What I Think: ଯାହା ମୁଁ ଚିନ୍ତଇ: ଉତ୍ତର ଓ ତାକୁ ପାଇବାର ଉପାୟ
"ଶ୍ୟାମାପ୍ରସାଦ ଚୌଧୁରୀ ଗୋଟିଏ ଅଟ୍ଟାଳିକାର ଉଚ୍ଚତାକୁ କେମିତି ଅବା ମାପିହେବ କେବଳ ଗୋଟେ ହାତୁଡ଼ି ସାହାଯ୍ୟରେ?
ଜଣେ କହିଲେ, ହାତୁଡ଼ିର ଲମ୍ବ ଜଣା ଅଛି, ତେଣୁ, ତାକୁ ଛାତ ଉପରୁ ତଳକୁ ପକେଇ ଦେଇ ଭୂମିରେ ପଡ଼ିବାକୁ ଯେତେ ସମୟ ଲାଗିବ, ସେଥିରୁ ମାଧ୍ୟାକର୍ଷଣ ଶକ୍ତିର ବୈଜ୍ଞାନିକ ସମୀକରଣ ବ୍ୟବହାର କରି ହିସାବ କରିଦେବି।
ଆଉ ଜଣେ କହିଲେ, ହାତୁଡ଼ି ଓ ଅଟ୍ଟାଳିକାର ଛାଇ ଦୁଇଟିର ଦୈର୍ଘ୍ୟର ଆନୁପାତିକ ମାପ ଅନୁସାରେ ଗାଣିତିକ ତୁଳନା କରି ଜାଣିପାରିବି।
ତୃତୀୟ ଜଣକ କିନ୍ତୁ ଏକ ଅଦ୍ଭୁତ ଉତ୍ତର ଦେଲେ।
ସେ କହିଲେ, ଅଟ୍ଟାଳିକାର ଦାୟିତ୍ବରେ ଥିବା ମେନେଜରଙ୍କୁ ସେ କହିବେ, ""ଠିକ୍ ଉଚ୍ଚତା କେତେ କହିଦିଅନ୍ତୁ, ନ ହେଲେ ଏଇ ହାତୁଡ଼ିରେ ଆପଣଙ୍କ ମୁଣ୍ଡ ଫଟେଇଦେବି।"" ଉତ୍ତରଟି ନିଶ୍ଚିତ ଭାବରେ ଅନନ୍ୟ ଓ ରସିକତାରେ ପୂର୍ଣ୍ଣ।ଭୂମଧ୍ୟସାଗରର ମାଲାକ୍କା ଦ୍ବୀପରେ ଜନ୍ମିତ ଏବଂ ଡାକ୍ତରୀ ପାଠ ସାରି କେମ୍ବ୍ରିଜରେ ମଣିଷର ମନ ଓ ଭାବିବା ଚିନ୍ତିବା ସଂପର୍କରେ ଗଭୀର ଗବେଷଣା କରିଥିବା ଜଣେ ଦାର୍ଶନିକ ଏଡୱାର୍ଡ ଡି ବୋନୋ ଏପରି "ଅବାଗିଆ" ଭାବିବାକୁ "ଲାଟେରାଲ୍ ଥିଙ୍କିଙ୍ଗ୍" ବୋଲି କହି ଗତ ଶତାବ୍ଦୀର ସପ୍ତମ ଦଶକରେ, ଚିନ୍ତା ଜଗତର ଅନେକ ଚା" କପରେ ବୌଦ୍ଧିକ ଝଡ଼ ସୃଷ୍ଟି କରିଥିଲେ।
ତାଙ୍କ ମତରେ, ଏହା ଗୋଟେ ପ୍ରକାରର ସୃଜନଶୀଳ ଅନ୍ତର୍ଦୃଷ୍ଟି।
ସରଳରୈଖିକ ଏକମୁଖୀ ଚିନ୍ତନ ପରି ପାରମ୍ପରିକ ନୁହେଁ।
ଏକବାରେ ଅଲଗା ଏବଂ ଅପ୍ରତ୍ୟାଶିତ।
କିନ୍ତୁ ଅସୁବିଧା ଏଇଆ ଯେ, ଆମର ପୁରୁଣା ଅଭିଜ୍ଞତା ଆମକୁ ଚିରାଚରିତ ରାସ୍ତାରେ ହିଁ ସବୁବେଳେ ଚଲାଇବାକୁ ଚାହେଁ।
ଉତ୍ତର ଖୋଜିବା ଯେତେ ନୁହେଁ, ତାକୁ ପାଇବାର ଉପାୟ, ଆମକୁ କାଳେକାଳେ ଅଧିକ ଚମତ୍କୃତ କରିଥାଏ।
