Earthquake Alerts: ଭୂକମ୍ପ ଆସିବା ପୂର୍ବରୁ ମିଳିବ ଆଲର୍ଟ! ଆପଣଙ୍କ ଫୋନ୍ ହିଁ ସାଜିବ ଜୀବନ ରକ୍ଷକ
"ନୂଆଦିଲ୍ଲୀ: ଭୂକମ୍ପର ଭୟଙ୍କର ଝଟକା...
ଆଖି ପିଛୁଳାକେ ଦୋହଲିଯାଉଛି ପୂରା ଅଞ୍ଚଳ ।
କେଉଁଠି ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ୁଛି ତ ଆଉ କେଉଁଠି ଜୀବନ ବଞ୍ଚାଇବାକୁ ଧାଉଁଛନ୍ତି ଲୋକେ ।
ଏମିତି ବିପଦ ସମୟରେ ଗୋଟିଏ ସେକେଣ୍ଡ ବି ହୋଇପାରେ ଜୀବନ ଓ ମୃତ୍ୟୁ ମଧ୍ୟରେ ଫରକ ।
ଆଉ ଏବେ ଆପଣଙ୍କ ପକେଟ୍ରେ ଥିବା ସ୍ମାର୍ଟଫୋନ୍ ହିଁ ଦେଇପାରିବ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ।
ଭୂକମ୍ପର ଭୟଙ୍କର ଝଟକା ଅନୁଭବ ହେବା ପୂର୍ବରୁ ଆପଣଙ୍କୁ ସତର୍କ କରିଦେବ ଆଣ୍ଡ୍ରଏଡ୍ ଫୋନ୍ ।
ଟେକ୍ନୋଲୋଜି ଦୁନିଆର ଦିଗ୍ଗଜ କମ୍ପାନୀ ଗୁଗଲ୍ ନିଜର ଆଣ୍ଡ୍ରଏଡ୍ ଆର୍ଥକ୍ୱେକ୍ ଆଲର୍ଟ ସିଷ୍ଟମ୍କୁ ଆହୁରି ଉନ୍ନତ କରିଛି ।
ଏହାର ଲକ୍ଷ୍ୟ ହେଉଛି, ଭୂକମ୍ପ ସମୟରେ ଲୋକଙ୍କୁ ଆଗୁଆ ସୂଚନା ଦେଇ ସୁରକ୍ଷିତ ରହିବାକୁ ସୁଯୋଗ ଦେବା ।
ଗୁଗଲ୍ର ଏହି ସେବା ପୂର୍ବରୁ ୯୮ଟି ଦେଶରେ ଉପଲବ୍ଧ ଥିବା ବେଳେ ଏବେ ଏହାକୁ ୨୦୦ରୁ ଅଧିକ ଦେଶ ଓ ଅଞ୍ଚଳକୁ ସମ୍ପ୍ରସାରିତ କରାଯାଇଛି ।
୨୦୨୧ରେ ଆରମ୍ଭ ହୋଇଥିବା ଏହି ସେବା ମାଧ୍ୟମରେ ଏବେ ସୁଦ୍ଧା ଆଣ୍ଡ୍ରଏଡ୍ ୟୁଜର୍ଙ୍କୁ ଏକ ବିଲିୟନରୁ ଅଧିକ ଥର ଭୂକମ୍ପ ସମ୍ପର୍କିତ ଆଲର୍ଟ ପଠାଯାଇଛି ।
Advertisment Manipur Violence: ମଣିପୁରରେ ନାଗା-କୁକି ସଂଘର୍ଷ: କାମଜୋଙ୍ଗରେ କୁକି ମହିଳାଙ୍କୁ ହତ୍ୟା ତେବେ କେମିତି କାମ କରେ ଏହି ଟେକ୍ନୋଲୋଜି?
