Manja Katha: ମଞ୍ଜ କଥା: ସତକୁ ଲୁଚାଇ ପାରିବାନି
"ଭବାନୀ ଶଙ୍କର ତ୍ରିପାଠୀ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ (ଏମ୍ଏମ୍ଡିଆର୍) ସଂଶୋଧନ ବିଲ୍ ସହିତ ଉତ୍ପନ୍ନ ସମ୍ଭାବ୍ୟ କ୍ଷତି ସଂପର୍କରେ ଓଡ଼ିଶାର ନିର୍ବାଚିତ ଲୋକପ୍ରତିନିଧିମାନଙ୍କ ଉଦାସୀନ ମନୋଭାବ, ଅସ୍ପଷ୍ଟ ଆଭିମୁଖ୍ୟ ସବୁଦିନ ପାଇଁ ମନେ ରହିବ।
ନିର୍ଦିଷ୍ଟ କୌଣସି ଜଣେ ନେତା ବା ଗୋଟିଏ ରାଜନୈତିକ ଦଳ ପାଇଁ ଏହି ମନ୍ତବ୍ୟ ଅଭିପ୍ରେତ ନୁହେଁ।
ବରଂ ସାଢ଼େ ଚାରିକୋଟି ଲୋକଙ୍କ ସ୍ବାର୍ଥକୁ ଦଳି ଦିଆଗଲାବେଳେ ଓଡ଼ିଶାର ଶାସନତନ୍ତ୍ର, ରାଜନେତା, ବୁଦ୍ଧିଜୀବୀ, ପ୍ରମୁଖ ଗଣମାଧ୍ୟମ, ଶାସକ ଓ ବିରୋଧୀ ଦଳର ନେତାମାନେ ଯେଭଳି ପ୍ରତିକ୍ରିୟା ରଖିବା କଥା, ପ୍ରତିବାଦ ଜଣାଇବା ଉଚିତ୍, ତାହା ଆଦୌ ପରିଦୃଷ୍ଟ ହେଲା ନାହିଁ।
Advertisment Pradhan Mantri Fasal Bima Yojana: ବାଲେଶ୍ବରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରହସନ: ୩ ବର୍ଷରେ ନେଲେ ୧୦୧କୋଟି, ଦେଲେ ୧୯କୋଟି "ମାଟି ନା ପାର୍ଟି" କାହା ସପକ୍ଷରେ ଆମ ସାଂସଦମାନେ ରହିବେ, ସେ ଦ୍ବନ୍ଦ୍ବରୁ ସମ୍ଭବତଃ କେହି ମୁକୁଳି ପାରି ନାହାନ୍ତି।
ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଦାବିକୁ ମଧ୍ୟ ରାଜ୍ୟରେ ବଳ ମିଳିଲା ନାହିଁ।
ଏକଦା ସ୍ବତନ୍ତ୍ର ପ୍ରଦେଶ ଗଠନ ଲାଗି ଆନ୍ଦୋଳନ କରିଥିବା ରାଜ୍ୟ ଏହି ସ୍ବର୍ଣ୍ଣିମ ସମୟର ୧୦୦ ବର୍ଷ ପାଳନ କରିବା ପୂର୍ବରୁ ତା"ର "ସ୍ବତନ୍ତ୍ରତା" ହରାଉଥିବା ବେଳେ ଜନ ସମୁଦାୟର ନିଷ୍ପ୍ରଭ ପ୍ରତିକ୍ରିୟା ପ୍ରମାଣ କରିଦେଲା ଯେ ଓଡ଼ିଶାର ନେତୃତ୍ବ ସଙ୍କଟ ଏବେ ଭୀଷଣ ସ୍ଥିତିରେ ଉପନୀତ।
ଅର୍ଥସର୍ବସ୍ବ ବ୍ୟବସ୍ଥାରେ "ବ୍ୟକ୍ତିସ୍ବାର୍ଥ" ଓ "ଚୌକି" ଚିନ୍ତା ରାଜ୍ୟର ପ୍ରମୁଖ ନେତାଙ୍କୁ ଗ୍ରାସ କରିଛି ଅଥବା ସେମାନେ କୌଣସି ଅଜଣା କାରଣରୁ ତ୍ରସ୍ତ ଅଛନ୍ତି।
ସ୍ବୀକାର କରିବାକୁ ହେବ ଯେ ଯନ୍ତରମନ୍ତରରେ ଛାତ୍ରସମାଜ ବା "ଜେନ୍ ଜି"ର ଉଚ୍ଚାଟକୁ ପ୍ରତ୍ୟକ୍ଷ କରିବା ପରେ ବି ସମାଜର ପ୍ରଭାବଶାଳୀ ଗୋଷ୍ଠୀର ସ୍ବପ୍ନ ଭଙ୍ଗ ହୋଇନାହିଁ।
ଏହି ଘଟଣାକୁ ଗମ୍ଭୀରତାର ସହିତ ଆଲୋଚନା କରିବା ବେଳେ ଯେଉଁ ପ୍ରଶ୍ନଟି ମନକୁ ଭାରାକ୍ରାନ୍ତ କରୁଛି ତାହା ହେଲା, ଆମ ଲୋକପ୍ରତିନିଧିମାନେ ସତରେ ବିତର୍କକୁ ଡରୁଛନ୍ତି ନା ଦଳୀୟ ଶୃଙ୍ଖଳାର ବନ୍ଧନ ଆଳରେ ରାଜ୍ୟ ସ୍ବାର୍ଥ ବିରୋଧୀଙ୍କ ପକ୍ଷଭୁକ୍ତ?