ପ୍ରାୟ କୋଡ଼ିଏ ବର୍ଷ ପରେ, ସେଇ ଡି ବୋନୋ ତାଙ୍କର "ସିକ୍ସ ଥିଙ୍କିଙ୍ଗ୍ ହାଟ୍ସ" ବା "ଛଅଟି ଚିନ୍ତନ ଟୋପି"ର ନୂଆ ଗୋଟେ ମନସ୍ତାତ୍ତ୍ୱିକ ସୁନାମି ବୁହାଇ ଦେଇଥିଲେ।
ତେବେ, ଛଅଟି ଟୋପି କଥା କହିଥିଲେ ବୋଲି ମଣିଷ ଯେ ମାତ୍ର ଛଅ ପ୍ରକାରେ ଚିନ୍ତା କରିପାରେ, ଏ କଥା ନୁହେଁ।
ତେବେ, ତାଙ୍କ ଭାବିବାରେ, ଧଳା ଟୋପିବାଲା ତଥ୍ୟ, ଲାଲବାଲା ଅନ୍ତର୍ଦୃଷ୍ଟି, କଳା ଦେଖିବ ବିପଦକୁ।
ହଳଦିଆ ଲାଭ, ସବୁଜ ନୂଆ ବିକଳ୍ପ ଏବଂ ନୀଳ ଟୋପିବାଲା ସମଗ୍ର ଚିନ୍ତନ ପ୍ରକ୍ରିୟାକୁ ଦେଖିବ।
ଏହା ଆମର ଚିନ୍ତନ-ପ୍ରଣାଳୀକୁ ବ୍ୟବସ୍ଥିତ କରିବାର ଗୋଟେ କଳ୍ପିତ ଡିଜାଇନ ମାତ୍ର!
ମଣିଷ ଛଅରୁ ଅଧିକ ପ୍ରକାରେ ନିଶ୍ଚୟ ଚିନ୍ତା କରିପାରେ।
ଯେମିତି ନୈତିକ ବିଚାର ପାଇଁ ବାଇଗଣୀ କିମ୍ବା ବ୍ୟାବହାରିକ ଅନୁଭବ ପାଇଁ ବାଦାମୀକୁ ମଧ୍ୟ ସେ ସହଜରେ ଯୋଡ଼ି ଦେଇ ପାରିଥାନ୍ତେ।
ତେବେ, ଆବୁରୁଜାବୁରୁ ଚିନ୍ତିବା ବଦଳରେ, ଅଲଗା ଅଲଗା କରି, ପ୍ରତ୍ୟେକକୁ ନିଜ ନିଜ ସମୟରେ ଦେଖିବା ଇ ଥିଲା ତାଙ୍କର ଅସଲ ଉଦ୍ଦେଶ୍ୟ!
ଆମର ଚିନ୍ତା କରିବାର ଷ୍ଟାଇଲକୁ ବଦଳାଇ ଦେବା ଦରକାର ବୋଲି ଡି ବୋନୋ କହୁଥିଲେ।
ବିଶେଷ କରି, କୌଣସି ସାଂଗଠନିକ ବିଚାର-ବିମର୍ଶରେ ସମସ୍ତେ ଏକା ସାଙ୍ଗେ ତର୍କ, ଭୟ, ଆଶା ଓ ନୂଆ ଧାରଣାକୁ ମିଶାଇ ଦେଲେ, ତାହା ଖୁବ୍ ଶୀଘ୍ର ବ୍ୟକ୍ତିଗତ ବିବାଦକୁ ବଦଳିଯାଏ।
ତେଣୁ, ସତେ ଅବା ଗୋଟିଏ ରଙ୍ଗର ଟୋପି ପିନ୍ଧିଲେ, କିଛି ସମୟ ପାଇଁ, ସଭିଏଁ କେବଳ ଗୋଟେ ପ୍ରକାରେ ଚିନ୍ତା କରିବେ। "କଳା ଟୋପି" ପିନ୍ଧି ଯଦି ଏକାଠି ବିପଦ ଖୋଜିବେ, "ସବୁଜ ଟୋପି" ପିନ୍ଧି ଏକାଠି ବିକଳ୍ପ ବି ପାଇବେ।
ଏଇ ଇଚ୍ଛାକୃତ ଟୋପି ବଦଳ ହିଁ, ଉତ୍ତର ପାଇବାର ତାତ୍କାଳିକ ଓ ବ୍ୟାବହାରିକ ମୂଲ୍ୟ ଓ ଉପାୟ।ଆମେ ଗୋଟେ ଭ୍ରମରେ ଜିଇ ଯାଉ ଯେ, ପ୍ରତ୍ୟେକ ପ୍ରଶ୍ନର ଥାଏ, ସତେ ଯେମିତି ଗୋଟିଏ ମାତ୍ର ଉତ୍ତର!
