Egg and Chicken Prices Surge Across Odisha: ଆମିଷ ବଜାରରେ ମହଙ୍ଗା ମାଡ଼, ଅଣ୍ଡା-ଚିକେନ୍ ଦର ବଢ଼ିବାରୁ ବିଗିଡ଼ିଲା ବଜେଟ୍
ନନଭେଜ୍ ବାରିରେ ଲୋକଙ୍କ ଖାଇବା ଥାଳିରେ ଏହି ଦୁଇଟି ଜିନିଷ ଭାରି ମହଙ୍ଗା। ସପ୍ତାହେ ତଳେ ୬ ଟଙ୍କାରେ ବିକ୍ରି ହେଉଥିବା ଅଣ୍ଡା ଦର ଛୁଇଁଲାଣି ୮ ଟଙ୍କା। ହୋଲସେଲରେ ଗୋଟା ୭ ଟଙ୍କା। ଆଉ ଖୁଚୁରା ବଜାରରେ କେଉଁଠି ୮ ତ କେଉଁଠି ୯... ପୁଣି କେଉଁଠି ୧୦ ଟଙ୍କା। ଆଜି ଭୁବନେଶ୍ବର ୟୁନିଟ୍-୪ ଆମିଷ ମାର୍କେଟରେ ବ୍ରଏଲର ଅଣ୍ଡା ଦାମ୍ ୮ ଓ ଦେଶୀ ଅଣ୍ଡା ଗୋଟିକୁ ବିକ୍ରି ହେଉଛି ୧୫ରୁ ୨୦ ଟଙ୍କାରେ। ଟ୍ରେ ପିଛା ଦର ୧୭୦ ଟଙ୍କାରୁ ବଢ଼ି ୧୯୦ ଟଙ୍କା ହୋଇଛି। ସେହିପରି ଚିକେନ୍ ଅବସ୍ଥା ବି ସମାନ। ସପ୍ତାହେ ତଳେ ୨୦୦ରୁ ୨୨୦ ଟଙ୍କାରେ ମିଳୁଥିବା ଚିକେନ୍ କିଲୋ ଏବେ ୨୫୦ ଟପି ୨୭୦ ଟଙ୍କା ଛୁଇଁଲାଣି। କେଉଁଠି ଦର ମାରିଛି ଟ୍ରିପଲ ସେଞ୍ଚୁରୀ। ଅଚାନକ ଦର ବୃଦ୍ଧି ରୋଷେଇ ଘରର ବଜେଟ୍ ବିଗାଡ଼ି ଦେଇଛି। ଗ୍ରାହକ ଆଉ ଆବଶ୍ୟକ ଅନୁସାରେ ଘରକୁ ଅଣ୍ଡା, ଚିକେନ୍ ନେଉ ନାହାନ୍ତି।
କାହିଁକି ହୁ ହୁ ବଢୁଛି ଚିକେନ୍ ଓ ଅଣ୍ଡା ଦର ? ବ୍ୟବସାୟୀଙ୍କ ମତରେ, କୁକୁଡ଼ା ଦାନାର ମୂଲ୍ୟ ବୃଦ୍ଧି ହିଁ ମୁଖ୍ୟ କାରଣ। କୁକୁଡ଼ାର ମୁଖ୍ୟ ଖାଦ୍ୟ ହେଉଛି ମକା, ଯାହା ଏବେ E20 ପେଟ୍ରୋଲ୍ ଉତ୍ପାଦନ ପାଇଁ ବହୁଳ ବ୍ୟବହୃତ ହେଉଥିବାରୁ ଏହାର ଅଭାବ ଦେଖାଦେଇଛି। ଗତ ୨ ମାସ ତଳେ କୁକୁଡ଼ା ଖାଦ୍ୟ ଟନ୍ ପିଛା ୧୯ ହଜାର ଟଙ୍କା ଥିଲା। ଏବେ ବଢ଼ି ୨୪ ହଜାର ୫ଶହ ଟଙ୍କାରେ ପହଞ୍ଚିଛି। ସରକାର ଏଥିପ୍ରତି ଧ୍ୟାନ ନଦେଲେ ଅଣ୍ଡା ଓ ଚିକେନ୍ ଦର ଆହୁରି ବଢ଼ିପାରେ।
ଦରବୃଦ୍ଧିର ପ୍ରଭାବ କେବଳ ବଜାରରେ ସୀମିତ ନାହିଁ। ଏହାର ତାତି ପହଞ୍ଚିଛି ଅଙ୍ଗନବାଡ଼ି କେନ୍ଦ୍ର ଯାଏଁ। ରାଇରଙ୍ଗପୁରର ପୁରୁଣାପାଣି ହେଉ କି ବିନିକାର ଖଦାଲପଡ଼ା...ସବୁ କେନ୍ଦ୍ରର ଅଙ୍ଗନବାଡ଼ି ଦିଦି ଏବେ ଚିନ୍ତାରେ। କୁନି କୁନି ପିଲାଙ୍କୁ ଅଣ୍ଡା ଦେବା ପାଇଁ ସରକାର ଅଣ୍ଡା ପିଛା ୭ ଟଙ୍କା ୫୦ ପଇସା ଯାଏଁ ଦେଉଛନ୍ତି। କିନ୍ତୁ ସ୍ଥାନୀୟ ବଜାରରେ ଗୋଟିଏ ଅଣ୍ଡାର ଦାମ୍ ୧୦ ଟଙ୍କା। ଫଳରେ ପିଲାଙ୍କ ମୁହଁରେ ଆହାର ଦେବାକୁ ଯାଇ ଅଙ୍ଗନବାଡ଼ି ଦିଦିମାନେ ନିଜ ପକେଟରୁ ଟଙ୍କା ଗଣି କ୍ଷତିସହିବାକୁ ବାଧ୍ୟ ହେଉଛନ୍ତି।
ଅଣ୍ଡା ଓ ଚିକେନର ଏହି ବର୍ଦ୍ଧିତ ଦର କେବଳ ଖାଉଟିଙ୍କୁ ନୁହେଁ, ପୋଷଣ ଯୋଜନାକୁ ବି ଧରାଶାୟୀ କରିବାକୁ ବସିଲାଣି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।