ସଂସଦର ପଟଳ ଉପରେ ବିପକ୍ଷରେ ନହେଲେ ନାହିଁ, ସଂଶୋଧନ ସପକ୍ଷରେ ସେମାନଙ୍କ ବଳିଷ୍ଠ ଯୁକ୍ତିକୁ ରେକର୍ଡ କରାଇବାରେ ଅସୁବିଧା କେଉଁଠି ଥିିଲା?
ଦେଶର ଯୁବପିଢ଼ିକୁ ଯେବେ ଦୃଢ଼ ଭାବେ ମତ ଉପସ୍ଥାପନ ଲାଗି ଯନ୍ତରମନ୍ତରରେ ଶବ୍ଦର ସଙ୍କଟ ହେଲା ନାହିଁ, ସେବେ ବିରୋଧୀ ଦଳର ନିର୍ବାଚିତ ପ୍ରତିନିଧିଙ୍କ ପାଖରେ ଭାଷା ଓ ଭାବର ଅଭାବ ପଛର କାରଣ କ"ଣ ହୋଇପାରେ?
ରାଜ୍ୟବାସୀ ଆମର ଲୋକପ୍ରତିନିଧିମାନଙ୍କ ରାଷ୍ଟ୍ର ପ୍ରେମ ପରୀକ୍ଷାର ଏକ ନିଛକ୍ ଉଦାହରଣ ଭାବେ ଏହାକୁ ଗ୍ରହଣ କରନ୍ତୁ।
ଏଇଥିପାଇଁ ଯେ ଏହି ପ୍ରସଙ୍ଗକୁ ନେଇ ଦଳୀୟ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଓ ପ୍ରତିଅଭିଯୋଗ ଏବଂ ଗଣମାଧ୍ୟମ ଷ୍ଟୁଡିଓରେ ଗର୍ଜନ ତର୍ଜନ, ଆନ୍ଦୋଳନ ଧମକ ଭିତରେ ଏହି "ଅନ୍ୟାୟ"କୁ ସବୁଦିନ ଲାଗି କବର ଦେବାକୁ ସବୁ ସ୍ତରରେ ଉଦ୍ୟମ ଚାଲିଛି; ଏ କଥାର ଅବଶ୍ୟ ସଙ୍କେତ ମିଳୁଛି।
ପ୍ରଭାବଶାଳୀ ଗୋଷ୍ଠୀ ଧରିନେଇଛନ୍ତି ଯେ ଅନେକ ଗମ୍ଭୀର ପ୍ରସଙ୍ଗ ଭଳି ଏହା ମଧ୍ୟ ଚର୍ଚ୍ଚାରୁ ଅପସରିଯିବାକୁ ବେଶୀ ସମୟ ନେବ ନାହିଁ।
ହଁ, ବିକାଶ ପ୍ରସଙ୍ଗରେ କଥା ହେବା ବେଳେ "ସହଯୋଗିତା" ଓ "ସହଭାଗିତା" ମଧ୍ୟରେ ଦୂରତା କେତେ, ତାହାର ଅନୁଶୀଳନ ହେବା ଉଚିତ।
ଏ କ୍ଷେତ୍ରରେ "ଉତ୍ତରଦାୟିତ୍ବ"ଟି ଅସଲରେ କାହା ଉପରେ ନ୍ୟସ୍ତ ଏକଥା ଉଲ୍ଲେଖ କରିବାକୁ ହେବ।
ଆମ ବିଚାରରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜନପ୍ରତିନିଧିଙ୍କ ଭୂମିକା ଓ ଦାୟିତ୍ବକୁ କେହି ଅଣଦେଖା କରିପାରିବେ କି?