କିନ୍ତୁ, କୌଣସି ଘଟଣା ଏକୁଟିଆ ଘଟେନାହିଁ, କି କୌଣସି କାରଣ ତାକୁ ଏକୁଟିଆ ଘଟାଇ ପାରେନାହିଁ।
ଯଦିଓ ଗୋଟିଏ ପରିଣାମକୁ ଅଲଗା କରି ଭାବିହୁଏ, ତଥାପି ତା" ପଛରେ ଏକାଧିକ କାରଣ ନିଶ୍ଚୟ ଥାଏ ଏବଂ ସେସବୁ ଏକା ସାଙ୍ଗରେ ମଧ୍ୟ କାମ କରିଥାନ୍ତି।
ସେମିତି, କୌଣସି ପ୍ରଶ୍ନ ଏକୁଟିଆ ଉଭା ହେଲେ ବି, ତା"ର ଉତ୍ତର କିନ୍ତୁ ଗୋଟିଏ ହେବା ନା ସମ୍ଭବ ନା ସ୍ବାଭାବିକ।
ଆରିଷ୍ଟଟଲଙ୍କ କାରଣ-ତତ୍ତ୍ୱ ଅନୁସାରେ କୌଣସି ଘଟଣା ବା ବସ୍ତୁକୁ ଠିକ୍ଭାବେ ବୁଝିବାକୁ ତା"ର ଚାରି ପ୍ରକାରର କାରଣକୁ ପ୍ରଥମେ ବୁଝିବା ଦରକାର।
ପଦାର୍ଥଗତ, ରୂପଗତ, କାର୍ଯ୍ୟକାରୀ ଓ ଉଦ୍ଦେଶ୍ୟଗତ କାରଣ।
ଅର୍ଥାତ୍ ଏହା କେଉଁଥିରୁ ତିଆରି, ଏହାର ଆକାର ସେମିତି ହେଲା କିପରି, ଏହାକୁ କିଏ ବା କ"ଣ ଘଟେଇଲା ଏବଂ ଏହାର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ କ"ଣ।
ଅଭ୍ୟାସ ଯୋଗୁଁ ବା ଅସୁବିଧାର ନପଡ଼ିବା ପାଇଁ, ଆମେ ଥରେଥରେ ଗୋଟିଏ କାରଣକୁ ବାଛିନେଉ।
ଗୋଟିଏ ବ୍ୟାଖ୍ୟାକୁ ଗ୍ରହଣ କରିନେଉ।
ଗୋଟିଏ ଉତ୍ତରରେ ଅଟକି ଯାଉ।
ଆମ ମନ କିନ୍ତୁ, ଗୋପନରେ ସବୁବେଳେ ଗୋଟେ ନିଃଶବ୍ଦ ନିଶ୍ଚିତତାକୁ ଖୋଜୁଥାଏ।
ଉପକରଣ ତିଆରି କରିବା ସାଙ୍ଗକୁ, ମଣିଷର ମନ ଉପାୟ ମଧ୍ୟ ତିଆରି କରେ।
କିଛିକୁ ଅନ୍ୟ କିଛି ଭାବରେ ବ୍ୟବହାର କରିବାର ଉପାୟ।
ହାତୁଡ଼ି ଦ୍ୱାରା କଣ୍ଟା ପିଟାଯାଏ, ମୁଣ୍ଡ ଫଟେଇ ଦେବାର ଧମକ ବି ଦେଇହୁଏ।
ଅର୍ଥାତ୍ ଆମର କୌଣସି ପୂର୍ବାନୁମାନ ଅଥବା ପୂର୍ବାଭ୍ୟାସ ବସ୍ତୁ ବା ଭାବନାର ବ୍ୟବହାରକୁ ନିର୍ଦ୍ଦିଷ୍ଟ ଓ ସୀମିତ କରିଦିଏ ନାହିଁ।
ଥରେ ଥରେ ଉତ୍ତର କହେ, ଉଚ୍ଚତା ଯେତିକି, ଗଭୀରତା ଠିକ୍ ସେତିକି।
କିନ୍ତୁ, ଆଉ ଥରେ କହେ, ଉଚ୍ଚତା ନିଜଠୁ ଛୋଟ ଏବଂ ଗଭୀରତା ଅନ୍ୟ ସବୁ କିଛିଠୁ କେତେ ଅଧିକ ଗଭୀର!
