Durga puja: ମା’ ନେଲେ ମେଲାଣି: ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତିର ରୌପ୍ୟ ଜୟନ୍ତୀ

Oct 23, 2026 - 07:17
Durga puja: ମା’ ନେଲେ ମେଲାଣି: ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତିର ରୌପ୍ୟ ଜୟନ୍ତୀ

ବାଜା, ବାଣ ସାଙ୍ଗକୁ ପାରମ୍ପରିକ ନୃତ୍ୟରେ ମା'ଙ୍କୁ ଦିଆଯାଇଛି ମେଲାଣି।

କେଉଁ ମଣ୍ଡପ ଘୋଡ଼ା ନାଚରେ ତ ଆଉ କେଉଁ ମଣ୍ଡପ ଦୁଲୁଦୁଲି ବାଦ୍ୟରେ ମା'ଙ୍କୁ ମେଲାଣି କରିଛନ୍ତି।

ଡିଜେ କଟକଣା ମଧ୍ୟରେ ସହରର ଶତାଧିକ ଦେବୀ ମୂର୍ତ୍ତିଙ୍କୁ ରାତି ସୁଦ୍ଧା ନଦୀରେ ବିସର୍ଜନ କରାଯାଇଛି।

ସହରର ୫ଟି ସ୍ଥାନରେ ଅନୁଷ୍ଠିତ ଭସାଣି ଉତ୍ସବରେ ୭୦ରୁ ଅଧିକ ମେଢ଼ ସାମିଲ ହୋଇ ଶୋଭାଯାତ୍ରାରେ ଅସ୍ଥାୟୀ ପୁଷ୍କରଣୀ ପର୍ଯ୍ୟନ୍ତ ଯାଇଥିଲେ।

ସହିଦନଗର ଭସାଣି ଉତ୍ସବରେ ୨୪ ପୂଜା କମିଟି ମେଢ଼ ସାମିଲ ହୋଇଥିବା ବେଳେ ନୂଆପଲ୍ଲୀ ପୂଜା ମଣ୍ଡପ ପଡ଼ିଆରେ୧୮, ଉତ୍ତର ଭୁବନେଶ୍ବରର ଡମଣା ଦୁର୍ଗାପୂଜା ଭସାଣି ପଡ଼ିଆ ଓ ଚନ୍ଦ୍ରଶେଖରପୁର କ୍ଲବ ଟାଉନ୍‌ ପଡ଼ିଆରେ ୨୦ରୁ ଅଧିକ ଓ ପୁରୁଣା ଭୁବନେଶ୍ବରର ୨୨ ମଣ୍ଡପର ମେଢ଼ ସାମିଲ ହୋଇ ଶୋଭାଯାତ୍ରାରେ ଯାଇଥିଲେ।

ବ୍ୟାପକ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ରାସ୍ତାପାର୍ଶ୍ବରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ମା'ଙ୍କୁ ମେଲାଣି ଦେଇଛନ୍ତି।

Advertisment ଭୁବନେଶ୍ବର, ୨୨/୧୦(ଇମିସ): ନୂଆପଲ୍ଲୀ ଦୁର୍ଗାପୂଜା ମେଳଣ ପଡ଼ିଆରେ ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତିର ୨୫ବର୍ଷ ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି।

ଏହି ମିଳିତ ଭସାଣି ଉତ୍ସବରେ ୧୮ଟି ମେଢ଼ ସମବେତ ହୋଇଥିଲେ।

ଶୋଭାଯାତ୍ରାରେ ଡିଜେ ବାଜି ନଥିଲା।

ମାତ୍ର ପାରମ୍ପରିକ ବାଦ୍ୟରେ କମ୍ପିଥିଲା ଶୋଭାଯାତ୍ରା।

ଦୁଲ୍‌ଦୁଲି, ଘୋଡ଼ାନାଚ, ବାଘନାଚ, ଷଣ୍ଢନାଚ, ସିଙ୍ଗବାଜା, ଆଦିବାସୀ ନୃତ୍ୟ ସମବେତ ଘଣ୍ଟବାଦନ ସହ ଶିରିପୁରସ୍ଥିତ ପ୍ରାଚୀନ ଦେବୀ ପୀଠରୁ ମା' ଝାଡ଼େଶ୍ବରୀ ପ୍ରଥମେ ବାହାରିଥିଲେ।

