Editorial: ସତ କହୁଛି: କାରର ହେଲମେଟ ଓ ବାଇକର ସିଟ ବେଲ୍ଟ
ଶ୍ୟାମସୁନ୍ଦର ଅଗ୍ରୱାଲା
ଅଧୁନା ସୁପ୍ରିିମ କୋର୍ଟର ଏକ ଖଣ୍ଡପୀଠ ହଜାର ହଜାର କୋଟି ଟଙ୍କାର ଅନାଦେୟ ଇ-ଚାଲାଣକୁ ନେଇ କ୍ଷୋଭ ପ୍ରକାଶ କରି କହିଲେ ଯେ ଯେଉଁ ଗାଡ଼ିମୋଟରର ମାଲିକମାନେ ଏହାକୁ ବେଖାତିର କରି ପୈଠ କରୁନାହାନ୍ତି ସେମାନଙ୍କର ଏହି ଗାଡ଼ିଗୁଡ଼ିକୁ ତୁରନ୍ତ ଜବତ କରାଯାଇ କଳା ତାଲିକାଭୁକ୍ତ କରାଯାଉ। ଏହା ସହିତ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ କରିଦିଆଯାଉ, ସେମାନଙ୍କୁ ପରିବେଶ ସୁରକ୍ଷା ପ୍ରମାଣପତ୍ର ଦିଆ ନଯାଉ ଏବଂ ସେମାନଙ୍କର ରେଜିଷ୍ଟ୍ରେସନ ସାର୍ଟିଫିକେଟ ମଧ୍ୟ ରଦ୍ଧ କରିଦିଆଯାଉ। ଏହିଭଳି କଡ଼ା ପଦକ୍ଷେପ ନେବା ଦ୍ୱାରା ଗାଡ଼ିମଟର ମାଲିକମାନେ ବାଟକୁ ଆସିବେ ଓ ତୁରନ୍ତ ଏହି ଇ-ଚାଲାଣଗୁଡ଼ିକୁ ପୈଠ କରିବା ପାଇଁ ଧାଡ଼ି ବାନ୍ଧିକି ଛିଡ଼ା ହେବେ।
ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ କିନ୍ତୁ ସୁପ୍ରିମ କୋର୍ଟକୁ ଯେଉଁ ତଥ୍ୟ ଦିଆଯାଇଛି ତାହା ସଦ୍ୟ ପ୍ରକାଶିତ ସିଏଜିଙ୍କ ଅଡିଟ ରିପୋର୍ଟ ତଥ୍ୟର ସଂପୂର୍ଣ୍ଣ ବିପରୀତ ଅଟେ। ସିଏଜିଙ୍କ ତରଫରୁ ଓଡ଼ିଶା ସରକାରଙ୍କର ଗତ ପାଞ୍ଚ ବର୍ଷରେ ରାଜ୍ୟର ବାହାନ ଏବଂ ଇ-ଚାଲାଣ ପୋର୍ଟାଲର ସମୀକ୍ଷା କରାଯାଇଥିଲା। ଏହି ଯାଞ୍ଚରୁ ଯେଉଁ ତଥ୍ୟ ଆସିଛି ତାହା ଯେତିକି ଚାଞ୍ଚଲ୍ୟକର ସେତିକି ହାସ୍ୟାସ୍ପଦ ମଧ୍ୟ। ଏହି ତଥ୍ୟ ଅନୁଯାୟୀ ପ୍ରାୟ ତିନି ହଜାରରୁ ଅଧିକ ଦୁଇଚକିଆ ଯାନ ନାମରେ ସିଟବେଲ୍ଟ ନ ପିନ୍ଧିବା ଅଭିଯୋଗରେ ଇ-ଚାଲାଣ କଟାଯାଇଛି। ଠିକ୍ ସେହିପରି ପ୍ରାୟ ପାଞ୍ଚ ହଜାର ତିନିଚକିଆ ଓ ଚାରିଚକିଆ ଯାନ ନାମରେ ହେଲମେଟ ନ ପିନ୍ଧିବା କାରଣ ଦର୍ଶାଯାଇ ଚାଲାଣ କଟାଯାଇଛି। ଏହା ଓଡ଼ିଶା ଟ୍ରାଫିକ ପୁଲିସ ବ୍ୟବସ୍ଥାର ଚରମ ଦାୟିତ୍ୱହୀନତାର ପ୍ରତିଫଳନ ନୁହେଁ କି?
