Editorial: ଶକ୍ତି ପଞ୍ଚକ

Oct 06, 2026 - 02:25
Editorial: ଶକ୍ତି ପଞ୍ଚକ

"ବର୍ତ୍ତମାନ ପୃଥିବୀ ସମ୍ମୁଖୀନ ହୋଇଥିବା ବାଣିଜ୍ୟିକ ଅସ୍ଥିରତା, ଯୁଦ୍ଧ ଓ ତୈଳ ସଂକଟ ତଥା ମୁଦ୍ରାସ୍ଫୀତି ସମ୍ଭାବନା ଆଦି ଭଳି ପ୍ରତିବନ୍ଧକମାନଙ୍କର ଉଲ୍ଲେଖ କରି ଏହାର ସଫଳ ମୁକାବିଲା ନିମିତ୍ତ ପାଞ୍ଚଟି ନିର୍ଦ୍ଦିଷ୍ଟ କ୍ଷେତ୍ର ଉପରେ ଧ୍ୟାନ ଦେବା ପାଇଁ ଶକ୍ତିକାନ୍ତ ଦକ୍ଷିଣ ବିଶ୍ବର ଦେଶମାନଙ୍କୁ ଉପଦେଶ ଦେଇଛନ୍ତି।

ସେଗୁଡ଼ିକ ହେଲେ: ଖାଦ୍ୟ ନିରାପତ୍ତା, ବାଣିଜ୍ୟ ବିବିଧୀକରଣ, ଶକ୍ତି ପରିବର୍ତ୍ତନ (ଏନର୍ଜି ଟ୍ରାନ୍‌ଜିସନ), ସାମଗ୍ରିକ ଅର୍ଥନୈତିକ ସ୍ଥିରତା (ମାକ୍ରୋ-ଇକୋନୋମିକ ଷ୍ଟାବିଲିଟି) ଓ ନିଯୁକ୍ତି ସୃଷ୍ଟି।Advertisment ପଦାର୍ଥବିଜ୍ଞାନର ଏକ ସୁପରିଚିତ ଧାରଣାକୁ ଭିତ୍ତି କରି ଅର୍ଥଶାସ୍ତ୍ରରେ ଯେଉଁ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଧାରଣାର ଆବିର୍ଭାବ ଘଟିଛି, ତାହା ହେଉଛି- "ବିଶ୍ବ ଅର୍ଥନୈତିକ ଭାରକେନ୍ଦ୍ର" ("ଗ୍ଲୋବାଲ ଇକୋନୋମିକ ସେଣ୍ଟର ଅଫ ଗ୍ରାଭିଟି")। "ହୋମୋ ଇକୋନୋମିକ୍‌ସ" ବା "ଅର୍ଥନୈତିକ ମାନବ" ରୂପେ ପରିଚିତ ମାନବ ଜାତିର ସଦସ୍ୟମାନେ ପୃଥିବୀ ସାରା ବିକ୍ଷିପ୍ତ ଅବସ୍ଥାରେ ଥାଇ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟ ସଂପାଦନାରେ ବ୍ୟାପୃତ ଥାଆନ୍ତି; କିନ୍ତୁ ସେମାନଙ୍କ ଦ୍ବାରା ସଂପାଦିତ ଅର୍ଥନୈତିକ କାର୍ଯ୍ୟସବୁର ଗୁରୁତ୍ବ, ସଘନତା, ନିୟମିତତା ଆଦି ସମାନ ହୋଇ ନ ଥାଏ।