ଅତ୍ୟନ୍ତ ସତର୍କତାର ସହିତ ଯେଉଁ ପ୍ରସଙ୍ଗଟି ଏହି ଛଳରେ ଉଠାଇବାକୁ ଚାହୁଁଛି, ତାହା େହଲା- ଆସନ୍ତାକାଲି ଭୋଟର୍, ଟିକସଦାତା ସମସ୍ତେ ସଂସଦ ଓ ବିଧାନସଭାର ଦୈନନ୍ଦିନ କାର୍ଯ୍ୟଧାରାକୁ ନେଇ ଅବଶ୍ୟ ପ୍ରଶ୍ନ ଉଠାଇପାରନ୍ତି।
ଏକଥା କେହି କହିପାରେ ଯେ ଗଣତନ୍ତ୍ର ମନ୍ଦିରକୁ ନିର୍ବାଚିତ ଲୋକପ୍ରତିନିଧି ରାଜ୍ୟ ବା ଦେଶର ସ୍ବାର୍ଥ ସୁରକ୍ଷା ଦିଗରେ ବିଶେଷ ପ୍ରୟାସୀ ନାହାନ୍ତି ବରଂ ନିଜ ପାଇଁ ଅଧିକ ବେତନ, କ୍ଷମତା, ସୁବିଧା ପ୍ରାପ୍ତି ମନସ୍କ ଅଛନ୍ତି।
ଆଉ କାହା ମନକୁ ଛୁଇଁପାରେ ଯେ ଦେଶ ଓ ରାଜ୍ୟର ଅର୍ଥନୀତିକୁ ଯଦି ଦାରିଦ୍ର୍ୟ ସ୍ପର୍ଶ କରୁଛି, ସେଥିପାଇଁ ଏହି ତଥାକଥିତ "ମହଙ୍ଗା ନେତା"ମାନେ ହିଁ ଦାୟୀ।
କେହି କେବେ ଆଚମ୍ବିତ ହେବେ ନାହିଁ, ଯଦି ଅନେକ ଜନସ୍ବାର୍ଥ ସମ୍ବଳିତ ଘଟଣାରେ ମୁହଁ ଖୋଲୁ ନଥିବା ପ୍ରମୁଖ ଗଣମାଧ୍ୟମ କୌଣସି ଅଦୃଶ୍ୟ ଚାପରେ ଏଭଳି କିଛି ସଙ୍ଗିନ୍ ପ୍ରସଙ୍ଗକୁ ପ୍ରାଥମିକତା ଦେଲା ନାହିଁ, ଅଥବା ମୌନବ୍ରତ ପାଳନ କରିବାର ନିଷ୍ପତ୍ତି ନେଲା।
ଯିଏ ଯାହା ବି କରନ୍ତୁ, ସେ ଦିନ ଆଉ ବେଶୀ ଦୂର ନୁହେଁ, ଯେଉଁଦିନ ରାଜ୍ୟର ପ୍ରତିଟି ଭୋଟର୍ ଵାର୍ଡମେମ୍ବର, କାଉନସିଲର୍ ବା କର୍ପୋରେଟରଙ୍କ ଠାରୁ ଆରମ୍ଭ କରି ବିଧାୟକ ବା ସାଂସଦଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କ କାମର କଡ଼ାଗଣ୍ଡା ହିସାବ ମାଗିବେ।
ଆମେ ଜାଣିଛୁ, ସଂସଦ ବା ବିଧାନସଭା ଗୋଟିଏ ଗୋଟିଏ ଇଟା ବା ପଥରରେ ତିଆରି ସାଧାରଣ ପ୍ରକୋଷ୍ଠ ନୁହେଁ।