ପରେ ପରେ ରଣସିଂହପୁର, ଡୁମୁଡୁମା, ଭଗବାନପୁର, ଦଧିବାମନଦେବ, ପୋଖରୀପୁଟ, ଗଙ୍ଗନଗର, ଜୟଦେବବିହାର, କଳାରାହାଙ୍ଗ, ସାଲିଆସାହି ଓ ଆଞ୍ଚଳିକ ଦୁର୍ଗାପୂଜା, ଶ୍ୟାମପୁର, ଗଣ୍ଡମୁଣ୍ଡା, ଶିରିପୁର ଦୁର୍ଗାପୂଜା, ଶିରିପୁର ହରପାର୍ବତୀ, ୟୁନିଟ୍-୮, ନୂଆପଲ୍ଲୀ ନୂଆସାହିର ମେଢ଼ଗୁଡ଼ିକ ଆସିଥିଲେ।

ଶେଷରେ ନୂଆପଲ୍ଲୀ ପୂଜା ସମିତିର ମା' ଦୁର୍ଗାଙ୍କ ମେଢ଼ ଶୋଭାଯାତ୍ରାରେ ବାହାରିଥିଲା।

ସିଆର୍‌ପି-ଡିଏଭି-ସିଟି ମହିଳା ମହାବିଦ୍ୟାଳୟ ଦେଇ ଗଙ୍ଗନଗରରେ ଶୋଭାଯାତ୍ରା ଶେଷ ହୋଇଥିଲା।

ମୁଖ୍ୟଅତିଥି ଭାବେ ଭୁବନେଶ୍ବର ଡିସିପି ଡା.

ସର୍ବଣା ବିବେକ୍ ଏମ୍ ଯୋଗ ଦେଇ ଭସାଣି ସମିତି ଓ ନୂଆପଲ୍ଲୀ ଦୁର୍ଗାପୂଜା ସମିତିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଭସାଣି ସମିତିର ସଭାପତି ନିରଂଜନ ମିଶ୍ର, ସାଧାରଣ ସଂପାଦକ ଦିଲୀପ ମହାନ୍ତି ଓ ଅନ୍ୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସହିଦନଗର ତେଲିଙ୍ଗିବାଜା, ଘୋଡ଼ାନାଚ ଭୁବନେଶ୍ବର: ତେଲିଙ୍ଗି ବାଜାର ମେଘନାଦ ସାଙ୍ଗକୁ ପାରମ୍ପରିକ ନୃତ୍ୟଗୀତର ମାହୋଲ।

ଚଢ଼େୟା ଚଢ଼େୟାଣି ନୃତ୍ୟ, ଘୋଡ଼ାନାଚ, ଅଘୋରି ବେଶଧାରୀଙ୍କ ନିଆଁ ଖେଳ ଭିତରେ ରୋବଟ୍‌, ସାଇକେଲ୍‌ରେ ସର୍କସ୍‌, ଜିନିର ଆକାଶରେ ଉଡ଼ିଯିବାର ଚିତାକର୍ଷକ ଦୃଶ୍ୟ, ଆଜି ସହିଦନଗର ଭସାଣି ଉତ୍ସବରେ ଶ୍ରଦ୍ଧାଳୁଙ୍କୁ ମନ ଜିଣିଛି।

ରସୁଲଗଡ଼ ଛକରୁ ରାଜମହଲ ପର୍ଯ୍ୟନ୍ତ ଲକ୍ଷାଧିକ ଶ୍ରଦ୍ଧାଳୁ ଆଜି ସହିଦନଗର ଭସାଣି ଉତ୍ସବରେ ମା'ଙ୍କୁ ମେଲାଣି ଦେବା ସହ ଏଭଳି ମନୋରଂଜନକୁ ବି ହାତଛଡ଼ା କରିନାହାନ୍ତି।