ଏ ସମସ୍ତର ହାରାହାରି ମୂଲ୍ୟ ସମ୍ବନ୍ଧରେ ଏକ ଧାରଣା କରିବା ପାଇଁ ଅର୍ଥନୀତିଜ୍ଞମାନେ ଯେଉଁ ଏକ ଅର୍ଥନୈତିକ ସୂଚକର ସାହାଯ୍ୟ ନେଇଥାନ୍ତି, ତାହା ହେଉଛି- "ମୋଟ ଜାତୀୟ ଉତ୍ପାଦ" ବା ଅଧିକ ସୁପରିଚିତ: "ଜିଡିପି"।ଅର୍ଥନୀତିଜ୍ଞମାନେ ସମଗ୍ର ପୃଥିବୀ ନାମକ ଗୋଲାକାର ଗ୍ରହରେ ଉତ୍ପାଦିତ ମୋଟ "ଜିଡିପି"ର ହିସାବ କରି ତାହାକୁ ଏଇ ଗୋଲକରେ ଅବସ୍ଥିତ ଶହଶହ ନିର୍ଦ୍ଦିଷ୍ଟ ଅଞ୍ଚଳ ଓ ସ୍ଥାନମାନଙ୍କରେ ଉତ୍ପାଦିତ "ଜିଡିପି"ର ସମଷ୍ଟି ରୂପେ ପ୍ରଦର୍ଶିତ କରିଥାଆନ୍ତି।

ପୃଥିବୀର ମୋଟ "ଜିଡିପି"କୁ ପ୍ରତ୍ୟେକ ଅଞ୍ଚଳର ଅବଦାନ ଅନୁସାରେ ଅନୁଶୀଳନକାରୀମାନେ ସେ ଅଞ୍ଚଳକୁ ଏକ ଗାଣିତିକ ମୂଲ୍ୟ ପ୍ରଦାନ କରିଥାନ୍ତି।

ଏଇ ଗାଣିତିକ ମୂଲ୍ୟମାନଙ୍କର ହାରାହାରି ମୂଲ୍ୟ ବାହାର କରିଲେ ତାହା ପୃଥିବୀର ଯେଉଁ ଅଞ୍ଚଳ ପ୍ରତି ପ୍ରଯୁଜ୍ୟ ହୋଇଥାଏ, ସେଇ ଅଞ୍ଚଳରେ "ବିଶ୍ବ ଅର୍ଥନୈତିକ ଭାରକେନ୍ଦ୍ର" ଅବସ୍ଥିତ ଥାଏ ବୋଲି ଜଣାପଡ଼ିଥାଏ।

ସ୍ବାଭାବିକ ଭାବରେ ପୃଥିବୀର ଯେଉଁ ଅଞ୍ଚଳରେ ଉତ୍ପାଦିତ "ଜିଡିପି"ର ଆକାର ବୃହତ୍ ହୋଇଥାଏ, ଅର୍ଥାତ୍ ଯେଉଁ ଅଞ୍ଚଳ ଅଧିକ ଅର୍ଥନୈତିକ ସମୃଦ୍ଧି ହାସଲ କରିଥାଏ, ସେଇ ଅଞ୍ଚଳରେ ଏଇ "ଅର୍ଥନୈତିକ ଭାରକେନ୍ଦ୍ର" ଅବସ୍ଥାନ କରିଥାଏ।ଅର୍ଥନୀତିଜ୍ଞମାନେ ପୃଥିବୀର ଅର୍ଥନୈତିକ ଇତିହାସର ସଯତ୍ନ ଅନୁଶୀଳନ କରି ଆବିଷ୍କାର କରିଛନ୍ତି ଯେ କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହି ଭାରକେନ୍ଦ୍ରର ଅବସ୍ଥାନ ଚିରସ୍ଥାୟୀ ନ ହୋଇ ଇତିହାସ ସାରା ସେଥିରେ ପରିବର୍ତ୍ତନ ଘଟିଚାଲିଛି।

ପ୍ରଥମ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏଇ ଭାରକେନ୍ଦ୍ରର ଅବସ୍ଥାନ ସ୍ଥଳୀ ଥିଲା ଏସିଆ।

