Editorial: ଜଟିଳ ତୈଳ
ସରକାର ଯଦି ଅଗତ୍ୟା ଶେଷରେ ‘ଓଏମ୍ସି’ମାନଙ୍କୁ ପେଟ୍ରୋଲ ଓ ଡିଜେଲର ଖାଉଟି ବିକ୍ରୟ ଦରରେ ବୃଦ୍ଧି ଘଟାଇବାକୁ ଅନୁମତି ପ୍ରଦାନ କରନ୍ତି, ଆମେ ଆଶ୍ଚର୍ଯ୍ୟ ହେବୁ ନାହିଁ। ସରକାର ହୁଏତ ଦୁର୍ବଳ ବର୍ଗର ଖାଉଟିମାନଙ୍କ ଉପରେ ତଜ୍ଜନିତ ଆର୍ଥିକ ବୋଝ ଲାଘବ କରିବାକୁ କେବଳ ସେମାନଙ୍କୁ ଏଥିପାଇଁ ଏକ ସବ୍ସିଡି ପ୍ରଦାନ କରିବାର ଉପାୟ ଚିନ୍ତା କରିପାରନ୍ତି। ଏଭଳି ସବ୍ସିଡି ମଧ୍ୟ ସାମୟିକ ହେବା ଆବଶ୍ୟକ, ଯାହାର ତୈଳ ଦରରେ ଭବିଷ୍ୟତରେ ସମ୍ଭାବ୍ୟ ହ୍ରାସ ସହିତ ଅନ୍ତ ଘଟିବା ଉଚିତ ହେବ।
ଇରାନ ଯୁଦ୍ଧ ଓ ତଜ୍ଜନିତ ତୈଳ ସଂକଟରେ ନିକଟ ଭବିଷ୍ୟତରେ ଉନ୍ନତି ଘଟିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଏଇ ସଂକଟର ଫଳସ୍ବରୂପ ଆନ୍ତର୍ଜାତିକ ତୈଳ ବଜାରରେ ଅଶୋଧିତ ତୈଳ ଅଧିକରୁ ଅଧିକ ଦୁର୍ମୂଲ୍ୟ ହେବାରେ ଲାଗି ତୈଳ ଆମଦାନିକାରୀ ଦେଶମାନଙ୍କ ପାଇଁ ଅସହନୀୟ ଆର୍ଥିକ ବୋଝ ସୃଷ୍ଟି କରିଚାଲିଛି। ଆମଦାନି ମାଧ୍ୟମରେ ନିଜର ତୈଳ ଆବଶ୍ୟକତାର ୮୫ ଶତାଂଶ ପୂରଣ କରିବାକୁ ପଡୁଥିବା ଭାରତ ଭଳି ଜନବହୁଳ ଦେଶ ପାଇଁ ଏହା ଯେ ବିଶେଷ ଚିନ୍ତାର ବିଷୟ ହୋଇଥାଏ, ତାହାର ଉଲ୍ଲେଖ ନିଷ୍ପ୍ରୟୋଜନ। ଭାରତରେ ତୈଳ ବିଶୋଧନାଗାରମାନଙ୍କୁ ବର୍ତ୍ତମାନ ଅଶୋଧିତ ତୈଳ ବ୍ୟାରେଲ ପିଛା ହାରାହାରି ୧୨୦ ଡଲାର ମୂଲ୍ୟ ଦେଇ କ୍ରୟ କରିବାକୁ ପଡୁଛି, ଯାହା ହେଉଛି ବିଗତ ୧୨ ବର୍ଷର ସର୍ବୋଚ୍ଚ ମାସିକ ହାରାହାରି ମୂଲ୍ୟ। ରୁଷିଆରୁ ଅପେକ୍ଷାକୃତ ଶସ୍ତାରେ ତୈଳ ଆମଦାନି ଆମର ବୋଝକୁ କିଛି ମାତ୍ରାରେ ଲାଘବ କରିଥିଲେ ହେଁ ଟ୍ରମ୍ପଙ୍କର ଟାରିଫ ନୀତିର ଅନିଶ୍ଚିତତା ଯୋଗୁଁ ତା’ ଉପରେ ବିଶେଷ ଭରସା କରାଯାଇ ପାରିବ ନାହିଁ। ନିକଟ ଭବିଷ୍ୟତରେ ଇରାନରୁ ତୈଳ ଆମଦାନି ପୁଣି ଆରମ୍ଭ ହେବାର ସମ୍ଭାବନା ମଧ୍ୟ ଅତ୍ୟନ୍ତ କ୍ଷୀଣ।
