Education: ‘ଦେଶବାସୀଙ୍କ ଭରସାକୁ ଯୁବପିଢି ସାର୍ଥକ କରନ୍ତୁ’

Sep 12, 2026 - 23:00
Education: ‘ଦେଶବାସୀଙ୍କ ଭରସାକୁ ଯୁବପିଢି ସାର୍ଥକ କରନ୍ତୁ’

"ରାଉରକେଲା (ଦେବବ୍ରତ ଗଡ଼ତିଆ): ଆପଣମାନଙ୍କ ଶିକ୍ଷା ନବସୃଜନ, ଉଦ୍ୟମିତା ଓ ଅର୍ଥପୂର୍ଣ୍ଣ ସାମାଜିକ ପ୍ରଭାବରେ ରୂପାନ୍ତରିତ ହେବା ଉଚିତ୍‌।

ଏହି ଶିକ୍ଷା, ଅନ୍ୟମାନଙ୍କ ଜୀବନରେ ଉନ୍ନତି ଆଣିବା ସହ ଏକ ନୂତନ ଭାରତ ଗଠନରେ ଅର୍ଥପୂର୍ଣ୍ଣ ଅବଦାନ ଦେଉ।

ଉଦ୍ଦେଶ୍ୟ, କରୁଣା ଓ ଦାୟିତ୍ୱବୋଧ ନିଷ୍ପତ୍ତିକୁ ମାର୍ଗଦର୍ଶନ କରୁ।

ଏକ ସ୍ପଷ୍ଟ ଉଦ୍ଦେଶ୍ୟ ନେଇ ଆଗକୁ ବଢ଼ନ୍ତୁ, ନମ୍ରତାର ସହ ସେବା କରନ୍ତୁ ଓ ଆପଣଙ୍କ ସଫଳତା ଦ୍ୱାରା ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣନ୍ତୁ।

ଏଭଳି ଭାବେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ କରିଛନ୍ତି ନୀତି ଆୟୋଗର ସଦସ୍ୟ ପ୍ରଫେସର ଅଭୟ କରଣ୍ଡିକର।Advertisment ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ୨୪ତମ ସମାବର୍ତ୍ତନ ଉତ୍ସବରେ ଆଭାସୀ ମାଧ୍ୟମରେ ଯୋଡ଼ିହୋଇ ମୁଖ୍ୟଅତିଥି ପ୍ରଫେସର କରଣ୍ଡିକର କହିଲେ, ସମସ୍ତଙ୍କ ପାଖରେ ଉଦ୍ୟମିତା ଗୁଣ ରହିବା ଜରୁରୀ, ଯାହା ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସହାୟକ ହେବ।

ଏକ ବିକଶିତ ଗଠନ ଆଡ଼କୁ ଅଗ୍ରସର ହେବା ଯାତ୍ରାରେ ଭାରତ ଆଜି ଏକ ନିର୍ଣ୍ଣାୟକ ମୁହୂର୍ତ୍ତରେ ଠିଆ ହୋଇଛି ଏବଂ ଆପଣମାନେ ହିଁ ସେହି ପିଢ଼ି, ଯିଏ ଏହି ଭବିଷ୍ୟତକୁ ରୂପ ଦେବେ।

ନେତୃତ୍ୱ ନେବା ପାଇଁ ଆମ ପାଖରେ ଜ୍ଞାନ, ପ୍ରତିଭା ରହିଛି।

ଯୁବପିଢିର ଉତ୍ସାହ, ଆମ ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକର ସାମର୍ଥ୍ୟ, ଆମର ଷ୍ଟାର୍ଟ୍‌ଅପ୍‌ ଇକୋସିଷ୍ଟମ୍‌, ଡିଜିଟାଲ୍ ଭିତ୍ତିଭୂମି ପରିଚାଳନା କୌଶଳ ଆଦି ଆମକୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରୁଛି।

ସାହସର ସହିତ ସ୍ୱପ୍ନ ଦେଖନ୍ତୁ, ଶିଖିବା ଜାରି ରଖନ୍ତୁ, ଦାୟିତ୍ୱର ସହିତ ନବସୃଜନ କରନ୍ତୁ ଓ ପରିବର୍ତ୍ତନ ଆଣିବା ପାଇଁ ଜ୍ଞାନର ସଦୁପଯୋଗ କରନ୍ତୁ।