ବରଂ ଗଣତନ୍ତ୍ରର ସର୍ବଶ୍ରେଷ୍ଠ ମର୍ଯ୍ୟାଦାପୂର୍ଣ୍ଣ ମନ୍ଦିର, ଯେଉଁଠି ଦେଶ ବା ରାଜ୍ୟର କୋଟି କୋଟି ଲୋକଙ୍କ ଭାଗ୍ୟ ବିଷୟରେ ଆଲୋଚନା, ବିତର୍କ ଓ ନିଷ୍ପତ୍ତି ନିଆଯାଏ।
ଆମ ସମ୍ବିଧାନ ଆସ୍ଥା ଓ ବିଶ୍ବାସର ସୁରକ୍ଷିତ ଆଶ୍ରୟସ୍ଥଳୀ।
ଏହି ଅନୁଷ୍ଠାନର ଭୂମିକା ନେଇ ପ୍ରଶ୍ନଚିହ୍ନଟିଏ ଆଙ୍କିବା ଗୋଟିଏ ସୁସ୍ଥ ପରମ୍ପରା ପ୍ରତୀକ ହେବା ଅନୁଚିତ।
ହେଲେ ଏ ସଂକ୍ରାନ୍ତରେ ସଂସଦର ପରିସଂଖ୍ୟାନ ମଞ୍ଚ-ଭାଷଣ ଭଳି ମିଛ ନୁହେଁ।
ଏହା ଇଙ୍ଗିତ କଲାଣି େଯ ଦେଶର ନିର୍ବାଚିତ ସଦସ୍ୟମାନଙ୍କ ଭିତରେ ଧୈର୍ଯ୍ୟ, ନିଷ୍ଠା, ଏକାଗ୍ରତା, ଶୃଙ୍ଖଳାର ଅଭାବ ସୀମା ଡେଇଁବା ଅବସ୍ଥାରେ ଉପନୀତ।
ସେମାନେ ଦିନ କେତେଟା ଏକାଠି ବସି ଆଲୋଚନା କରିବା ଅବସ୍ଥାରେ ସମ୍ଭବତଃ ଆଉ ନାହାନ୍ତି।
ଯେତିକି ଦିନ ବସୁଛନ୍ତି, ଅଧିକାଂଶ ସମୟ ବିତର୍କ କମ୍, ବିବାଦରେ ବିତିଯାଉଛି।
ଆଗତ ବିଲ୍ଗୁଡ଼ିକ ଯୁକ୍ତି ଆଧାର ସହମତି ପାଇପାରୁନାହିଁ, ବରଂ ହଙ୍ଗାମା ଭିତରେ ପାରିତ ହୋଇଯାଉଛି।
୧୮ତମ ଲୋକସଭାରେ ଉପସ୍ଥାପିତ ୫୦%ରୁ ଅଧିକ ବିଲ୍ ସେହି ସତ୍ରରେ ହିଁ ଉଭୟ ସଦନରେ ପାରିତ ହୋଇଛି, ଯାହାର ଭାଗ ୧୬ତମ ଲୋକସଭାରେ ୩୩% ଥିଲା।
୨୦୨୬ର ମୌସୁମୀ ସତ୍ର ଚିନ୍ତା ଉଦ୍ରେକ କରିବା ଭଳି।
ଲୋକସଭାରେ ୧୧ଟି ଓ ରାଜ୍ୟସଭାରେ ୨ଟି ବିଲ୍ ଉପସ୍ଥାପିତ ହୋଇଥିଲା।
ଏହି ସତ୍ର ଶେଷ ହେବା ପୂର୍ବରୁ ୧୨ ବିଲ୍ ପାରିତ ହେଲା ଏବଂ ଅନେକ ବିଲ୍ରେ ଲୋକପ୍ରତିନିଧି ବିତର୍କ କରିବା ଲାଗି ଆଗ୍ରହ ଦେଖାଇଲେ ନାହିଁ।
ସାତଟି ବିଲ୍ରେ ମୋହର ବାଜିବା ଲାଗି କେଇ ମିନିଟ୍ ସମୟ ଲାଗିଲା।
ଏମିତି କେମିତି ହୋଇପାରିବ?