ଅନ୍ୟାନ୍ୟ ଆମଦାନି ଦ୍ରବ୍ୟମାନଙ୍କ ଭଳି ତୈଳର ଘରୋଇ ବଜାରରେ ଖୁଚୁରା ଦର ପୂରାପୂରି ଭାବରେ ଆନ୍ତର୍ଜାତିକ ବଜାର ଦର ଦ୍ବାରା ପରିଚାଳିତ ହୋଇ ନ ଥାଏ। କାରଣ ଯେଉଁ କେତେକ ଅତ୍ୟାବଶ୍ୟକ ଦ୍ରବ୍ୟମାନଙ୍କର ଦର ବୃଦ୍ଧି ପ୍ରତି ଖାଉଟିମାନେ ଅତ୍ୟନ୍ତ ସ୍ପର୍ଶକାତର ହୋଇଥାନ୍ତି, ସେଥିମଧ୍ୟରେ ଅଗ୍ରଗଣ୍ୟ ହେଉଛି ପେଟ୍ରୋଲ ଓ ଡିଜେଲ ଭଳି ଇନ୍ଧନ। ଏଥିରେ ଦର ବୃଦ୍ଧି ଜନସାଧାରଣଙ୍କୁ ତତ୍କାଳୀନ କ୍ଷମତାସୀନ ସରକାରଙ୍କ ପ୍ରତି ବିମୁଖ କରିବାର ଦୃଢ଼ ସମ୍ଭାବନା ଥିବାରୁ (ଏପରିକି ଆମେରିକା ପରି ପୃଥିବୀର ସର୍ବାଧିକ ଧନଶାଳୀ ଦେଶରେ ତୈଳ ଦର ବୃଦ୍ଧି ଏଇ କାରଣରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ କିପରି ଛାନିଆ କରିଦେଇ ଉଦ୍ଧାର ପାଇବା ପାଇଁ ରୁଷିଆର ଶରଣ ପଶିବାକୁ ବାଧ୍ୟ କରିଛି, ତାହା ଆମେ ଦେଖୁଛୁ) ସରକାର ସର୍ବଦା ଘରୋଇ ଖାଉଟି ଦର ବୃଦ୍ଧି ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରିଥାନ୍ତି।
ଏଇ କାରଣରୁ ଭାରତରେ ତୈଳ ବିକ୍ରୟ କଂପାନି (‘ଅଏଲ ମାର୍କେଟିଙ୍ଗ କଂପାନି’- ‘ଓଏମ୍ସି’)ମାନେ ଆବଶ୍ୟକତା ଅନୁଯାୟୀ ଦର ବୃଦ୍ଧି ଘଟାଇ ନ ପାରି ତଜ୍ଜନିତ କ୍ଷତି ସହିବାେର ଲାଗିଛନ୍ତି। ଅବଶ୍ୟ ସରକାର ମଧ୍ୟ ଆଂଶିକ ଭାବରେ ଏଇ କ୍ଷତି ବହନ କରିବାକୁ ବାଧ୍ୟ ହୋଇଛନ୍ତି। ଉଦାହରଣ ସ୍ବରୂପ ଗତ ମାର୍ଚ୍ଚରେ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଆଦାୟ କରୁଥିବା ସ୍ପେଶାଲ ଏକ୍ସାଇଜ ଡ୍ୟୁଟିରେ ଲିଟର ପିଛା ୧୦ ଟଙ୍କା ଲେଖାଏଁ ହ୍ରାସ ଘଟାଇଥିଲେ, ଯେଉଁଥିଯୋଗୁଁ ସରକାରଙ୍କୁ ବାର୍ଷିକ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡ଼ିଛି। ମଇ ମାସରେ ଅବଶ୍ୟ ଅନନ୍ୟୋପାୟ ହୋଇ ଏ ଦୁଇ ଇନ୍ଧନର ଖାଉଟି ମୂଲ୍ୟରେ ଚାରି କିସ୍ତିରେ କିଛିମାତ୍ରାରେ ବୃଦ୍ଧି ଘଟାଯାଇଥିଲା, ଯାହା ଥିଲା ପେଟ୍ରୋଲରେ ୭.୩୮ ଟଙ୍କା ଓ ଡିଜେଲରେ ୭.