ଧରନ୍ତୁ ଆପଣ ଗୋଟେ ମଟର ସାଇକେଲ ନେଇ ରାସ୍ତାରେ ଯାଉଛନ୍ତି। ଘରକୁ ଫେରିଲା ପରେ ଆପଣଙ୍କ ପାଖକୁ ଆପଣ ସିଟ ବେଲ୍ଟ ପିନ୍ଧି ନ ଥିଲେ ବୋଲି ଗୋଟେ ହଜାର ଟଙ୍କାର ଇ-ଚାଲାଣ ଆସିବ, ତେବେ ଆପଣ କ’ଣ କରିବେ? ଆପଣ କାର ଚଲେଇ ଫେରିଲା ପରେ ହେଲମେଟ ପିନ୍ଧି ନଥିଲେ ବୋଲି ଦୁଇ ହଜାର ଟଙ୍କାର ଇ-ଚାଲାଣ ଆସିବ, ତେବେ ଆପଣ ହସିବେ ନା କାନ୍ଦିବେ?
ହସ ତ ମାଡ଼ିବ କିନ୍ତୁ ଆପଣ କାନ୍ଦିବାକୁ ବାଧ୍ୟ ହେବେ କାରଣ ଥରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଗଲା ପରେ ସମସ୍ତେ ଆପଣଙ୍କୁ ମାଡ଼ି ବସିବେ। କିଏ ଶୁଣିବ ଆପଣଙ୍କ କଥା, “ନାଇଁ ଆଜ୍ଞା, ମୁଁ ଦୁଇଚକିଆ କି ଚାରିଚକିଆ ଗାଡ଼ି ଚଲେଇକି ଯାଉଥିଲି ଆଉ ଏ ଚାଲାଣ ସବୁ ଭୁଲ୍ରେ ସଫ୍ଟୱେର ସିଷ୍ଟମ ଯୋଗୁଁ କଟାହୋଇଯାଇଛି।” ଆପଣଙ୍କର ଏକଥା ଶୁଣିବାକୁ କି ବୁଝିବାକୁ କେହି ମଣିଷ ଦିଶିବେ ନାହିଁ। ଯାହା ହେବ ସବୁ ଯନ୍ତ୍ରପାତିର ସେହି ସଫ୍ଟୱେର ସିଷ୍ଟମ ମାଧ୍ୟମରେ। ଜଣେ ସାଧାରଣ ନାଗରିକ ଏହିଭଳି ଗୋଟେ ଚାଲାଣ ପାଇଲେ ତାକୁ ସେ କିଭଳି ପ୍ରତ୍ୟାହାର କରିବ ଭାବିଲେ ଡର ମାଡୁଛି।
ଯଦି ଆପଣ ସାହସ ବାନ୍ଧି ଏହାକୁ ପ୍ରତ୍ୟାହାର କରିବାକୁ ଯିବେ ତେବେ ଆପଣଙ୍କ ପାଖରେ ଦୁଇଟି ବିକଳ୍ପ ଅଛି। ପ୍ରଥମଟି ହେଉଛି ‘ଅନଲାଇନ’ ପ୍ରକ୍ରିୟା, ଯେଉଁଥିରେ ଆପଣ ଓଡ଼ିଶା ସରକାରଙ୍କର ପରିବହନ ଅଭିଯୋଗ ପୋର୍ଟାଲ ଖୋଲି ଆପଣଙ୍କର ନାମ, ଠିକଣା ଓ ଗାଡ଼ି ନମ୍ବର ସହିତ ଭୁଲ୍ ଚାଲାଣର ନମ୍ବର ଦେବାକୁ ପଡ଼ିବ ଏବଂ କାହିଁକି ଭୁଲ୍ ହୋଇଛି ବୋଲି ଯଥେଷ୍ଟ କାରଣ ଦେବାକୁ ପଡ଼ିବ। ଏହାକୁ ସେହି ପୋର୍ଟାଲରେ ଅପଲୋଡ କଲାପରେ ଆପଣଙ୍କୁ ଅଭିଯୋର ଏକ ସଂଖ୍ୟା ଯୋଗାଇ ଦିଆଯିବ ଯାହାକୁ ନେଇ ଅଭିଯୋଗର ଫଳାଫଳ କ’ଣ ହେଲା ବୋଲି ବାରମ୍ବାର ଯାଞ୍ଚ କରିବାକୁ ପଡ଼ିବ।