ଆପଣଙ୍କ ଫୋନ୍ରେ ଥିବା ଆକ୍ସିଲେରୋମିଟର୍ ସେନ୍ସର ହିଁ ଏହାର ମୁଖ୍ୟ ଆଧାର ।
ଫୋନ୍ର ସ୍କ୍ରିନ୍ ଘୂରିବାରେ ସାହାଯ୍ୟ କରୁଥିବା ଏହି ସେନ୍ସର ଭୂକମ୍ପର ପ୍ରାରମ୍ଭିକ କମ୍ପନକୁ ମଧ୍ୟ ଚିହ୍ନଟ କରିପାରେ ।
ଯେତେବେଳେ ଅନେକ ଫୋନ୍ ଗୋଟିଏ ଅଞ୍ଚଳରେ ଏଭଳି କମ୍ପନ ରେକର୍ଡ କରନ୍ତି, ସେତେବେଳେ ସେହି ସୂଚନାକୁ ବିଶ୍ଳେଷଣ କରି ଗୁଗଲ୍ର ସିଷ୍ଟମ୍ ଭୂକମ୍ପ ହୋଇଥିବା ନେଇ ଆକଳନ କରେ ।
ଏହାପରେ ଶକ୍ତିଶାଳୀ ଝଟକା ପହଞ୍ଚିବା ପୂର୍ବରୁ ସମ୍ଭବ ହେଲେ ଫୋନ୍କୁ ଆଲର୍ଟ ପଠାଯାଏ ।
ତେବେ ଏହା ଭୂକମ୍ପର ସଠିକ୍ ପୂର୍ବାନୁମାନ ନୁହେଁ; ଏହା ଭୂକମ୍ପ ଆରମ୍ଭ ହେବା ପରେ ମିଳୁଥିବା ସୂଚନା ଆଧାରରେ ଆଗୁଆ ସତର୍କ କରେ ।
ଭୂକମ୍ପର ବିପଦ ଅନୁସାରେ ମିଳିଥାଏ ଭିନ୍ନ ଭିନ୍ନ ଆଲର୍ଟ । "ବି ଆୱେର୍" ଆଲର୍ଟ ମାଧ୍ୟମରେ ସାମାନ୍ୟ ଝଟକା ନେଇ ସତର୍କ କରାଯାଏ । "ବି ରେଡି" ଆଲର୍ଟ ଅଧିକ ସତର୍କ ରହିବାକୁ ସୂଚନା ଦିଏ ।
ଆଉ "ଟେକ୍ ଆକ୍ସନ୍" ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଲର୍ଟ ।
ଏହା ମିଳିଲେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବା ସହ ନିଜ ମୁଣ୍ଡକୁ ଘୋଡ଼ାଇ ରଖିବା ଭଳି ପଦକ୍ଷେପ ନେବାକୁ ପଡ଼ିବ ।
ଏହି ଆଲର୍ଟ ଫୋନ୍ର ଡୁ ନଟ୍ ଡିଷ୍ଟର୍ବ ମୋଡ୍କୁ ମଧ୍ୟ ବାଇପାସ୍ କରି ଜୋର୍ରେ ଆଲାର୍ମ ବଜାଇପାରେ ।
ତେବେ ଏହି ସୁବିଧା ପାଇବାକୁ ଫୋନ୍ରେ ଇଣ୍ଟରନେଟ୍, ଲୋକେସନ୍ ଏବଂ ଆର୍ଥକ୍ୱେକ୍ ଆଲର୍ଟ ସେଟିଂ ଚାଲୁ ରଖିବା ଜରୁରୀ ।
ମନେ ରଖନ୍ତୁ, ଏହି ଆଲର୍ଟ ଆପଣଙ୍କୁ କିଛି ସେକେଣ୍ଡର ସୁଯୋଗ ଦେଇପାରେ, କିନ୍ତୁ ସବୁ କ୍ଷେତ୍ରରେ ଆଲର୍ଟ ମିଳିବା ନିଶ୍ଚିତ ନୁହେଁ ।
ତେଣୁ ବିପଦ ସମୟରେ ସତର୍କତା ଓ ସୁରକ୍ଷା ନିୟମ ପାଳନ ହିଁ ସବୁଠାରୁ ବଡ଼ ସୁରକ୍ଷା କବଚ ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।