୫୨ ଟଙ୍କା। ଏହାର କାରଣ ହେଲା ସେତେବେଳକୁ ‘ଓଏମ୍ସି’ମାନଙ୍କର କ୍ଷତି ଅସହନୀୟ ସ୍ତରରେ ପହଞ୍ଚି ଯାଇଥିଲା: ଦୈନିକ ପ୍ରାୟ ୧,୦୦୦ କୋଟି ଟଙ୍କା। ଏଇ ଖାଉଟି ଦର ବୃଦ୍ଧି ପରେ, ସେଇ କ୍ଷତିର ଆକାର ଦୈନିକ ୬୦୦ କୋଟି ଟଙ୍କାକୁ ହ୍ରାସ ପାଇଥିଲା। ତେବେ ବି ‘ଓଏମ୍ସି’ମାନଙ୍କୁ ବହନ କରିବାକୁ ପଡୁଥିବା କ୍ଷତି ସମ୍ବନ୍ଧରେ ଏକ ଧାରଣା କରିବା ପାଇଁ ନିମ୍ନୋକ୍ତ ସୂଚନା ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ।
ତୈଳ ବିକ୍ରେତା କଂପାନି ‘ଏଚ୍ପିସିଏଲ୍’ ଦ୍ବାରା ପ୍ରକାଶିତ ସୂଚନା ଅନୁଯାୟୀ ବିଗତ ବିତ୍ତ ବର୍ଷର ଏପ୍ରିଲ-ସେପ୍ଟେମ୍ବର ସମୟ କାଳରେ କଂପାନି ୭,୯୭୦ କୋଟି ଟଙ୍କା ଲାଭ ଅର୍ଜନ କରିଥିବାବେଳେ ଚଳିତ ବିତ୍ତ ବର୍ଷର ଏଇ ସମୟ କାଳରେ କଂପାନିକୁ ପ୍ରାୟ ୮,୬୪୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଅନ୍ୟ ଏକ କଂପାନି ‘ବିପିସିଏଲ୍’ ଚଳିତ ବିତ୍ତ ବର୍ଷର ଏଇ ସମୟ କାଳରେ ୨,୯୯୦ କୋଟି ଟଙ୍କାର ଲାଭ ଅର୍ଜନ କରିଥିଲେ ହେଁ, ପୂର୍ବ ବର୍ଷ ତୁଳନାରେ ସେଥିରେ ୭୭ ଶତାଂଶ ହ୍ରାସ ଘଟିଛି।
ଏଥର କେନ୍ଦ୍ର ସରକାର ଏଇ କଂପାନିମାନଙ୍କୁ କେତେ ସହାୟତା ପ୍ରଦାନ କରିପାରିବେ ତାହା ସନ୍ଦେହଜନକ, କାରଣ ସରକାର ମଧ୍ୟ ସମ୍ବଳ ଅଭାବର ସମ୍ମୁଖୀନ। ଯଦିବା ଟିକସ ରାଜସ୍ବ ସଂଗ୍ରହ ବଜେଟରେ କରାଯାଇଥିବା ଅନୁମାନ ଅନୁସାରେ ସନ୍ତୋଷଜନକ ହୋଇଛି, ସାର ଉପରେ ସବ୍ସିଡି ପ୍ରଦାନରେ ବୃଦ୍ଧି ଭଳି ଅପ୍ରତ୍ୟାଶିତ ବ୍ୟୟ ବୃଦ୍ଧି ଯୋଗୁଁ ସରକାର ସମ୍ବଳ ନିଅଣ୍ଟର ସମ୍ମୁଖୀନ ହୋଇପାରନ୍ତି। ଯେହେତୁ ସରକାର ରାଜକୋଷୀୟ ନିଅଣ୍ଟକୁ ‘ଜିଡିପି’ର ୪.୩ ଶତାଂଶ ମଧ୍ୟରେ ସୀମିତ ରଖିବାକୁ ପ୍ରତିଶ୍ରୁତିବଦ୍ଧ, ସେଥିଯୋଗୁଁ ଋଣ ମାଧ୍ୟମରେ ସରକାରଙ୍କର ସମ୍ବଳ ସଂଗ୍ରହ କରିବାର କ୍ଷମତା ମଧ୍ୟ ସୀମିତ। ଯଦି ବି ସରକାର ଏଇ ସୀମାକୁ କେତେକାଂଶରେ କୋହଳ କରି ରାଜକୋଷୀୟ ନିଅଣ୍ଟରେ ବୃଦ୍ଧି ଘଟାନ୍ତି, ସେଥିଯୋଗୁଁ ପୁଞ୍ଜି ବଜାରରେ ସୁଧ ହାରରେ ବୃଦ୍ଧି ଘଟିବ, ଯାହା ଉଭୟ ବ୍ୟବସାୟ ଓ ଘରୋଇ ଋଣକର୍ତ୍ତା ମାନଙ୍କ ପାଇଁ ଅତିରିକ୍ତ ଆର୍ଥିକ ବୋଝ ସୃଷ୍ଟି କରିବ।