ଆଜି ସହିଦନଗର ଭସାଣି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ଭସାଣି ଉତ୍ସବରେ ସହିଦନଗର ଦୁର୍ଗାପୂଜା ସମିତି ସମେତ ବମିଖାଲ, ଝାରପଡ଼ା, କୋରଡ଼କଣ୍ଟା, ଶାସ୍ତ୍ରୀନଗର, ସତ୍ୟନଗର ଆଦି ୨୮ଟି ପୂଜା ସମିତି ନିଜ ନିଜ ମେଢ଼ ସହ ଏକାଠି ହୋଇଥିଲେ।

ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ।

ରାଜମହଲରେ ସମସ୍ତ ମେଢ଼ ଏକାଠି ହେବା ପରେ ରାତି ପ୍ରାୟ ୧୨ଟାରେ ସମସ୍ତ ପୂଜା ସମିତି ବାଜା, ବାଣ, ଲାଇଟ୍‌ ଆଦି ବନ୍ଦ କରି ନିଜ ନିଜ ମେଢ଼ ସହ ବିସର୍ଜନ ପାଇଁ ଯାଇଥିଲେ।

କିଛି ମେଢ଼ କୁଆଖାଇ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିଥିବାବେଳେ ଅନ୍ୟ କିଛି ମେଢ଼ ଦୟା ଅସ୍ଥାୟୀ ପୋଖରୀରେ ବିସର୍ଜନ କରିଥିଲେ।

ଭୁବନେଶ୍ୱର ଉତ୍ତର ପୂଜା ଭସାଣି ସମିତି ଭୁବନେଶ୍ୱର ଉତ୍ତର ପୂଜା ଭସାଣି ସମିତି ସାଧାରଣ ସମ୍ପାଦକ ସରୋଜ ମଲ୍ଲିକଙ୍କ ସଭାପତିତ୍ୱରେ କ୍ଲବ ଟାଉନ୍‌ ପଡ଼ିଆରେ ଆୟୋଜିତ ଉତ୍ସବରେ ସାଂସଦ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟଅତିଥି, ଭସାଣି ସମିତି ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, 'ପରିଚୟ ଫାଉଣ୍ଡେସନ'ର ପ୍ରତିଷ୍ଠାତା ସଭାପତି ରୋଜାଲିନୀ ପାଟ୍ଟଶାଣୀ ମିଶ୍ର, ବିଜେପି ନେତା ସାରଦା ଶତପଥୀ, ଉପଦେଷ୍ଟା ମଧୁମାଧବ ଜେନା, ସମାଜସେବୀ ପ୍ରକାଶ ତ୍ରିପାଠୀ, ବିଜେପିନେତା ସୌମ୍ୟରଞ୍ଜନ ଜେନା, ନଗେନ୍‌ ବିଶୋଇ, କର୍ପୋରେଟର ଯଶୋଧାରା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

ଉପଦେଷ୍ଟା ସମରେନ୍ଦ୍ର ସାହୁ ସ୍ବାଗତ ଭାଷଣ ରଖିଥିଲେ।

ଏହି ଅବସରରେ ଅତିରିକ୍ତ ଡିସିପି, ଏସିପି ଓ ଥାନା ଅଧିକାରୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସମସ୍ତ ପୂଜା କମିଟିର ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏଲ୍‌ପି ଟିମ୍‌ର ସଦସ୍ୟମାନେ ସହଯୋଗ କରିଥିଲେ।

ଡିଷ୍ଟ୍ରିକ୍ଟ ସେଣ୍ଟର ଦୁର୍ଗାପୂଜା କମିଟି ଦ୍ୱାରା ପ୍ରସ୍ତୁତ ୧ କୁଇଣ୍ଟାଲ ୫୦ କେଜି ଲଡ଼ୁକୁ ୨ ଲକ୍ଷ ଟଙ୍କାରେ ଗଣ୍ଡରପୁର ପୂଜା କମିଟି ନିଲାମ ନେଇଥିଲା।