ଏହାକୁ ଆମେ ଦକ୍ଷତା ବୋଲି କହିପାରିବା ନାହିଁ ବରଂ ସଂସଦୀୟ ବ୍ୟବସ୍ଥାଟି ଦୁର୍ବଳ ହେଲାଣି ଏବଂ ଏହାର ଅଙ୍ଗପ୍ରତ୍ୟଙ୍ଗରେ ଘୁଣ ଲାଗିଲାଣିି।
ଏହା ତା"ର ସଙ୍କେତ ମାତ୍ର।
ହଁ, ଓଡ଼ିଶା ବିଧାନସଭା ଏହି ଜାତୀୟ ମହାମାରୀରୁ ମୁକ୍ତ ନୁହେଁ।
ବରଂ ଏଠାରେ ସ୍ଥିତି ତା" ଚାହିଁ ଗମ୍ଭୀର।
ଗୃହ ପଟଳରେ ଆଗତ ବିଲ୍ ଅତି ସଂକ୍ଷିପ୍ତ ସମୟରେ ଅନୁମୋଦନ ଲାଭ କରିଥିବା ସଂଖ୍ୟାର ତାଲିକା ସଂସଦଠାରୁ ବେଶ୍ ଲମ୍ବା ହୋଇପାରେ।
ଆମକୁ ସ୍ବୀକାର କରିବାକୁ ହେବ ଯେ ବିଲ୍ ଉପସ୍ଥାପନ ଓ ପାରିତ ହେବା ମଧ୍ୟରେ ସମୟର ବ୍ୟବଧାନ କମିଲେ, ସାଂସଦମାନଙ୍କୁ ଆଇନଗତ ପ୍ରସ୍ତାବ ଯାଞ୍ଚ କରିବାକୁ ପର୍ଯ୍ୟାପ୍ତ ସମୟ ମିଳିବ ନାହିଁ।
ଜନସାଧାରଣ/ହିତାଧିକାରୀଙ୍କ ସହ ପରାମର୍ଶ କରିବାର ସୁଯୋଗ ସୀମିତ ହୋଇଯିବ।
ଏହା ସଂସଦର ମୂଳ ଉଦ୍ଦେଶ୍ୟକୁ ଦୁର୍ବଳ କରୁଛି।
ଏକଥା ଜାଣି ବି ରାଜନୈତିକ ପଣ୍ଡିତମାନେ ନିରବ।
ଅର୍ଥାତ୍ ଗଣତନ୍ତ୍ର ରୋଗାକ୍ରାନ୍ତ ହେବା ଆରମ୍ଭ କଲାଣି।
Train accident: ଟ୍ରେନ୍ ଧକ୍କାରେ ବାପା ଓ ଶିଶୁପୁତ୍ରର ମୃତ୍ୟୁ: ଅଳ୍ପକେ ବର୍ତ୍ତିଲେ ମା" ଏକଥା ବି ଲକ୍ଷ୍ୟ କରିବା କଥା, ଜନସ୍ବାର୍ଥ ପ୍ରସଙ୍ଗରେ ଅନେକ ସମୟରେ ଅସମ୍ଭବ ନିରବ ରହୁଥିବା ସାଂସଦ, ବିଧାୟକ ନିଜ ସ୍ବାର୍ଥ କ୍ଷେତ୍ରରେ ସବୁବେଳେ ସହମତ ଏବଂ ସେ ସମୟରେ ସେମାନଙ୍କ ସ୍ବର ଅତ୍ୟନ୍ତ ତୀକ୍ଷ୍ଣ ବା ଶାଣିତ ଓ ମୁଖରା।
ଏ କ୍ଷେତ୍ରରେ ରାଜ୍ୟ ସ୍ବାର୍ଥ ପରିପନ୍ଥୀ ନିଷ୍ପତ୍ତିର ସୁରକ୍ଷା ଭାର କାହା ଉପରେ ନ୍ୟସ୍ତ ହେବ?ସ୍ମରଣଯୋଗ୍ୟ, ଆମ ଲୋକପ୍ରତିନିଧି ରାଜନୀତିକୁ "ସେବା" ବର୍ଗରେ ଆଉ ରଖିନାହାନ୍ତି।
ବରଂ ଦୈନିକ ସଂସଦ ବସିବା ଲାଗି ଯେତେ ଅର୍ଥ ବିନିଯୋଗ ହୁଏ, ବିଶେଷଜ୍ଞମାନେ ଏହାର ମୂଲ୍ୟ କୋଟି କୋଟି ଟଙ୍କାରେ ଆକଳନ କରନ୍ତି।
ଅର୍ଥାତ୍ ସଂସଦରେ ଲୋକପ୍ରତିନିଧିମାନଙ୍କ ଆଲୋଚନା ଅତି ମହଙ୍ଗା।
ପ୍ରାୟ ପ୍ରତି ମିନିଟରେ ଅଢ଼େଇ ଲକ୍ଷ ଟଙ୍କା ଏଠାରେ ବ୍ୟୟ ହୋଇଥାଏ।
