Drishyam 3 Box Office: ବକ୍ସ ଅଫିସରେ ‘ଦୃଶ୍ୟମ ୩’ର ଝଡ଼; ଦୁଇ ଦିନରେ ୧୦୦ କୋଟି ପାର୍‌, ବିଶ୍ୱବ୍ୟାପୀ କଲେକ୍ସନ୍‌ ୧୭୭ କୋଟିରୁ ଅଧିକ

Oct 04, 2026 - 15:25
Drishyam 3 Box Office: ବକ୍ସ ଅଫିସରେ ‘ଦୃଶ୍ୟମ ୩’ର ଝଡ଼; ଦୁଇ ଦିନରେ ୧୦୦ କୋଟି ପାର୍‌, ବିଶ୍ୱବ୍ୟାପୀ କଲେକ୍ସନ୍‌ ୧୭୭ କୋଟିରୁ ଅଧିକ

ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି ଅଜୟ ଦେବଗନଙ୍କ ସସ୍ପେନ୍ସ ଥ୍ରିଲର୍‌ ଫିଲ୍ମ ‘ଦୃଶ୍ୟମ: ଦ କନ୍‌କ୍ଲୁଜନ୍‌’। ଅକ୍ଟୋବର ୨ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ମାତ୍ର ଦୁଇ ଦିନରେ ଭାରତୀୟ ବକ୍ସ ଅଫିସରେ ₹୧୦୦ କୋଟି କ୍ଲବ୍‌ରେ ପ୍ରବେଶ କରିଛି। ଏଥିସହ ବିଶ୍ୱବ୍ୟାପୀ କଲେକ୍ସନ୍‌ ମଧ୍ୟ ₹୧୭୭ କୋଟି ଟପିଥିବା ରିପୋର୍ଟ ରହିଛି।

ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପୁଣିଥରେ ବିଜୟ ସାଲଗାଓଁକର ଭୂମିକାରେ ନଜର ଆସିଛନ୍ତି ଅଜୟ ଦେବଗନ। ରିଲିଜ୍‌ର ପ୍ରଥମ ଦିନ ଫିଲ୍ମ ଭାରତରେ ପ୍ରାୟ ₹୬୨ କୋଟି ନେଟ୍‌ କଲେକ୍ସନ୍‌ କରିଥିବା ବେଳେ, ଦ୍ୱିତୀୟ ଦିନ ଆଉ ₹୫୩.୫୦ କୋଟି ଆୟ କରିଛି। ଫଳରେ ମାତ୍ର ଦୁଇ ଦିନରେ ଭାରତରେ ଏହାର ମୋଟ ନେଟ୍‌ କଲେକ୍ସନ୍‌ ₹୧୧୫.୫୦ କୋଟିରେ ପହଞ୍ଚିଛି।

ଶନିବାର ଫିଲ୍ମର କଲେକ୍ସନ୍‌ ପ୍ରଥମ ଦିନ ତୁଳନାରେ ସାମାନ୍ୟ କମିଥିଲେ ମଧ୍ୟ ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ଼ ଜାରି ରହିଛି। ଦୁଇ ଦିନର ଦମଦାର ପ୍ରଦର୍ଶନ ପରେ ରବିବାର ଛୁଟି ଦିନରେ ଫିଲ୍ମର କଲେକ୍ସନ୍‌ ପୁଣି ବଢ଼ିବା ଆଶା କରାଯାଉଛି। ଏହି ଗତି ଜାରି ରହିଲେ ଓପନିଂ ୱିକେଣ୍ଡରେ ଫିଲ୍ମ ବିଶ୍ୱବ୍ୟାପୀ ₹୨୦୦ କୋଟି କ୍ଲବ୍‌ରେ ପ୍ରବେଶ କରିପାରେ।

ବିଶ୍ୱବ୍ୟାପୀ ମଧ୍ୟ ‘ଦୃଶ୍ୟମ ୩’ର ଦବଦବା

ଘରୋଇ ବକ୍ସ ଅଫିସ ସହ ଓଭରସିଜ୍‌ ମାର୍କେଟରେ ମଧ୍ୟ ‘ଦୃଶ୍ୟମ ୩’କୁ ଭଲ ପ୍ରତିକ୍ରିୟା ମିଳୁଛି। ବିଭିନ୍ନ ବକ୍ସ ଅଫିସ ରିପୋର୍ଟ ଅନୁଯାୟୀ, ଦୁଇ ଦିନରେ ଫିଲ୍ମର ବିଶ୍ୱବ୍ୟାପୀ ବ୍ୟବସାୟ ପ୍ରାୟ ₹୧୭୭ କୋଟିରୁ ଅଧିକ ହୋଇଛି। ଏହି ଜବରଦସ୍ତ ଓପନିଂ ସହ ଫିଲ୍ମଟି ନିକଟ ଅତୀତର ଅନେକ ବଡ଼ ବଜେଟ୍‌ ସିନେମାର କଲେକ୍ସନ୍‌କୁ ମଧ୍ୟ ପଛରେ ପକାଇଥିବା ଚର୍ଚ୍ଚା ହେଉଛି।

ଫ୍ରାଞ୍ଚାଇଜିର ଶେଷ ଅଧ୍ୟାୟ

‘ଦୃଶ୍ୟମ: ଦ କନ୍‌କ୍ଲୁଜନ୍‌’କୁ ହିନ୍ଦୀ ‘ଦୃଶ୍ୟମ’ ଫ୍ରାଞ୍ଚାଇଜିର ଶେଷ ଅଧ୍ୟାୟ ଭାବେ ପ୍ରସ୍ତୁତ କରାଯାଇଛି। ନିର୍ଦ୍ଦେଶକ ଅଭିଷେକ ପାଠକ ମଧ୍ୟ ଏହି ଫିଲ୍ମ ସହ ବିଜୟ ସାଲଗାଓଁକରଙ୍କ କାହାଣୀର ଅନ୍ତ ହେବ ବୋଲି ସ୍ପଷ୍ଟ କରିଛନ୍ତି।

ଫିଲ୍ମରେ ଅଜୟ ଦେବଗନଙ୍କ ସହ ତବୁ, ଶ୍ରିୟା ସରନ, ଇଶିତା ଦତ୍ତା, ଜୟଦୀପ ଅହଲାୱତ ଓ ପ୍ରକାଶ ରାଜଙ୍କ ସମେତ ଅନେକ ପରିଚିତ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଫ୍ରାଞ୍ଚାଇଜିର ଶେଷ ଭାଗ ହୋଇଥିବାରୁ ଫିଲ୍ମର କ୍ଲାଇମାକ୍ସ ଓ ସସ୍ପେନ୍ସକୁ ନେଇ ଦର୍ଶକଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଛି।

ଦୁଇ ଦିନର କଲେକ୍ସନ୍‌ ହିଁ ସ୍ପଷ୍ଟ କରିଦେଇଛି ଯେ, ବିଜୟ ସାଲଗାଓଁକରଙ୍କ ଶେଷ ‘ଖେଳ’କୁ ଦେଖିବା ପାଇଁ ଦର୍ଶକଙ୍କ କ୍ରେଜ୍‌ କମିନାହିଁ। ଏବେ ନଜର ରହିଛି ଫିଲ୍ମ କେତେ ଶୀଘ୍ର ₹୨୦୦ କୋଟି ମାଇଲ୍‌ଷ୍ଟୋନ୍‌ ଛୁଉଁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।