Editorial: ଅସହାୟ ଚାଷୀଙ୍କ ନୂଆ ସମସ୍ୟା: ଷଣ୍ଢ ଉତ୍ପାତ
"ନିରଞ୍ଜନ ପଟ୍ଟନାୟକ ଓଡ଼ିଶାରେ ଖଣିଜ କଳା ଆଇନର ପ୍ରଚଳନ ଓ ପିଲାଙ୍କ ପଢ଼ା ବହି ସମସ୍ୟା ଭିତରେ ଏକ ବଡ଼ ସମସ୍ୟା ହଜିଯାଉଛି।
ସେ ସଂପର୍କରେ ଦିପଦ କହୁଛି।
ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ।
ଏହି ରାଜ୍ୟର ୮୧% ଲୋକ ଗ୍ରାମାଞ୍ଚଳରେ ବସବାସ କରନ୍ତି।
ଆଜିକାଲି ଗ୍ରାମାଞ୍ଚଳରେ ଅନ୍ୟାନ୍ୟ ବ୍ୟବସାୟ କରାଯାଉଥିଲେ ମଧ୍ୟ ଲୋକମାନଙ୍କର ମୁଖ୍ୟ ଜୀବିକା ହେଉଛି କୃଷି।
ସରକାରୀ ତଥ୍ୟ ଅନୁସାରେ ୨୦୨୪-୨୫ରେ ଓଡ଼ିଶାର ମୋଟ ଭୌଗୋଳିକ ଅଞ୍ଚଳର ପ୍ରାୟ ୩୬.୨% ଜମି ଚାଷ ଉପଯୋଗୀ ଥିଲା।
ଚାଷୀମାନଙ୍କର ମୌଳିକ ଆବଶ୍ୟକତା ହେଲା ଜଳସେଚନ, ବିହନ ଓ ସାର।
ଏ ସବୁ ଠିକ୍ ସମୟରେ ନ ମିଳିଲେ ଚାଷୀ କ୍ଷତିରେ ପଡ଼ିବ।
ସରକାରଙ୍କ ତଥ୍ୟ କହୁଛି- ୧୯୮୧ ବେଳକୁ ରାଜ୍ୟର ପ୍ରାୟ ୭୪.୭% ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କୃଷି ସହ ଯୋଡ଼ି ହୋଇଥିଲେ।
୨୦୦୧ ବେଳକୁ ଏହି ଅନୁପାତ ୫୨.୭%କୁ ଖସି ଆସିଥିଲା ବେଳେ, ୨୦୨୪ ବେଳକୁ ତାହା ୪୮.୬% ହେଲାଣି।
ଏହାର କାରଣ ଅନେକ ହୋଇପାରେ।
ପାଣିପାଗର ଅସ୍ଥିରତା, ରୋଗପୋକଙ୍କ ଉପଦ୍ରବ, ଦୈବୀ ଦୁର୍ବିପାକ ଆଦି ଭଳି କାରଣରୁ ଅନେକ ଲୋକ କୃଷି ପ୍ରତି ଆଗ୍ରହ ଦେଖାଉ ନାହାନ୍ତି।
ଅନ୍ୟ ପକ୍ଷରେ ଗାଁ ଗହଳରେ ଆଉ ଚାଷ କାମ କରିବାକୁ କୃଷି ଶ୍ରମିକ ମିଳୁନାହାନ୍ତି।
ବିହନ, ସାର, କୀଟନାଶକର ଦର ଆକାଶ ଛୁଆଁ ହେଲାଣି।
ଧାନକୁ ବାଦ୍ ଦେଇ ଯୋଉମାନେ ପନିପରିବା ଚାଷ କରୁଛନ୍ତି, ତାଙ୍କ ପାଇଁ ବଜାର ନାହିଁ।
