଦ୍ଧା ୩୦-୧୦ ପଏଣ୍ଟରେ ଆଗୁଆ ରହିଥିଲା।
ଫଳରେ ଭାରତର ବିଜୟ ପ୍ରାୟ ନିଶ୍ଚିତ ହୋଇଯାଇଥିଲା।
ଶ୍ରୀଲଙ୍କା ଦଳ ବାରମ୍ବାର ଅଲ୍ଆଉଟ୍ ହେବାରୁ ମ୍ୟାଚ୍କୁ ଫେରିବାର ସୁଯୋଗ ପାଇନଥିଲା।
ଏହା ପୂର୍ବରୁ ସେମିଫାଇନାଲ୍ରେ ଭାରତୀୟ ପୁରୁଷ ଦଳ ବାଂଲାଦେଶକୁ ୫୬-୨୭ ପଏଣ୍ଟରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲା।
ଏହି ମ୍ୟାଚ୍ରେ ଭରତ ହୁଡ୍ଡା ସର୍ବାଧିକ ୧୩ ପଏଣ୍ଟ ହାସଲ କରିଥିବାବେଳେ ଶିବମ ପଟାରେ ୧୧ ଓ ନୀରଜ ନରୱାଲ ୯ ପଏଣ୍ଟ ଯୋଡ଼ିଥିଲେ।
ଅନ୍ୟପକ୍ଷରେ ଦ୍ୱିତୀୟ ସେମିଫାଇନାଲ୍ରେ ଶ୍ରୀଲଙ୍କା ଦଳ କଡ଼ା ସଂଘର୍ଷ ପରେ କେନିଆକୁ ୨୮-୨୪ ପଏଣ୍ଟରେ ହରାଇ ଫାଇନାଲ୍ରେ ପହଞ୍ଚିଥିଲା।
ତେବେ ସେମିଫାଇନାଲ୍ରେ ପରାସ୍ତ ହୋଇଥିବା କେନିଆ ଓ ବାଂଲାଦେଶ ବ୍ରୋଞ୍ଜ ପଦକ ହାସଲ କରିଥିଲେ।
ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୱାକାଥନ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।