Editorial: ସାର ଅସାର

Sep 07, 2026 - 05:43
Editorial: ସାର ଅସାର

"ସାମାଜିକ ଗଣମାଧ୍ୟମ ପ୍ରଭାବରୁ ସଂପ୍ରତି ଭାରତରେ ଖାଉଟି ସଚେତନତା ଖୁବ୍‌ ବୃଦ୍ଧି ପାଇଲାଣି।

କିନ୍ତୁ ପ୍ରଶ୍ନ ହେଲା ଇଂରେଜୀ ଶିକ୍ଷା ବିରହିତ ଏକ ବିଶାଳ ବର୍ଗର ଭାରତୀୟମାନଙ୍କ ସକା‌େଶ ପ୍ୟାକେଟ ଉପରେ ଥିବା ଇଂ‌େରଜୀ ଶବ୍ଦ ସଂବଳିତ ସୂଚନା ବା ସତର୍କ ବାଣୀର ବିଶେଷ ମୂଲ୍ୟ ଥାଏ କି?Advertisment Editorial: କନଫୁସିଅସ ଓ ବୃଦ୍ଧ ଦୀର୍ଘ କାଳ ଧରି ଭାରତୀୟମାନେ, ସେମାନଙ୍କ ଗୋଚର ବା ଅଗୋଚରରେ, ସ୍ବାସ୍ଥ୍ୟ ପ୍ରତି ଅହିତକର ଏବଂ ଅପମିଶ୍ରିତ ଖାଦ୍ୟ ଖାଇ ଆସୁଥିବାବେଳେ ସଂପ୍ରତି ଏ ନେଇ କିଛିଟା ଜାଗରୁକତା‌ ସୃଷ୍ଟି ହେବା ପରେ ଯାହା ଆବିଷ୍କୃତ ହେଉଛି, ତାହା ହେଲା ନାମୀ, ପୁରୁଣା ଓ ମିତ୍ର ତୁଲ୍ୟ ପରିଚିତ ବ୍ରାଣ୍ଡଗୁଡ଼ିକ ସେମାନେ ବିକ୍ରି କରୁଥିବା ଦ୍ରବ୍ୟର ଉତ୍କର୍ଷ ଓ ବିଶ୍ବସନୀୟତାର ପରୀକ୍ଷାରେ ଦୟନୀୟ ଭାବେ ଫେଲ ହେଉଛନ୍ତି।

କେବଳ, ସେତିକି ନୁହେଁ, ଯାହା ଆହୁରି ଜଘନ୍ୟ ତାହା ହେଲା, ଜ୍ଞାତସାରରେ ସେମାନେ ଭାରତକୁ ଜିହ୍ବା ଲାଳସାର ଉପନିବେଶରେ ପରଣତ କରିଦେଇଛନ୍ତି, ଯହିଁରେ ବଳି ପଡ଼ିଛି ଭାରତୀୟମାନଙ୍କ ସ୍ବାସ୍ଥ୍ୟ।

ଏବଂ ବିଡ଼ମ୍ବନାଟି ହେଲା, ଆକର୍ଷଣୀୟ ପ୍ୟାକେଟ ଓ ବୋତଲରେ ଉପଲବ୍‌ଧ ପ୍ରକ୍ରିୟାକୃତ ଖାଦ୍ୟଗୁଡ଼ିକର ମାନ ଉପରେ ଦୃଷ୍ଟି ରଖୁଥିବା ସରକାରୀ ଅନୁଷ୍ଠାନ "ଫୁଡ୍‌ ସେଫ୍‌ଟି ଏଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ" ବା "ଏଫ.ଏସ.ଏସ.ଏ.ଆଇ." ମଧ୍ୟ ତା"ର ଦାୟିତ୍ବ ନିର୍ବାହ କରିବାରେ ବିଫଳ ହୋଇଛି।

ବଜାରର ବିବେକହୀନ ଦାବି ହେଉ ବା ଅଧିକ ଲାଭାର୍ଜନର ଦୁର୍ବାର ମୋହ ହେଉ ଅଥବା ଭାରତୀୟମାନଙ୍କ ପ୍ରତି ହେୟମନ୍ୟ ଭାବ ହେଉ; ଏହି ବ୍ରାଣ୍ଡଗୁଡ଼ିକ ସେମାନଙ୍କ ଦ୍ରବ୍ୟକୁ ଅପୂର୍ବ ସ୍ବାଦଯୁକ୍ତ ବା ଶୀଘ୍ର ପ୍ରସ୍ତୁତି ସମର୍ଥ କିମ୍ବା ସ୍ବାସ୍ଥ୍ୟ ପ୍ରତି ହିତକର ଭଳି ପ୍ରତିଶ୍ରୁତି ସହିତ ବିକ୍ରି କରି ଯେ ବିଶ୍ବାସରେ ବିଷ ଦେଇ ଚାଲିଛନ୍ତି, ତାହା କହିବା ବାହୁଲ୍ୟ ମାତ୍ର!

ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ଗଣମାଧ୍ୟମର ସୂଚନା ଅନୁଯାୟୀ ଭାରତରେ ବିକ୍ରି ହେଉଥିବା "ସ୍ପ୍ରାଇଟ୍‌" ବା "ଫାଣ୍ଟା" ଭଳି ମୃଦୁ ପାନୀୟର ୧୦୦ ମିଲିଲିଟରରେ ଚିନିର ଅଂଶ ୧୧.୭ ଗ୍ରାମ ହୋଇଥିବାବେଳେ ୟୁରୋପୀୟ ସଂଘର ବଜାରରେ ଉପଲବ୍‌ଧ ଏହି ସମାନ ବ୍ରାଣ୍ଡର ପାନୀୟରେ ରହିଥାଏ ମାତ୍ର ୪.୪ ଗ୍ରାମ ଚିନି; ଶିଶୁ ଖାଦ୍ୟ ରୂପେ ଭାରତର ଲୋକପ୍ରିୟ ବ୍ରାଣ୍ଡ "ସେରେଲାକ"ର ପ୍ରତି ଚାମଚରେ ୩ ଗ୍ରାମ ଚିନି ଥିବାବେଳେ ୟୁରୋପ ଓ ଆମେରିକାରେ ଏହି ସମାନ ବ୍ରାଣ୍ଡ ସଂପୂର୍ଣ୍ଣ ଚିନି ବିବର୍ଜିତ; ଏଠାରେ ମିଳୁଥିବା "କିଟକାଟ" ଭଳି ଚକୋଲେଟରେ ମୂଳ ଉପାଦାନ କୋକଆର ପରିମାଣ ୪.୫% ଥିବାବେଳେ ଚିନି ବା ଶର୍କରାର ପରିମାଣ ହୋଇଥାଏ ୨୯.୯ ଗ୍ରାମ, ଯେତେବେଳେ କି ସେହି ସମାନ ଚକୋଲେଟ ଅଷ୍ଟ୍ରେଲିଆରେ ୨୨.୭% କୋକଆ ଏବଂ ୨୧.୭ ଗ୍ରାମ ଚିନିରେ ତିଆରି ହୋଇଥାଏ।

ଭାରତରେ ଅସୀମ ଲୋକପ୍ରିୟ ତତ୍‌କ୍ଷଣାତ୍‌ କ୍ଷୁଧା ମୁଂଚନକାରୀ ୫୦ ଗ୍ରାମ ଓଜନର ଛୋଟ "ପାର୍ଲେ ଜି" ପ୍ୟାକେଟରେ ଥାଏ ୧୨.୫ ଗ୍ରାମ ଚିନି।

ସେମିତି ଏଠାକାର ଏକ ଜାତୀୟ ଜଳଖିଆର ସ୍ବୀକୃତ "ମାଗି" ନୁଡଲ୍‌ସର ୧୦୦ ଗ୍ରାମରେ ଥିବା ସୋଡିଅମର ପରିମାଣ ହେଉଛି ୧ ଗ୍ରାମ।

ଉଲ୍ଲେଖଯୋଗ୍ୟ ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରାମର୍ଶ ଅନୁଯାୟୀ ଦୈନିକ ଆହାରରେ ଚିନି ଓ ସୋଡିଅମର ମୁଣ୍ଡ ପିଛା ବ୍ୟବହାର ଯଥାକ୍ରମେ ମାତ୍ର ୨୫ ଗ୍ରାମ ଓ ୨ ଗ୍ରାମରୁ କମ୍‌ ହେବା ଉଚିତ।

କେବଳ ସେତିକି ନୁହେଁ, ଭାରତରେ ଉପଲବ୍‌ଧ "ପ୍ରକ୍ରିୟାକୃତ ଖାଦ୍ୟ"ରେ ପ୍ରାୟତଃ ପାମୋଲିନ ତେଲର ବହୁଳ ବ୍ୟବହାର କରାଯାଉଥିବା ସ୍ଥଳେ ପାଶ୍ଚାତ୍ୟ ଦେଶମାନଙ୍କରେ ସୂର୍ଯ୍ୟମୁଖୀ ତେଲର ବ୍ୟବହାର କରାଯାଇଥାଏ।