ଦ୍ୱିତୀୟଟି ହେଉଛି ‘ଅଫଲାଇନ’ ପ୍ରକ୍ରିୟା, ଯାହା ଅନୁଯାୟୀ ଆପଣଙ୍କୁ ଯେଉଁ ‘ଆରଟିଓ’ ଅଫିସ ତରଫରୁ ଏହି ଚାଲାଣ କଟାଯାଇଛି ସେଠାକୁ ଯିବାକୁ ପଡ଼ିବ ଏବଂ ଆପଣଙ୍କ ସଫେଇର ପ୍ରମାଣ ସହ ଏକ ଦରଖାସ୍ତ ଦେବାକୁ ପଡ଼ିବ। ଫଳାଫଳ କ’ଣ ହେଲା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଆଜ୍ଞା, ସଂକ୍ଷେପରେ କହିବାକୁ ଗଲେ ଭୁଲ୍ ସରକାରଙ୍କର କିନ୍ତୁ ଘୋଷାରି ହେବେ ଆପଣ! ସରକାର କହୁଛନ୍ତି ଭୁଲ୍ ସଫ୍ଟୱେର ସିଷ୍ଟମର ଆଉ ସଫ୍ଟୱେର ସିଷ୍ଟମ କହୁଛି ଭୁଲ୍ ଆପଣଙ୍କର। ତେଣିକି ଆପଣ ଯିବେ କୁଆଡ଼େ?
ଏହି କାଣ୍ଡ କାରଖାନା ସବୁ ଦେଖିଲେ ପଶୁ ରାଇଜର କଥାଟିଏ ମନେ ପଡ଼ିଯାଏ। ଥରେ ଗୋଟିଏ ଷଣ୍ଢ ଜୋର୍ ଜୋର୍ରେ ଦୌଡୁଥିବାର ଦେଖି ହାତୀ ପଚାରିଲା, “ଷଣ୍ଢ ଭାଇ, ଏତେ ଜୋର୍ ଜୋର୍ରେ କ’ଣ ପାଇଁ ଦୌଡୁଛ?” ଷଣ୍ଢ କହିଲା, “କ’ଣ କହିବି ଭାଇ, ସରକାର ପ୍ରତି କୁକୁର ବେକରେ ଗୋଟେ ଫିତା ବାନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆଉ ଯେଉଁ କୁକୁର ବେକରେ ଫିତା ନଥିବ ତାକୁ ଧରି ଆଣି ମ୍ୟୁନିସିପାଲିଟି ଖୁଆଡ଼ରେ ଭର୍ତ୍ତି କରିଦେବାକୁ କୁହାଯାଉଛି।” ହାତୀ କହିଲା, “ଭାଇ, ନିୟମ ତ କୁକୁରମାନଙ୍କ ପାଇଁ ହୋଇଛି, ତୁମେ କାହିଁକି ଦୌଡୁଛ?” ଷଣ୍ଢ କହିଲା, “ଭାଇ, ନିୟମ କୁକୁର ପାଇଁ ହୋଇଛି ଯେ ହେଲେ ଯଦି ସଫ୍ଟୱେର ସିଷ୍ଟମ ମୋତେ କୁକୁର କହି ବାନ୍ଧି ଦେବାକୁ ନିର୍ଦ୍ଦେଶ ଦେଇଦିଏ ତେବେ ମୁଁ ଷଣ୍ଢ ବୋଲି ପ୍ରମାଣ କରିବାକୁ ମୋତେ ମାସେ ଦୁଇମାସ ଲାଗିଯିବ ଆଉ ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଅନୁଯାଇ ମୋର ଦାନାପାଣି ବନ୍ଦ ହୋଇଯିବ। ଭାଇ, ସେହି ଡରରେ ଦୌଡୁଛି।” ଏ କଥା ଶୁଣି ହାତୀ ଡରିଗଲା ଆଉ ସିଏ ବି ଷଣ୍ଢ ସହିତ ଦୌଡ଼ିବାକୁ ଲାଗିଲା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।