El Nino May Trigger 4.51 Lakh Extra Heat Deaths: ଏଲ୍ ନିନୋର ଭୟଙ୍କର ପ୍ରଭାବ: ୬ ମାସରେ ୪ ଲକ୍ଷ ୫୧ ହଜାର ଲୋକଙ୍କର ମୃତ୍ୟୁ ଆଶଙ୍କା

Sep 23, 2026 - 14:31
El Nino May Trigger 4.51 Lakh Extra Heat Deaths: ଏଲ୍ ନିନୋର ଭୟଙ୍କର ପ୍ରଭାବ: ୬ ମାସରେ ୪ ଲକ୍ଷ ୫୧ ହଜାର ଲୋକଙ୍କର ମୃତ୍ୟୁ ଆଶଙ୍କା

ବିଶ୍ୱ ପାଇଁ ଆସୁଛି ଆଉ ଏକ ବଡ଼ ଜଳବାୟୁ ଚ୍ୟାଲେଞ୍ଜ। ଏଲ୍‌ ନିନୋ ଯୋଗୁଁ ଆଗାମୀ ୬ ମାସରେ ବିଶ୍ୱରେ ଅତିରିକ୍ତ ପ୍ରାୟ ୪ ଲକ୍ଷ ୫୧ ହଜାର ଲୋକଙ୍କର ତାପଜନିତ ମୃତ୍ୟୁ ହୋଇପାରେ ବୋଲି ନୂଆ ରିପୋର୍ଟରେ ପ୍ରକାଶ ପାଇଛି। ସେପ୍ଟେମ୍ବର ୨୦୨୬ରୁ ଫେବ୍ରୁଆରୀ ୨୦୨୭ ମଧ୍ୟରେ ଏହି ମୃତ୍ୟୁ ହୋଇପାରେ ବୋଲି ଆକଳନ କରାଯାଇଛି।

୧୯୯୬ରୁ ୨୦୨୫ ପର୍ଯ୍ୟନ୍ତ ସାଧାରଣ ପରିସ୍ଥିତିକୁ ଭିତ୍ତି କରି ଏହି ଆକଳନ କରିଛି 'କ୍ଲାଇମେଟ୍‌ ଇମ୍ପାକ୍ଟ ଲ୍ୟାବ୍‌'। କ୍ଲାଇମେଟ ଇମ୍ପାକ୍ଟ ଲ୍ୟାବର ଏହି ଆକଳନ ଅନୁସାରେ ଏହି ସଙ୍କଟରେ ମୁଖ୍ୟତଃ 'ଗ୍ଲୋବାଲ ସାଉଥ୍‌' ବା ଦକ୍ଷିଣ ଗୋଲାର୍ଦ୍ଧର ଦେଶଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହେବେ। ଆଫ୍ରିକାର ସାହେଲ୍‌ ଅଞ୍ଚଳରେ ପ୍ରାୟ ୬୬,୮୦୦ଟି ତାପଜନିତ ମୃତ୍ୟୁ ହୋଇପାରେ ବୋଲି ଆକଳନ କରାଯାଇଛି।

ନାଇଜେରିଆରେ ୩୧,୪୦୦, ସୁଦାନରେ ୧୭,୫୦୦, ନାଇଜରରେ ୧୦,୦୦୦, ଚାଡରେ ୮,୦୦୦, ଭାରତରେ ୧୫,୮୦୦, ଇଣ୍ଡୋନେସିଆରେ ୧୯,୩୦୦ ଓ ବ୍ରାଜିଲରେ ୧୩,୩୦୦ ତାପଜନିତ ମୃତ୍ୟୁ ହୋଇପାରେ। ସେହିପରି ଫିଲିପାଇନ୍ସ, ଭିଏତନାମ, ଥାଇଲାଣ୍ଡ ଓ କାମ୍ବୋଡିଆକୁ ମିଶାଇ ପ୍ରାୟ ୧୯,୪୦୦ ଅତିରିକ୍ତ ମୃତ୍ୟୁ ଆକଳନ କରାଯାଇଛି। 

ବିଶ୍ୱ ପାଣିପାଗ ସଂଗଠନ ଡବ୍ଲ୍ୟୁଏମଓ ଅନୁସାରେ ଏଲ୍‌ ନିନୋ ଆଗାମୀ ମାସରେ ଆହୁରି ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି। ଏହା ନଭେମ୍ବର-ଡିସେମ୍ବର ୨୦୨୬ ଆଖପାଖରେ ସର୍ବୋଚ୍ଚ ତୀବ୍ରତାରେ ପହଞ୍ଚିପାରେ। ଫେବ୍ରୁଆରୀ ୨୦୨୭ ପର୍ଯ୍ୟନ୍ତ ଏହା ଜାରି ରହିବାର ସମ୍ଭାବନା ପ୍ରାୟ ୧୦୦ ପ୍ରତିଶତ ରହିଛି। 