ଜୀବନରେ ସବୁକିଛିକୁ ମାପିବା କେମିତି କେଜାଣି ଅନିବାର୍ଯ୍ୟ ମନେହୁଏ।
ଆମେରିକାରେ ଜନ୍ମିତ ମୋର ଅନ୍ୟତମ ପ୍ରିୟ ବ୍ରିଟିସ କବି ଏଲିଅଟ୍ ଗୋଟେ ଲମ୍ବା ପ୍ରେମ କବିତାରେ ହଠାତ୍ ଦିନେ କହିଦେଲେ ଯେ, ସେ ତାଙ୍କ ଜୀବନକୁ କଫି ଚାମଚରେ ମାପିସାରିଛନ୍ତି!
ହେ, କେଉଁଠୁ ଏବେ, ଖୋଜିବି ସେ କଫି ଚାମଚକୁ?
କେଉଁଠୁ ପାଇବି ପୁଣି ମୋର ସମୁଦାୟ ଜୀବନକୁ ଏକାଠି ଏକାବେଳେ ଯେ, ନିଜେ ବି ସେଭଳି ଥରେ ତାକୁ ମାପିପାରିବି?
କବିଙ୍କର ଅନ୍ୟ ଗୋଟେ କବିତା ପଢ଼ିଲାବେଳେ ବୁଝେ, କଫି ଚାମଚ ଜୀବନକୁ ମାପେ ଅଦ୍ଭୁତ ଖିଆଲରେ, ସ୍ମୃତି ଓ ସ୍ୱପ୍ନର ନିଷ୍ଠୁର ଅବବୋଧ ହିସାବରେ!
ମାପିବାର ଅର୍ଥ ସବୁବେଳେ, କୌଣସି ସଂଖ୍ୟାରେ ପହଞ୍ଚିବା ନୁହେଁ।
ଜୀବନର ଅସ୍ପଷ୍ଟ ଓ ଅତୃପ୍ତ ଅନୁଭବଗୁଡ଼ିକୁ ଛୁଇଁବା ବି, ଗୋଟେ ପ୍ରକାରର ମାପିବା।
ଅସମ୍ଭବ ଭାବନା, ଅଭାବିତ ଉତ୍ତର ଦିଏ।
ଅଦ୍ଭୁତ କାରଣ କହେ।
ପଚାରୁଥିବା ମଣିଷ ବି ଜାଣେ, ଉତ୍ତରକୁ ଖୋଜା ଯାଏ ନାହିଁ କି ଖୋଜିଲେ ବି ତାହା ମିଳେନାହିଁ।
କିଛି ଗୋଟେ ପାଇଲେ କିନ୍ତୁ, ହଠାତ୍ ମନେହୁଏ, ତାହା ହିଁ ନିଶ୍ଚେ ପାଇବାର ଅନନ୍ୟ ଉପାୟ ଏବଂ ଠିକ୍ ନହେଲେ ନାହିଁ, କୌଣସି ବି ପ୍ରଶ୍ନର ଏକମାତ୍ର ଉତ୍ତର। (ମତାମତ ଲେଖକଙ୍କ ନିଜସ୍ବ)ମୋ: ୮୯୦୨୧୯୪୯୪୯Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।