ଏହାସହ କହିଲେ, ଏକ ସଫଳ କ୍ୟାରିୟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏକ ଅର୍ଥପୂର୍ଣ୍ଣ ଜୀବନ ତା"ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।

Education sector: ଶିକ୍ଷା କ୍ଷେତ୍ରରେ ଅସଲ ସଂକଟ ଦେଶ ଆପଣଙ୍କ ସାମର୍ଥ୍ୟ ଉପରେ ଭରସା କରେ; ବର୍ତ୍ତମାନ ଆପଣ ସମାଧାନ କରୁଥିବା ସମସ୍ୟା, ସ୍ପର୍ଶ କରୁଥିବା ଜୀବନ ଓ ଗଠନ କରୁଥିବା ସମାଜ ମାଧ୍ୟମରେ ସେହି ଭରସାକୁ ସାର୍ଥକ କରନ୍ତୁ।

ବିକଶିତ ଭାରତ ୨୦୪୭ ସମସ୍ତଙ୍କର ଲକ୍ଷ୍ୟ ହେଉ ଏବଂ ଏହାକୁ ସଫଳ କରିବାରେ ସମସ୍ତେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତୁ।

ସମ୍ମାନିତ ଅତିଥି ଏନ୍‌ଆଇଟି ୱାରାଙ୍ଗଲ୍‌ର ନିର୍ଦେଶକ ପ୍ରଫେସର ବିଦ୍ୟାଧର ସୁବୁଦ୍ଧି କହିଲେ, ସୁବିଧା ବଦଳରେ ଶ୍ରେଷ୍ଠତା ଓ ସ୍ୱଳ୍ପକାଳୀନ ସଫଳତା ବଦଳରେ ସାଧୁତାକୁ ବାଛନ୍ତୁ।

ଆପଣଙ୍କ ମେଡାଲ ବା ଡିଗ୍ରି ଅତୀତର ପ୍ରଦର୍ଶନକୁ ଦର୍ଶାଏ, କିନ୍ତୁ ଆଗାମୀ ଦିନରେ ଚରିତ୍ର ହିଁ ସଫଳତାର ପ୍ରକୃତ ମାପକାଠି ହେବ।

ଏନ୍‌ଆଇଟି ବୋର୍ଡ୍‌ ଅଫ୍‌ ଗଭର୍ଣ୍ଣର୍ସ୍‌ର ଅଧ୍ୟକ୍ଷ ଏସ୍‌.ଏନ୍‌.ସୁବ୍ରମଣ୍ୟନ୍‌ ବକ୍ତବ୍ୟ ଦେଇଥିବାବେଳେ ରାଉରକେଲା ଏନ୍‌ଆଇଟିର ନିର୍ଦେଶକ ପ୍ରଫେସର କେ.

ଉମାମହେଶ୍ବର ରାଓ ବିବରଣୀ ପାଠ କରିଥିଲେ।

ସମାବର୍ତ୍ତନ ଉତ୍ସବରେ ୪୭ ବିଦେଶୀଙ୍କ ସହ ମୋଟ୍‌ ୨୦୩୩ ଛାତ୍ରଛାତ୍ରୀ (୧,୫୨୫ ଜଣ ଛାତ୍ର ଓ ୫୦୮ ଜଣ ଛାତ୍ରୀ) ଙ୍କୁ ଡିଗ୍ରି ପ୍ରଦାନ କରାଯାଇଥିଲା।

ଏହାସହ ୧୧ ଜଣଙ୍କୁ ଇନ୍‌ଷ୍ଟିଚ୍ୟୁଟ୍‌ ସ୍ୱର୍ଣ୍ଣପଦକ, ୬ଟି ଏଣ୍ଡୋମେଣ୍ଟ୍‌ ସ୍ୱର୍ଣ୍ଣପଦକ, ୮ଟି ଏଣ୍ଡୋମେଣ୍ଟ୍‌ ପୁରସ୍କାର ଓ ୬୧ଟି ରୌପ୍ୟପଦକ ପ୍ରଦାନ କରାଯାଇଥିଲା।

ଏତଦ୍‌ବ୍ୟତୀତ ଦୁଇ ପୁରାତନ ଛାତ୍ର ଓଏନ୍‌ଜିସି ବିଦେଶ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ତଥା ସିଇଓ ରାଜର୍ଷି ଗୁପ୍ତା ଓ କରୋଜନ ପ୍ରୋଟେକ୍ସନ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଜ୍ଞାନରଞ୍ଜନ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।