କୃଷିଭିତ୍ତିକ ଶିଳ୍ପ ଆଉ ନୂଆ ତ ବସାଯାଉନାହିଁ; ପୁରୁଣା ଚିନିକଳ, ସୂତାକଳ ସବୁ ବନ୍ଦ ହୋଇଗଲାଣି।
ଫଳରେ ଉପକୂଳର ଆଖୁଚାଷ ଓ କଳାହାଣ୍ଡି, କୋରାପୁଟ ଆଦି ଅଞ୍ଚଳର କପାଚାଷ ପ୍ରାୟ ବନ୍ଦ ହୋଇଗଲାଣି।
ଉପକୂଳରେ ଏକଦା ଚାଷୀମାନଙ୍କର ମୁଖ୍ୟ ଆୟର ପନ୍ଥା ଥିଲା ଝୋଟ।
କୃଷିଭିତ୍ତିକ ଶିଳ୍ପ ନ ଥିବାରୁ ଏବଂ ଝୋଟର ବଜାର ନ ଥିବାରୁ ନଳିତା ଚାଷ କାଁ ଭାଁ ହେଉଛି।
ନବରଙ୍ଗପୁର ଅଞ୍ଚଳର ଚାଷୀମାନେ ଭଲ ମକା ଚାଷ କରନ୍ତି।
ଆଜିକାଲି ଇଥାନଲ ଶିଳ୍ପ ପାଇଁ ମକାର ଅବଶ୍ୟକତା ଥିବାରୁ ଓଡ଼ିଶାରେ ମକା ଚାଷ ଏକ ଲାଭଜନକ ଚାଷ ହୋଇପାରନ୍ତା।
କିନ୍ତୁ ଆଶ୍ଚର୍ଯ୍ୟର କଥା ଓଡ଼ିଶାରେ ଗୋଟିଏ କିଲୋଗ୍ରାମର ମକା ମଞ୍ଜି ମିଳେ ନାହିଁ।
ଚାଷୀମାନେ ବାହାର ରାଜ୍ୟରୁ ଅଧିକ ଦରରେ ମଞ୍ଜି କିଣନ୍ତି।
ଜାନକୀ ବାବୁଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ୧୯୯୫-୨୦୦୦ ମସିହା ମଧ୍ୟରେ "ଆପିକଲ୍" ପ୍ରତିଷ୍ଠା ହୋଇଥିଲା।
ସେତେବେଳେ ଲକ୍ଷ୍ୟ ଥିଲା- ଶିଳ୍ପ ପାଇଁ ଯେମିତି "ଇପିକଲ୍", ଓଡ଼ିଶାର କୃଷକମାନଙ୍କ ବିକାଶ ପାଇଁ ସେମିତି "ଆପିକଲ୍"।
ସେତେବେଳକୁ ଓଡ଼ିଶାର ଜଳସେଚିତ ଜମିର ପରିମାଣ ଥିଲା ୩୦ ପ୍ରତିଶତ।
ତେଣୁ ନବମ ପଞ୍ଚବାର୍ଷିକ ଯୋଜନାରେ ୫୦% ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ରଖାଯାଇଥିଲା।
ନବରଙ୍ଗପୁରରେ ତ ଆଦିବାସୀମାନେ ନିୟୁତ କୂପ ଯୋଜନାରେ କେତେକ ବଡ଼ ବଡ଼ କୂପ କରି କୋବି ପ୍ରଭୃତି ପନିପରିବା ଚାଷ କରି ବେଶ୍ ଲାଭବାନ ହୋଇଥିଲେ।
ଏବେ ଓଡ଼ିଶାର ୪୪% ଲୋକ ଚାଷ କାମ କରୁଛନ୍ତି।
ମିଲେଟ୍ ଚାଷୀ ମଧ୍ୟ ଓଡ଼ିଶାରେ ଆଖିଦୃଶିଆ ବଢ଼ିଛନ୍ତି।
