23 SEPTEMBER 2026

Welcome!

Unlock your personalized experience.
Sign Up

Drama: ନୟନି ଖଣିରୁ କୋଇଲା ପରିବହନ ନେଇ ଡ୍ରାମା: ରୋକ୍‌ ଲଗାଇବା ପରେ ନିଷ୍ପତ୍ତି ବଦଳାଇଲା ଖଣି ବିଭାଗ

Sep 23, 2026 - 11:04
Drama: ନୟନି ଖଣିରୁ କୋଇଲା ପରିବହନ ନେଇ ଡ୍ରାମା: ରୋକ୍‌ ଲଗାଇବା ପରେ ନିଷ୍ପତ୍ତି ବଦଳାଇଲା ଖଣି ବିଭାଗ

ଛେଣ୍ଡିପଦା: କୋଇଲା ପରିବହନ ସର୍ତ୍ତାବଳୀ ଖିଲାପ କାରଣ ପାଇଁ ନୟନି ଖଣିରୁ କୋଇଲା ପରିବହନ ବନ୍ଦ କରିବାକୁ ଚିଠି କଲା ଖଣି ବିଭାଗ। କିନ୍ତୁ, ୨୪ ଘଣ୍ଟା ନ ପୂରୁଣୁ ବିଭାଗ ନିଜ ନିଷ୍ପତ୍ତି ବଦଳାଇଛି। ସର୍ତ୍ତାବଳୀରେ କୌଣସି ତ୍ରୁଟି ନ ଥିବା ଦର୍ଶାଇ କୋଇଲା ପରିବହନ ପାଇଁ ଅନୁମତି ଦେଇଛି। ଖଣି ବିଭାଗର ଏମିତି ରାତିଅଧିଆ ନିଷ୍ପତ୍ତି ବଦଳିବା ନେଇ ସନ୍ଦେହ ବଢ଼ିଛି। ତାଳଚେର ସର୍କଲର ଖଣି ବିଭାଗ ଉପନିର୍ଦ୍ଦେଶକ ୨୧ ତାରିଖରେ ନୟନି କୋଲ୍‌ ମାଇନ୍ସର ସିଙ୍ଗରେନି କମ୍ପାନିକୁ ଚିଠି(ନମ୍ବର-୨୧୫୧) କରି କୋଇଲା ପରିବହନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଖଣିରୁ ଜରପଡ଼ା ରେଲୱେ ସାଇଡିଂକୁ କୋଇଲା ପରିବହନ କରିବାକୁ ଅନୁମତି ଥିଲେ ମଧ୍ୟ କମ୍ପାନି ଅନ୍ୟ ରାସ୍ତା ବ୍ୟବହାର କରୁଥିବାରୁ ସର୍ତ୍ତାବଳୀ ଖିଲାପ ହେଉଥିବା ଅଭିଯୋଗ ହୋଇଥିଲା। ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଖଣି ବିଭାଗକୁ ଜଣାଇବା ପରେ କୋଇଲା ପରିବହନ ଅନୁମତିକୁ ବାତିଲ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଥିଲା। ହେଲେ, ଆଜି ଖଣି ବିଭାଗ ନିଜ ଚିଠିକୁ ବାତିଲ କରିଛି। ପୂର୍ବ ପରି କୋଇଲା ପରିବହନ କରିବା ପାଇଁ ଅନୁମତି ଦିଆଯାଇଛି ବୋଲି ଖଣି ବିଭାଗ ଆଜି ସ୍ପଷ୍ଟ କରି ଦେଇଛି। 

Belarus potash deal: ରୁଷ୍‌ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍‌ରୁ ସାର କିଣିବ