ଉତ୍ତର ଭୁବନେଶ୍ୱର ଭସାଣି କମିଟି ଉତ୍ତର ଭୁବନେଶ୍ୱର ଭସାଣି କମିଟି ସଭାପତି କିଶୋର ଜେନାଙ୍କ ସଭାପତିତ୍ୱରେ ଡମଣା ପଡ଼ିଆରେ ଅନୁଷ୍ଠିତ ଉତ୍ସବରେ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥି, ବିଏମ୍‌ସି ମେୟର ସୁଲୋଚନା ଦାସ, ବିଜେପି ନେତା ‌ଗୋଲକ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବ ଭାଇରାଚାର ବୋଲି ମତପ୍ରକାଶ କରିଥିଲେ।

କର୍ପୋରେଟର ମିହିର ରାଉତ ଅତିଥ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଦୀପ ଜେନା, ହାଉସିଂ ବୋର୍ଡ କଲୋନି ସଭାପତି ସୁରେଶ ମହାପାତ୍ର, ନନ୍ଦନବିହାରର ଅଭୟ ମିଶ୍ର, ରଘୁନାଥପୁରର ସଭାପତି ସୁବାସ ଚନ୍ଦ୍ର ପାତ୍ର, ଶିଖରଚଣ୍ଡୀନଗରର ସି ଏଚ୍.

ମୁରଲୀ, ପ୍ରଶାନ୍ତିବିହାରର ଆଶୁତୋଷ ଦାସ, ଶୈଳଶ୍ରୀବିହାର ଫେଜ୍-୨ର ସମ୍ପାଦକ ପ୍ରକାଶ ଶତପଥୀ, ଇଞ୍ଜଣାର ପ୍ରଦୀପ ଦାସ, ଶୈଳଶ୍ରୀବିହାର ଫେଜ୍-୨ର ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ଟାଙ୍ଗୀବନ୍ତର ବିରେନ୍ଦ୍ର ଜେନା, ଡିଷ୍ଟ୍ରିକ୍ଟ ସେଣ୍ଟରର ସଭାପତି ବିଶ୍ୱନାଥ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଡମଣା ଗ୍ରାମ କମିଟିର ପୂର୍ବତନ ସଭାପତି ପେମାନନ୍ଦ ମହାକୁଡ, ଦୟାନିଧି ସାହୁ, ବାପି କାସ୍ତ, ଡମଣା ଗ୍ରାମର ମହିଳା ମଣ୍ଡଳୀ, ବୁଦ୍ଧିଜୀବୀ ଓ କ୍ଲବ୍‌ର ସଦସ୍ୟମାନେ ସହଯୋଗ କରିଥିଲେ।

ସମାଜସେବୀ ଭଗବାନ ଦାଶ, ଚନ୍ଦ୍ରଶେଖର ସାହାଣୀ ମଞ୍ଚ ପରିଚାଳନା କରିଥିଲେ।

ଗାଡ଼କଣ ପୂଜା କମିଟି ଦ୍ୱାରା ଅଣାଯାଇଥିବା ଏକ କୁଇଣ୍ଟାଲ ଓଜନର ଲଡୁକୁ ରଘୁନାଥପୁର ପୂଜା କମିଟି ୧ଲକ୍ଷ ୫୦ ହଜାର ଟଙ୍କାରେ ନିଲାମ ନେଇଥିଲା।

କମିଟିର ସମ୍ପାଦକ ସନ୍ତୋଷ ମହାନ୍ତି ଧନ୍ୟବାଦ ଦେଇଥିଲେ।

ଟାଙ୍ଗୀବନ୍ତ ପୂଜା କମିଟି ଦ୍ୱାରା କରାଯାଇଥିବା ୭୨ ଫୁଟ୍‌ର ଦୁର୍ଗା ମୂର୍ତ୍ତି ପାଇଁ ପ୍ରଶଂସା କରାଯାଇଥିଲା।