ଯଦି କୌଣସି ଅର୍ଥଶାସ୍ତ୍ରର ଛାତ୍ର ଏହାକୁ ବ୍ୟକ୍ତିଗତ କୁତ୍ସାରଟନା, ସ୍ଲୋଗାନବାଜି, ପ୍ଲାକାର୍ଡ ପ୍ରଦର୍ଶନ, କକ୍ଷତ୍ୟାଗ ବାବଦରେ ନଷ୍ଟ ସମୟ ବା ଘଣ୍ଟା ସହିତ ଗୁଣନ କରେ, ତେବେ ଯେଉଁ ପରିମାଣ ସାମ୍ନାକୁ ଆସିବ, ସେଥିରୁ ଯେ କେହି ସିଦ୍ଧାନ୍ତରେ ଉପନୀତ ହୋଇପାରେ ଯେ ଏହାଠାରୁ କମ୍ ମୂଲ୍ୟର ଅପରାଧ ପାଇଁ ଆମ ବ୍ୟବସ୍ଥା ଅନେକଙ୍କୁ ବିଭିନ୍ନ ସମୟରେ ଦଣ୍ଡିତ କରିଛି।
ସଂସଦରେ ଏତେ ବଡ଼ ରାଜସ୍ବ ହାନି ଲାଗି କାହାକୁ କିନ୍ତୁ ଉତ୍ତରଦାୟୀ କରାଯାଏ ନାହିଁ।
ଏଠାରେ ଅର୍ଥ ଭରଣାର ବ୍ୟବସ୍ଥା ମଧ୍ୟ ନାହିଁ।
କେବଳ ସେତିକି ନୁହେଁ, ପାଖାପାଖି ୪୧୨୬ ବିଧାୟକ ଓ ୭୮୮ ଜଣ ସାଂସଦଙ୍କ ପାଇଁ ବାର୍ଷିକ ହାରାହାରି ୨୦୦୦ କୋଟିରୁ ଅଧିକ ଖର୍ଚ୍ଚ ହେଉଛି।
ଏହାବ୍ୟତୀତ ସେମାନେ ନିଜ ନିର୍ବାଚନମଣ୍ଡଳୀ ପାଇଁ ୧ କୋଟିରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ବିବେକାଧୀନ ଅନୁଦାନ ପାଆନ୍ତି।
ସମୟ ଆସିଛି, ହିସାବ କରିବାକୁ ହେବ ଯେ ଏହା ଜିଡିପିର କେତେ ପ୍ରତିଶତ?
ହଁ, ଆମ ବ୍ୟବସ୍ଥା ଲୋକ ପ୍ରତିନିଧିମାନଙ୍କ ସୁରକ୍ଷା ଲାଗି ସବୁ ଦରଜା ଖୋଲିଦେଉ।
କିନ୍ତୁ ଗରିବ, ଖଟିଖିଆଠାରୁ ଆରମ୍ଭ କରି ସମାଜର ସବୁ ବର୍ଗ ଲାଗି ନ୍ୟାୟର ପୁସ୍ତିକା ଲେଖିବାବେଳେ ସର୍ବନିମ୍ନ ଅବହେଳାକୁ ଗମ୍ଭୀରତାର ସହିତ ଗ୍ରହଣ କରୁ।
ବିଫଳତା ପାଇଁ ଉତ୍ତରଦାୟିତ୍ବ ଅବଶ୍ୟ ଧାର୍ଯ୍ୟ କରୁ।
ଅନ୍ୟଥା ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ଭଳି ଗୋଟିଏ ଗୋଟିଏ ଉଦାହରଣ, ବିକାଶର ସୁଷମ ବଣ୍ଟନର କେବଳ ଡଙ୍କ ମୋଡ଼ିଦେବ ତା" ନୁେହଁ, ମତ ବିଭାଜନର ମଞ୍ଜି ବି ବୁଣିପାରେ।
ଏହା ଦେଶର ଆଭ୍ୟନ୍ତରୀଣ ଶୃଙ୍ଖଳାକୁ ବିଗାଡ଼ିଦେବାର ସାମର୍ଥ୍ୟ ମଧ୍ୟ ରଖେ।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୯୩୭୪୭୪୨୭୪"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।