ନୟନି ଖଣିକୁ ତେଲେଙ୍ଗାନା ରାଜ୍ୟର ସିଙ୍ଗରେନି କମ୍ପାନିକୁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଲିଜ୍‌ ସୂତ୍ରରେ ଦିଆଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା କୋଇଲା ଉତ୍ତୋଳନ ଓ ପରିବହନ ପାଇଁ ସିଙ୍ଗରେନି କମ୍ପାନିକୁ ସ୍ୱତନ୍ତ୍ର ନି‌ର୍ଦ୍ଦେଶାବଳୀ ପ୍ରଦାନ କରାଯାଇଥିଲା। ଖଣିରୁ ଦୈନିକ ୧୬ ହଜାରରୁ ୧୭ ହଜାର ଟନ୍‌ କୋଇଲା ତେଣ୍ଟୁଲୋଇ, ବାଲିପଟ୍ଟା ଗ୍ରାମଦେଇ ଜରପଡ଼ା ରେଳଷ୍ଟେସନକୁ ସଡ଼କରେ ପରିବହନ ପାଇଁ ନିର୍ଦ୍ଦେଶ ଥିଲା। ଏଥିପାଇଁ ୨୦୨୬ ସେପ୍ଟେମ୍ବର ୧ରୁ ୨୦୨୭ ମାର୍ଚ୍ଚ  ୩୧ ପର୍ଯ୍ୟନ୍ତ ବୈଧ ପରିଚାଳନା ସମ୍ମତି ପ୍ରଦାନ କରାଯାଇଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶାବଳୀର ୧୦ ନଂ. କ୍ରମରେ ଜରପଡ଼ା ରେଳଷ୍ଟେସନ ସାଇଡିଂକୁ କୋଇଲା ପରିବହନ ସର୍ତ୍ତ ରହିଥିଲା। ଏଥିରେ ବ୍ୟତିକ୍ରମ କରି ଅନ୍ୟ ପ୍ଲାଣ୍ଟ, ରେଳ ସାଇଡିଂକୁ କୋଇଲା ପରିବହନ କରାଯାଉଛି।

PM Surya Ghar: ପିଏମ୍‌ ସୂର୍ଯ୍ୟଘରରେ ଠକିଗଲେ ହିତାଧିକାରୀ

ଅନୁଗୋଳ-ଛେଣ୍ଡିପଦା ୬୩ ନମ୍ବର ଜାତୀୟ ରାଜପଥରେ କୋଇଲା ପରିବହନ ହେଉଛି। ମୁଖ୍ୟ ରାସ୍ତାରେ କୋଇଲା ପରିବହନ ପାଇଁ ନାନାପ୍ରକାର ସମସ୍ୟା ହେଉଛି। ଏଣୁ କୋଇଲା ପରିବହନରେ ରୋକ୍‌ ଲାଗିଥିବା ଜଣାପଡ଼ିଥିଲା। କିନ୍ତୁ, ଦିନେ ନ ଯାଉଣୁ ପ୍ରତିବନ୍ଧକୁ ହଟାଇ ଦିଆଯିବା ପରେ ଲୋକମାନେ ଖଣି ବିଭାଗର ଆଭିମୁଖ୍ୟ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। କ’ଣ ପାଇଁ ହଠାତ୍‌ ଏମିତି ରାତିଅଧିଆ ନିଷ୍ପତ୍ତି ବଦଳିଲା ବୋଲି ପ୍ରଶ୍ନ କରିଛନ୍ତି। ଏନେଇ ଖଣି ବିଭାଗ ଉପନିର୍ଦ୍ଦେଶକ ଦେବେନ୍ଦ୍ରନାଥ ଦଳାଇ କହିଛନ୍ତି, ସର୍ତ୍ତାବଳୀ ଖିଲାପ ପାଇଁ କୋଇଲା ପରିବହନ ଉପରେ ରୋକ୍‌ ଲଗାଯାଇଥିଲା। ହେଲେ, ଅନ୍‌ଲାଇନ୍‌ରେ ସେମାନେ ସମସ୍ତ ତଥ୍ୟ ଦାଖଲ କରିଥିବା ଜଣାପଡ଼ିବା ପରେ ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।