ଏଠାରେ ଫଳରସ ରୂପେ ବିକ୍ରି କରାଯାଉଥିବା ବୋତଲ ବା "ଟେଟ୍ରା ପ୍ୟାକ"ରେ କମଳାର ଦୃଷ୍ଟି ଆକର୍ଷଣକାରୀ ଚିତ୍ର ଥିଲେ ହେଁ ପାନୀୟରେ କମଳାର ଅଂଶ ହିଁ ନ ଥାଏ; ବିଭିନ୍ନ ରାସାୟନିକ ଦ୍ରବ୍ୟ ହେତୁ ସୃଷ୍ଟ କୃତ୍ରିମ ସୁଗନ୍ଧ ଓ ରଙ୍ଗ ହେତୁ କମଳା ରସର ଭ୍ରାନ୍ତି ସୃଷ୍ଟି ହୋଇଥାଏ।

ଏଭଳି ଦୃଷ୍ଟାନ୍ତର ତାଲିକା ଅତ୍ୟନ୍ତ ଦୀର୍ଘ, ଯେଉଁଥି ଲାଗି ଏହି ସ୍ତମ୍ଭର ସ୍ଥାନ ନିଅଣ୍ଟ ପଡ଼ିବ।

ତେବେ, ଏଭଳି ଖାଦ୍ୟ ଓ ପାନୀୟର ଦୁଷ୍ପ୍ରଭାବରୁ ଭାରତ ଯେ ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗର ରାଜଧାନୀ ହେବାକୁ ବସିଲାଣି, ତହିଁରେ ଦ୍ବିରୁକ୍ତି ନାହିଁ।

ବିଶେଷଜ୍ଞମାନେ କହନ୍ତି ଯେ ଏହି ଧାରା ଅବ୍ୟାହତ ରହିଲେ ୨୦୩୦ ମସିହା ସୁଦ୍ଧା ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ପ୍ରାୟ ୧୦ କୋଟିରେ ପହଞ୍ଚିଯିବ।

ପ୍ରକାଶ ଥାଉ କି ୨୦୨୫-୨୬ର "ଅର୍ଥନୈତିକ ସର୍ଭେ" ରିପୋର୍ଟରେ, ପ୍ରଥମ ଥର ଲାଗି ଏଭଳି ବ୍ୟାଧିର ବୋଝକୁ, ଆର୍ଥିକ ବିପତ୍ତି ରୂପେ ଦର୍ଶାଯାଇଛି, କାରଣ ବିପୁଳ ଚିକିତ୍ସାଗତ ବ୍ୟୟ ସହିତ ଉତ୍ପାଦନରେ ହ୍ର‌ାସ ଭଳି ସ୍ଥିତି ଆର୍ଥିକ ଅଭିବୃଦ୍ଧିକୁ କ୍ଷୁଣ୍ଣ କରିବ।

ତେବେ, ପ୍ରଶ୍ନ ଉଠୁଛି ଯେ ସୁପ୍ରସିଦ୍ଧ ବ୍ରାଣ୍ଡଗୁଡ଼ିକ (ଉଭୟ ଦେଶୀ ଓ ବିଦେଶୀ) ଏଭଳି ଦ୍ବୈତ ଆଚରଣ ପ୍ରଦର୍ଶନ କରନ୍ତି କାହିଁକି?ଏହାର କାରଣ ହୋଇପାରେ କି ଏକ ପ୍ରକାର ହତାଦର ଓ ହେୟମନ୍ୟ ଭାବ!

କାରଣ ସାଧାରଣ ଭାରତୀୟମାନେ ହୁଏତ ସେମାନଙ୍କ ଦୃଷ୍ଟିରେ ଏ‌ବେ ସୁଦ୍ଧା ହୋଇଥାଇପାରନ୍ତି, ଅତୀତ ଉପନିବେଶର ଆଜ୍ଞାବହ ତଥା ଏକାଧାରରେ ଅସଚେତନ, ଅସତର୍କ ଓ ଅଶିକ୍ଷିତ ଖାଉଟି!