ତେଣୁ ସରକାର ଯଦି ଅଗତ୍ୟା ଶେଷରେ ‘ଓଏମ୍ସି’ମାନଙ୍କୁ ପେଟ୍ରୋଲ ଓ ଡିଜେଲର ଖାଉଟି ବିକ୍ରୟ ଦରରେ ବୃଦ୍ଧି ଘଟାଇବାକୁ ଅନୁମତି ପ୍ରଦାନ କରନ୍ତି, ଆମେ ଆଶ୍ଚର୍ଯ୍ୟ ହେବୁ ନାହିଁ। ସରକାର ହୁଏତ ଦୁର୍ବଳ ବର୍ଗର ଖାଉଟିମାନଙ୍କ ଉପରେ ତଜ୍ଜନିତ ଆର୍ଥିକ ବୋଝ ଲାଘବ କରିବାକୁ କେବଳ ସେମାନଙ୍କୁ ଏଥିପାଇଁ ଏକ ସବ୍ସିଡି ପ୍ରଦାନ କରିବାର ଉପାୟ ଚିନ୍ତା କରିପାରନ୍ତି। ଏଭଳି ସବ୍ସିଡି ମଧ୍ୟ ସାମୟିକ ହେବା ଆବଶ୍ୟକ, ଯାହାର ତୈଳ ଦରରେ ଭବିଷ୍ୟତରେ ସମ୍ଭାବ୍ୟ ହ୍ରାସ ସହିତ ଅନ୍ତ ଘଟିବା ଉଚିତ ହେବ।
ଖାଉଟି ତୈଳ ଦରରେ ଯଦି ବୃଦ୍ଧି ଘଟେ, ତାହା ତୈଳର ସାମଗ୍ରିକ ଚାହିଦାକୁ ସୀମିତ କରିବାରେ ସହାୟକ ହେବ, ଯାହା ଦ୍ବାରା ଭାରତର ତୈଳ ଆମଦାନି ସୀମିତ ହୋଇ ଦେଶର ବୈଦେଶିକ ମୁଦ୍ରାପାଣ୍ଠି ଉପରେ ଚାପ ହ୍ରାସ କରିବ। ଏହା ଆମର ‘ଚଳନ୍ତି ହିସାବ ନିଅଣ୍ଟ’ (‘କରେଣ୍ଟ ଆକାଉଣ୍ଟ ଡେଫିସିଟ୍’- ‘ସିଏଡି’) ଉପରେ ଚାପ ହ୍ରାସ କରିବ, ଯାହା ଟଙ୍କାର ବୈଦେଶିକ ବିନିମୟ ମୂଲ୍ୟରେ ଘଟିଚାଲିଥିବା ସ୍ଖଳନକୁ ଅଟକାଇବାରେ ସହାୟକ ହେବ। ମହଙ୍ଗା ପେଟ୍ରୋଲ ଓ ଡିଜେଲ ଲୋକମାନଙ୍କୁ ଅଧିକରୁ ଅଧିକ ଇଲେକ୍ଟ୍ରିକ ଗାଡ଼ି ବ୍ୟବହାର ପ୍ରତି ଆକର୍ଷିତ କରିବ, ଯାହା ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରାରେ ହ୍ରାସ ଘଟାଇବ। ତେବେ ଏସବୁ ହେଉଛି ଉତ୍ତମ ଅର୍ଥେନୖତିକ ଯୁକ୍ତି। କୁହାଯାଇଥାଏ ଉତ୍ତମ ଅର୍ଥନୀତି ହେଉଛି ଅଧମ ରାଜନୀତି। ତେଣୁ ରାଜନୈତିକ ଦୃଷ୍ଟିରୁ ଏହା କେତେ ଦୂର ଗ୍ରହଣୀୟ ହେବ, ତାହା ଘୋର ସନ୍ଦେହଜନକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।