ଓଡ଼ିଶାରେ ଚାଷର ବିବିଧତା ବଢ଼ିଛି।
ଫୁଲ ଚାଷଠାରୁ ଫଳ ଚାଷ, ପନିପରିବା ଚାଷଠାରୁ ମିଲେଟ୍ ଚାଷରେ ଲୋକମାନଙ୍କର ଆଗ୍ରହ ବଢ଼ିଛି।
କିନ୍ତୁ ଚାଷୀ ଓ ଚାଷକ୍ଷେତରେ ନିୟୋଜିତ ଲୋକଙ୍କ ସଂଖ୍ୟା କାହିଁକି ଦିନକୁ ଦିନ କମିଯାଉଛି।
ଏ ନେଇ ମୁଖ୍ୟତଃ ଦୁଇ ତିନିଟି ସମସ୍ୟା ଆମ ସାମନାକୁ ଆସୁଛି।
ଗୋଟିଏ ହେଲା- ଯୁବକମାନଙ୍କର କୃଷି କ୍ଷେତ୍ର ପ୍ରତି ଅନାଗ୍ରହ।
ସେମାନେ ବିଲାବାଡ଼ି କାମଠାରୁ ବାହାର ରାଜ୍ୟରେ ଯାଇ ଦାଦନ ଖଟିବାକୁ ପସନ୍ଦ କରୁଛନ୍ତି।
ବନ୍ୟା, ବାତ୍ୟା, ଅନିୟମିତ ବର୍ଷା ଆଦି କୃଷି କ୍ଷେତ୍ରରେ ପ୍ରତିବନ୍ଧକ ହୋଇ ଠିଆ ହେଉଛି।
ଚାଷୀ ତା" ଉତ୍ପାଦିତ ଫସଲକୁ ବିକ୍ରି କରି ଲାଭ ପାଉନି, ବରଂ ମଧ୍ୟସ୍ଥି, ମଣ୍ଡି, ପ୍ରୋସେସିଂବାଲା, ରିଟେଲର ଅଧିକ ଲାଭ ପାଇଯାଉଛନ୍ତି।
ତୃତୀୟ କାରଣଟି ହେଲା- ଗ୍ରାମାଞ୍ଚଳର ଲୋକଙ୍କ ହାତକୁ କାମ ନଦେଇ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ କିଛି କିଛି ଟଙ୍କାର ଥୋପ ସରକାର ପକାଇ ଦେଉଥିବାରୁ କର୍ମ ସଂସ୍କୃତି ନଷ୍ଟ ହୋଇଗଲାଣି।
ତେଣୁ ଚାଷ ଜମି ପଡ଼ିଆ ପଡୁଛି।
ଏ ସବୁ ସମସ୍ୟା ପରେ ଏବେ ଏକ ଉତ୍କଟ ନୂଆ ସମସ୍ୟା ଛିଡ଼ା ହେଲାଣି।
ତାହା ହେଲା ଷଣ୍ଢ ସମସ୍ୟା।
ଓଡ଼ିଶା ସରକାରଙ୍କ ୨୦୧୯ର ତଥ୍ୟ ଅନୁସାରେ ସେତେବେଳେ ମୋଟ ଗୋରୁ ଗାଈ ଥିଲେ ପ୍ରାୟ ୯୯.୦୪ ଲକ୍ଷ।
ସେଥିରେ ମାଈ ଗୋରୁ ଥିଲେ ୫୮.୪ ଲକ୍ଷ ଓ ଅବଶିଷ୍ଟ ପ୍ରାୟ ୪୦.୬ ଲକ୍ଷ ଥିଲେ ଅଣ୍ଡିରା ଗୋରୁ।
ଏଥିରେ ଷଣ୍ଢ, ବଳଦ, ଦାମୁଡ଼ି ଇତ୍ୟାଦି ଥିଲେ।
ତେବେ ୨୦୧୯ରେ ଲୋକସଭାରେ କେନ୍ଦ୍ର ସରକାର ଓଡ଼ିଶାର ବୁଲାଗୋରୁଙ୍କ ସଂଖ୍ୟା ଉଲ୍ଲେଖ କରି କହିଥିଲେ ଯେ, ଏହି ସଂଖ୍ୟା ପ୍ରାୟ ୧,୫୧,୭୦୩ ଥିଲା।