ଆମେରିକାର NOAA ସଂସ୍ଥା ଅନୁଯାୟୀ, ଉତ୍ତର ଗୋଲାର୍ଦ୍ଧରେ ୨୦୨୬-୨୭ ଶରତ ଓ ଶୀତଋତୁ ସମୟରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ଏଲ୍‌ ନିନୋ ସୃଷ୍ଟି ହେବାର ସମ୍ଭାବନା ୯୦%ରୁ ଅଧିକ ରହିଛି। 'ଏଲ୍‌ ନିନୋ ୩.୪' (ପ୍ରଶାନ୍ତ ମହାସାଗରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ) ନାମକ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ସାଧାରଣଠାରୁ ୧.୮°C ଅଧିକ ରହିଛି। ପୂର୍ବ ଭୂମଧ୍ୟରେଖୀୟ ପ୍ରଶାନ୍ତ ମହାସାଗରରେ ଏହି ତାପମାତ୍ରା ବୃଦ୍ଧିର ମାତ୍ରା ୩°Cରୁ ଅଧିକ ରହିଛି, ଯାହା ସାମୁଦ୍ରିକ ପରିବେଶ ଏବଂ ଜଳବାୟୁ ପାଇଁ ଏକ ଚିନ୍ତାଜନକ ସଙ୍କେତ।

ଜଳବାୟୁ ପର୍ଯ୍ୟବେକ୍ଷଣ ସଂସ୍ଥା 'କପରନିକସ୍' ଅନୁସାରେ, ଅଗଷ୍ଟ ୨୦୨୬କୁ ବିଶ୍ୱ ଇତିହାସର ସବୁଠାରୁ ଉତ୍ତପ୍ତ ଅଗଷ୍ଟ ମାସ ଭାବେ ରେକର୍ଡ କରାଯାଇଛି। ଏହି ମାସରେ ବିଶ୍ୱର ହାରାହାରି ପୃଷ୍ଠ ବାୟୁ ତାପମାତ୍ରା ୧୬.୯୬°C ରେକର୍ଡ ହୋଇଥିଲା। ଏହା ୧୮୫୦-୧୯୦୦ ମସିହାର ପୂର୍ବ-ଶିଳ୍ପ ଯୁଗର ହାରାହାରି ତାପମାତ୍ରାଠାରୁ ୧.୬୫°C ଅଧିକ ଅଟେ। ଏହାର ଅର୍ଥ ହେଉଛି ବିଶ୍ୱରେ ଗ୍ରୀନହାଉସ୍ ଗ୍ୟାସ୍ ଏବଂ ଜଳବାୟୁ ପରିବର୍ତ୍ତନ କାରଣରୁ ପୃଥିବୀର ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

କ୍ଲାଇମେଟ ଇମ୍ପାକ୍ଟ ଲ୍ୟାବର ଆକଳନ ଅନୁସାରେ, ଆଗାମୀ ୬ ମାସ ପରେ ମଧ୍ୟ ଏହି ପ୍ରଭାବ ଶେଷ ହେବ ନାହିଁ। ବିଶେଷକରି ଭାରତ ଓ ପାକିସ୍ତାନ ଭଳି ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ ୨୦୨୭ର ଗ୍ରୀଷ୍ମରେ ପ୍ରବେଶ କଲେ ତାପଜନିତ ମୃତ୍ୟୁ ଆହୁରି ବଢ଼ିପାରେ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି।

ବିଶେଷଜ୍ଞମାନେ ଏହି ପରିସ୍ଥିତିରେ ଆଗୁଆ ହିଟ୍‌ୱେଭ୍‌ ସତର୍କତା, ଶୀତଳୀକରଣ କେନ୍ଦ୍ର, ପର୍ଯ୍ୟାପ୍ତ ପାଣି ଓ ହାଇଡ୍ରେସନ୍‌ ବ୍ୟବସ୍ଥା, ବାହାରେ କାମ କରୁଥିବା ଲୋକଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା ଭଳି ପଦକ୍ଷେପ ଉପରେ ଗୁରୁତ୍ୱ ଦେଉଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।