କିନ୍ତୁ, ବିଡ଼ମ୍ବନାଟି ହେଲା ଏହି ବ୍ରାଣ୍ଡଗୁଡ଼ିକ ମଧ୍ୟରେ କେତେକ ସ୍ବଦେଶୀ ବ୍ରାଣ୍ଡ ମଧ୍ୟ ଅନ୍ତର୍ଭୁକ୍ତ।

ଏଭଳି ସ୍ଥଳେ ଯାହା ଅଧିକ ତର୍କସଂଗତ ଭଳି ଲାଗିଥାଏ, ତାହା ହେଲା, ସାଧାରଣ ଭାରତୀୟ ଖାଉଟି "ଶସ୍ତା" ଦରକୁ ଅଧିକ ମହତ୍ତ୍ବ ଦେଉଥିବାରୁ "ଗୁଣବତ୍ତା" ଗୌଣ ହୋଇପଡ଼େ।

କାରଣ, ଏହା ସ୍ବାଭାବିକ ଯେ "ଗୁଣବତ୍ତା"କୁ ଗୁରୁତ୍ବ ଦେଲେ ଦ୍ରବ୍ୟଟି ମହଙ୍ଗା ହୋଇଯାଇଥାଏ।

ତେଣୁ କୃତ୍ରିମ ରଙ୍ଗ, ରସ, ଗନ୍ଧ ଓ ଅନ୍ୟାନ୍ୟ ଶସ୍ତା କଞ୍ଚାମାଲ ଦ୍ବାରା ଦ୍ରବ୍ୟ ପ୍ରସ୍ତୁତ କରିବା ବାଧ୍ୟତାମୂଳକ ହୋଇ ପଡ଼ିଛି ବୋଲି ଅନେକ ବ୍ରାଣ୍ଡ ପକ୍ଷରୁ ମଧ୍ୟ ଯୁକ୍ତି ପ୍ରଦାନ କରାଯାଇଥାଏ।

ତେବେ, ଏଭଳି ସ୍ଥିତିରେ "ଏଫ.ଏସ.ଏସ.ଏ.ଆଇ." ଏକ ନିୟନ୍ତ୍ରକ ସଂସ୍ଥା ରୂପେ ଅଧିକ ନଖ-ଦନ୍ତ ଦେଖାଇବା ଆବଶ୍ୟକ ବୋଲି କୁହାଯାଇଥାଏ।

କିନ୍ତୁ, କଥା ହେଲା, "ଏଫ.ଏସ.ଏସ.ଏ.ଆଇ."ର ଭୂମିକା ଏ ପର୍ଯ୍ୟନ୍ତ ମୁଖ୍ୟତଃ ଖାଦ୍ୟ ବ୍ୟବସାୟୀମାନଙ୍କ ପଞ୍ଜୀକରଣ ଓ ଲାଇସେନ୍‌ସ ପ୍ରଦାନରେ ସୀମିତ ରହିଛି।

ଅବଶ୍ୟ କଦବା କେମିତି କ୍ବଚିତ୍‌, ନିୟମ ଉଲ୍ଲଂଘନକାରୀ ବ୍ୟାବସାୟିକ ସଂସ୍ଥା ବିରୋଧରେ "ଏଫ.ଏସ.ଏସ.ଏ.ଆଇ." କାର୍ଯ୍ୟାନୁଷ୍ଠାନ କରିଥିବାର ସମ୍ବାଦ ଆସିଥାଏ, କିନ୍ତୁ, ଲାଇସେନ୍‌ସକୁ ସାମୟିକ ରଦ୍ଦ କରିବା ବ୍ୟତୀତ ଦଣ୍ଡିତ କରିବାର କୌଣସି ବିଶେଷ କ୍ଷମତା "ଏଫ.ଏସ.ଏସ.ଏ.ଆଇ."ର ନାହିଁ।

କାରଣ ଫୁଡ୍‌ ଅପରେଟରମାନେ ପାଉଥିବା ଲାଇସେନ୍‌ସ ହେଉଛି କାଳାତୀତ ଏବଂ ତ୍ରୁଟି ସୁଧାରିଦେଲେ ଖିଲାପୀମାନେ ପୁନର୍ବାର ବ୍ୟବସାୟରେ ସକ୍ରିୟ ହୋଇପାରନ୍ତି।

ଏଭଳି ସ୍ଥଳେ, ଖାଉଟି ସଚେତନତା ହିଁ ସର୍ବାଧିକ ପ୍ରଭାବଶାଳୀ ବୋଲି କହିଥାଆନ୍ତି "ଏଫ.ଏସ.ଏସ.ଏ.ଆଇ."ର ସି.ଇ.ଓ.