ଦୁଲୁକିଲା ଏକାମ୍ରକ୍ଷେତ୍ର ପୁରୁଣା ଭୁବନେଶ୍ୱର, ୩/୧୦(ଇମିସ): ଆଜି ଭସାଣି ଉତ୍ସବ ଅବସରରେ ଏକାମ୍ରକ୍ଷେତ୍ର ଓ ସଂଲଗ୍ନ ସୁନ୍ଦରପଦା, କପିଳପ୍ରସାଦ ଅଞ୍ଚଳ ଆଜି ମା' ଦୁର୍ଗାଙ୍କ ମେଲାଣି ଶୋଭାଯାତ୍ରାରେ ଦୁଲୁକି ଉଠିଥିଲା।

୨୨ଟି ମେଢ଼ ନିଜ ନିଜ ମଣ୍ଡପରୁ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ପରେ ଦୟା ନଦୀ ଘାଟରେ ପହଞ୍ଚିଥିଲେ ଏବଂ ନଦୀ ପଠାରେ ନିର୍ମିତ ଅସ୍ଥାୟୀ ପୁଷ୍କରିଣୀରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରାଯାଇଥିଲା।

ପୂର୍ବାହ୍ଣରୁ ଭସାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ହେଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଲାଣି ଶୋଭାଯାତ୍ରା ଏକାମ୍ରକ୍ଷେତ୍ରକୁ ଦୁଲୁକାଉଥିଲା।

ପ୍ରତିଟି ମେଢ଼ ଆଗରେ ବିଭିନ୍ନ ପ୍ରକାର ପାରମ୍ପରିକ ବାଦ୍ୟ, ବ୍ୟାଣ୍ଡପାର୍ଟି, ଆଖି ଝଲସାଉଥିବା ଝାଡ଼ ଲାଇଟ୍‌, ଘୋଡ଼ା ନାଚ, ଷଣ୍ଢ ନାଚ, ଚଢ଼େଇ ନାଚ ଭଳି ଲୋକକଳାର ଝଲକ ଶୋଭାଯାତ୍ରାକୁ ଆକର୍ଷଣୀୟ କରିଥିଲା।

ସମ୍ବଲପୁରୀ ଢୋଲ ସାଙ୍ଗକୁ ତେଲେଙ୍ଗି ବାଜା, ପଞ୍ଜାବୀ ବାଜା ଓ ସ୍ଥାନୀୟ ଅଞ୍ଚଳର ଢୋଲ ମହୁରୀ ବାଜା ଶୋଭାଯାତ୍ରାର ଶୋଭାକୁ ବହୁଗୁଣିତ କରିଥିଲା।

ମଠସାହି, ମହାଖଳା ମଣ୍ଡପ, ବଣିଆସାହି, ହରଚଣ୍ଡୀସାହି, କୈବର୍ତ୍ତସାହି, କୁମ୍ଭାରସାହି, ପୂଜାପଣ୍ଡାସାହି, ଡାକବଙ୍ଗଳା, ପୁନାମା ଗେଟ୍‌, ଜମେଶ୍ବରପାଟଣାସାହି, ବଢ଼େଇବାଙ୍କ ବଡ଼ୁସାହି, ତିନିମୁଣ୍ଡିଆ ବ୍ରାହ୍ମଣସାହି, ରାମେଶ୍ବର ପାଟଣାସାହି, ରବି ଟକିଜ୍‌ ବ୍ୟବସାୟୀ ସଂଘ, ସାମନ୍ତରାପୁର ମେଢ଼ ସହିତ ସୁନ୍ଦରପଦା, କପିଳପ୍ରସାଦ ମେଢ଼ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ମେଢ଼ଗୁଡିକ ବଢ଼େଇବାଙ୍କ ଛକ ଓ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ପରିକ୍ରମା କରିବା ପରେ ଦୟା ନଦୀ ଅଭିମୁଖେ ବାହାରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।