ମୁଖ୍ୟତଃ ଯେଉଁ ଦୁଇଟି ଦେଶର ଅବଦାନ ଯୋଗୁଁ ଏହା ଘଟିଥିଲା, ସେମାନେ ହେଲେ ଭାରତ ଓ ଚୀନ।

ଏଇ କାଳଖଣ୍ଡରେ ଏ ଦୁଇ ଦେଶର ଜନସଂଖ୍ୟା ପୃଥିବୀରେ ବୃହତ୍ତମ ହୋଇଥିବା ସଙ୍ଗେ ସଙ୍ଗେ ଏଠାରେ ବିଶ୍ବ "ଜିଡିପି"ର ସର୍ବାଧିକ ଅଂଶ ଉତ୍ପାଦିତ ହେଉଥିଲା।

ଅଷ୍ଟାଦଶ ଶତାବ୍ଦୀରେ ପାଶ୍ଚାତ୍ୟ ଜଗତରେ ଶିଳ୍ପ ବିପ୍ଳବର ଆବିର୍ଭାବ ଘଟିବା ପରେ ଓ ଆମେରିକାର ଅର୍ଥନୈତିକ ଅଭ୍ୟୁଦୟ ଘଟିବା ପରେ ବିଶ୍ବ ଅର୍ଥନୈତିକ ମାନଚିତ୍ରରେ ସ୍ବାଭାବିକ ଭାବରେ ସେ ଅଞ୍ଚଳର ଓଜନରେ ଅଭୂତପୂର୍ବ ବୃଦ୍ଧି ଘଟିଲା ଓ ଅର୍ଥନୈତିକ ଭାରକେନ୍ଦ୍ରର ସ୍ଥାନାନ୍ତର ଘଟି ତାହା କ୍ରମେ ଘୁଞ୍ଚିଘୁଞ୍ଚି ଯାଇ ଆଟ୍‌ଲାଣ୍ଟିକ୍ ମହାସାଗରୀୟ ଅଞ୍ଚଳରେ ଅବସ୍ଥିତ ହେଲା।କିନ୍ତୁ ବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଜାପାନ ହାସଲ କରିଥିବା ଚମକପ୍ରଦ ଅଭିବୃଦ୍ଧି, ଅନ୍ୟ ପୂର୍ବଏସୀୟ ଦେଶମାନଙ୍କର ଦ୍ରୁତ ଅଗ୍ରଗତି ଏବଂ ନିକଟ ଅତୀତରେ ଚୀନ୍ ଓ ଭାରତରେ ହାସଲ ହୋଇ ଚାଲିଥିବା ଉଚ୍ଚ ହାରରେ ଅଭିବୃଦ୍ଧି ଦ୍ବାରା ଦୃଢ଼ ଭାବରେ ଆକର୍ଷିତ ହୋଇ ସେଇ ଭାରକେନ୍ଦ୍ର ୨୦୦୦ ଦଶକଠାରୁ ପୁଣି ପୂର୍ବମୁହଁା ଓଲଟ ଧାଇଁବାକୁ ଆରମ୍ଭ କରିଛି ବୋଲି ଅନୁଶୀଳନକାରୀ ଅର୍ଥନୀତିଜ୍ଞମାନେ ଆବିଷ୍କାର କରିଛନ୍ତି।

ସେମାନେ ହିସାବ କରି ଦେଖିଥିଲେ ‌େଯ ବର୍ଷକୁ ହାରାହାରି ପ୍ରାୟ ୧୪୦ କିଲୋମିଟର ଲେଖାଏଁ ପୂର୍ବକୁ ଗତି କରି ୨୦୦୮ ବେଳକୁ ଏହା ପୂର୍ବ ଇଉରୋପୀୟ ଦେଶ ରୋମାନିଆର ବୁଖାରେଷ୍ଟ ନିକଟରେ ପହଞ୍ଚି ଯାଇଥିଲା।