ରଣଜିତ ପୁନହାନି।

ତାଙ୍କ ମତରେ ୟୁରୋପ ହେଉ ବା ଆମେରିକା; ସଚେତନ ଖାଉଟିମାନଙ୍କ ପସନ୍ଦ ଓ ପ୍ରତ୍ୟାଖ୍ୟାନ ଆଧାରରେ ଦ୍ରବ୍ୟଗୁଡ଼ିକ ଦୋକାନ ଥାକରେ ସ୍ଥାନ ପାଉଛନ୍ତି ଏବଂ ପ୍ରସ୍ତୁତକର୍ତ୍ତାମାନେ ସେ ନେଇ ସତର୍କ ରହନ୍ତି।

ସାମାଜିକ ଗଣମାଧ୍ୟମ ପ୍ରଭାବରୁ ସଂପ୍ରତି ଭାରତରେ ଖାଉଟି ସଚେତନତା ଖୁବ୍‌ ବୃଦ୍ଧି ପାଇଲାଣି।

କିନ୍ତୁ ପ୍ରଶ୍ନ ହେଲା ଇଂରେଜୀ ଶିକ୍ଷା ବିରହିତ ଏକ ବିଶାଳ ବର୍ଗର ଭାରତୀୟମାନଙ୍କ ସକା‌େଶ ପ୍ୟାକେଟ ଉପରେ ଥିବା ଇଂ‌େରଜୀ ଶବ୍ଦ ସଂବଳିତ ସୂଚନା ବା ସତର୍କ ବାଣୀର ବିଶେଷ ମୂଲ୍ୟ ଥାଏ କି?

Editorial: ସନାତନର ସ୍ବଗତୋକ୍ତି: ମଶା, ମୂଷାଙ୍କ ରାଜନୀତି ନବମ ଦଶକରେ ବିଶିଷ୍ଟ ସମାଜବାଦୀ ନେତା ସ୍ବର୍ଗତ କିଶନ ପଟ୍ଟନାୟକ ଠାଏ କହିଥିଲେ, କିଭଳି ଅନେକ ଆଦିବାସୀ ପଲ୍ଲୀର ଲୋକେ ନିରକ୍ଷର ହୋଇଥିବା ସତ୍ତ୍ବେ "ବ୍ରାଣ୍ଡ" ସାକ୍ଷର ହୋଇସାରିଛନ୍ତି, ଅର୍ଥାତ୍‌ ଦୁଇ ମିନିଟିଆ ନୁଡଲ୍‌ସର ପ୍ୟାକେଟ ଦେଖି ସେମାନେ ଚିହ୍ନି ପାରୁଛନ୍ତି ଓ ଦୋକନରେ ମାଗୁଛନ୍ତି।

ତାଙ୍କର କହିବାର ମର୍ମ ଥିଲା ଯେ ବର୍ଣ୍ଣବୋଧ ପ୍ରବେଶ କରି ନ ଥିବା ସ୍ଥାନରେ ବ୍ରାଣ୍ଡଗୁଡ଼ିକ ସେଠାକାର ଅଧିବାସୀମାନଙ୍କୁ ସତେ ଯେମିତି ଅକ୍ଷର ପରିଚିତି ଦେଲେଣି!

ତେବେ, କିଶନ ପଟ୍ଟନାୟକଙ୍କ କଟାକ୍ଷକୁ ଅତିକ୍ରମ କରିଗଲେ ତହିଁରୁ ଖାଉଟି ସଚେତନତା ସୃଷ୍ଟିର ସୂତ୍ରଟିଏ ମଧ୍ୟ ମିଳିଥାଏ।

କାରଣ, ନିରକ୍ଷରମାନଙ୍କ ଦୃଷ୍ଟିରେ ଚିତ୍ର ହିଁ ହେଉଛି ଅକ୍ଷର; ସୁତରାଂ, ପ୍ୟାକେଟଗୁଡ଼ିକରେ ସଚେତନତାଧର୍ମୀ ଚିତ୍ର, ଚିହ୍ନ ଓ ସଂକେତମାନ ସ୍ପଷ୍ଟ ଓ ବଡ଼ ଆକାରରେ ଦିଆଗଲେ ସେମାନେ "ବ୍ରାଣ୍ଡ"ର ଚେହେରାକୁ ଚିହ୍ନିଲା ଭଳି ତହିଁରେ ଅନ୍ତର୍ନିହିତ ଗୁଣ-ଅବଗୁଣ ବାବଦରେ ମଧ୍ୟ ସୂଚନା ପାଇଯିବେ।

ସଚେତନତା ସାର୍ବଜନୀନ ହେବ।

ତେଣିକି, ସାର ଅସାର ବାଛିବାର ସ୍ବାଧୀନତା ସେମାନଙ୍କର ବା ଖାଉଟିଙ୍କର!"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।