ଏହି ବୁଲା ଗୋରୁଙ୍କ ମଧ୍ୟରୁ ୯୦% ହେଉଛନ୍ତି ଷଣ୍ଢ।
ଲୋକେ ଆଜିକାଲି ଆଉ ଚାଷରେ ବଳଦ ବ୍ୟବହାର କରୁ ନଥିବାରୁ ଅଣ୍ଡିରା ଗୋରୁମାନଙ୍କୁ ଅଦରକାରୀ ଭାବି ଛାଡ଼ି ଦେଉଛନ୍ତି।
ସେଗୁଡ଼ିକ ଷଣ୍ଢ ହୋଇ ଗାଁରୁ ସହର ବୁଲୁଛନ୍ତି।
ସରକାରଙ୍କ ଅଧୀନରେ ଅନୁଗୋଳ, ବାଲେଶ୍ୱର, କଟକ, ଖୋର୍ଦ୍ଧାରେ କେତୋଟି ଗୋଶାଳା ଅଛି।
ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁ ସଂପଦ ବିକାଶ ବିଭାଗ ଅଧୀନରେ "ଏଷ୍ଟାବ୍ଲିସମେଣ୍ଟ ଅଫ ନ୍ୟୁ ଷ୍ଟ୍ରେ କ୍ୟାଟଲ ସେଲ୍ଟର ହାଉସ ଆଣ୍ଡ୍ ଗୋଶାଳା" ଯୋଜନା ଅଛି।
କିନ୍ତୁ ଯୋଜନା ଯୋଜନା ବାଟରେ।
ଏବେ ଗାଁ ଗହଳରେ ଲୋକେ ଷଣ୍ଢଙ୍କ ଉତ୍ପାତ ଯୋଗୁଁ ତ୍ରାହି ତ୍ରାହି ଡାକିଲେଣି।
ନିକଟରେ ବନ୍ୟା ପରବର୍ତ୍ତୀ ଲୋକଙ୍କ ଅବସ୍ଥା ଦେଖିବାକୁ ମୁଁ କେତେକ ସ୍ଥାନକୁ ଯାଇଥିଲି।
ଚାଷୀମାନେ କାନ୍ଦି କାନ୍ଦି କହିଲେ- ଆଜ୍ଞା, ବନ୍ୟା ବର୍ଷାରେ ଯାହା ଗଲା ତ ଗଲା, ଯେତିକି ଆମେ ବଂଚେଇ ରଖିଥିଲୁ, ସବୁ ଷଣ୍ଢ ମୁହଁରେ ଗଲା।
ଆଉ ଜଣେ ଚାଷୀ ତ ତାଙ୍କ ଦୁଃଖ ଜଣାଇ କହିଲେ- ଆଜ୍ଞା, ମୋର ଚାରି ଏକର ଜମିରେ ରାତି ପାହିଲେ ତଳି ରୁଆ ହୋଇଥାନ୍ତା, ମୁଁ ରାତି ବାଆର ଯାଏ କିଆରି ଜଗିଲି।
ରାତିରେ ଘରକୁ ଆସିଲି।
ସକାଳେ, ମୂଲିଆ ନେଇ ବିଲରେ ପହଞ୍ଚିଲା ବେଳକୁ ସବୁ ତଳି ଷଣ୍ଢ ଖାଇ ଦେଇଛି।
ଓଡ଼ିଶାର ଅଧିକାଂଶ ଚାଷୀ ଏହି ନୂଆ ସମସ୍ୟାରେ ଅତିଷ୍ଠ।
ହାତୀ ଓ ମାଙ୍କଡ଼ ଆଦିଙ୍କ ଦ୍ବାରା ନୟାନ୍ତ ଚାଷୀମାନେ ଏବେ ହଜାର ହଜାର ବୁଲା ଷଣ୍ଢଙ୍କୁ କେମିତି ଆୟତ୍ତ କରିବେ ସେଇ ଚିନ୍ତାରେ!