ବର୍ତ୍ତମାନର ଅର୍ଥନୈତିକ ଅଭିବୃଦ୍ଧି ଧାରାକୁ ବିଚାରକୁ ନେଇ ଅର୍ଥନୀତିଜ୍ଞମାନେ ଯେଉଁ ପୂର୍ବାନୁମାନ କରୁଛନ୍ତି, ତାହା ଅନୁସାରେ ୨୦୫୦ ସୁଦ୍ଧା ଏଇ "ବିଶ୍ବ ଅର୍ଥନୈତିକ ଭାରକେନ୍ଦ୍ର"ର ଅବସ୍ଥିତି ପରିଦୃଷ୍ଟ ହେବ ବସ୍ତୁତଃ ଭାରତ ଓ ଚୀନର ମଧ୍ୟସ୍ଥଳୀରେ।

ସେତେବେଳକୁ ଏଇ ଭାରକେନ୍ଦ୍ର ତା"ର ପୂର୍ବମୁହଁା ଲେଉଟାଣି ଯାତ୍ରାରେ ନିଜର ୧୯୮୦ର ଅବସ୍ଥିତି ତୁଳନାରେ ୯,୩୦୦ କି.ମି.

ପଥ ଅତିକ୍ରମ କରିସାରିଥିବ ବୋଲି ହିସାବ କରାଯାଇଛି।ଅର୍ଥନୈତିକ ଭାରକେନ୍ଦ୍ରର ଏଇ ସ୍ଥାନାନ୍ତର ସହିତ ତାଳ ଦେଇ ବିଶ୍ବ ଅର୍ଥନୈତିକ ଓ ରାଜନୈତିକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଘଟିବା ଅନିବାର୍ଯ୍ୟ, ଯେଉଁଥିରେ ଏ ପର୍ଯ୍ୟନ୍ତ ବିକାଶଶୀଳ ଦକ୍ଷିଣ-ବିଶ୍ବର ଦେଶ ରୂପେ ବିବେଚିତ ହୋଇ ଆସିଥିବା ଭାରତ ଓ ଚୀନ ଭଳି ଦେଶମାନଙ୍କର ପ୍ରଭାବରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଛି।

ଗତ ସପ୍ତାହରେ "ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍‌ସ" ଏବଂ "ରିସର୍ଚ୍ଚ ଆଣ୍ଡ ଇନ୍‌ଫର୍ମେସନ ସିଷ୍ଟମ ଫର ଡେଭେଲପିଙ୍ଗ କଣ୍ଟ୍ରିଜ" ନାମକ ମର୍ଯ୍ୟାଦାଜନକ ସଂସ୍ଥା ଦ୍ବାରା ମିଳିତ ଭାବରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ନୀତିନିର୍ଦ୍ଧାରଣ ଅାଲୋଚନାଚକ୍ରରେ ଅଂଶଗ୍ରହଣ କରି ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ନର ତଥା ସଂପ୍ରତି ପ୍ରଧାନମନ୍ତ୍ରୀଙ୍କର ଦ୍ବିତୀୟ ପ୍ରିନ୍‌ସପାଲ ସେକ୍ରେଟାରି ପଦବିରେ ଅଧିଷ୍ଠିତ ଶକ୍ତିକାନ୍ତ ଦାସ ବର୍ତ୍ତମାନର ଆନ୍ତର୍ଜାତିକ ଅସ୍ଥିରତା ଏ ଦିଗରେ ସୃଷ୍ଟି କରୁଥିବା ପ୍ରତିବନ୍ଧକମାନଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରି ଏହାର ମୁକାବିଲା ନିମିତ୍ତ ‌େଯଉଁ ପଦକ୍ଷେପମାନ ଗ୍ରହଣ ପାଇଁ ଆହ୍ବାନ ଦେଇଛନ୍ତି, ତାହା ଅତ୍ୟନ୍ତ ସମୟୋପଯୋଗୀ ହୋଇଥିବା ସହିତ ତାଙ୍କର ଗଭୀର ଅର୍ଥନୈତିକ ଅନ୍ତର୍ଦୃଷ୍ଟିର ପରିଚାୟକ ହୋଇଥାଏ।ବର୍ତ୍ତମାନ ପୃଥିବୀ ସମ୍ମୁଖୀନ ହୋଇଥିବା ବାଣିଜ୍ୟିକ ଅସ୍ଥିରତା, ଯୁଦ୍ଧ ଓ ତୈଳ ସଂକଟ ତଥା ମୁଦ୍ରାସ୍ଫୀତି ସମ୍ଭାବନା ଆଦି ଭଳି ପ୍ରତିବନ୍ଧକମାନଙ୍କର ଉଲ୍ଲେଖ କରି ଏହାର ସଫଳ ମୁକାବିଲା ନିମିତ୍ତ ପାଞ୍ଚଟି ନିର୍ଦ୍ଦିଷ୍ଟ କ୍ଷେତ୍ର ଉପରେ ଧ୍ୟାନ ଦେବା ପାଇଁ ଶକ୍ତିକାନ୍ତ ଦକ୍ଷିଣ ବିଶ୍ବର ଦେଶମାନଙ୍କୁ ଉପଦେଶ ଦେଇଛନ୍ତି।

ସେଗୁଡ଼ିକ ହେଲେ: ଖାଦ୍ୟ ନିରାପତ୍ତା, ବାଣିଜ୍ୟ ବିବିଧୀକରଣ, ଶକ୍ତି ପରିବର୍ତ୍ତନ (ଏନର୍ଜି ଟ୍ରାନ୍‌ଜିସନ), ସାମଗ୍ରିକ ଅର୍ଥନୈତିକ ସ୍ଥିରତା (ମାକ୍ରୋ-ଇକୋନୋମିକ ଷ୍ଟାବିଲିଟି) ଓ ନିଯୁକ୍ତି ସୃଷ୍ଟି।

ଉଚ୍ଚ ବାଣିଜ୍ୟିକ ପ୍ରତିବନ୍ଧକମାନଙ୍କର ସମ୍ମୁଖୀନ ହୋଇଥିବା ଦେଶମାନେ ନିଜର ପ୍ରତିଯୋଗିତା କ୍ଷମତା, ନିର୍ଭର ଯୋଗ୍ୟତା ଏବଂ ବ୍ୟାବସାୟିକ ଦକ୍ଷତାରେ ଉନ୍ନତି ଘଟାଇ ଏହାର ମୁକାବିଲା କରିପାରିବେ ବୋଲି ଶକ୍ତିକାନ୍ତ ସେମାନଙ୍କୁ ବାଟ ଦେଖାଇଛନ୍ତି।

ଚତୁର ପରିଚାଳନା ତଥା ସଂସ୍କାର ମାଧ୍ୟମରେ ସରକାର ଅର୍ଥନୈତିକ ଅଭିବୃଦ୍ଧିକୁ ବାଧା ନ ପହୁଞ୍ଚାଇ ସାମଗ୍ରିକ ଅର୍ଥନୈତିକ ସ୍ଥିରତା ହାସଲ ପାଇଁ ରାଜକୋଷୀୟ ନିଅଣ୍ଟକୁ ଆୟତ୍ତ କରିବା ଆବଶ୍ୟକ ବୋଲି ସେ ସଚେତନ କରିଦେଇଛନ୍ତି।ତାଙ୍କ ସମୟରେ ବିଶ୍ବର ଶ୍ରେଷ୍ଠତମ କେନ୍ଦ୍ରୀୟ ବ୍ୟାଙ୍କ୍ ପରିଚାଳକ ରୂ‌େପ ସ୍ବୀକୃତ ଶକ୍ତିକାନ୍ତଙ୍କ ଏଇ ପଞ୍ଚସୂତ୍ରୀ ଉପଦେଶ ପାଳନ ଦ୍ବାରା ଯେ ଅର୍ଥନୈତିକ ଭାରକେନ୍ଦ୍ରର ପୁନରାଗମନ ସହିତ ଆମର ହୃତ ଗୌରବର ପୁନରାଗମନ ସମ୍ଭବ ହୋଇପାରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।