ଷଣ୍ଢକୁ ତ ଆମ ସଂସ୍କୃତିର ମହାଦେବଙ୍କ ବାହନ ଭାବେ ପୂଜା କରାଯାଏ।
ପୁଣି ଏବେ ଗୋରକ୍ଷକ ଭୂମିକାର କିଛି ଲୋକ ଅବତୀର୍ଣ୍ଣ ହୋଇଥିବାରୁ ଷଣ୍ଢକୁ ଘଉଡ଼ାଇଲେ ସେମାନେ ପ୍ରତିରୋଧ କରିବେ।
ତେଣୁ ଚାଷୀମାନେ ଏବେ ଅସହାୟ।
୨୦୧୯ରେ ପ୍ରାୟ ୧.୯୦ କୋଟି ଗୋରୁ ଥିବା ଭାରତରୁ ଗୋ-ମହିଷାଦି ମାଂସର ପ୍ରାୟ ୪୦ ଭାଗ ରପ୍ତାନି କରୁଥିବା ଉତ୍ତରପ୍ରଦେଶ ରାଜ୍ୟରେ ଏପରି ଷଣ୍ଢଙ୍କର ଫସଲ ନଷ୍ଟର ଉଦାହରଣ ନାହିଁ।
କିନ୍ତୁ ଆମ ରାଜ୍ୟର ଚାଷୀମାନେ ସବୁପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମନା କରି ଚାଷ କରିବା ପରେ ତାହା ଯଦି ଷଣ୍ଢ ମୁହଁରେ ଯାଏ ସେମାନେ ଚାଷ ଛାଡ଼ି ଦାଦନ ଖଟିବାକୁ ବାଧ୍ୟ ହେବେ।
ନିକଟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କର ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି, ତାହା ମୋତେ ଆଶ୍ଚର୍ଯ୍ୟଚକିତ କରିଛି।
ଶ୍ରୀ ମଲ୍ଲିକ ଜଣାଇଛନ୍ତି ଯେ, ରାଜ୍ୟରେ ଏବେ ୨,୩୦,୪୦୩ଟି ଷଣ୍ଢ ଅଛନ୍ତି।
୨୦୨୪ରେ ପଶୁପକ୍ଷୀ ଗଣନା ଶେଷ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏଯାବତ୍ ତାହାର ବିବରଣୀ ପ୍ରଦାନ କରିନାହାନ୍ତି।
ବୋଧହୁଏ ମନ୍ତ୍ରୀ ମହୋଦୟ ପ୍ରୋଭିଜନାଲ ରିପୋର୍ଟ ଆଧାରରେ ଏହି ସଂଖ୍ୟା ଉଲ୍ଲେଖ କରିଛନ୍ତି।
କିନ୍ତୁ ସେହି ଉତ୍ତରରେ ସେ ଜଣାଇଛନ୍ତି ଯେ, ୨,୩୦,୪୦୩ଟି ଷଣ୍ଢ ମଧ୍ୟରୁ ୧,୦୧,୦୬୮ଟି ପ୍ରଜନନ କାର୍ଯ୍ୟରେ ଓ ୧,୨୯,୩୩୫ ଷଣ୍ଢଙ୍କୁ ଉଭୟ ପ୍ରଜନନ ଓ ଚାଷ କାର୍ଯ୍ୟରେ ବ୍ୟବହାର କରାଯାଉଛି।
ମୁଁ ଯେତିକି ଜାଣେ କଟକର ଖପୁରିଆ ଠାରେ ଏକ ଫ୍ରୋଜେନ ସିମେନ ବ୍ୟାଙ୍କ (ଏଫ୍ଏସ୍ବି) ଅଛି, ଯେଉଁଠାରେ ବୈଜ୍ଞାନିକ ପଦ୍ଧତିରେ ନିରୋଗ, ଜାତିଆ ଷଣ୍ଢମାନଙ୍କୁ ପାଳନ କରାଯାଏ।
ସେମାନଙ୍କ ଠାରୁ ଆଧୁନିକ ପଦ୍ଧତିରେ ସିମେନ ସଂଗ୍ରହ କରି କୃତ୍ରିମ ଉପାୟରେ ଗାଇମାନଙ୍କୁ ପ୍ରଜନନକ୍ଷମ କରାଯାଏ।
ଷଣ୍ଢ ମାଧ୍ୟମରେ ପ୍ରଜନନ ଗ୍ରାମାଞ୍ଚଳରେ ଏକ ପରିଚିତ କଥା।
କିନ୍ତୁ ସରକାରୀ ସ୍ତରରେ ଏପରି ପ୍ରଜନନ ହେଉଥିବା କଥା କେବଳ ଅବାସ୍ତବ ନୁହେଁ, ଅବୈଜ୍ଞାନିକ ଓ ଓଡ଼ିଶାର ଦୁଗ୍ଧ ଚାଷୀମାନଙ୍କ ପ୍ରତି ସରକାରଙ୍କର ଏକ ଉପହାସ ଭଳି ମନେ ହୁଏ।
ଦ୍ୱିତୀୟ କଥା ହେଲା, ଷଣ୍ଢଙ୍କୁ ଚାଷ କାର୍ଯ୍ୟରେ ବ୍ୟବହାର କରାଯାଉଛି ବୋଲି ଶୁଣି ଆଶ୍ଚର୍ଯ୍ୟ ଲାଗୁଛି।
ଏଇଥିରୁ ବୁଝାପଡୁଛି, ଓଡ଼ିଶାର ଚାଷୀମାନଙ୍କ ସମସ୍ୟା ପ୍ରତି ଏ ସରକାରର ଆନ୍ତରିକତା କେତେ!
ବାସ୍ତବରେ ସରକାରଙ୍କ ପ୍ରଦତ୍ତ ତଥ୍ୟଠାରୁ ବହୁ ଗୁଣରେ ଅଧିକ ଷଣ୍ଢ ଆମ ରାଜ୍ୟରେ ଅଛନ୍ତି।
କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ଷଣ୍ଢ ଥିବା କଥା ଜାଣି ମୁଁ ଆନନ୍ଦିତ ଓ ଦୁଃଖିତ।
କାରଣ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ଏବଂ ଅଧିକ ଷଣ୍ଢ ମଧ୍ୟ କେନ୍ଦୁଝର ଜିଲ୍ଲାରେ।
କେନ୍ଦୁଝର ଜିଲ୍ଲାର ଚାଷୀଙ୍କୁ ଏଥିରୁ ରକ୍ଷା କରିବା ପାଇଁ ଏକମାତ୍ର ଉପାୟ ହେଉଛି ଗୋଶାଳା ବା ଷଣ୍ଢଶାଳା ସ୍ଥାପନ।
ସରକାରଙ୍କ ଯୋଜନା ଅନୁସାରେ ପ୍ରତି ବ୍ଲକରେ ଗୋଶାଳା ପ୍ରତିଷ୍ଠା କରାଯାଉ।
ଏହାର ପ୍ରତିଷ୍ଠାରେ ସବସିଡିର ବ୍ୟବସ୍ଥା ଅଛି।
ତେଣୁ, ଗାଁ ଗହଳର ଯୁବକମାନଙ୍କୁ ପ୍ରୋତ୍ସାହନ ଦେଇ ବିଡିଓମାନଙ୍କ ଜରିଆରେ ଅଧିକରୁ ଅଧିକ ଷଣ୍ଢଶାଳା ପ୍ରତିଷ୍ଠା କରିବା ହିଁ ଏହି ସମାଧାନର ଏକମାତ୍ର ପନ୍ଥା।
ସେ ଦିଗରେ ସରକାର ଧ୍ୟାନ ଦିଅନ୍ତୁ।
ବୁଲା ଷଣ୍ଢମାନେ ଆମକୁ ପ୍ରଜନନରେ ଓ କୃଷିରେ ସାହାଯ୍ୟ କରୁଛନ୍ତି ବୋଲି କହି ସରକାର ଚାଷୀଙ୍କ କଟା ଘା"ରେ ଲୁଣ ନ ଦିଅନ୍ତୁ।(ମତାମତ ଲେଖକଙ୍କ ନିଜସ୍ବ)ପୂର୍ବତନ ମନ୍ତ୍ରୀ ଓ ପିସିସି ସଭାପତିAdvertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।